Unknown

 

 

 

 

 

 

 

 

 

 

 

ଏକ ମନ ଅନେକ ତରଙ୍ଗ

ମହେନ୍ଦ୍ର କୁମାର ବେହେରା

 

 

 

 

 

 

 

ବିଚିତ୍ର ଏଇ ସୃଷ୍ଟି, ତା’ଠାରୁ ବିଚିତ୍ର ଏଇ ମଣିଷ, ସବୁଠାରୁ ବିଚିତ୍ର ମଣିଷର ମନ...ବିଶେଷତଃ କୁମାରୀ କନ୍ୟାର ମନ, ଯେଉଁ ମନ ସଦାସର୍ବଦା ଚଳଚଞ୍ଚଳ, ଯେଉଁ ମନରେ ସ୍ଥିରତା ନାହିଁ, ଯେଉଁ ମନରେ ପ୍ରତି ମୁହୂର୍ତ୍ତରେ ଢେଉ ଉଠେ, ତରଙ୍ଗ ଉଠେ, ଜୁଆର ଉଠେ; ଏକ ଛଳନାମୟୀ, ସ୍ୱାର୍ଥପର ନାରୀର ପ୍ରତିଦାନ...

☆☆☆

 

 

 

 

 

 

 

 

 

ଏବେ ବି ମୁଁ ଯାହାକୁ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାସ କରେ ସେଇ ଏକାନ୍ତ ଆପଣାର ‘‘ମୀନା’’ ହାତରେ.......

 

ଲେଖକ

ତା ୩/୩/୭୪

☆☆☆

 

ଏଇ ଲେଖକଙ୍କର ପ୍ରକାଶିତ ଉପନ୍ୟାସ

 

୧.

ଭଗ୍ନତରୀ

୨.

ସ୍ୱର୍ଣ୍ଣତରୀ

୩.

ମଧୂମତୀ

୪.

ସୀମନ୍ତ ସିନ୍ଦୁର

୫.

ଏକ ପଥ ଦୁଇ ନାରୀ

୬.

ଆସିଥିଲା ଅଭିମାନିନୀ

୭.

ସୁମିତ୍ରାର ଆତ୍ମଲିପି

୮.

ଗୋଟିଏ ମନ କୋଟିଏ ବେଦନା

୯.

ଗଡ଼ିଗଲା ବୟସ ଗଡ଼ିଗଲା ପାଣି

୧୦.

ଏକମନ ଅନେକ ତରଙ୍ଗ ଓ ଗଭୀର ଜଳର ମାଛ (ଯନ୍ତ୍ରସ୍ଥ)

୧୧.

ମନ୍ଦ ନୁହେଁ ଛନ୍ଦ ତା’ର (ଯନ୍ତ୍ରସ୍ଥ)

☆☆☆

 

 

 

 

 

 

 

 

 

‘‘You will help others

God will help you !’’

 

–Gandhiji,

☆☆☆

 

ପ୍ରାରମ୍ଭ

 

ବିଚ୍ଛୁରିତ ଜ୍ୟେତ୍ସ୍ନାର କିରଣ ସିକତାମୟ ବାଲୁକା ପ୍ରାନ୍ତର ଉପରେ ନେସି ହୋଇ ଯାଇଥିଲା । ନୀଳ ଆକାଶ ବକ୍ଷରେ କେତୋଟି ଅନାମିକା ପକ୍ଷୀଦମ୍ପତ୍ତିଙ୍କର କାକଳୀ ଧରାପୃଷ୍ଠର ଶାନ୍ତ ବାତାବରଣକୁ ଅଶାନ୍ତମୟ କରୁଥିଲା; ତଥାପି ମୁକ୍ତ-ବିହଙ୍ଗୀର ମନୋମୁଗ୍‌ଧକର ସ୍ୱର-କୂଜନ କର୍ଣ୍ଣକୁହରକୁ ବେଶ୍ ମଧୁମୟ ଶୁଣାଯାଉଥିଲା ।

 

ସନ୍ଧ୍ୟା ଏଇମାତ୍ର ଅତିକ୍ରମ କରିଯାଇଛି ।

 

ଅର୍ଦ୍ଧଚନ୍ଦ୍ରର ରୂପେଲି କିରଣ ଗଛପତ୍ରର ଫାଙ୍କାରେ ଏକ ଛାଇ-ଆଲୁଅ ସୃଷ୍ଟି କରିଛି । ଛୋଟବଡ଼ ଶିଳାଖଣ୍ଡ ଉପରେ ରୂପେଲି ଜ୍ୟୋତ୍ସ୍ନା ଚିକ୍ ଚିକ୍ କରୁଛି ।

 

ନିର୍ନିମେଷ ଦୃଷ୍ଟିରେ ଧରଣୀ ଚାହିଁଥିଲା ସୁଦୂର ଆକାଶକୁ । ଏ ଧରିତ୍ରୀ କେତେ ସୁନ୍ଦର ! ଏ ଆକାଶ କେତେ ସୁନ୍ଦର ! ଆଉ କେତେ ସୁନ୍ଦର ଆକାଶରୁ ଝରୁଥିବା ରୂପେଲି ଜ୍ୟୋତ୍ସ୍ନା ।

 

ତଥାପି...

 

ତଥାପି ଏ ସବୁ ମୂଲ୍ୟହୀନ–ନିରର୍ଥକ । ଏ ପୃଥବୀରେ ପ୍ରତିପ୍ରାନ୍ତରରେ କ୍ଷୁଧା ଯେଉଁଠି ଅହରହ ଗ୍ରାସ କରୁଛି ସେଠି ଏସବୁ ମୂଲ୍ୟହୀନ ନୁହେଁତ ଆଉ କଣ ? ଉଦର ସିନା ପୂର୍ଣ୍ଣଥିଲେ ପୃଥିବୀର ସବୁକିଛି ଆଖିକୁ ସୁନ୍ଦର ଦେଖାଯାଏ । ଉପଭୋଗ କରିବାକୁ ମନେହୁଏ । ଜୀବନ ଲୋଭନୀୟ ମନେହୁଏ । ଶରୀରକୁ ସୁନ୍ଦର କରି ଗଢ଼ିବାକୁ ଆଗ୍ରହ ଆସେ ।

 

ଏ ବିଶାଳ ପୃଥିବୀରେ ଯେତେକିଛି ସମସ୍ୟା ଅଛି ସବୁଠାରୁ ବଡ଼ ସମସ୍ୟା ହେଉଛି କ୍ଷୁଧା । ଏ ଅର୍ଥନୀତି ଯୁଗରେ କ୍ଷୁଧା ମଣିଷକୁ ବିପ୍ଳବୀ କରେ, ପ୍ରାଚୀନ ପରମ୍ପରା ତଥା ସଂସ୍କାରକୁ ଧ୍ୱଂସ କରେ, ମଣିଷର ବ୍ୟକ୍ତିତ୍ୱ, ଆତ୍ମସମ୍ମାନକୁ କଳଙ୍କିତ କରେ–ଆଉ ମଣିଷକୁ ନଗ୍ନ–ଅଶ୍ଳୀଳ କରେ...

 

ମଣିଷ ସବୁକ୍ଷେତ୍ରରେ ବିଜୟୀ ହୋଇ ପାରେ କିନ୍ତୁ କ୍ଷୁଧା ନିକଟରେ ସମସ୍ତେ ପରାଜିତ-। ମଣିଷ ହିମାଳୟର ଶିଖରରେ ବିଜୟପତକା ଉଡ଼ାଇ ପାରୁଛି, ଚନ୍ଦ୍ରଲୋକରେ ପାଦ ପକାଇ ପାରୁଛି, ସମୁଦ୍ରର ଅତଳଗର୍ଭରୁ ମୁକ୍ତା ସଂଗ୍ରହ କରିପାରୁଛି, କିନ୍ତୁ କ୍ଷୁଧା ନିବାରଣ ପାଇଁ ମଣିଷ କଣ କରି ପାରିଛି ?

 

ଏଇ ପୃଥିବୀ, ଏଇ ସମାଜ କେବଳ ଆଭିଜାତ୍ୟ ପୂର୍ଣ୍ଣ ମଣିଷମାନଙ୍କ ପାଇଁ, ଗରୀବଙ୍କ ପାଇଁ ନୁହେଁ । ପୃଥିବୀର ପ୍ରତି ପ୍ରାନ୍ତରରେ କ୍ଷୁଧା ଜର୍ଜରିତ ନରନାରୀ ଅହରହ ଚିତ୍କାର କରୁଛନ୍ତି, ପେଟ ବିକଳରେ ଆତ୍ମହତ୍ୟା କରୁଛନ୍ତି । ଅନେକ ନୀଚ୍ଚ–ହୀନ ପନ୍ଥା ଅବଲମ୍ବନ କରୁଛନ୍ତି । ତଥାପି ମଣିଷ ବଞ୍ଚିବାକୁ ସଂଗ୍ରାମ କରେ । ମଣିଷ ମରି ମରି ବଞ୍ଚେ । ଆତ୍ମହତ୍ୟାର ପରିକଳ୍ପନା କରୁ କରୁ ଆକର୍ଷଣର ଜାଲ ବୁଣେ । ପେଟପୁରାଇ ହସେ । ବଞ୍ଚିବାର ନୈରାଶବାଦ୍ ଉପରେ ପାଦଥାପି ମଣିଷ ଗର୍ବ କରେ ।

 

ମଣିଷର ଗର୍ବ, ଅହଙ୍କାର କେତେଦିନ ?

 

ଦୁଇଦିନର ସୁଖ ପାଇଁ ମଣିଷ କି ଜଘନ୍ୟ କାର୍ଯ୍ୟକରେ ? ରୋଗଶୋକରେ ଜର୍ଜରିତ ହେଉଥିଲେ ମଧ୍ୟ ବଞ୍ଚିବା ପାଇଁ ମଣିଷ ସଂଗ୍ରାମ କରେ ।

 

ଜୀବନର ମୋହ–ବଞ୍ଚିବାର ଆଗ୍ରହ ! କି ଅଦ୍ଭୁତ୍ ।

 

ସାମାନ୍ୟ ଦୂରରେ ମଷାଣୀ–ମଣିଷର ଚିର ଆଶ୍ରୟସ୍ଥଳ । ସେଇ ସ୍ୱଳ୍ପସ୍ଥାନଟିରେ ଧନୀ–ଦରିଦ୍ର, ବ୍ରାହ୍ମଣ–ଶୁଦ୍ର ସମସ୍ତେ ସମାନ !

 

ଜୁଇ ଜଳୁଛି । ନିଆଁ ଉଠୁଛି ଉପରକୁ । ସାମାନ୍ୟ ନିଆଁଧାସ ହିଲ୍ଲୋଳିତ ସମୀରଣରେ ଉଡ଼ି ଆସୁଛି । ଅହଂଭାବ, ଗର୍ବ, ଅହଙ୍କାର ବୋଲାଇ ସମାଜ ସାଥିରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ବ୍ୟକ୍ତି ଆଜି ନିଃସ୍ୱ । ତ୍ରିତଳ ପ୍ରାସାଦର ଫେନନୀଭ ଶୁଭ୍ରଶଯ୍ୟା ଯାହାକୁ ସୁଖକର ହେଉ ନ ଥିଲା ସେ ଆଜି କେତେଖଣ୍ଡ କାଠ ଉପରେ ଚିରନିଦ୍ରାଭିଭୂତ । ନିମିଷକ ପରେ ପୁଣି ସେ ମେଞ୍ଚାଏ ପାଉଁଶ ହୋଇଯିବ ।

 

କୁଆଡ଼େ ଗଲା ତା’ର ଗର୍ବ, ଅହଙ୍କାର, ଆଭିଜାତ୍ୟ, ଆତ୍ମବଡ଼ିମା ?

 

ମଣିଷ ଜୀବନ ମରଣଶୀଳ !

 

କିନ୍ତୁ ମଣିଷ ଯଦି ଅମର ହୋଇ ରହନ୍ତା ?

 

ମନେ ମନେ ହସି ଉଠିଲା ଧରଣୀ ! କି ଅଦ୍ଭୁତ ତା’ର ଚିନ୍ତାଧାରା ? ମଣିଷ ଯଦି ଅମର ହୋଇ ରହିଥାଆନ୍ତା ତେବେ ଆଜି ଆମେ ଯେଉଁଠି ପାଦ ପକାଇ ଚାଲୁଛୁ ତା’ ହୁଏତ କେଉଁଦିନୁ ପୂରଣ ହୋଇଥାଆନ୍ତା । ଜଳ–ସ୍ଥଳ କେଉଁଠି ହେଲେ ଚେନାଏ ସ୍ଥାନ ନ ଥାଆନ୍ତା । କେବଳ ମଣିଷ ଭିତରେ ପୃଥିବୀର ସବୁକିଛି ସୌନ୍ଦର୍ଯ୍ୟ ଲୁଚିଯାଇ ଥାଆନ୍ତା ।

 

ଧରଣୀ ଶୀଳାଖଣ୍ଡ ଉପରୁ ଉଠିଲା ।

 

ସନ୍ଧ୍ୟା ଗଡ଼ିଗଲାଣି ଅନେକବେଳୁ । ନଦୀପ୍ରାନ୍ତର ପ୍ରାୟ ନିର୍ଜନ ହୋଇ ଆସିଲାଣି । ସାମାନ୍ୟ ଶୀତଳ ସମୀରଣ ଦେହରେ ସିତ୍କାର ଆଣୁଛି । ତଥାପି ଘରକୁ ଫେରିବାକୁ ଇଚ୍ଛା ହେଉ ନ ଥିଲା । ସଂସାରର କୋଳାହଳ, ସମାଜର ଲାଲଚକ୍ଷୁ ତାକୁ ମୋଟେ ଭଲଲାଗୁ ନଥିଲା । ତେଣୁ ଏଇ ନିର୍ଜନ ନିକାଞ୍ଚନ ସ୍ଥାନରେ ବସି ରହିବାର ଲୋଭ ସମ୍ବରଣ କରିପାରୁ ନ ଥିଲା ସେ ।

 

ଧରଣୀଧର ଆଗକୁ ବଢ଼ି ଚାଲିଲା ।

 

ପଥରବନ୍ଧର ଶେଷ ମୁଣ୍ଡରେ ଥିବା ଗଭୀର ନିସ୍ତରଙ୍ଗ ଜଳାଧାର ଉପରେ ଚନ୍ଦ୍ରକିରଣ ପଡ଼ି ଚିକ୍ ଚିକ୍ କରୁଛି । ବେଶ ଲୋଭନୀୟ ମନେ ହେଉଛି ।

 

ଜଳାଧାରର ଖୁବ୍ ନିକଟରେ ଥିବା ଏକ ଶୀଳାଖଣ୍ଡ ଉପରେ ବସିପଡ଼ିଲା ଧରଣୀଧର ।

 

କମନୀୟ ରାତ୍ରିର ବୟସ ବଢ଼ୁଥିଲା ।

 

ଧରଣୀ ଭାବୁଥିଲା, ବିଚିତ୍ର ଏ ଦୁନିଆ, ଆଉ ସବୁଠାରୁ ବିଚିତ୍ର ହେଉଛି ମଣିଷର ମନ । ନିଜ ସ୍ୱାର୍ଥପାଇଁ ହିଂସା, ଦ୍ୱେଷ, ଆତ୍ମଗର୍ବ ଓ ଅହଙ୍କାର । କ୍ଷଣିକର ମୋହ, ନିମିଷକର କାମନା–ଲାଳସା ପାଇଁ ପ୍ରତ୍ୟେକ ମଣିଷ ପାଗଳ । ସ୍ୱାର୍ଥପର ସମାଜ, ଆଉ ସେଇ ସମାଜର ପ୍ରତ୍ୟେକ ମଣିଷ ହେଉଛି ସବୁଠାରୁ ବେଶୀ ସ୍ୱାର୍ଥପର । ନିଜ ସ୍ୱାର୍ଥ ହାସଲ ପାଇଁ ପ୍ରତ୍ୟେକ ମଣିଷ ପାଗଳ । କିଏ ନେତା ହେବାପାଇଁ, କିଏ ଧନ ପାଇଁ, କିଏ ସମ୍ମାନ ପାଇଁ ଆଉ କିଏ ନାରୀ ପାଇଁ...ଯେଉଁମାନେ କୁହନ୍ତି ବିନା ସ୍ୱାର୍ଥରେ ସେ ପରର ଉପକାର କରୁଛନ୍ତି ସେ ଭୀଷଣ ଭାବେ ମିଛ କହୁଛନ୍ତି । ମଣିଷ ଯେଉଁକାମ କରୁ, କୌଣସି ସ୍ୱାର୍ଥ ପାଇଁ ସେ ସବୁ କାମରେ ହାତଦିଏ । ଯେଉଁଠି କିଛି ସ୍ୱାର୍ଥ ନ ଥାଏ ସେଠାରେ ମଣିଷ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ନ ହୋଇ ଦୂରେଇ ଆସେ-

 

ସାଧାରଣତଃ ଗୋଟିଏ ମଣିଷ ଆନୁମାନିକ ଷାଠିଏ ବର୍ଷ ବଞ୍ଚେ । କିନ୍ତୁ ଏଇ ଷାଠିଏ ବର୍ଷ ଭିତରେ ସେ କେତେ ବର୍ଷ ମରେ ? ବଞ୍ଚିବା ଭିତରେ ମରିବା କଥା ଶୁଣିଲେ ହସ ଲାଗୁଥିବ ନିଶ୍ଚୟ; କିନ୍ତୁ ମଣିଷ ପ୍ରତିଦିନ ୮/୧୦ ଘଣ୍ଟା ପାଇଁ ମରେ । ମଣିଷର ଶୋଇବା କଣ ମରିବା ସହିତ ସମାନ ନୁହେଁ ? ଦୌନିକ ଖୁବ୍ କମ୍‌ରେ ମଣିଷ ଆଠଘଣ୍ଟା ଶୋଇଲେ ଏଇ ଷାଠିଏ ବର୍ଷ ଭିତରେ ସେ କୋଡ଼ିଏ ବର୍ଷ ଶୁଏ–ମାନେ ସେ କୋଡ଼ିଏ ବର୍ଷ ମରେ । ଷାଠିଏ ବର୍ଷ ଭିତରୁ ୨୦ ବର୍ଷ ଗଲେ ବାକୀ ରହିଲା ମାତ୍ର ଚାଳିଶ ବର୍ଷ । ଦୀର୍ଘ ଷାଠିଏ ବର୍ଷ ଭିତରୁ ଏଇ ବଞ୍ଚିରହିଥିବା ବର୍ଷ କେତେ ସ୍ୱଳ୍ପ !

 

ତଥାପି ମଣିଷ ପରଶ୍ରୀ କାତରତା, ହିଂସା–ଦ୍ୱେଷ ଭିତରେ ଜଡ଼ିତ ରହେ । ମଣିଷ ହତ୍ୟା କରେ–ପ୍ରତିଶୋଧ ନିଏ, ପ୍ରତିଦ୍ୱନ୍ଦିତା କରେ ।

 

ହାତ ଘଣ୍ଟାକୁ ଚାହିଁଲା ଧରଣୀ । ବାରଟା ବାଜିଗଲାଣି ଅନେକ ବେଳୁ । ନଦୀର ଅପର ପଟରୁ ଚକୁଆର ଆକୁଳ କଣ୍ଠସ୍ୱର ଶୁଭୁଛି । କି କରୁଣ ଆଉ ମର୍ମନ୍ତୁଦ ସେ କଣ୍ଠସ୍ୱର !

 

ବିଚିତ୍ର ! ସ୍ରଷ୍ଟାର ସୃଷ୍ଟି ବିଚିତ୍ର–ଅଦ୍ଭୁତ !

 

ଗଭୀର ରାତ୍ରିର ନିସ୍ତବତା ବଢ଼ୁଥିଲା । ବାଦଲ ଉହାଡ଼ରେ ଚନ୍ଦ୍ର ଆତ୍ମଗୋପନ କରି ନିମିଷକ ପରେ ପୁଣି ଉଙ୍କି ମାରି ସେ ଚାହୁଁଥିଲା ଧରିତ୍ରୀ ବକ୍ଷକୁ ।

 

ଧରଣୀ ଆକାଶ ଆଡ଼ୁ ମୁହଁ ଫେରାଇ ଚତୁର୍ଦିଗକୁ ଚାହିଁଲା । ଆରେ ! କାହାର ଏ ଛାୟାମୂର୍ତ୍ତି ! ନିର୍ଜନ, ନିକାଞ୍ଚନ ଗଭୀର ରାତ୍ରିରେ କିଏ ଆସୁଛି ?

 

ଛାୟାମୂର୍ତ୍ତି କ୍ଷିପ୍ରଗତିରେ ମାଡ଼ି ଆସୁଛି । ଲକ୍ଷ୍ୟ ଏକ, କାମନା ଏକ । ଭୟ ନାହିଁ । ଭ୍ରାନ୍ତି ନାହିଁ–ଅନ୍ୟ ଆଡ଼କୁ ଦୃଷ୍ଟି ମଧ୍ୟ ନାହିଁ ।

 

ଧରଣୀ ମୁଣ୍ଡରେ ଚିନ୍ତାର କୁହେଳି । ମନରେ ସାମାନ୍ୟ ଭୟ । କିନ୍ତୁ ଭୟ କାହିଁକି ଆସୁଛି ? ଜୀବନର ଅନେକ ନିରୋଳା ମୁହୂର୍ତ୍ତ ଏଇ ପଥର ବନ୍ଧ ଉପରେ ବସି କଟାଇ ଦେଇଛି । ରାତି ବିତି ଯାଇଛି ତଥାପି ଭାବନାର ପରିସମାପ୍ତି ହୋଇନି । ଇମିତି ଅଧରାତିରେ ବସି ବହୁ ବିପଦର ସମ୍ମୁଖୀନ ହୋଇଛି । ଅନେକ ଅସାମାଜିକ, ଅନ୍ୟାୟ ପଥରେ ଆସିଛନ୍ତି ଏଇ ନିର୍ଜନ ସ୍ଥାନକୁ । ସେମାନଙ୍କୁ ସେ ସତ୍‌ପଥର ମାର୍ଗ ଦେଖାଇ ଦେଇଛି । ଜୀବନ ପ୍ରତି ମମତା, ବିଶ୍ୱାସ ହରାଇ ଓ ଅନ୍ୟଦ୍ୱାରା ପ୍ରତାରିତ ହୋଇ ଆତ୍ମବିସର୍ଜନ କରିବାକୁ ଆସିଛନ୍ତି ଏଇ ନିସ୍ତରଙ୍ଗ ଜଳାଧାରରେ । ଅନେକ, ଅନେକ ପ୍ରକାର ଘଟଣା ଆଉ ସୁଘଟଣାର ସମ୍ମୁଖୀନ ହୋଇ ସେମାନଙ୍କୁ ସତ୍‌ପଥରେ ଫେରାଇ ଦେଇଛି । କିନ୍ତୁ ସେ ଦିନ ତ ମନରେ ଭୟ ନ ଥିଲା? ଆଉ ଆଜି କାହିଁକି ଭୟ ଆସୁଛି ?

 

ନିଜକୁ ଦୃଢ଼ କଲା ଧରଣୀଧର ।

 

ଚନ୍ଦ୍ର କିରଣ ଲୁଚକାଳି ଖେଳୁଛି । ଜଳାଧାର ଉପରେ ଛାୟା ମୂର୍ତ୍ତିର ପ୍ରତିବିମ୍ବ ନାଚୁଛି । କିନ୍ତୁ ଛାୟାମୂର୍ତ୍ତିର ଉଦ୍ଦେଶ୍ୟ କିଛି ବୁଝି ହେଉନି ।

 

ସାମାନ୍ୟ ଦୂରରେ ଠିଆ ହୋଇ ଧରଣୀ ଲକ୍ଷ୍ୟ କଲା ।

 

ଛାୟାମୁର୍ତ୍ତି ଆକାଶ ଆଡ଼ୁ ମୁହଁ ଫେରାଇ ଗଭୀର ଜଳରାଶିକୁ ଚାହିଁ ହାତଯୋଡ଼ି ନମସ୍କାର କଲା...

 

ଧରଣୀର ବୁଝିବାକୁ ଆଉ ବାକି ରହିଲା ନାହିଁ । ଛାୟା ବୋଲି ଏ ପର୍ଯ୍ୟନ୍ତ ଯାହାକୁ ସେ ମନେ କରିଥିଲା ସେ ପ୍ରକୃତରେ ଛାୟା ନୁହେଁ–ଏକ ମଣିଷ ।

 

ଛାୟାମୂର୍ତ୍ତିର ଗତିବିଧି ଲକ୍ଷ୍ୟ କରି ପଲକ ମାତ୍ରେ କ୍ଷିପ୍ର ଗତିରେ ଦଉଡ଼ି ଆସିଲା ଧରଣୀଧର । ଛାୟା ମୂର୍ତ୍ତିଟି ନିସ୍ତରଙ୍ଗ ଜଳରାଶିକୁ ଲମ୍ପ ଦେବାକୁ ଉଦ୍ୟତ ହେଉଥାଏ ।

 

ଧରଣୀଧର ଧରି ପକାଇଲା ଛାୟାମୂର୍ତ୍ତିକୁ ।

 

-କିଏ ? କିଏ ତୁମେ ? କାହିଁକି ତମେ ମୋ ଗତିପଥରେ ବାଧା ଦେଉଛ ? କାହିଁକି ମୋତେ ମୋ ଲକ୍ଷ୍ୟପଥରୁ ଟାଣି ଆଣିଲ ? ମୋତେ ଛାଡ଼ିଦିଅ, ମୋ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ଶାନ୍ତି ପାଇପାରିବି ନାହିଁ ।

 

ଧରଣୀର ବାହୁବନ୍ଧନ ଭିତରେ ଛାୟାମୂର୍ତ୍ତି ଆବଦ୍ଧ । ପଳାଇ ଯିବାକୁ ଛାଟିପିଟି ହେଉଛି-। କଣ୍ଠସ୍ୱରରୁ ଧରଣୀ ଅନୁମାନ କରିନେଲା ଛାୟାମୂର୍ତ୍ତିଟି ପୁରୁଷ ନୁହେଁ–ନାରୀ । କିନ୍ତୁ ଆତ୍ମହତ୍ୟାର ଉଦ୍ଦେଶ୍ୟ କଣ ? ସେ କଣ ସ୍ୱାମୀ ପରିତ୍ୟକ୍ତା–ସମାଜ ପରିତ୍ୟକ୍ତା !!

 

ଧରଣୀ କହିଲା–ଆତ୍ମହତ୍ୟାରେ ଜୀବନରେ ଶାନ୍ତି ମିଳେନା । ମଣିଷ ଜୀବନର ଲକ୍ଷ୍ୟ ଆତ୍ମହତ୍ୟା ନୁହେଁ । ପ୍ରତ୍ୟେକ ମଣିଷର ସୃଷ୍ଟି ପଛରେ କିଛି ନା କିଛି ବୈଶିଷ୍ଟ ଅଛି । ମଣିଷ ଜୀବନ ଏତେ ଘୃଣ୍ୟ, ନୀଚ୍ଚ, ଅବହେଳିତ ନୁହେଁ । ଜୀବନକୁ ଭୁଲ ମାର୍ଗରେ ପରିଚାଳିତ କରିବାକୁ ନିଜର ଜୀବନ ପ୍ରତି ମମତା ହ୍ରାସ ପାଇଛି । ସେଇଥିପାଇଁ ଆତ୍ମହତ୍ୟାର ପରିକଳ୍ପନା । ଅଶାନ୍ତି ମଧ୍ୟରେ ଜୀବନକୁ ଗଢ଼ି ତୋଳିଲେ ଶାନ୍ତି ପାଇବା ବା କିପରି ? ଜୀବନରେ ତମେ ଯଦି ଶାନ୍ତି ପାଇବାକୁ ଚାହଁ ତେବେ ଭଗବାନଙ୍କ ଉପରେ ବିଶ୍ୱାସ ରଖ । ସେଇ ସୃଷ୍ଟିକର୍ତ୍ତା ପରମେଶ୍ୱର ତୁମକୁ ଶାନ୍ତି ଦେଇପାରିବେ ।

 

ଭଗବାନ ! ଗୋଟାଏ ନିରର୍ଥକ ଶବ୍ଦର ମାନେ ଏ ବିଜ୍ଞାନ ଯୁଗରେ ମୂଲ୍ୟହୀନ । ଭଗବାନ କଣ, ଭଗବାନ କିଏ, ସେ କେଉଁଠି ଥାଆନ୍ତି, କଣ କରନ୍ତି, ଆମେ କାହିଁକି ତାକୁ ବିଶ୍ୱାସ କରିବୁ, ସେ ମଣିଷର କି ଉପକାର କରୁଛନ୍ତି...ଆଉ କିଛି କହିପାରିଲାନି ଛାୟାମୂର୍ତ୍ତିଟି । ପାଗଳୀଙ୍କ ଭଳି ବୀଭତ୍ସ ହସ ହସି ଉଠିଲା ।

 

ଧରଣୀ ବାହୁଫାଶ ସାମାନ୍ୟ କୋହଳ କଲା । କହିଲା–ତମେ ଫେରିଆସ । ସବୁକିଛି ମୁଁ ତୁମକୁ ବୁଝାଇ ଦେବି ।

 

ଫେରିଯିବାକୁ ମୁଁ ଆସିନି, ବୁଝିବାର ମଧ୍ୟ ପ୍ରୟୋଜନ ନାହିଁ । ମୋ ଜୀବନର ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ ।

 

-ଜୀବନର ଲକ୍ଷ୍ୟ କଣ ତୁମର ଆତ୍ମହତ୍ୟା ?

 

ହଁ, ଏଇଥିରେ ମୁଁ ପାଇବି ଚରମ ସୁଖ, ପରମ ଶାନ୍ତି ।

 

ଧରଣୀଧର ହସିଲେ । କହିଲେ, ତମେ ସୁଖ ଚାହଁ ? ଶାନ୍ତି ଚାହଁ ? ତେବେ ଆସ ମୋ ସହିତ । ମୁଁ ତୁମକୁ ଶାନ୍ତି ଦେବି, ସୁଖ ଦେବି । ଜୀବନର ପ୍ରଲୋଭନ ଦେବି, ବଞ୍ଚିବାର ଆଶା ଦେବି-

 

ମୁଁ ତୁମ ସାଥିରେ ଯିବି ? କୁଆଡ଼େ ଯିବି, କାହିଁକି ଯିବି ? କିଏ ତମେ ? କାହିଁକି ମୋତେ ମୋ ଲକ୍ଷ୍ୟ ପଥରେ ବାଧା ଦେଉଛି । ତୁମ ଗୋଡ଼ ଧରୁଛି, ମୋତେ ଛାଡ଼ିଦିଅ । ମୁଁ କାହାର ଅନୁରୋଧ, ଉପଦେଶ ଗ୍ରହଣ କରି ପାରିବି ନାହିଁ ।

 

ଧରଣୀ କହିଲା–ମୁଁ କିଏ, କଣ, ସେ ପ୍ରଶ୍ନ ଉତ୍ତର ଦେବାର ସମୟ ବର୍ତ୍ତମାନ ନୁହଁ । ବର୍ତ୍ତମାନ ତମ ଜୀବନ ପାଇଁ ମୁଁ ସମ୍ପୂର୍ଣ୍ଣଭାବେ ଦାୟୀ । ଜଣେ ପୁରୁଷ ସମ୍ମୁଖରେ ତମେ ଆତ୍ମହତ୍ୟା କରିବ, ଏହା ମୁଁ କଦାପି ସହ୍ୟ କରିପାରିବି ନାହିଁ । ଏଇ ଦେଖ, ନଦୀର ଜଳସ୍ରୋତକୁ ଚାହଁ, ଏଇଠି ଅକାତକାତ ପାଣି । ସେଠାକୁ ଯିଏ ଯାଏ ସେ ଆଉ ସେଠାରୁ ଫେରି ଆସି ପାରେନା । ପର ଉପରେ ଅଭିମାନ କରି ଏଇ ପାଣିକୁ ଲମ୍ଫ ପ୍ରଦାନ କରି କେତେ ନର–ନାରୀ ଏଇଠି ସଲୀଳ ସମାଧି ନେଇଛନ୍ତି । ଜଣେହେଲେ ବି ଏଇ କଳାଗୁମର ଆକାତକାତ ପାଣିରୁ ଉଦ୍ଧାର ପାଇ ନାହାନ୍ତି । ଠିକ ତମରି ଭଳି ସମସ୍ତେ ଶାନ୍ତିର ଅନ୍ୱେଷଣରେ ଆସିଛନ୍ତି । ସମସ୍ତେ ମିଛ କହିଛନ୍ତି । ଆତ୍ମହତ୍ୟା କରି ମଣିଷ କେବେ ଶାନ୍ତି ପାଇପାରେନା । ଶାନ୍ତିର ମାର୍ଗ ଆତ୍ମହତ୍ୟା ନୁହେଁ । ନିଜେ ଭୁଲ କରିବ, ଅନ୍ୟମାନଙ୍କୁ ଭୁଲ ବୁଝିବ, ପରିବାର ଉପରେ ଅଭିମାନ କରି ଆତ୍ମହତ୍ୟା ଦ୍ୱାରା ନିଜ ଉପରେ ପ୍ରତିଶୋଧ ନେବ ? ଏଇଟା କଣ ଠିକ୍ ନ୍ୟାୟ ? ଏଇଟା କଣ ଠିକ୍ ବିଚାର ?

 

-ଥରେ କହିଛି । ମୁଁ କାହାର ଉପଦେଶ ଗ୍ରହଣ କରି ପାରିବି ନାହିଁ । ଗୋଡ଼ ଧରୁଛି, ମୋତେ ଛାଡ଼ି ଦିଅନ୍ତୁ । ତରୁଣୀଟି ବାହୁଫାଶରୁ ମୁକୁଳିଯିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲା ।

 

ଧରଣୀ କହିଲା–ମୁଁ ତୁମକୁ ଛାଡ଼ି ପାରିବି ନାହିଁ । ଅଯଥା ବଳପ୍ରୟୋଗ କରିବାର ଅପଚେଷ୍ଟା କରନା । ତମେ ନାରୀ । ତମେ ଅବଳା । ବଳ ପ୍ରୟୋଗରେ ତମେ ସବୁବେଳେ ପରାଜିତ ହେବ । ବୁଦ୍ଧି ପ୍ରୟୋଗ ଦ୍ୱାରା ନାରୀ ଜୟୀ ହୋଇପାରେ...

 

ମୋତେ ଛାଡ଼ିବେ ନାହିଁ ? କାହିଁକି ଛାଡ଼ିବେ ନାହିଁ ? ମୋ ଉପରେ ତୁମର କି ଅଧିକାର ଅଛି ?

 

କେବଳ କଣ ଅଧିକାର ଥିଲେ ମଣିଷ ମଣିଷକୁ ସାହାଯ୍ୟ କରେ–ଉପକାର କରେ ?

 

ତେବେ କେଉଁ ସ୍ୱାର୍ଥ ପାଇଁ ମୋତେ ଲକ୍ଷ୍ୟପଥରୁ ବିଚ୍ୟୁତ କରାଇଲେ ?

 

ଏଥିରେ ମୋର କୌଣସି ସ୍ୱାର୍ଥ ନାହିଁ । ଆତ୍ମହତ୍ୟାରୁ ନିବୃତ୍ତ କରାଇବା ଓ ରକ୍ଷା କରିବା ମଣିଷର ଧର୍ମ । ମାନବର ଶ୍ରେଷ୍ଠ ମାନବିକତା !

 

ଛାୟାମୂର୍ତ୍ତିଟି ହସି ଉଠିଲା ବୀଭତ୍ସ ଭାବେ ।

 

ଧରଣୀ କହିଲା–ଯୁକ୍ତି କରନ୍ତୁ ନାହିଁ, ଆଲୋଚନାର ସମୟ ଓ ସ୍ଥାନ ମଧ୍ୟ ଏଇଟା ନୁହେଁ-। ରାତି ଅଧିକ ହେଉଛି । ଏପରି ଏକ ନିର୍ଜନ ସ୍ଥାନରେ ରହିବା ମଧ୍ୟ ଶୋଭନୀୟ ନୁହେଁ । ତୁମେ ଆସ ମୋ ସହିତ...

 

ଛାୟାମୂର୍ତ୍ତିର ହାତଧରି ଟାଣୁଥିଲା ଧରଣୀ ।

 

ଇତ୍ୟବସରରେ ଧରଣୀ ହାତରେ ମୁଠା ସାମାନ୍ୟ କୋହଳ ହୋଇଯାଇଥିଲା । ଆଉ ଏଇ ସୁଯୋଗ ନେଇ ନାରୀଟି ହାତ ଖସାଇ ନେଇ ଦ୍ରୁତ ପଦକ୍ଷେପରେ ଦଉଡ଼ି ଚାଲିଗଲା ପାଣିକୂଳ ଆଡ଼କୁ ।

 

ପଛେ ପଛେ ଧାଇଁଛି ଧରଣୀ ।

 

ତରୁଣୀଟି ପାଣି ଭିତରକୁ ଲମ୍ଫ ଦେବା ମୁହୂର୍ତ୍ତରେ ଧରଣୀ ପଛରୁ ଟାଣି ଧରିଛି । କିନ୍ତୁ ପାଦ ଖସିଗଲା ଧରଣୀର । ଦୁହେଁ ଧରାଧରି ହୋଇ ପାଣି ଭିତରେ ପଡ଼ିଯାଇଛନ୍ତି । ଧରଣୀର ବିଶ୍ୱାସ ଓ ଭରଷା ଥିଲା ତରୁଣୀଟି ଯେଉଁଠି ଲମ୍ଫ ପ୍ରଦାନ କରିଛି ସେଠାରେ ବେଶୀ ପାଣି ନଥିବ ।

 

ତଥାପି ତରୁଣୀଟି ପାଣି ପିଇ ବୁଡ଼ି ଯାଉଥିଲା ।

 

ଧରଣୀ ପାଣି ଭିତରୁ ତୋଳି ଧରିଲା ତରୁଣୀକୁ । ତରୁଣୀଟିର ସେତେବେଳକୁ ଚେତା ବୁଡ଼ି ଯାଇଥାଏ ।

 

କାନ୍ଧ ଉପରେ ପକାଇ ତରୁଣୀଟିକୁ ନିଜ ଘରକୁ ନେଇ ଆସିଲା ଧରଣୀ ।

 

କମ୍ର ପ୍ରଭାତର ନମ୍ର କିରଣ ସବୁଜ ତୃଣଭୂମି ଉପରେ ଚିକ୍‌ଚିକ୍ କରୁଥିଲା । ମନେ ହେଉଥିଲା, ହୀରା ଭଳି ଝିକିମିକି କରୁଥିବା ଶିଶିର ବିନ୍ଦୁଗୁଡ଼ିକ ଆଞ୍ଜୁଳା ଆଞ୍ଜୁଳା କରି ଅଣ୍ଟିରେ ତୋଳି ନିଅନ୍ତା । କିନ୍ତୁ ସତେ କଣ ସେ ସଂଗ୍ରହ କରି ପାରିବ ? ସବୁ ମାୟା ମରିଚିକା ।

 

ମାୟା ଆଉ ମରିଚିକା ।

 

ଦୁହିଁଙ୍କ ଭିତରେ ଅନେକ ପ୍ରଭେଦ । ତଥାପି ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

 

ବାହାରୁ ମୁହଁ ଫେରାଇ ଖଟ ଉପରକୁ ଚାହିଁଲା ଧରଣୀ ।

 

ଜଳ ମଧ୍ୟରୁ ଉଦ୍ଧାର କରି ଆଣିଥିବା ଯୁବତୀର ଗତକାଲି ରାତିରେ ବହୁ ବିଳମ୍ବରେ ଚେତା ଆସିଥିଲା । ଗରମ କ୍ଷୀର ପିଇ ସାରିବା ପରେ ଯୁବତୀଟି ନିଘୋଡ଼ ନୀଦରେ ଶୋଇ ଯାଇଛି ।

 

ଧରଣୀ ଚାହିଁଲା ଯୁବତୀର ମୁଖମଣ୍ଡଳକୁ । ଯୁବତୀଟି ଚିତ୍ ହୋଇ ଶୋଇଛି । ମୁଖରେ ଶାନ୍ତ–ସରଳତାର ଆଭା । ସତେ ଯେପରି ଫୁଟନ୍ତ ଗୋଲାପ କଢ଼ଟିଏ । ଦେହର ରଙ୍ଗ ସମ୍ପୂର୍ଣ୍ଣ ଶୁଭ୍ର ନ ହେଲେ ବି ଶ୍ୟାମଳ ବୋଲି କହିହେବନି । ଶରୀର ଗଠନ ମଧ୍ୟ ଖୁବ୍ ଚମତ୍କାର । ଭସା ଭସା କୋରକିତ ଚକ୍ଷୁ । ଅଧର ଯୋଡ଼ିକ ରକ୍ତ–ଗୋଲାପ ଭଳି ଅଳତା ରଞ୍ଜିତ । ବୟସ କୋଡ଼ିଏ ଏକୋଇଶରୁ ମୋଟେ ବେଶୀ ହେବନି ।

 

ଯୁବତୀଟି ସେମିତି ଶୋଇଛି । ଆବରଣହୀନ ପୁଙ୍ଗୁଳା ଦେହ । ଗତକାଲି ରାତିରେ ପାଣିରୁ ଉଦ୍ଧାର କରିବା ପରେ ସିକ୍ତ ବସନଗୁଡ଼ିକ ସେ ବଦଳାଇ ଦେଇଥିଲା । ଖଟ ଉପରେ ଚିତ୍ କରି ଶୋଇ ଦେଇ ଖଣ୍ଡିଏ ଧୋତିକୁ ଦୁଇଭାଙ୍ଗ କରି ଯୁବତୀର ଦେହରେ ଘୋଡ଼ାଇ ଦେଇଥିଲା । ନାରୀ-ବିହୀନ କୋଠରୀରେ ଶାଢ଼ୀ, ବ୍ଳାଉଜ କେଉଁଠି ଆସିବ ଯେ ସେ ତାକୁ ପିନ୍ଧିବାକୁ ଦେଇଥାଆନ୍ତା ?

 

ଧରଣୀ ବାହାରକୁ ଆସି ଦେଖିଲା ଗତକାଲି ରାତିରେ ଶୁଖାଇଥିବା ଶାଢ଼ୀ, ବ୍ଳାଉଜ ଇତ୍ୟାଦି ସଂପୂର୍ଣ୍ଣ ଭାବେ ଶୁଖିନାହିଁ । ପାଞ୍ଚଦଶମିନଟ ଭିତରେ ପ୍ରାୟ ଶୁଖିଯିବ ।

 

ସକାଳର ନିତ୍ୟକର୍ମ ସାରି ନିଜେ ଷ୍ଟୋଭ ଲଗାଇ ଚା’ ତିଆରି କଲା । ଗୋଟିଏ ପ୍ଳେଟରେ ବ୍ରିଟାନିଆ ମିଲକ୍ ବ୍ରେଡ଼ ଚାରିପିସ୍ ବିସ୍କୁଟ ସହ ଚା’ ପ୍ଳେଟ ଆଣି ଟେବୁଲ ଉପରେ ରଖି ଯୁବତୀଟିକୁ ଚାହିଁଲା ।

 

ଯୁବତୀ ଅଙ୍ଗ ସଞ୍ଚାଳନ କରି ଅଳସ ଭାଙ୍ଗୁଛି । ମୁଦା ଆଖିପତା ଦୁଇଟି ସେମିତି ମୁଦି ହୋଇ ରହିଛି । ବକ୍ଷ ଉପରୁ ସଂପୂର୍ଣ୍ଣ ଭାବେ ବସନ ଖସିଯାଇଛି । ଉନ୍ମୁକ୍ତ କୁଚଯୁଗଳ ତୁଙ୍ଗ ଶିଖରୀ ଭଳି ମଥା ଟେକି ରହିଛି । ବାଁ ଗୋଡ଼ ଜଙ୍ଘ ଉପରେ ସଂପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ବସନ ଖସି ଯାଇଛି ।

 

ଧରଣୀ ଯୁବତୀକୁ ଆଉ ଚାହିଁ ପାରିଲାନି । ନିଜର ଶାଳୀନତା ନିଜକୁ ବାଧା ଦେଲା । ଭାବିଲା ଯୁବତୀକୁ ଉଠାଇବ । କିନ୍ତୁ ଏ ପରି ନଗ୍ନ ଅବସ୍ଥାରେ ଯଦି ସେ ଚକ୍ଷୁ ଖୋଲି ଚାହିଁଦିଏ ତେବେ କଣ ମନେ କରିବ ସେ ?

 

ପୁରୁଷର ପ୍ରବୃତ୍ତି ଆଉ ପ୍ରକୃତିକୁ ମଣିଷ ଯଦି ଜୟ କରିପାରନ୍ତା... । ସବୁ ମଣିଷ ଯଦି ରିପୁ ଦମନ କରିପାରନ୍ତେ ତେବେ ମଣିଷ ମାନବ ହୋଇ ନ ଥାନ୍ତି–ଦେବତା ପାଲଟି ଯାଆନ୍ତା ।

 

ତଥାପି ଧରଣୀ ନିଜକୁ ଦୃଢ଼କଲା । ନା, ଆଶ୍ରୟହୀନ ପ୍ରତି ଏତେଟା ସ୍ୱାର୍ଥପର, ନିଷ୍ଠୁର ହୋଇପାରିବନି । ମଣିଷ ଶୋଇ ରହିଲେ ହିତାହିତ ଜ୍ଞାନ ରହେ ନାହିଁ । ଆଉ ନାରୀର ଏଇ ସରଳତାର ସୁଯୋଗ ନେଇ କାପୁରୁଷ ଭଳି ନାରୀର ଉଲଗ୍ନ ଅବସ୍ଥାକୁ ଗୋପନରେ ଲକ୍ଷ୍ୟ କରିବା କେବେ ପୌରୁଷତାର ପରିଚୟ ହୋଇପାରେନା ।

 

ଧରଣୀ ବାହାରକୁ ଆସିଲା ।

 

ବାରଣ୍ଡା ଉପରକୁ ଖରାର ତେଜ ମାଡ଼ି ଆସିଲାଣି । ଶୁଖୁଥିବା ଶାଢ଼ୀ, ବ୍ଳାଉଜ, ସାୟା ଇତ୍ୟାଦି ତୋଳି ନେଇ ପୁଣି ଯୁବତୀ ନିକଟକୁ ଫେରିଗଲା ।

 

ତଥାପି ଯୁବତୀଟି ଯେମିତି ଶୋଇଛି ।

 

କିଂକର୍ତ୍ତବ୍ୟ ବିମୂଢ଼ ହୋଇ ଠିଆ ହୋଇଗଲା ଧରଣୀ । କଣ କରିବ ସେ ? ଇତ୍ୟବସରରେ ଯଦି କେହି ବନ୍ଧୁ ତା’ କୋଠରୀକୁ ପଶିଆସନ୍ତି......

 

ମନକୁ ଦୃଢ଼କରି ଯୁବତୀର ଖଟ ପାଖକୁ ଧରଣୀ ଆସିଲା । ଯୁବତୀର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରିଗଲା । ସତରେ, ଖୁବ୍ ଆକର୍ଷଣୀୟ ଯୁବତୀ ଦେହର ଗଠନ ।

 

ଶାଢ଼ୀଟିକୁ ଦୁଇପରସ୍ତ କରି ଯୁବତୀର ଦେହ ଉପରେ ଘୋଡ଼ାଇ ଦେଲା ଧରଣୀ ।

 

ଟେବୁଲ ଉପରେ ଚା’ ସେମିତି ରହିଛି । ଉତ୍ତପ୍ତ ଚା’ ପ୍ରାୟ ସଂପୂର୍ଣ୍ଣ ଶୀତଳ ହୋଇଗଲାଣି ।

 

ଆର୍ମଚେୟାର ଉପରେ ନିଜ ଶରୀରକୁ ଲୋଟାଇ ଦେଇ ଏକ ଦୈନିକ କାଗଜ ଉପରେ ଆଖି ବୁଲାଇଲା ଧରଣୀ । ନା, ଆଜିର ସମ୍ବାଦପତ୍ରରେ କିଛି ନୂତନତ୍ୱ ନାହିଁ । ସବୁଆଡ଼େ ସେଇ ହା–ଅନ୍ନର ଚିତ୍କାର, କ୍ଷୁଧା ସହ୍ୟ କରି ନ ପାରି ଆତ୍ମହତ୍ୟା, ଉପାର୍ଜନ ପାଇଁ ଅସତ୍‌ପନ୍ଥା ଅବଲମ୍ବନ, ଯୁଦ୍ଧ, ମୃତ୍ୟୁ, ଆହତ, ସଂଗ୍ରାମ...ଏ ଅର୍ଥନୀତି ଯୁଗରେ ମଣିଷ ଦି’ ବେଳା ଖାଇବାକୁ ପାଉନାହିଁ । ଅଥଚ ଯୁଦ୍ଧଦ୍ୱାରା ପ୍ରତିଦିନ କୋଟି କୋଟି ଟଙ୍କା ଗୋଳା–ବାରୁଦରେ ଭସ୍ମ ହେଉଛି ।

 

ଏ ହେଉଛି ରାଷ୍ଟ୍ରନେତାଙ୍କର ମଣିଷ ମାରିବାର ଅଭିନବ ପ୍ରଣାଳୀ । ଅଥଚ ମଣିଷ ନିରୋଗ ଓ ଦୀର୍ଘାୟୁ ହେବାପାଇଁ ସରକାରଙ୍କ ପକ୍ଷରୁ କେତେ କେତେ ଅଭିନବ ଯୋଜନା । ମୁକ୍ତ ବାୟୁ ସେବନ, ତଟକା ପରିବା ଓ ଭିଟାମିନ୍‌ଯୁକ୍ତ ଖାଦ୍ୟ ଅଭାବରୁ ମଣିଷ ରୋଗଦ୍ୱାରା ଆକ୍ରାନ୍ତ ହେଉଛି । ତେଣୁ ମଣିଷର ଆୟୁଷ ବୃଦ୍ଧି ପାଇଁ ଉତ୍ତମ ଓ ସୁଷମ ଖାଦ୍ୟ ଆବଶ୍ୟକ ।

 

କିନ୍ତୁ ଯାହାପାଇଁ ମୁଠାଏ ବାସୀପଖାଳ ମିଳେ ନାହିଁ, ତା’ ପାଇଁ ସରକାରଙ୍କର କି ଯୋଜନା ହୋଇଛି ?

 

ବିରକ୍ତିରେ ସମ୍ବାଦପତ୍ରକୁ ସେ ଫିଙ୍ଗିଦେଲା ଟେବୁଲ ଉପରକୁ ।

 

ଯୁବତୀର ନିଦ ଭାଜିଲା । ଉନ୍ମୀଳିତ ଚକ୍ଷୁଯୁଗଳ ଖୋଲି ସେ ଚାହିଁଲା । କୋଠରୀର ଚତୁର୍ଦିଗକୁ ଥରେ ଦୃଷ୍ଟି ଘୂରାଇ ଆଣି ନିଜ ବସନକୁ ଚାହିଁଲା । ଗତ ରାତିର ସବୁକଥା ତା’ର ମନେ ପଡ଼ିଗଲା । ଯୁବକର ବାହୁ ବନ୍ଧନରୁ ମୁକୁଳି ସେ ପାଣି ଭିତରକୁ ଡେଇଁ ପଡ଼ିଥିଲା । ତା’ ପରର ଘଟଣା ଆଉ କିଛି ମନେ ନାହିଁ ।

 

କିନ୍ତୁ ଶାଢ଼ୀ, ବ୍ଳାଉଜ ଇତ୍ୟାଦି ତା’ ଦେହରୁ ବାହାରିଲା କିପରି ? କିଏ ବାହାର କଲା ଆଉ ତାକୁ ନେଇ ବାହାରେ ଶୁଖାଇଲା କିଏ ?

 

ଗୋଲକଧନ୍ଦା ଭିତରେ ପହଁରୁଥିଲା ଯୁବତୀଟି ।

 

ଧରଣୀ କହିଲା–ଭିତରୁ ଦରଜା ବନ୍ଦକରି ଲୁଗାପଟା ପିନ୍ଧି ନିଅନ୍ତୁ । ମୁଁ ଚା’ ନେଇ ଆସୁଛି ।

 

ଷ୍ଟୋଭ ଲଗାଇ ପୁନର୍ବାର ଚା’ ଗରମ କଲା ଧରଣୀ । କିଛି ସମୟ ପରେ ହାତରେ ଦୁଇକପ ଚା’ ଧରି ସେ ଦରଜାରେ ଆଘାତ କଲା ।

 

ଦରଜା ଖୋଲିଲା ।

 

ଧରଣୀ କୋଠରୀ ଭିତରେ ପ୍ରବେଶ କରି କହିଲା–ଏହି ଆର୍ମଚେୟାରରେ ବସନ୍ତୁ । ଚା’ ବିସ୍କୁଟ ନିଅନ୍ତୁ ।

 

ଯୁବତୀଟି ଚାହିଁଲା ଯୁବକକୁ ।

 

ଧରଣୀ ଚାହିଁଲା ଯୁବତୀକୁ । ନିଜର ସମସ୍ତ ପରିଧାନ ବହନ କରିଛି ଯୁବତୀଟି । ଆର୍ମଚେୟାରରେ ବସିରହି ତଳକୁ ମୁହଁପୋତି ଆଙ୍ଗୁଠିରେ ଗାର ଟାଣୁଛି । ମୁଖମଣ୍ଡଳ ଗମ୍ଭୀର ।

 

ପୁଣି ଥରେ ଅନୁରୋଧ କଲା ଧରଣୀ । –ଚା’ ଥଣ୍ଡା ହୋଇଯିବ ଯେ ?

 

ତଥାପି ଯୁବତୀଟି ନିରୁତ୍ତର ।

 

ଧରଣୀ ଚା’ ପ୍ଳେଟ ତୋଳି ଧରିଲା ଯୁବତୀ ସମ୍ମୁଖରେ । –ନିଅନ୍ତୁ, ଖାଇ ଦିଅନ୍ତୁ !

 

ଗମ୍ଭୀର କଣ୍ଠରେ ଯୁବତୀଟି କହିଲା–ମୁଁ ଚା’ ଖାଏନାହିଁ । ଚା’ ଖାଇବା ଅଭ୍ୟାସ ମୋର ନାହିଁ ।

 

ଧରଣୀ ହସି ଉଠିଲା ଉଚ୍ଚ ସ୍ୱରରେ । ଚା’ ଖାଆନ୍ତି ନାହିଁ ଆପଣ ? ତେବେ ତ ଆପଣ ଏ ଯୁଗ ସହିତ ପାଦ ମିଳାଇ ଚାଲି ପାରିବେ ନାହିଁ ? ବହୁତ ପଛରେ ପଡ଼ିଯିବେ ?

 

ଯୁବତୀଟି ସାମାନ୍ୟ ମୁହଁ ଟେକି ଚାହିଁଲା ।

 

ଚା’ ପ୍ଳେଟ ସହ ଧରଣୀର ହାତ ସେମିତି ଲାଗି ରହିଛି ଯୁବତୀର ଓଷ୍ଠଦେଶ ନିକଟରେ-

 

ଯୁବତୀଟି ଚା’ ପ୍ଳେଟ ନେଇ ଟେବୁଲ ଉପରେ ରଖିଲା ।

 

ଚେୟାରଟା ଉପରେ ବସିପଡ଼ି ଧରଣୀ କହିଲା–ମଣିଷ ଚିନ୍ତା କରିବା ପାଇଁ ସମଗ୍ର ଜୀବନଟା ପଡ଼ିଛି । ବିଶେଷତଃ ତମରି ବୟସର ତରୁଣୀ ଏତେ ଚିନ୍ତା କରିବା ଉଚିତ୍ ନୁହେଁ । ଏତିକି ବେଳୁ ଏତେ ଭାବପ୍ରବଣତା ହେଲେ ଭବିଷ୍ୟତ ଜୀବନ ପାଇଁ ଏହା ମୋଟେ ଶୁଭସୂଚନା ହୋଇପାରେନା । ସବୁ ସେଇ ଅଦୃଷ୍ଟ ସ୍ରଷ୍ଟାଙ୍କ ଉପରେ ଛାଡ଼ି ଦିଅନ୍ତୁ । ପରମେଶ୍ୱର ଯେଉଁ ଦିଗରେ ପରିଚାଳିତ କରିବେ ସେଇ ଦିଗରେ ଯାତ୍ରାକଲେ ଭବିଷ୍ୟତ ଜୀବନ ନିଶ୍ଚୟ ସୁଖମୟ ହେବ ।

 

ଯୁବତୀ ସେମିତି ନୀରବ, ନିଶ୍ଚଳ ।

 

ଧରଣୀ ପୁଣିଥରେ ଅନୁରୋଧ କଲା ।–ଚା’ ଥଣ୍ଡା ହୋଇଯିବ ।

 

ଯୁବତୀର ଭାବନା ବାଧାପ୍ରାପ୍ତ ହେଲା । ଚା’ କପଟା ହାତକୁ ନେଇ ଅନଭ୍ୟସ୍ତ ଭାବେ ଓଠରେ ଲଗାଇଲା ।

 

ଅନେକ କଥା ପଚାରିବାକୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଧରଣୀ କିଛି ପଚାରି ପାରିଲାନି । କାରଣ ଯୁବତୀଟି ଏ ପର୍ଯ୍ୟନ୍ତ ଗତରାତିର କଥା ମନେପକାଇ ଚିନ୍ତା ରାଜ୍ୟରେ ବିଚରଣ କରୁଛି । ପରେ ପଚାରିବ ବୋଲି ନିଷ୍ପତ୍ତି କରି ସେ ଚେୟାର ଉପରୁ ଉଠିଲା ।

 

ଧରଣୀ କକ୍ଷରୁ ନିଷ୍କ୍ରାନ୍ତ ହେବା ପରେ ଯୁବତୀଟି ଚାହିଁ ରହିଲା ଯୁବକର ଚଲାପଥକୁ ।

 

ସୁନ୍ଦର ସୁଠାମ ଯୁବକଟିଏ । ବଳିଷ୍ଠ ଚେହେରା । ଯୁବକ–ଦୀପ୍ତ ଆଭା ମୁହଁରେ ଫୁଟି ଉଠିଛି । ସଦା ହସ ହସ ମୁଖମଣ୍ଡଳ । ଭଦ୍ର ବ୍ୟବହାର । ମାପଚୁପ୍‌ କଥା । କେବଳ ଏଇ ଭଦ୍ର ଯୁବକଟି ପାଇଁ ସେ ଆଜି ବଞ୍ଚି ରହିଛି । ନ ହେଲେ ନଦୀର ଅତଳ ଗର୍ଭରେ ସେ କେବେଠାରୁ ନିଶ୍ଚିହ୍ନ ହୋଇ ସାରନ୍ତାଣି ।

 

କିନ୍ତୁ ଏ ଭଳି ଏକ ନିର୍ଜନ ରାତିରେ ଯୁବକଟି କାହିଁକି ସେଠାରେ ବସିରହିଥିଲା ?

 

ଅର୍ଦ୍ଧରାତ୍ରରେ ସେ ଗଲାବେଳେ ଭାବିଥିଲା, ନଦୀର ଶେଷ ସୀମାର ନିରୋଳା ସ୍ଥାନରେ କେହି ନ ଥିବେ । ସେ ଗଲାବେଳେ ମଧ୍ୟ କାହାକୁ ଦେଖି ନ ଥିଲା । କିନ୍ତୁ ଦେବଦୂତ ଭଳି ଏଇ ଯୁବକଟି ଆର୍ବିଭାବ ହୋଇ ଲକ୍ଷ୍ୟ ପଥରୁ ତାକୁ ଟାଣି ନେଇଥିଲା । କେବଳ ଏଇ ଯୁବକଟି ପାଇଁ ସେ ଆଜି ବଞ୍ଚିରହିଛି । କିନ୍ତୁ ଏପରି ବଞ୍ଚିରହି ଲାଭ କଣ ? ଏଇ ପୋଡ଼ାମୁହଁ ସେ କାହାକୁ ଦେଖାଇବ । ଲୋକେ କଣ କହିବେ ? ଆତ୍ମହତ୍ୟାରୁ ଉଦ୍ଧାର ପାଇ ବଞ୍ଚିରହିବାଠାରୁ ଅପମାନଜନକ ଘଟଣା ଆଉ କଣ ବା ଥାଇପାରେ ?

 

ଆଜି ସେ କୁଆଡ଼େ ଫେରିଯିବ ? କିଏ ଅଛି ତା’ର ? ସମସ୍ତେ ଥାଇ ଆଜି ସେ ନିଃସ୍ୱ, ନିରାଶ୍ରୟ, ଏକାକିନୀ । ଅଧରାତିରେ ଘରୁ ଗୋଡ଼କାଢ଼ି ବାହାରକୁ ଆସିଲା ପରେ ଯୁବତୀକନ୍ୟା ପାଇଁ ସେ ଗୃହ ଆଜି ନିଶିଦ୍ଧ କୋଠରୀ ।

 

ତେବେ କଣ କରିବ ସେ ? ଜୀବନର ସକଳ ମାୟା ମମତା ତ୍ୟାଗ କରି ସେ ଆତ୍ମହତ୍ୟା କରିବାକୁ ଆସିଥିଲା । ଭାବିଥିଲା, ଇମିତି ବଞ୍ଚିରହି ହନ୍ତସନ୍ତ ହେବା ଅପେକ୍ଷା ମରିଯିବା ଶତେଗୁଣ ଶ୍ରେୟସ୍କର ।

 

କିନ୍ତୁ ସେ କଣ ମରି ପାରିଲା ?

 

ଏଇ ଯୁବକଟି ତାକୁ ବଞ୍ଚାଇ ରଖିଲା ଜୀବନବ୍ୟାପୀ ହନ୍ତସନ୍ତ କରିବା ପାଇଁ । ପୂର୍ଣ୍ଣ ବୟସର ଯୁବତୀ ସେ । କୁଆଡ଼େ ସେ ଯିବ, କାହାକୁ ସମ୍ୱଳ କରି ଜୀବନ ବିତାଇବ ?

 

ଆଜିର ସମାଜ ବଡ଼ ବିଚିତ୍ର ଆଉ ବିଚିତ୍ର ହେଉଛି ଏ ସମାଜର କର୍ଣ୍ଣଧାରମାନେ । ନିଜ ସ୍ୱାର୍ଥପାଇଁ, ନିଜ ସୁବିଧା ପାଇଁ ସମାଜପତିମାନେ ସବୁକିଛି କରିପାରୁଛନ୍ତି କିନ୍ତୁ ଏକ ନିରୀହା–ନିରପରାଧିନୀ ନାରୀ ପାଇଁ ଏ ସମାଜ କି ବ୍ୟବସ୍ଥା କରିଛି ?

 

ସାମାନ୍ୟ ଇଙ୍ଗିତ ଦେଲେ ଆଜିର ଯୁବକ ସାହାଯ୍ୟ କରିବାକୁ ଆଗଭର ହୋଇ ଉଠିବେ, ସହାନୁଭୂତି ଜଣାଇବାକୁ ବ୍ୟାକୁଳ ହୋଇ ଉଠିବେ, ମିଠା ମିଠା କଥା କହି ନାରୀ ମନ ଜୟ କରିବାକୁ ପ୍ରତିଯୋଗୀତା କରିବେ । ସୁପଥ ନ ଦେଖାଇ କୁପଥ ଦେଖାଇ ଦେବେ । ନିଜର ସ୍ୱାର୍ଥ ହାସଲ ହେବା ପର୍ଯ୍ୟନ୍ତ ପୋଷା ବିରାଡ଼ି ପରି ମାଉଁ ମାଉଁ କରି ଯୁବତୀର ପଣତ ତଳେ ଆତ୍ମଗୋପନ କରିବେ । ଆଉ ସ୍ୱାର୍ଥ ହାସଲ ହୋଇ ସାରିଲା ପରେ ଖଣ୍ଡିଆ ସିଗାରେଟ୍ ଭଳି ଫିଙ୍ଗି ଦେବେ । ତା’ ପରେ ଯୁବତୀର ଅବସ୍ଥା...

 

ଭବିଷ୍ୟତ କଥା ଚିନ୍ତାକରି ଆଖିରୁ ଲୁହ ଗଡ଼ିପଡ଼ିଲା । ସତରେ କଣ ତା’ ଜୀବନଟା ବ୍ୟର୍ଥରେ କଟିଯିବ ? କିନ୍ତୁ ତା’ ଜୀବନର ଗତିଧାରା ଅମଡ଼ା ବାଟରେ ପରିବର୍ତ୍ତିତ ହୋଇଗଲା କାହାପାଇଁ ??

 

ଫୁଲି ଫୁଲି କାନ୍ଦୁଥିଲା ଯୁବତୀଟି ।

 

ଧରଣୀ କୋଠରୀ ଭିତରକୁ ପ୍ରବେଶ କରି ଦେଖିଲା, ବିଛଣା ଉପରେ ମୁହଁମାଡ଼ି ଉଛୁଳି ଉଛୁଳି କାନ୍ଦୁଛି ଯୁବତୀଟି । ଧରଣୀ ଛିଡ଼ା ହେଲା ଖଟ ପାଖରେ । କହିଲା–ପୁଣି କଣ ହେଲା ତମର-? କାନ୍ଦୁଛ କାହିଁକି ? ଉଠ, ବାହାରକୁ ଆସ !

 

ଯୁବତୀଟି ଉଠିଲା ନାହିଁ । କ୍ରନ୍ଦନର ବେଗ ଆହୁରି ବଢ଼ି ଚାଲିଲା ।

 

ଧରଣୀ ଯୁବତୀର ବାହୁଧରି ବସାଇ ଦେଲା । ଆଖିରୁ ଗଡ଼ି ପଡ଼ୁଥିବା ଲୁହଧାର ପୋଛି ଦେଇ କହିଲା–କାନ୍ଦିଲେ କୌଣସି ସମସ୍ୟାର ସମାଧାନ ହୋଇ ଯାଏନି । ବରଂ ଶରୀର କ୍ଷୀଣ ହୋଇଯାଏ । ଅତୀତକୁ ଚିନ୍ତାକରି ସନ୍ତୁଳି ହେବା ବିଜ୍ଞତାର ପରିଚାୟକ ନୁହେଁ । ଅତୀତ ସବୁବେଳେ ମୃତ । ଅତୀତକୁ ପାଶୋରି ପକାଇଲେ ସବୁ ଦୁଃଖ ତମେ ଭୁଲିଯିବ ।

 

ଯୁବତୀ ମୁହଁଟେକି ଚାହିଁଲା ।

 

ଧରଣୀ କହିଲା–ଉଠ, ଖାଇବ ଆସ !

 

ଆଖି କୋଣରେ ଜମି ଉଠୁଥିବା ଲୁହକୁ ଲୁଗାକାନିରେ ପୋଛି ନେଇ ଯୁବତୀଟି କହିଲା–ମୁଁ କିଛି ଖାଇବି ନାହିଁ । ମୋତେ ଭୋକ ନାହିଁ । ବର୍ତ୍ତମାନ ଚା’ ବିସ୍କୁଟ ଖାଇଛି...

 

ଚା’ ଖାଇଥିଲ ସକାଳ ଆଠଟାରେ । ବର୍ତ୍ତମାନ ଦୁଇଟା ବାଜିଲାଣି । ପେଟରେ ଭୋକରଖି ଲାଜ କଲେ କିଛି ଲାଭ ନାହିଁ । ଉଠ ! ଧରଣୀ ଯୁବତୀର ହାତଧରି ଟାଣୁଥିଲା ।

 

ବାଧ୍ୟ ହୋଇ ଯୁବତୀଟି ଧରଣୀ ପଛେ ପଛେ ଆସିଲା ।

 

ଭାତଥାଳି ପାଖରେ ବସି ବସି ଧରଣୀ କହିଲା–ପ୍ରାୟ ବାରଘଣ୍ଟା ତମ ସହିତ ମୁଁ ରହିଲିଣି । କିନ୍ତୁ ଏ ପର୍ଯ୍ୟନ୍ତ ତମ ନାମଟା ମୁଁ ଜାଣି ପାରିଲି ନାହିଁ ।

 

ଆପଣଙ୍କ ନାମ ଜାଣିବାକୁ ମୋତେ ତ ଏପର୍ଯ୍ୟନ୍ତ ସୁଯୋଗ ଦେଇ ନାହାନ୍ତି ? ଗମ୍ଭୀର କଣ୍ଠରେ ଯୁବତୀଟି କହିଲା ।

 

ମୋ ନାମ ଧରଣୀ । କିନ୍ତୁ ମୋତେ ସମସ୍ତେ କୁମାର ବୋଲି ଡାକନ୍ତି ।

 

ଯୁବତୀଟି ତଳକୁ ମୁହଁ ପୋତିଲା ।

 

ଧରଣୀ କହିଲା–ଏଥର ତମ ନାମଟା କଣ କୁହ ?

 

ମୋ ନାମ ସାବିତ୍ରୀ ।

 

ଧରଣୀ ହସି ଉଠିଲା । କହିଲା–ଏ ବିଂଶ ଶତାବ୍ଦୀରେ ସାବିତ୍ରୀ, ଦୌପଦୀ, ସୀତା, ଉର୍ବଶୀ, ଅନସୂୟା ନାମଗୁଡ଼ିକ ଶୁଣିଲେ ବଡ଼ ହସଲାଗେ । ଯୁଗ ଯେଉଠି କ୍ଷିପ୍ର ଗତିରେ ଅଗ୍ରଗତି କରି ଚାଲିଛି ସେଠି ପୁରାତନ ନାମକରଣଗୁଡ଼ିକ କାନକୁ ବଡ଼ ଶ୍ରୁତିକଟୁ ହେଉଛି ।

 

କିନ୍ତୁ ମୋତେ ସମସ୍ତେ ‘ସ୍ୱପ୍ନା’ ବୋଲି ଡାକନ୍ତି । ଯୁବତୀଟି ତଳକୁ ମୁହଁପୋତି କହିଲା ।

 

ସ୍ୱପ୍ନା ! ସୁନ୍ଦର, ଏ ଯୁଗ ସହିତ ନାମକରଣ ଠିକ୍ ମିଶି ଯାଉଛି । ସତରେ, ସ୍ୱପ୍ନା ନାମଟା କାନକୁ ଖୁବ୍ ମଧୁର ଶୁଣା ଯାଉଛି ଆଉ ତୁଣ୍ଡକୁ ମଧ୍ୟ...

 

ଦୁହେଁ ହସି ଉଠିଲେ ମିଳିତ ଭାବରେ ।

 

ଦିନେ ନୁହେଁ, ଦୁଇଦିନ ନୁହେଁ, ଗୋଟିଏ ପକ୍ଷ ଏହା ଭିତରେ ବିତିଗଲାଣି । ଅଥଚ ଧରଣୀ ସ୍ୱପ୍ନାର ପରିବାର ବିଷୟରେ, ଆତ୍ମହତ୍ୟାର କାରଣ ବିଷୟରେ ଓ ସ୍ୱପ୍ନାର ନିଜ ବିଷୟରେ କିଛି ପଚାରି ପାରିନି । ଅନେକଥର ସେ ଭାବିଛି ସ୍ୱପ୍ନାର ପିତାମାତାଙ୍କ ଠିକଣା ନେଇ ତାଙ୍କ ପାଖରେ ସ୍ୱପ୍ନାକୁ ପହଞ୍ଚାଇ ଦେଇ ଗୁରୁଦାୟିତ୍ୱରୁ ମୁକ୍ତିଲାଭ କରିବ, କିନ୍ତୁ ସ୍ୱପ୍ନାର ସଦା କ୍ରନ୍ଦନରତ ମୁଖମଣ୍ଡଳ ଦେଖିଲେ ସେ କିଛି ପଚାରିବାକୁ ସାହସ କରି ପାରେନା ।

 

ଆଜି ପର୍ଯ୍ୟନ୍ତ ସ୍ୱପ୍ନା ମଧ୍ୟ ନିଜ ବିଷୟରେ କିଛି କହିନି କିମ୍ୱା ଧରଣୀ ବିଷୟରେ କିଛି ଜାଣିବାକୁ ଚାହିଁନି । ତେଣୁ ନିଜ କଥାଗୁଡ଼ିକ ଧରଣୀ ମଧ୍ୟ ତାକୁ କହିବାକୁ ଉଚିତ ମନେ କରିନି । ଅଥଚ ଖୁବ୍ ଆତ୍ମୀୟଙ୍କ ଭଳି ଗୋଟିଏ କୋଠରୀରେ ଦୁହେଁ ଚଳପ୍ରଚଳ ହୋଇଛନ୍ତି ।

 

ଅବସର ସମୟରେ ସ୍ୱପ୍ନା ଶୋଇରହି ଚିନ୍ତା କରିବାର ଦେଖିଲେ ଧରଣୀ ବିରକ୍ତ ହୋଇଛି । ଉପଦେଶ ଦେବା ଛଳରେ କହିଛି–ସବୁବେଳେ ତମେ କଣ ଏତେ ଭାବୁଛ ? ସବୁବେଳେ ତମେ କାହିଁକି ଶୋଇ ରହୁଛ ? ଇମିତି ସବୁବେଳେ ଶୋଇ ରହିଲେ ତମେ ଅଳସୁଆ ହୋଇଯିବ ।

 

ସ୍ୱପ୍ନା କହେ–ସବୁବେଳେ ଶୋଇ ରହିବାକୁ ମୋତେ ଭୀଷଣ ଭଲ ଲାଗେ । ନିଦରେ ନହେଲେ ମଧ୍ୟ ଚେଇଁରହି ଅତୀତକୁ ଚିନ୍ତା କରିବାକୁ ମୁଁ ଭଲପାଏ । ଶୋଇରହି ଭାବିବା ମୋ ଜୀବନର ଚରମ ସୁଖ–ପରମ ଆନନ୍ଦ । ଦୁନିଆର ସବୁ ସୁଖଠାରୁ ଏଇ ସୁଖ ମୋର ସ୍ୱର୍ଗୀୟ ।

 

କିନ୍ତୁ ତମକୁ ଏ ବଦ୍‌ଅଭ୍ୟାସ ପରିତ୍ୟାଗ କରିବାକୁ ହେବ ସ୍ୱପ୍ନା ! ଏତେ ଶୋଇରହିବା ଶରୀର ପକ୍ଷରେ ମୋଟେ ହିତକର ନୁହେଁ ।

 

ସ୍ୱପ୍ନା ହସିଦେଇ ଚାଲିଯାଏ ।

 

ସେଇ ସ୍ୱପ୍ନା ଶୋଇଗଲାଣି ଅନେକବେଳୁ । କୁମାର ଚାହିଁଲା । କାନ୍ଥକଡ଼ରେ ପଡ଼ିଥିବା ଖଟରେ ସ୍ୱପ୍ନା ଚିତ୍‌ହୋଇ ଶୋଇଛି । ମୁହଁରେ ଶାନ୍ତ ସରଳତାର ଆଭା । ନିଶ୍ୱାସ ପ୍ରଶ୍ୱାସର ଗତି ସହିତ ବକ୍ଷର କମ୍ପନ ପ୍ରବଳ ବେଗରେ କମ୍ପି ଉଠୁଥିଲା ।

 

କୁମାର ଲାଇଟ ଲିଭାଇ ନିଜ ବିଛଣାରେ ଲୋଟି ପଡ଼ିଲା ।

 

ରାତି ଠିକ୍ କେତେ ହେବ କହି ହେବନି ହଠାତ୍ କୁମାରର ନିଦ ଭାଙ୍ଗିଗଲା । ସେ ଶୁଣିବାକୁ ପାଇଲା ଏକ କ୍ରନ୍ଦନତା ନାରୀର କଣ୍ଠସ୍ୱର । କିନ୍ତୁ ଏଇ କ୍ରନ୍ଦନର ସ୍ୱର କେଉଁଆଡ଼ୁ ଆସୁଛି ସେ ଜାଣି ପାରିଲା ନାହିଁ । କୁମାର ଦରଜା ଖୋଲି ବାହାରକୁ ଯିବବୋଲି ଭାବି ବିଛଣାରୁ ଉଠି ପଡ଼ିଲା ।

 

ବିଛଣାରୁ ଉଠିପଡ଼ିବା ମାତ୍ରେ ସେ ଶୁଣିଲା–ସ୍ୱପ୍ନା କାନ୍ଦୁଛି ।

 

ସ୍ୱପ୍ନାର ଖଟ ପାଖକୁ ଆସିଲା କୁମାର । ଅଷ୍ଟମୀ ଜହ୍ନର କିରଣ ଝରକା ଅତିକ୍ରମ କରି ସ୍ୱପ୍ନାର ମୁଖମଣ୍ଡଳରେ ବିଛେଇ ହୋଇ ଯାଇଛି । ସ୍ୱପ୍ନା ମୁହଁରେ ଲୁଗାଦେଇ ଫୁଲି ଫୁଲି କାନ୍ଦୁଛି ।

 

କୁମାର ଡାକିଲା–ସ୍ୱପ୍ନା ! ତମେ କାନ୍ଦୁଛ କାହିଁକି ? କଣ ହେଲା ତମର ? ଅଧରାତିରେ ତମର କ୍ରନ୍ଦନଧ୍ୱନୀ ଶୁଣିଲେ ପଡ଼ିଶା ଲୋକେ କଣ ମନେ କରିବେ ? ଛି, ଅବୁଝା ହୁଅନି ।

 

ତଥାପି ଫୁଲି ଫୁଲି କାନ୍ଦୁଥିଲା ସ୍ୱପ୍ନା !

 

ସ୍ୱପ୍ନାର ବେକତଳେ ହାତରଖି ନିଜ ଆଡ଼କୁ ଉଠାଇ ନେଲା କୁମାର ।

 

କୁମାରର ବକ୍ଷ ସଲଗ୍ନ ହୋଇ ଆହୁରି ଜୋରରେ କାନ୍ଦି ଉଠିଲା ସ୍ୱପ୍ନା ।

 

ସ୍ୱପ୍ନାକୁ ବକ୍ଷ ଉପରେ ଚାପିଧରି କୁମାର କହିଲା–ତମେ କାନ୍ଦ ବନ୍ଦକର ସ୍ୱପ୍ନା ! ଏଭଳି ନିଶାର୍ଦ୍ଧ ରାତ୍ରିରେ ତମ କ୍ରନ୍ଦନର ରୋଳ ବାହାରଲୋକଙ୍କ କାନରେ ପଡ଼ିଲେ କାଲି ସକାଳେ ମୋତେ କୈଫିୟତ ଦେବାକୁ ପଡ଼ିବ । ତମେ ତୁନୀ ହୁଅ । ପିଲାଙ୍କ ଭଳି ଅବୁଝା ହୁଅନା । ତମର ଦୁଃଖ କଣ, ଅଭାବ କଣ ସବୁ ନିଃସଙ୍କୋଚରେ କୁହ, ମୁଁ ପୂର୍ଣ୍ଣମାତ୍ରାରେ ତମକୁ ସାହାଯ୍ୟ କରିବି । ଦୁଃଖରେ ଭାଙ୍ଗିପଡ଼ିଲେ ସବୁଦିନ ପାଇଁ ତମେ ଭାଙ୍ଗି ପଡ଼ିବ । ଧୈର୍ଯ୍ୟଧର !

 

ସ୍ୱପ୍ନା କାନ୍ଦ ଥମିଲା । କୁମାରଙ୍କ ବେକ ଚାରିପଟେ ହାତ ବୁଲାଇ ନେଇ କହିଲା–ମୋତେ କିଛି ପଚାରନ୍ତୁ ନାହିଁ କୁମାରବାବୁ ! ଅତୀତକୁ ରୋମନ୍ଥନ କଲେ ପେଟ ଭିତରୁ କୋହ ଉଠେ । ଆଖିରେ ଲୁହ ଆସେ । ନିଘୋଡ଼ ନିଦରେ ଶୋଇ ଯାଇଥିଲି । ହଠାତ୍ ନିଦ ଭାଙ୍ଗିଗଲା । ଘରକଥା, ବାପା ମାଆଙ୍କ କଥା ମନେ ପଡ଼ିଗଲା ।

 

ତା’ପରେ... ! କୁମାର କହିଲା ।

 

କୁମାର ବକ୍ଷରେ ମୁହଁ ଲୁଚାଇଲା ସ୍ୱପ୍ନା । କହିଲା–ଆପଣ ଏ ପର୍ଯ୍ୟନ୍ତ ଶୋଇ ନାହାଁନ୍ତି-? ଯାଆନ୍ତୁ ଶୋଇବେ । ନ ହେଲେ ଦେହ ଅସୁସ୍ଥ ହେବ ।

 

ମୋ ଦେହ ପାଇଁ ତମେ ଚିନ୍ତା କରିବାର ମୋଟେ ଆବଶ୍ୟକ ନାହିଁ । ପ୍ରଥମେ ନିଜ ଶରୀରର ଯତ୍ନ ନିଅ । ଏଇ କେଇଟା ଦିନ ଭିତରେ ନିଜ ଶରୀର ପ୍ରତି ଅବହେଳା କରି କଣ ହେଲାଣି ତମେ ଅନୁମାନ କରି ପାରୁଛ ?

 

କୁମାରର ବାହୁବନ୍ଧନରୁ ମୁକୁଳି ଆସିଲା ସ୍ୱପ୍ନା । ସୁଇଜ ମାରି କୋଠରୀକୁ ଆଲୋକିତ କଲା । ଟେବୁଲ ଉପରୁ ହାତଘଣ୍ଟାକୁ ଚାହିଁ କହିଲା–ଆରେ ! ସାଢ଼େ ତିନିଟା ବାଜିଲାଣି । ଉଠନ୍ତୁ, ମୋ ବିଛଣାରୁ ଉଠନ୍ତୁ !

 

କୁମାର ମୋଟେ ଉଠିଲାନି । କହିଲା–ତମେ କାହିଁକି କାନ୍ଦୁଥିଲ ନ କହିବା ପର୍ଯ୍ୟନ୍ତ ମୁଁ ମୋଟେ ଉଠିବି ନାହିଁ ।

 

ସ୍ୱପ୍ନା ମୃଦୁ ହସି କହିଲା–ତେବେ ସେଇଠି ଶୋଇ ଥାଆନ୍ତୁ ।

 

କୋଠରୀକୁ ପୁଣି ଅନ୍ଧକାର କରି କୁମାରର ବିଛଣାରେ ଲୋଟିଗଲା ସ୍ୱପ୍ନା ।

 

କୁମାର ଡାକିଲା–ସ୍ୱପ୍ନା ! ସ୍ୱପ୍ନା !

 

ସ୍ୱପ୍ନା ମୋଟେ ଶୁଣିଲାନି ।

 

କୁମାର ମଧ୍ୟ ତାକୁ ବିରକ୍ତ କରିବାକୁ ଚେଷ୍ଟା କଲାନାହିଁ ।

 

ହଳଦୀ ରଙ୍ଗର ସୂର୍ଯ୍ୟାଲୋକ ଅଗଣାରେ ବିଛେଇ ହୋଇ ପଡ଼ିଥିଲା ।

 

ବାରଣ୍ଡାରେ ପଡ଼ିଥିବା ଆର୍ମଚେୟାର ଉପରେ ବସି କୁମାର ଚାହିଁଥିଲା ବାହାରକୁ । ଆମ୍ୱଗଛର ଶାଖାରେ କୋଇଲିଟିଏ ବସି ଗୀତ ଗାଉଛି । ଗୀତ ମାଧ୍ୟମରେ ତା’ର ପ୍ରିୟକୁ ଖୋଜୁଛି-। କିନ୍ତୁ କାହିଁ ତା’ର ପ୍ରିୟ ?

 

ଗାଧୁଆ ଘରର ଦରଜା ଖୋଲି ବାହାରି ଆସିଲା ସ୍ୱପ୍ନା । କାଲିକୋ ମିଲ୍‌ର ଧଳା ଝୀନଶାଢ଼ୀ ଦେହରେ ଜଡ଼ିଯାଇଛି । ସାୟା, ବ୍ଲାଉଜ ବେକ ଉପରେ ପକାଇଛି ସେ । ଗୁଣୁ ଗୁଣୁ ଗୀତ ଗାଇ ବାହାରି ଆସୁ ଆସୁ ବାରଣ୍ଡାରେ ଅଚାନକ କୁମାରକୁ ଦେଖି ଚମକି ଉଠିଲା ।

 

କୁମାର ଚାହିଁଲା ସ୍ୱପ୍ନାର ସଦ୍ୟସ୍ନାତା ମୁହଁଟି ଗୋଟିଏ ଫୁଟନ୍ତା ଗୋଲାପ କଢ଼ ଭଳି ସତେଜ ଦେଖା ଯାଉଥିଲା । ଓଠ ଯୋଡ଼ିକ ଇଷତ ଗୋଲାପୀ ଦେଖାଯାଉଥିଲା । ଝୀନ ଶାଢ଼ୀଟି ବକ୍ଷ ଉପରେ ଜଡ଼ିଯାଇ ଉନ୍ନତ କୁଚଯୁଗଳକୁ ଲୋଭନୀୟ, ଆକର୍ଷଣୀୟ କରି ତୋଳୁଥିଲା । କିଂକର୍ତ୍ତବ୍ୟ ବିମୂଢ଼ ହୋଇ ବ୍ଲାଉଜକୁ ବେକ ଉପରୁ କାଢ଼ି ବକ୍ଷ ଉପରେ ଚାପି ଧରି ନୀରବରେ ଠିଆ ହୋଇ ରହିଲା । ଶାଢ଼ୀ ଦେହରୁ ଜଳବିନ୍ଦୁଗୁଡ଼ିକ ଥପଥପ କରି ପକ୍‌କା ଚଟାଣ ଉପରେ ପଡ଼ୁଥିଲା-

 

କୁମାର କହିଲା–ଠିଆହେଲ କାହିଁକି ? ଯାଅ !

 

ସିକ୍ତ ବସନକୁ ବକ୍ଷ ଉପରେ ଚାପିଧରି ବାରଣ୍ଡା କଡ଼ରେ ଚାଲିଗଲା ସ୍ୱପ୍ନା !

 

କୁମାର ଚାହିଁ ରହିଥିଲା ସ୍ୱପ୍ନାର ଚଲାପଥକୁ !

 

କଳାଗୁମ୍‌ର ଜଳରାଶିରୁ ସ୍ୱପ୍ନାକୁ ଉଦ୍ଧାର କରି ଆଣିବା ଆଜକୁ ପ୍ରାୟ ଗୋଟିଏ ମାସ ହେବ । ଏଇ ଗୋଟିଏ ମାସ ଭିତରେ ସ୍ୱପ୍ନା ତା’ ଜୀବନର ଅନେକ ଗୋପନୀୟ କାହାଣୀ କହିଛି; ସ୍ୱପ୍ନାକୁ ନିକଟରେ... ଅତି ନିକଟରେ ଅନେକ ଥର ପାଇଛି, ତା’ର ଦେହ ସଲଗ୍ନ ହୋଇଛି । ତାକୁ ଗଭୀର ଭାବେ ବିଶ୍ଳେଷଣ କରିଛି । କିନ୍ତୁ ଶେଷ ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନି ।

 

ଅନେକଥର କୁମାର ଭାବିଛି ସ୍ୱପ୍ନାର ପରିବାର, ପିତାମାତା କଥା ପଚାରିବି । କିନ୍ତୁ ତା’ର ଗମ୍ଭୀର ମୁଖମଣ୍ଡଳ, କାନ୍ଦୁରା କାନ୍ଦୁରା ଚକ୍ଷୁଯୁଗଳ ଦେଖିଲେ ସେ ସେ କିଛି ପଚାରି ପାରେନା-। କିନ୍ତୁ ଗତକାଲି ରାତିରେ କାନ୍ଦୁଥିଲା ବେଳେ ସେ କହୁଥିଲା ବାପା–ମାଆଙ୍କ କଥା ମନେ ପଡ଼ିଗଲା । କୁମାର ସେଇଥିରୁ ଅନୁମାନ କରି ନେଇଥିଲା ସ୍ୱପ୍ନାର ପିତାମାତା ଅଛନ୍ତି । ଯଦି ତା’ର ପିତାମାତା ଅଛନ୍ତି ତେବେ ସେ ଆତ୍ମହତ୍ୟା କରିବାକୁ କାହିଁକି ଆସିଥିଲା ? ତେବେ କଣ ସ୍ୱପ୍ନା ଜୀବନରେ କୌଣସି ଗୁରୁତର ଘଟଣା ଘଟିଯାଇଛି ? କଣ ହୋଇପାରେ ତେବେ ଆତ୍ମହତ୍ୟାର କାରଣ... ?

 

ସ୍ୱପ୍ନା ଏକ ରହସ୍ୟ କୁହେଳି । ସ୍ୱପ୍ନା ଏକ ଇନ୍ଦ୍ରଜାଲ । ସମୁଦ୍ରର ଅତଳ ଗର୍ଭରୁ ମୁକ୍ତା ସଂଗ୍ରହ କରିବା ସମ୍ଭବ ହୋଇପାରେ କିନ୍ତୁ ସ୍ୱପ୍ନାଠାରୁ ନିଗୁଢ଼ କଥା ସଂଗ୍ରହ କରିବା ଭୀଷଣ କଷ୍ଟ । ତଥାପି ଚେଷ୍ଟାରୁ ବିରତ ହୋଇ ନଥିଲା କୁମାର ।

 

ଦୀର୍ଘ ଗୋଟିଏ ମାସ ହେବ ସ୍ୱପ୍ନା ଏଇ ଘରେ ରହିଲାଣି । ଘରର ପ୍ରିୟ ମଣିଷ ଭଳି ସେ ଆତଯାତ ହୋଇଛି । ରୋଷାଇ କରିବା, ଘରଦ୍ୱାର ପରିଷ୍କାର କରିବା, ବହିପତ୍ର ସଜାଡ଼ି ରଖିବା, ଘର ସଜାଇବା, ଠିକ୍ ସମୟରେ ଚା’ ଜଳଖିଆ ପରିବେଷଣ କରିବାରେ ସ୍ୱପ୍ନା ଏତେ ଟିକିଏ ବି ତ୍ରୁଟି କରିନି । ମୋଟ ଉପରେ ଘରର ଯାବତୀୟ କାର୍ଯ୍ୟ କରି ମଧ୍ୟ ବିରକ୍ତି ହୋଇନି ମୋଟେ । ଗୋଟିଏ କୋଠରୀରେ ଦୁହେଁ ଚଳପ୍ରଚଳ ହୋଇଛନ୍ତି, ଦୁଇଟି ପୃଥକ ବିଛଣାରେ ଦୁହେଁ ଶୟନ କରିଛନ୍ତି, ସାଥୀହୋଇ ସିନେମା, ଥିଏଟର, ଯାତ୍ରା ଇତ୍ୟାଦି ବୁଲି ଯାଇଛନ୍ତି କିନ୍ତୁ କୌଣସି ଦିନ ଦୁହେଁ ସଂଯମର ସୀମାଟପି ଯାଇ ନାହାନ୍ତି ।

 

ମଧ୍ୟାହ୍ନରେ, ସନ୍ଧ୍ୟାରେ, ବହଳ ରାତିରେ ସ୍ୱପ୍ନା ଅନେକଥର ତା’ର ନିକଟସ୍ଥ ହୋଇଛି । ଗପର ଆସର ମଧ୍ୟରେ ଘଣ୍ଟା ଘଣ୍ଟା ସମୟ ବିତିଯାଇଛି । କିନ୍ତୁ ସ୍ୱପ୍ନା କୁମାର ବିଷୟରେ କିଛି ପଚାରି ଜାଣିବାକୁ ଚାହିଁନି । ତେଣୁ କୁମାର ମଧ୍ୟ ନିଜ ବିଷୟରେ କହିନି । କିନ୍ତୁ ସବୁଠାରୁ ବେଶୀ ସେ ଦୁଃଖିତ ହେଉଥିଲା ଯେ, ସ୍ୱପ୍ନାର ଅତି ନିକଟରେ ଚଳପ୍ରଚଳ ହୋଇ ମଧ୍ୟ ସ୍ୱପ୍ନା କେଉଁଭଳି ଝିଅ ସେ ଜାଣିପାରି ନ ଥିଲା ।

 

ସତରେ ! ଏ ପୃଥିବୀରେ ସବୁଠାରୁ ବିଚିତ୍ର ହେଉଛି ନାରୀ ! ଆଉ ସବୁଠାରୁ ବିଚିତ୍ର ହେଉଛି ନାରୀର ଚିନ୍ତାଧାରା । କେଉଁ ମୁହୂର୍ତ୍ତରେ ନାରୀ କେଉଁ ଭୂମିକାରେ ଅବତରଣ କରେ ତାହା କେହି କହି ପାରିବେ ନାହିଁ । ନାରୀ ପୁରୁଷ ପ୍ରତି ଯେତିକି ସ୍ନେହମୟୀ, କରୁଣାମୟୀ ହୋଇପାରେ ତା’ଠାରୁ ଅଧିକ ହୁଏ ନିଷ୍ଠୁରା, ପାଷାଣୀ । ଯେଉଁ ନାରୀର ଅଧରରେ ଅମୃତର ବାରିଧାରା ବିଗଳିତ ହୁଏ, ସେହି ନାରୀର ଅଧରରେ ବି ଥାଏ ଗରଳର ପୂର୍ଣ୍ଣକୁମ୍ଭ । ତେଣୁ ନାରୀର ରୂପ, ବ୍ୟବହାର, କଥାଭାଷାରେ ଯେଉଁମାନେ ତା’ର ଚରିତ୍ର କଳନା କରିନିଅନ୍ତି ବୋଲି କୁହନ୍ତି ସେମାନଙ୍କଠାରୁ ଉତ୍ତମ ନିର୍ବୋଧ ଆଉ କେହି ନାହିଁ । ବିଦ୍ୟୁତ୍‌ଠାରୁ ପ୍ରଖର ଗତିରେ ନାରୀର ମନ ଦୌଡ଼ିପାରେ । ନାରୀ ହେଉଛି ନିଆଁ, ନାରୀ ହେଉଛି ବହୁରୂପୀ !

 

ସୂକ୍ଷ୍ମାନୁସୂକ୍ଷ୍ମ ଭାବରେ କୁମାର ବିଶ୍ଳେଷଣ କରିଛି ସ୍ୱପ୍ନାକୁ । ତଥାପି ସେ ପରାଜିତ ହୋଇଥିଲା ।

 

କୁମାର ଅନେକ ସମୟରେ ଚିନ୍ତିତ ହୋଇଛି, ବ୍ୟସ୍ତବିବ୍ରତ ହୋଇଛି । ସ୍ୱପ୍ନାକୁ ନିର୍ଦ୍ଧିଷ୍ଠ ସ୍ଥାନରେ ପହଞ୍ଚାଇ ଏହି ଜଞ୍ଜାଳରୁ ମୁକ୍ତି ପାଇବ ବୋଲି ଚେଷ୍ଟା କରିଛି । ତଥାପି ପାରିଲାନି ସେ । ସ୍ୱପ୍ନା ମଧ୍ୟ ଘରକୁ ଫେରିଯିବା ପାଇଁ କେବେ ଆଗ୍ରହ ପ୍ରକାଶ କରିନି ।

 

କୁମାର ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇ ସାରିଥିଲା ଯେ, ସ୍ୱପ୍ନାର ପିତାମାତା, ପରିବାର ସମସ୍ତେ ଅଛନ୍ତି ।

 

କିନ୍ତୁ ସ୍ୱପ୍ନାର ଘର କେଉଁଠି ? ପିତାମାତା କିଏ ?

 

ଯଦି କଟକ ସହରରେ ସ୍ୱପ୍ନାର ଘର ହୋଇଥାଆନ୍ତା ତେବେ ଘରୁ ବାହାରି କୁଆଡ଼େ ଯାଆନ୍ତା ନାହିଁ, ଅଥଚ ନିର୍ବିଘ୍ନରେ ସବୁଆଡ଼େ ସେ ବୁଲି ଯାଇପାରୁଛି !

 

କୁମାର ଦୈନିକ କାଗଜ ପ୍ରତିଦିନ ପଢ଼ିଛି । ‘ଯୁବତୀ ଅନ୍ତର୍ଦ୍ଧାନ’ ସମ୍ବାଦ ଏଇ ମାସକ ଭିତରେ ମୋଟେ ପ୍ରକାଶ ପାଇନି । ତେବେ ସ୍ୱପ୍ନାର ପିତାମାତା ସ୍ୱପ୍ନାକୁ କଣ ଖୋଜୁ ନାହାନ୍ତି ?

 

ସମାଧାନର ଉପାୟ ଚିନ୍ତା କରୁଥିଲା କୁମାର ।

 

କୋଠରୀ ଭିତରକୁ ସ୍ୱପ୍ନା ପ୍ରବେଶ କଲା ।

 

କୁମାର ଚିନ୍ତିତ ଥିବାର ଲକ୍ଷ୍ୟ କରି ସ୍ୱପ୍ନା କହିଲା–କଣ ଭାବୁଛନ୍ତି ?

 

ପ୍ରତ୍ୟୁତ୍ତରରେ କୁମାର କହିଲା–ତୁମକଥା ଭାବୁଥିଲି ?

 

ଚମକି ପଡ଼ିଲାପରି ସ୍ୱପ୍ନା କହିଲା–ମୋ କଥା ଭାବୁଥିଲେ ? କାହିଁକି ? ମୋ ପରିବାର, ମୋର ପିତାମାତା ବନ୍ଧୁପରିଜନ ଦିନେ ମୋ କଥା ଭାବିନାହାନ୍ତି । ଅଥଚ ଆପଣ...ଟ୍ରେନର ଯାତ୍ରୀ ଭଳି ଗୋଟିଏ ଷ୍ଟେସନରେ ଆମେ ପରସ୍ପର ପରିଚୟ ହୋଇଛୁ । ନିମିଷକର ରହଣୀ । ତା’ପରେ ଟ୍ରେନ ଚାଲିଗଲେ ସମସ୍ତେ ନିଜ ନିଜ ବାଟରେ ଯିବେ । ଦିନ ଚାଲିଯିବ କିନ୍ତୁ ସେ ସ୍ମୃତି ଟିକକ ରହିଥିବ ।

 

ତମ ପରିବାରରେ କିଏ କିଏ ଅଛନ୍ତି ସ୍ୱପ୍ନା ?

 

ଅପ୍ରସ୍ତୁତ ହୋଇପଡ଼ିଲା ସ୍ୱପ୍ନା । ଯେଉଁ ଗୋପନ କଥା କହିବ ନାହିଁ ବୋଲି ଦୃଢ଼ ସଂକଳ୍ପ କରିଥିଲା ଅଜାଣତରେ ସେହି କଥା ପାଟିରୁ ବାହାରି ପଡ଼ିଲା । ତେଣୁ ସେ ଚଟ୍ କରି ପ୍ରସଙ୍ଗ ବଦଳାଇବା ଉଦ୍ଦେଶ୍ୟରେ କହିଲା–ମୋର କେହି ନାହାନ୍ତି, ଏକା ମୁଁ ସୃଷ୍ଟିକୁ ଆସିଛି–ଯିବି ମଧ୍ୟ ଏକା । ଦୁନିଆ ରଙ୍ଗମଞ୍ଚରେ ସମସ୍ତଙ୍କର ପ୍ରବେଶ ପ୍ରସ୍ଥାନ ଏକ ଅଭିନୟ ମାତ୍ର । ତେଣୁ ସେ କଥା ଛାଡ଼ନ୍ତୁ । ଚାଲନ୍ତୁ ଖାଇବେ । ରୋଷଇ ଅନେକ ବେଳୁ ସରିଲାଣି ।

 

ମୁଁ ତମର ପରିବାର କଥା ନ ଶୁଣିବା ପର୍ଯ୍ୟନ୍ତ ଖାଇବି ନାହିଁ ।

 

ଆଜି ଶୁଣିବେ ବୋଲି ପ୍ରତିଜ୍ଞା କରିଛନ୍ତି ? ମୃଦୁହସି ସ୍ୱପ୍ନା କହିଲା ।

 

ହଁ, ଆଜି ଶୁଣିବି, ବର୍ତ୍ତମାନ ଶୁଣିବି । ତମ ଜୀବନର କଥା କହିବ ବୋଲି ଅନେକଥର ମୋତେ ଆଶା ଦେଇ ନିରାଶା କରିଛି । ବିଭିନ୍ନ ଆଳରେ ମୋଠାରୁ ଦୂରକୁ ଚାଲିଯାଇଛ । କିନ୍ତୁ ଆଜି ମୋତେ ଠକି ପାରିବ ନାହିଁ ।

 

-ଯେଉଁମାନେ ପରକୁ ଠକିବାକୁ ଚାହାନ୍ତି ସେମାନେ ନିଜେ ନିଜେ ଠକି ଯାଆନ୍ତି । ଛାଡ଼ନ୍ତୁ ! ମୁଁ ସବୁ ବିଷୟ ପରେ କହିବି, ବର୍ତ୍ତମାନ ନୁହେଁ । ପ୍ରଥମେ ଆପଣ ଆସିଲେ ଖାଇବେ ? ମୋ ପାଖରେ କୁମାରର ହାତଧରି ଟାଣୁଥିଲା ସ୍ୱପ୍ନା ।

 

କୁମାର ସେମିତି ବସି ରହିଲା ଖଟରେ । ସ୍ୱପ୍ନାକୁ ଟାଣିନେଇ ପାଖରେ ବସାଇ ଦେଇ କହିଲା–ତମେ ସ୍ୱାର୍ଥପର ସ୍ୱପ୍ନା ! ଯେଉଁ କଥା ଶୁଣିବାକୁ ମୋର ପ୍ରବଳ ଆଗ୍ରହ ସେ କଥା ନ କହି ଅନାବଶ୍ୟକ କଥାଗୁଡ଼ାକ ମୋତେ ଶୁଣାଉଛ ! ଅନେକଥର ବହୁ ଅନୁରୋଧ କରି ମଧ୍ୟ ତମ ନିଜ ବ୍ୟକ୍ତିଗତ କଥା କି ପରିବାର କଥା କହିଲ ନାହିଁ । ଆତ୍ମହତ୍ୟାର କାରଣ ମଧ୍ୟ ମୋତେ କହିଲ ନାହିଁ-। ତେବେ ମୋର ସଂପୂର୍ଣ୍ଣ ଧାରଣା ତମେ ମୋତେ ଅବିଶ୍ୱାସ କରୁଛ–ସନ୍ଦେହ କରୁଛ ? ଅଭିନୟ କରୁଛ ?

 

ଛି ଛି...କୁମାର ତୁଣ୍ଡରେ ହାତଦେଲା ସ୍ୱପ୍ନା ! ଶେଷକୁ ଆପଣ ମୋତେ ଏଇୟା ବୁଝିଲେ-? ଏତେଦିନ ପାଖରେ ରହିଲା ପରେ ମଧ୍ୟ ଆପଣ ମୋତେ ଜାଣି ପାରିଲେ ନାହିଁ । ମୋର ଯଦି ଆପଣଙ୍କ ଉପରେ ଅବିଶ୍ୱାସ, ସନ୍ଦେହ, ଘୃଣା ଇତ୍ୟାଦି ଥାଆନ୍ତା ତେବେ ଆଜି ପର୍ଯ୍ୟନ୍ତ ମୁଁ ଏଠାରେ ରହି ନ ଥାଆନ୍ତି । ସ୍ୱଇଚ୍ଛାରେ ଆପଣଙ୍କ ଆକଟ ସତ୍ତ୍ୱେ ମୁଁ ଲୁଚିକରି କୁଆଡ଼େ ଚାଲିଯାଇ ଥାଆନ୍ତି-? ଆପଣ ନଥିବା ବେଳେ ପଡ଼ିଶା ଲୋକେ ଆସି ମୋ ସାଥିରେ ଗପ କରିଛନ୍ତି-। ମୋ ବିଷୟରେ ଜାଣିବାକୁ ଚାହିଁଛନ୍ତି, ଆପଣଙ୍କ ବିଷୟରେ ଅନେକ ମନ୍ତବ୍ୟ ଦେଇଛନ୍ତି-। କିଏ ଭଲ କହି ପ୍ରଶଂସା କରିଛି, କିଏ ଆପଣଙ୍କ ଚରିତ୍ର ବିଷୟରେ ନାନା କୁତ୍ସିତ ମନ୍ତବ୍ୟ ପ୍ରକାଶ କରିଛନ୍ତି । କିନ୍ତୁ ମୁଁ ଚିହ୍ନିଛି କିଏ କଣ ? ମୋର ଧାରଣା ଯାହା ଉପରେ ଭଲ ରହିଥିବ ତାହା ସବୁଦିନ ପାଇଁ । ମୋଟ ଉପରେ ମୋର ଆପଣଙ୍କ ଉପରେ ସେମିତି ଉଚ୍ଚ ଧାରଣା ଅଛିବୋଲି ମୁଁ ଏଠାରେ ଆଜି ପର୍ଯ୍ୟନ୍ତ ରହିଛି ।

 

ସତରେ ସ୍ୱପ୍ନା ! ଆଜି ପର୍ଯ୍ୟନ୍ତ ମୁଁ ତମକୁ ଜାଣି ପାରିଲି ନାହିଁ । କୁମାର କହିଲା ।

 

ମୋଟେ ଜାଣି ପାରିବେ ନାହିଁ କି ବୁଝିପାରିବେ ନାହିଁ । ନାରୀକୁ, ବିଶେଷତଃ ତରୁଣୀଙ୍କୁ ଚିହ୍ନିବା ପାଇଁ ପୁରୁଷଙ୍କୁ ଅନେକ କୋଟି ଯୁଗ ବିତିଯିବ, ତଥାପି ଚିହ୍ନି ପାରିବେ ନାହିଁ । ତେଣୁ ସେ କଥା ଛାଡ଼ନ୍ତୁ । ବର୍ତ୍ତମାନ ଖାଇବେ ଆସନ୍ତୁ !

 

ତଥାପି କୁମାର ଉଠିଲାନି ।

 

ସ୍ୱପ୍ନା ହାତଧରି ଉଠାଇଲା । ଉଠନ୍ତୁ, ଧୈର୍ଯ୍ୟ ଧରନ୍ତୁ, ସନ୍ଧ୍ୟାରେ ମୁଁ ସବୁ କହିବି ।

 

ନିର୍ଭର ପ୍ରତିଶ୍ରୁତି ପାଇ କୁମାର ଉଠି ସ୍ୱପ୍ନାର ପଛେ ପଛେ ଚାଲିଲା ।

 

ଗୋଟିଏ ଥାଳିରେ ଦୁହେଁ ଖାଇ ବସିଥିଲେ ।

 

ପ୍ରଥମେ କୁମାର ମାଂସ ଖଣ୍ଡିଏ ସ୍ୱପ୍ନା ପାଟିରେ ଗୁଞ୍ଜିଦେଲା ।

 

ସ୍ୱପ୍ନା ମଧ୍ୟ ପ୍ରତିଦାନ ଦେବାକୁ ଭୁଲିଲାନି ।

 

କୁମାର କହିଲା–ତମ ହାତତିଆରି ମାଂସ ଏତେ ସୁସ୍ୱାଦୁ ହୋଇଛି ? ସତରେ, ତମେ ସୁନ୍ଦର ରୋଷାଇ କରି ଜାଣ ?

 

ତଳକୁ ମୁହଁପୋତି ସ୍ୱପ୍ନା କହିଲା–ରୋଷାଇ ମୁଁ ଆଦୌ ଶିଖିନାହିଁ । ଘରେ ମଧ୍ୟ ରୋଷାଇ କରେନି । ମାଆ ସେଥିପାଇଁ ଅନେକ ବିରକ୍ତ ହୋଇଛି । ତିରସ୍କାର କରିଛି । ଆକଟ କରି କହିଛି–ରୋଷାଇ ତ ଶିଖିଲୁନି, ଶାଶୁଘରେ କେମିତି ରୋଷେଇ କରିବୁ ?

 

ହସି ହସି ମୁଁ ଉତ୍ତର ଦେଇଛି–ଯେଉଁ ଶାଶୁଘରେ ମୋତେ ରୋଷେଇ କରିବାକୁ ପଡ଼ିବ ନାହିଁ ସେଇଠି ମୁଁ ବାହାଦେବି । ବୋଉ ହସିଦେଇ ଚାଲିଯାଏ । ତେଣୁ ସେଇ ହାତର ତରକାରୀ ଏତେ ସ୍ୱାଦୁ ହେବ କିପରି ? ରୋଷାଇ ଆସେନା ବୋଲି ସମସ୍ତେ ବିରକ୍ତ ହୁଅନ୍ତି, ମୋର ପ୍ରଶଂସା କରିବାକୁ ଏ ଦୁନିଆରେ କେହି ନାହାନ୍ତି । ମୁଁ ସମସ୍ତଙ୍କର ଶତ୍ରୁ । କିନ୍ତୁ ଆପଣ...

 

ଏଇ ସମସ୍ତେ କିଏ ସ୍ୱପ୍ନା ? ଏଇ ‘ସମସ୍ତେ’ ଭିତରେ କିଏ କିଏ ଅଛନ୍ତି ?

 

ସ୍ୱପ୍ନା ଅପ୍ରତିଭ ହୋଇ ପଡ଼ିଲା । କହିଲା–ନା; ଆପଣ ଖାଇନିଅନ୍ତୁ, ତରକାରୀ ଶୀତଳ ହୋଇଯିବ ।

 

କୁମାର ଚାହିଁଲା ସ୍ୱପ୍ନା ତଳକୁ ମୁହଁପୋତି ଖାଉଥିଲା । ସେ ଭାବିଲା, ନିଜ ଜୀବନର କାହାଣୀ ନ କହିବାକୁ ସ୍ୱପ୍ନା ବାରମ୍ୱାର ଚେଷ୍ଟା କରୁଥିଲେ ମଧ୍ୟ ନିଜ ଅଜାଣତରେ କଥା ପ୍ରସଙ୍ଗରେ ତାହା ତୁଣ୍ଡରୁ ବାହାରି ଆସୁଛି । ତେଣୁ ପ୍ରସଙ୍ଗ ଏଡ଼ାଇ ଦେଇ ଅନ୍ୟକଥାର ଖିଅ ଧରୁଛି । କିନ୍ତୁ କେତେ ଦିନ ? କେତେ ଦିନ ଗୋପନ ରଖିବ ସିଏ ? ଦିନ ଆସିବ, ସ୍ୱଇଚ୍ଛାରେ ସ୍ୱପ୍ନା ପୁଣି ତା’ ଜୀବନର କରୁଣଗାଥା କହି ବସିବ ।

 

କିନ୍ତୁ କେବେ କହିବ ସେ ?

 

ଯଦି ସେ ନ କୁହେ... ?

 

ସ୍ୱପ୍ନା ମୁହଁଟେକି ଚାହିଁଲା । କୁମାର ଚିନ୍ତିତ ଥିବାର ଦେଖି କହିଲା–ଆପଣ କଣ ଏତେ ଭାବୁଛନ୍ତି ? ମୋତେ ଚାହିଁ କଣ ଏତେ ଦେଖୁଛନ୍ତି ? ମୋତେ କଣ ମୋଟେ ଦେଖି ନଥିଲେ ?

 

ଭାତଥାଳି ଉପରୁ ଉଠି ଆସିଲା କୁମାର ।

 

ସିଗାରେଟରେ ନିଆଁ ଧରାଇ ବିଛଣା ଉପରେ ଶୋଇ ରହିଲା ସେ ।

 

ଲୁଗାକାନିରେ ହାତ ପୋଛୁ ପୋଛୁ ସ୍ୱପ୍ନା ପଶି ଆସିଲା କୋଠରୀ ଭିତରକୁ । କୁମାର ବିଛଣାରେ ବସିପଡ଼ି କୁମାର ହାତରୁ ସିଗାରେଟ୍‌ଟା ନେଇ ଝରକାବାଟେ ବାହାରକୁ ଫିଙ୍ଗିଦେଲା । କହିଲା–ଏ ଅଭ୍ୟାସ କେବେଠାରୁ ହେଲା ? ମାସକ ଭିତରେ ଆଜି ବୋଧେ ସିଗାରେଟ ଖାଇବା ମୋ ସମ୍ମୁଖରେ ଆପଣଙ୍କର ପ୍ରଥମ ?

 

କୁମାର ଚାହିଁଲା ସ୍ୱପ୍ନାକୁ ।

 

ମୋ ପାନ କାହିଁ ? ସ୍ୱପ୍ନା ହାତପାତି ପାନ ମାଗୁଥିଲା ।

 

ପାନରୁ ତମେ କି ସ୍ୱାଦୁ ପାଉଛ ଯେ ତମେ ପାନ ଖାଉଛ ! ତମକୁ ମଧ୍ୟ ଏ କୁଅଭ୍ୟାସ ପରିତ୍ୟାଗ କରିବାକୁ ପଡ଼ିବ ।

 

କିନ୍ତୁ ଏ ଅଭ୍ୟାସ କିଏ ଶିଖାଇଲା ମୋତେ ! ପ୍ରଥମେ ଖଣ୍ଡେ ପାନ, ତା’ପରେ ଦୁଇଖଣ୍ଡ, ତା’ପରେ ଚାରିଖଣ୍ଡ ପାନ ଦେଇ କିଏ ମୋତେ ଅଭ୍ୟାସରେ ପରିଣତ କରାଇଲା ?

 

କୁମାର ହସିଲା । ତକିଆ ତଳୁ ପାନଖଣ୍ଡେ ବାହାର କରି ସ୍ୱପ୍ନା ପାଟିରେ ଗୁଞ୍ଜି ଦେଇ ତାକୁ ଟାଣିଆଣିଲା ନିଜ ଆଡ଼କୁ । କହିଲା–ଆଜି ଗୁରୁବାରେ ବୋଧେ ?

 

ହଁ କଣ ହେଲା ? ସ୍ୱପ୍ନା କହିଲା ।

 

ଆଜି ଚଣ୍ଡୀମନ୍ଦିରକୁ ଯିବା ।

 

ଆପଣ ଯାଆନ୍ତୁ, ମୁଁ ଯିବିନି ।

 

କାହିଁକି ?

 

କୌଣସି ଦେବାଦେବୀ, ଠାକୁର–ଠାକୁରାଣୀଙ୍କୁ ମୁଁ ମୋଟେ ବିଶ୍ୱାସ କରେନି । କାହିଁକି ବିଶ୍ୱାସ କରିବ କୁହନ୍ତୁତ ? କେଉଁ ସୁଖରେ ମୋତେ ସେ ରଖିଛନ୍ତି ? ଦିନେ ହୁଏତ ଠାକୁର–ଠାକୁରାଣୀଙ୍କୁ ମୁଁ ପରମ ବିଶ୍ୱାସ କରିଥିଲି । ସ୍କୁଲରେ ପଢ଼ିଲା ବେଳେ ଦୁଇବେଳା ଠାକୁର ପୂଜା କରୁଥିଲି । ଓଷା, ବ୍ରତ, ଉପବାସ କରି ଠାକୁରଙ୍କ ସେବାରେ ଦିନ ବିତାଇ ଦେଉଥିଲି । ଶେଷକୁ ତା’ର ପ୍ରତିଦାନ ପାଇଗଲି । ଠାକୁରଙ୍କ ପାଇଁ ମୋର ଏଇ ଅବସ୍ଥା ହେଲା । ତେଣୁ ଆଜି ମୁଁ କାହାକୁ ବିଶ୍ୱାସ କରେନା ! ନିଜ ଲଲାଟ ଲିଖନକୁ ପରିବର୍ତ୍ତନ କରିବାକୁ ଯଦି କୌଣସି ଦେବା–ଦେବୀଙ୍କର ଶକ୍ତି ନାହିଁ ତେବେ ଚଣ୍ଡୀମନ୍ଦିର, ଠାକୁରମନ୍ଦିର, ବ୍ରତ–ଉପବାସ କରିବାର ପ୍ରୟୋଜନ କଣ ?

 

ତମେ ପୂର୍ଣ୍ଣଭାବରେ ନାସ୍ତିକ ହୋଇଗଲଣି ସ୍ୱପ୍ନା !

 

ଦିନେ ଆସ୍ତିକ ଥିଲି, କିନ୍ତୁ ଅବସ୍ଥା ଦୃଷ୍ଟିରୁ ନାସ୍ତିକ ହେବାକୁ ବାଧ୍ୟ ହେଲି । ନିଜ ଲଲାଟ ଲିଖନ ଯଦି ସତ ହୁଏ ଏବଂ ତାକୁ ଖଣ୍ଡନ କରିବାର ଶକ୍ତି ଯଦି କାହାର ନ ଥାଏ ତେବେ ସମୟ ନଷ୍ଟକରି ମନ୍ଦିର ଯିବା ଓ ଭୋଗ ମାଜଣା କରିବାର ଆବଶ୍ୟକତା ନାହିଁ ।

 

ଆଚ୍ଛା ତମେ ଭାଗବତ ପଢ଼ିଛ ସ୍ୱପ୍ନା ?

 

ଭାଗବତ ! ସିଏ ପୁଣି କି ବହି ? ବିଂଶ ଶତାଦ୍ଦୀରେ ସେ ଭାଗବତର କୌଣସି ମୂଲ୍ୟ ନାହିଁ । ଯେଉଁ ଚନ୍ଦ୍ରଙ୍କୁ ଯୁଗ ଯୁଗ ଧରି ମଣିଷ ପୂଜା କରୁଥିଲା ଆଜି ସେଇଚନ୍ଦ୍ରଦେଶରେ ମଣିଷ ପାଦ ରଖିଲାଣି । ବିଜ୍ଞାନ ଆଜି ଏତେ ଅଗ୍ରଗତି କରିଛି ଯେ, ପୁରାଣ, ଭାଗବତ, ଭଗବାନଙ୍କ ଅସ୍ତିତ୍ୱ ଲୋପ ପାଇଗଲାଣି । ସେ ଯୁଗରେ ଭାଗବାନ ଥିଲେ କିନ୍ତୁ ଆଜି...ଆଜିକାଲି ଅନେକ ଭଗବାନ ବାହାରିଲେଣି । କିନ୍ତୁ ସବୁ ଭେଜାଲ ! ଏ ଭେଜାଲ ଯୁଗରେ ଖାଣ୍ଟି ଭଗବାନ ମଧ୍ୟ ଭେଜାଲ ହୋଇଗଲେଣି ।

 

କୁମାର ହସି ଉଠିଲା ପିଲାଙ୍କ ଭଳି । ସ୍ୱପ୍ନାର କୋମଳ ପାପୁଲିକୁ ନିଜ ହାତ ଭିତରେ ରଖି ମୃଦୁ ପରଶ ଦେଉ ଦେଉ କହିଲା–ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ସବୁରି ମୂଳରେ ଭଗବାନ ଅଛନ୍ତି । ଭଗବାନଙ୍କ ବିନା ଏ ଦୁନିଆରେ କିଛି ସମ୍ଭବ ହୋଇ ପାରେନା । ଯେଉଁଦିନ ତମେ ଅନୁଭବ କରିବ, ଜନ୍ମ–ମୃତ୍ୟୁ, ଦିନ–ରାତିରେ ବ୍ୟତିକ୍ରମ ଘଟିଛି ସେହିଦିନ ମନେ କରିବ ଏ ସୃଷ୍ଟିରେ ଭଗବାନ ନାହାନ୍ତି । ଅଦୃଶ୍ୟ ସ୍ରଷ୍ଟାଙ୍କ ଦ୍ୱାରା ଏ ପୃଥିବୀ ନିୟନ୍ତ୍ରିତ । ମଣିଷର ସୂକ୍ଷ୍ମବିଚାର ବୁଦ୍ଧି ଓ ସ୍ରଷ୍ଟାଙ୍କର ଆଶୀଷରୁ ବିଜ୍ଞାନର ଉଦ୍ଭାବନ । ବିଜ୍ଞାନ ଯଦି ଅଗ୍ରଗତି କରିଛି ବୋଲି ତମେ ସ୍ୱୀକାର କରୁଛ, ତେବେ କହିପାରିବ, ବିଜ୍ଞାନ ବଳରେ କେତେଟା ମଣିଷ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଛନ୍ତି ? ମୋଟେ ନୁହେଁ । ବିଜ୍ଞାନ ଆଉ ଭଗବାନ ! ପରସ୍ପର ଦୁହେଁ ଜଡ଼ିତ । ଆଉ ଭାଗବତ । ଭାଗବତରୁ ବିଜ୍ଞାନର ଉତ୍ପତ୍ତି । ଅଥଚ ସେହି ଭାଗବତକୁ ତମେ ପୁରାତନ ଯୁଗର ବହି ବୋଲି କହୁଛ ? ଯେତେଦିନ ପର୍ଯ୍ୟନ୍ତ ସୃଷ୍ଟି ରହିଥିବ, ଯେତେଦିନ ପର୍ଯ୍ୟନ୍ତ ମଣିଷ ରହିଥିବ, ସେତେଦିନ ପର୍ଯ୍ୟନ୍ତ ପ୍ରତି ପରିବାରରେ ଭାଗବତ ନିୟମିତ ପୂଜା ପାଉଥିବ ।

 

ଆଉ ବିଜ୍ଞାନ...ବିଜ୍ଞାନର ଶେଷ ପରିଣତି ଧ୍ୱଂସ । ସହଜ, ସରଳ, ସୂକ୍ଷ୍ମ ଉପାୟରେ ବିଜ୍ଞାନ ଅଜସ୍ର ବସ୍ତୁ ଉଦ୍ଭାବନ କରିଛି ବୋଲି ତମେ ଯାହା ଅନୁମାନ କରୁଛ–ସେହି ସହଜ, ସରଳ, ସୂକ୍ଷ୍ମ ଉପାୟରେ ମଣିଷ ମଧ୍ୟ ମୃତ୍ୟୁବରଣ କରିପାରୁଛି । ବିଜ୍ଞାନ ମଣିଷର ଅଶେଷ ଉପକାର କରିପାରେ କିନ୍ତୁ ବିଜ୍ଞାନ ମଣିଷର କେବେ ମଙ୍ଗଳ କାମନା କରି ପାରେନା । କିନ୍ତୁ ଭଗବାନ ମଣିଷର କେବେ ଶତ୍ରୁ ହୋଇପାରନ୍ତି ନାହିଁ ସ୍ୱପ୍ନା ! ଭଗବାନ ମଣିଷର ସବୁବେଳେ ମଙ୍ଗଳ କାମନା କରନ୍ତି । ତମର ଭଗବାନଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ ଥିଲା । କିନ୍ତୁ ପ୍ରତିଦାନ ପାଇଲ ନାହିଁ ବୋଲି ତମେ ଭଗବାନଙ୍କ ପ୍ରତି ବିଶ୍ୱାସ ହରାଇଲ, ସମସ୍ତ ଆସ୍ଥା ହରାଇଲ । ତମେ କୁହ ସ୍ୱପ୍ନା ! ସମସ୍ତେ ଯଦି ଠାକୁର ପୂଜା କରି ପ୍ରତିଦାନ ଆଶା କରି ବସିବେ ତେବେ ଲଲାଟ ଲିଖନ କଣ ମିଛ ହୋଇଯିବ ? ମନରେ ଭକ୍ତି ନ ଥିଲେ, ପରମ ବିଶ୍ୱାସ ନ ଥିଲେ, ତମର ବ୍ୟଥା, ବେଦନା ତାଙ୍କ ପାଖରେ ପହଞ୍ଚି ନ ପାରିଲେ ସେ କିପରି ତୁମ ମନସ୍କାମନା ପୂରଣ କରିବେ ? ସମସ୍ତେ ଯଦି ସୁଖରେ ରହିବେ ତେବେ ଦୁଃଖରେ ଶଦ୍ଦ ଅଭିଧାନରୁ ଲୋପ ପାଇଯାଇ ଥାଆନ୍ତା । ଦୁଃଖ ନ ଥିଲେ ସୁଖର ମହତ୍ୱ ବୁଝି ହୁଅନ୍ତା ନାହିଁ । ତେଣୁ ଭଗବାନ ମଣିଷ ପାଇଁ ସୁଖ–ଦୁଃଖ ଉଭୟ ଦେଇଛନ୍ତି । ଭଗବତରେ ଲେଖା ଅଛି–‘‘ଯେ ତୋତେ କରୁଥାଏ ଆଶ, ମୁଁ ତା’ର କରେ ସର୍ବନାଶ । ଏଇ ଦୁଇଟି ଧାଡ଼ିର ଗୁଢ଼ତତ୍ୱ ଜାଣିବାକୁ, ବୁଝିବାକୁ ବହୁ ସମୟ ଦରକାର । ମୋଟ ଉପରେ କହିବାକୁ ଗଲେ ଯିଏ ଭଗବାନଙ୍କ ଉପରେ ପୂର୍ଣ୍ଣ ଭରଷା ରଖେ, ଭଗବାନ ଯେଉଁ ଭକ୍ତକୁ ଖୁବ୍ ଭଲ ପାଆନ୍ତି ତାକୁ ବେଶୀ କଷ୍ଟ ଦେଇ, ତା’ର ସମସ୍ତ ନାଶ କରି ତାକୁ ପାଖକୁ ନେଇ ଯାଆନ୍ତି ।

 

ଆମ୍ଭେମାନେ ସମସ୍ତେ ଏକ ପରୀକ୍ଷା ମଧ୍ୟରେ ଗତି କରୁଛୁ । ଆଉ ଯିଏ ସେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛି ସେହି କେବଳ ସୁଖୀ । ସମସ୍ତେ ସୁଖ ପାଇଁ ଲାଳାୟିତ । ସମସ୍ତେ ସୁଖ ପାଇଁ ପାଗଳ, କିନ୍ତୁ ମଣିଷର ପୂର୍ବଜନ୍ମର କର୍ମଫଳ ଏଇ ଜନ୍ମରେ ଭୋଗ କରିବାକୁ ବାଧ୍ୟ । ନିଜର ଲଲାଟ ଲିଖନକୁ ସ୍ୱୟଂ ଭଗବାନ ମଧ୍ୟ ବଦଳାଇ ପାରିବେ ନାହିଁ । ଆମ୍ଭେମାନେ ମନ୍ଦିରକୁ ଯାଉ, ଏଇ ମନ୍ଦିର ଯିବାର କାରଣ କଣ ଜାଣ ? ମନ୍ଦିରକୁ ଯାଇ ଦେବାଦେବୀ ଦର୍ଶନ କରିବା ଦ୍ୱାରା ନିଜର ଗ୍ରହରିଷ୍ଟ ସମ୍ପୂର୍ଣ୍ଣ ଖଣ୍ଡନ ନ ହେଲେ ମଧ୍ୟ ଆଶିଂକ ଖଣ୍ଡନ ହୁଏ । ସମସ୍ତେ ସିନା ମନ୍ଦିରକୁ ଯାଆନ୍ତି, କିନ୍ତୁ ସମସ୍ତଙ୍କର କଣ ମନସ୍କାମନା ପୂରଣ ହୁଏ ? ଫଳପ୍ରାପ୍ତି ପାଇଁ ସମସ୍ତେ ଲାଳାୟିତ । କିନ୍ତୁ ଯୋଗ ଆଉ ଭୋଗକୁ କେହି ଖଣ୍ଡନ କରିପାରିବେ ନାହିଁ । ନିଜ ଗ୍ରହଦଶା ପାଇଁ ଶ୍ରୀରାମ ବନବାସ କରିଥିଲେ, ସ୍ୱୟଂ ଶ୍ରୀକୃଷ୍ଣ ଶବର ଦ୍ୱାରା ଏବଂ ଦିଗ୍‌ବିଜୟୀ ରାବଣ ଗୋଟିଏ ବନଚାରୀ ଦ୍ୱାରା ନିହତ ହୋଇଥିଲେ । ଇମିତି ଅନେକ ଦୃଷ୍ଟାନ୍ତ ଅଛି । ତେଣୁ ମଣିଷ ଜୀବନରେ ଯୋଗ ଆଉ ଭୋଗ ନିଶ୍ଚିତ ଭାବେ ଲାଗି ରହିଛି ଆଉ ତାହା ମଣିଷ ଭୋଗ କରିବାକୁ ବାଧ୍ୟ ।

 

ସ୍ୱପ୍ନା କହିଲା–ଆପଣ ଭଗବାନ, ବିଜ୍ଞାନ, ଭାଗବତର ନିଗୁଢ଼ ତତ୍ତ୍ୱ କହିଗଲେ, କିନ୍ତୁ ସେସବୁ ମୋ ମୁଣ୍ଡରେ କିଛି ପ୍ରବେଶ କରିପାରୁନି । ଲଲାଟ ଲିଖନ, ଯୋଗ, ଭୋଗ ଯଦି ମଣିଷ ଜୀବନ ପାଇଁ ନିରାଟ ସତ୍ୟ ତେବେ ମନ୍ଦିରକୁ ଯିବାର ପ୍ରୟୋଜନ ମୋ ପାଇଁ ନିରର୍ଥକ । ମୋ ଭାଗ୍ୟରେ ଯାହାଅଛି ତାହା ମୁଁ ଭୋଗ କରିବି । ତେଣୁ ମନ୍ଦିରକୁ ଯିବି କାହିଁକି ?

ତମେ ଭଗବାନଙ୍କ ଉପରେ ଅଭିମାନ କରିଛ ? ତମର ମନସ୍କାମନା ପୂରଣ ହୋଇନି ବୋଲି ତମେ ଆସ୍ଥା ହରାଉଛ ? ତମେ ମନ୍ଦିରକୁ ନ ଗଲେ ଭଗବାନଙ୍କର କିଛି କ୍ଷତି ହେବନି ବରଂ ତମର ଅପକାର ହେବ । ଦେବାଦେବୀ ଦର୍ଶନ ନ କଲେ ତମେ ବେଶୀ ଦୁଃଖ ପାଇବ । ତେଣୁ ତମେ ଶିଶୁସୁଲଭ ଚପଳତା ପରିତ୍ୟାଗ କରି ଭଗବାନଙ୍କ ଉପରେ ପୂର୍ଣ୍ଣ ଭରସା ରଖ । ନିଶ୍ଚୟ ସେ ତମର ଦୁଃଖ ଶୁଣିବେ ।

ସ୍ୱପ୍ନା ହସିଦେଇ ଉଠିଗଲା । କହିଲା–ମୋତେ ଭାବିବାକୁ ସମୟ ଦିଅନ୍ତୁ କୁମାରବାବୁ !

କୁମାର ଆକଟ କରିବା ସ୍ୱରରେ କହିଲା–ମନ୍ଦିରକୁ ଯିବାପାଇଁ ତମେ ଭାବିବାକୁ ସମୟ ଲୋଡ଼ୁଛ ? ତମେ ଆଜିକାଲି ବଡ଼ ଅବାଧ୍ୟ ହୋଇ ଉଠୁଛ ସ୍ୱପ୍ନା । ଏତେ ବୁଝାଇଲା ପରେ ମଧ୍ୟ ତମେ ନିଜ ଶପଥରେ ଅଟଳ । ତେବେ ତମର ଯିବା ଦରକାର ନାହିଁ । ମୁଁ ଏକା ଯିବି ।

କୁମାର ବିରକ୍ତ ହୋଇ ଉଠିଗଲା ।

ସ୍ୱପ୍ନା ଫେରି ଆସିଲା କୁମାର ନିକଟକୁ । ମୋ ଉପରେ ବିରକ୍ତ ହେଉଛନ୍ତି ? ମୁଁ ଅବାଧ୍ୟ ହୋଇଛି ବୋଲି ଆପଣ ଦୁଃଖ କରୁଛନ୍ତି ? କହି ପାରିବେ, କୌଣସି ଦିନ, କୌଣସି କଥାରେ ମୁଁ ଆପଣଙ୍କର ଅବାଧ୍ୟ ହୋଇଛି ? କେବେ ମୁଁ ଆପଣଙ୍କ ପାଖରେ ଅବାଧ୍ୟ ହୋଇନି କି ଆଜି ମଧ୍ୟ ହେବି ନାହିଁ । ମୁଁ ଆଜି ନିଶ୍ଚୟ ଆପଣଙ୍କ ସହ ଚଣ୍ଡୀମନ୍ଦିର ଯିବି । ଆପଣ ବିରକ୍ତ ହେବେ ବୋଲି ମୁଁ ଥଟ୍ଟାରେ କହୁଥିଲି...ସତରେ, ଆପଣ ବିରକ୍ତ ହେଲେ ମୋତେ ଖୁବ୍ ଭଲଲାଗେ । ହସି ହସି ସ୍ୱପ୍ନା ଲୋଟିଗଲା କୁମାର ବିଛଣାରେ ।

କୁମାର ଉଠିଗଲା ବିଛଣା ଉପରୁ ।

ବାହାରେ ଦିନାନ୍ତର ରଙ୍ଗ ମହଳଣ ପଡ଼ି ଆସିଲାଣି ।

ଗୋଟିଏ ରିକ୍‌ସାରେ ସାଥୀହୋଇ ଦୁହେଁ ଚଣ୍ଡୀମନ୍ଦିରରୁ ଫେରୁଥିଲେ ।

ଫେରିଲା ବାଟରେ କୁମାର କହିଥିଲା–ତମେ ସତ କହିବ ସ୍ୱପ୍ନା ! ମାଆଚଣ୍ଡୀଙ୍କ ପାଖରେ କି ଜଣାଣ ତମେ ଜଣାଇଲ ?

ସ୍ୱପ୍ନା ମୃଦୁ ହସିଲା । କହିଲା–ମାଆଙ୍କ ପାଖରେ ମୋର ମନସ୍କାମନା ଯାହା ଜଣାଇଲି ତାହା କଣ ଆପଣଙ୍କୁ କହି ପାରିବି ?

କହିବ ନାହିଁ ମୋତେ ? ମୁହଁ ବୁଲାଇ କୁମାର ଅନ୍ୟଆଡ଼କୁ ଚାହିଁ ସାମାନ୍ୟ ଘୁଞ୍ଚିଗଲା ।

ଓଃ, ଏତେ ଅଭିମାନ ! ସବୁକଥା କଣ ସମସ୍ତଙ୍କୁ କହି ହୁଏ ? ସ୍ୱପ୍ନା କହିଲା ।

କୁମାର କିଛି ପ୍ରତ୍ୟୁତ୍ତର ଦେଲା ନାହିଁ ।

ରିକ୍‌ସା ରହିଲା ଘର ସାମନାରେ ।

ଦୁହେଁ ରିକ୍‌ସାରୁ ଓହ୍ଲାଇଲେ ।

 

ସେଦିନ ରାତିରେ ଦୁହେଁ ଖାଇଲାବେଳେ କାହା ତୁଣ୍ଡରୁ ସାମାନ୍ୟ କଥା ବି ବାହାରିଲାନି-। ତେଣୁ ଅନେକ ସମୟ ଅପେକ୍ଷା କଲାପରେ ପ୍ରଥମେ ସ୍ୱପ୍ନା ତୁଣ୍ଡ ଖୋଲିଲା–ମୋ ଉପରେ ରାଗ କରିଛନ୍ତି କୁମାରବାବୁ ?

 

ନା ।

 

ଅଭିମାନ କରିଛନ୍ତି ?

 

ସେତିକି ଅଧିକାର ମୋର ନାହିଁ ।

 

ସେ ଅଧିକାର କିଏ କାଢ଼ିନେଲା ଆଜି ?

 

ତମେ ନିଜେ ! ତମେ ନିଜେ ନିଜେ ମୋଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଛ । ମୋ କଥାର ଉତ୍ତର ନ ଦେଇ ତମେ ପ୍ରସଙ୍ଗ ବଦଳାଇ ଅନାବଶ୍ୟକ କଥାଗୁଡ଼ିକ କହୁଛ ।

 

କୁମାରର ହାତକୁ ଧରି ପକାଇଲା ସ୍ୱପ୍ନା । ମୋତେ କ୍ଷମା କରନ୍ତୁ କୁମାରବାବୁ ! ଆପଣଙ୍କ କଥାରେ ମୁଁ କେବେ ଅବାଧ୍ୟ ହୋଇନି କି ଆଜିବି ହେବିନି । ଆପଣଙ୍କ ଉପରେ ମୋର ପରମ ବିଶ୍ୱାସ ଅଛି । କଣ ପଚାରିବାର ଅଛି ଆପଣ ପଚାରନ୍ତୁ ! ମୁଁ ନିଶ୍ଚୟ ଉତ୍ତର ଦେବି ।

 

କୁମାର ଚାହିଁଲା ସ୍ୱପ୍ନାକୁ । କହିଲା–ଏତେଶୀଘ୍ର ତମେ ପୁଣି ମତ ପରିବର୍ତ୍ତନ କରିବ ବୋଲି ମୁଁ କେବେ ଆଶା କରି ନ ଥିଲି ସ୍ୱପ୍ନା । ଗୋଟିଏ ମାସ ଭିତରେ ଯେଉଁକଥାକୁ ଅନେକ ଥର ପଚାରି ଉତ୍ତର ପାଇନି, ସେ କଥାକୁ ନିଃସଙ୍କୋଚରେ ତମେ କହିବ ବୋଲି ଏ ବିଶ୍ୱାସ ମୋର ନାହିଁ-। ମୁଁ ଜାଣେ ! ତମେ ମୋ ସହିତ ଛଳନା କରୁଛ, ପ୍ରତାରଣା କରୁଛ ?

 

ଗଭୀର ଦୁଃଖରେ ମୁହ୍ୟମାନ ହୋଇ ଖାଇବା ଥାଳୀ ଉପରୁ ଉଠିଗଲା ସ୍ୱପ୍ନା !

 

କୁମାର ଯେତେ ଡାକିଲେ ମଧ୍ୟ ସ୍ୱପ୍ନା ଫେରିଲାନି ।

 

ହାତଧୋଇ କୁମାର ଯାଇ ଦେଖିଲା, ସ୍ୱପ୍ନା ବିଛଣାରେ ମୁହଁମାଡ଼ି ଫୁଲି ଫୁଲି କାନ୍ଦୁଛି ।

 

କୁମାର ବସିଲା ସ୍ୱପ୍ନାର ବିଛଣାରେ । ପିଠିରେ ହାତରଖି କହିଲା–ତମେ କାନ୍ଦୁଛ କାହିଁକି ସ୍ୱପ୍ନା ?

 

କଇଁ କଇଁ ହୋଇ କାନ୍ଦିଉଠି ସ୍ୱପ୍ନା କହିଲା–ଆପଣ କନ୍ଦାଇବାକୁ ଚାହୁଁଛନ୍ତି ଯେତେବେଳେ ମୁଁ କାନ୍ଦିବି ନାହିଁ କିମିତି ? ମୋ ଜୀବନଟା କେବଳ କାନ୍ଦି କାନ୍ଦି ବିତିଯାଇଛି । ଏ ଦୁଇ ଆଖିରୁ କେତେ ଯେ ଲୁହର ଝରଣା ଗଙ୍ଗାଯମୁନାର ଧାରଭଳି ବହି ଯାଇଛି ତା’ର ଇୟତା ନାହିଁ । ଏଇ ଗୋଟିଏ ମାସ ଭିତରେ ଅତୀତକୁ ପାଶୋରି ଯିବାକୁ ବସିଥିଲି, କିନ୍ତୁ ଆପଣ ବାରମ୍ବାର ଅତୀତକୁ ମନେପକାଇ ମୋତେ ନାନା ପ୍ରକାର ସନ୍ଦେହ, ଅବିଶ୍ୱାସ କରି କନ୍ଦାଇବାକୁ ଚାହୁଁଛନ୍ତି ।

 

ଶେଷକୁ ତମେ ମୋତେ ଏଇୟା ବୁଝିଲ ସ୍ୱପ୍ନା ! ତମେ ମୋର ଏଇ ବଦନାମ କରି ପାରିଲ ? ତମକୁ ମୁଁ କନ୍ଦାଇବାକୁ ଚାହେଁ ବୋଲି ନିଃସଙ୍କୋଚରେ ତମେ କହିପାରିଲ ?

 

-କହିବି ନାହିଁ ? ଆପଣ କୁହନ୍ତୁ ତ ! କେଉଁଦିନ ମୁଁ ଆପଣଙ୍କ ସହ ଛଳନା କରିଛି, ପ୍ରତାରଣା କରିଛି, ଅଭିନୟ କରିଛି ? ଆପଣ କିଏ, କଣ, ଆପଣଙ୍କ ବଂଶ ପରିଚୟ ମୁଁ ଜାଣିନି । ମୁଁ କେବଳ ଜାଣିଛି ଆପଣଙ୍କୁ, ଆପଣଙ୍କ ପ୍ରତି ମୋର ସେତିକି ଭକ୍ତି, ସମ୍ମାନ, ବିଶ୍ୱାସ ନ ରହିଥିଲେ ମୁଁ କାହିଁକି ଏଠି ରହିଥାଆନ୍ତି ? ସେତିକି ଭରସା, ବିଶ୍ୱାସ ଅଛି ବୋଲି ମୁଁ ରହିଛି । କିନ୍ତୁ ଆପଣ...

 

ସ୍ୱପ୍ନାର ଖୋଲା ପିଠି ଉପରେ ହସ୍ତ ସଞ୍ଚାଳନ କରୁଥିଲା କୁମାର । ବେକ ତଳେ ହାତରଖି ସ୍ୱପ୍ନାକୁ ଟାଣି ଆଣିଲା ନିଜ ଆଡ଼କୁ । କହିଲା–ମୋତେ କ୍ଷମା କରିବ ସ୍ୱପ୍ନା ! ତମ ଅତୀତ ଜୀବନ କଥା ପଚାରିଲେ ତମେ ଯଦି ଭୀଷଣ ବ୍ୟଥା ଅନୁଭବ କରୁଥାଅ, ତେବେ ସେ ଅତୀତ ବିଷୟରେ ମୁଁ କେବେ କିଛି ପଚାରିବି ନାହିଁ ।

 

କିନ୍ତୁ ଆପଣଙ୍କୁ ଶୁଣିବାକୁ ହେବ । ସ୍ୱପ୍ନା କହିଲା ।

 

–ମାନେ !

 

ମାନେ ଅତି ସହଜ । ଆଜି ଆପଣ ମଧ୍ୟାହ୍ନରେ ମୋ ପରିବାର ବିଷୟରେ ଜାଣିବାକୁ ଚାହୁଁଥିଲେ ନା ? ତେବେ ଶୁଣନ୍ତୁ-

 

ନା ସ୍ୱପ୍ନା ! ଏହାଦ୍ୱାରା ତମେ ଯଦି ଦୁଃଖ କରୁଛ ତେବେ ତମ ଆଖିରେ ଲୁହ ସୃଷ୍ଟିକରି ମୁଁ କାହାଣୀ ଶୁଣିବାକୁ ଚାହେନା । ମୁଁ ଜାଣେ, ତମ ଜୀବନର କାହାଣୀ ମୋର କୌଣସି ଉପକାର ଆସିପାରିବ ନାହିଁ । ତେଣୁ ସେ କଥା ଏତିକିରେ ବନ୍ଦ ଥାଉ ।

 

ସ୍ୱପ୍ନା ଭିଡ଼ି ଧରିଲା କୁମାରକୁ । ଅଭିମାନ ଏ ପର୍ଯ୍ୟନ୍ତ ତୁଟି ନାହିଁ ? କେବଳ ଆପଣ ନୁହଁନ୍ତି, ପ୍ରତି ପୁରୁଷ ଜାଣିବାକୁ ଚାହାନ୍ତି ମୁଁ କିଏ, କେଉଁଠୁ ଆସିଛି, ମୋର ପରିବାରରେ କିଏ କିଏ ଅଛନ୍ତି ? ମୋର ଆତ୍ମହତ୍ୟା କରିବାର କାରଣ ବିଷୟରେ ଆପଣ ତଥା ଆପଣଙ୍କ ପଡ଼ିଶା ଲୋକ ଜାଣିବାକୁ ଉଦ୍‌ବିଗ୍ନ ।

 

ପ୍ରଥମେ ମୁଁ କିଛି କହିବି ନାହିଁ ବୋଲି ମନସ୍ତ କରିଥିଲି । କିନ୍ତୁ କଥା ପ୍ରସଙ୍ଗରେ ଅନେକ କଥା କହି ଦେଇଛି, ତଥାପି ଗୋପନ କଥାଗୁଡ଼ିକ କହି ନ ଥିଲି । ଆଉ ସେଥିପାଇଁ ଆପଣ ମୋତେ ସନ୍ଦେହ, ଅବିଶ୍ୱାସ କଲେ । ତେଣୁ ସ୍ଥିର ସିଦ୍ଧାନ୍ତ ନେଲି, ଯାହା ପାଖରେ ମନମିଳାଇ ଏତେଦିନ ରହିଲିଣି, ଯାହାକୁ ମୁଁ ପରମ ଭକ୍ତି କରେ,ଶ୍ରଦ୍ଧା କରେ, ସ୍ନେହ କରେ, ବିଶ୍ୱାସ କରେ ତାଙ୍କୁ ମୋ ଜୀବନର ସମସ୍ତ କଥା କହିବି ।

 

ଅବାକ୍ ଦୃଷ୍ଟିରେ କୁମାର ଚାହିଁଥିଲା ସ୍ୱପ୍ନାକୁ ।

 

ସ୍ୱପ୍ନାର ଚକ୍ଷୁରୁ ଗଡ଼ି ପଡ଼ିଲା ଲୁହଧାର । ନିଜ ରୁମାଲରେ ସେହି ଲୁହବିନ୍ଦୁଗୁଡ଼ିକ ପୋଛିଦେଲା କୁମାର ।

 

ସ୍ୱପ୍ନା କହିଲା–କଟକ ସହରର ବହୁ ଦୂରରେ ଅବସ୍ଥିତ ଏକ ନିକାଞ୍ଚନ ପଲ୍ଲୀଗ୍ରମରେ ମୋର ଜନ୍ମ । ପରିବାର ଭିତରେ ବାପା ମାଆ, ଦୁଇଟି ଭାଇ ଓ ମୋତେ ମିଶାଇ ଦୁଇଟି ଭଉଣୀ । ଏଇ ଛଅଜଣିଆ ପରିବାରରେ ମୁଁ ସବୁଠାରୁ ବଡ଼ଝିଅ ଥିଲି । ମାସିକ ଦେଢ଼ଶହ ଟଙ୍କା ବେତନରେ ବାପା କଟକରେ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ । ଧାନଜମି ମଧ୍ୟ କିଛି ଥିଲା, ଇମିତି ଅଭାବ ଅସୁବିଧା ଭିତରେ ଆମ ଦିନ ବିତିଯାଉଥିଲା ।

 

ମୁଁ ସେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲି । ବାପାଙ୍କର ଉଚ୍ଛା ଥିଲା ମୁଁ ମାଟ୍ରିକ୍ ପାଶ୍ କରିସାରିଲା ପରେ କୌଣସି ସରକାରୀ ଚାକିରୀରେ ନିଯୁକ୍ତି ଦେବେ ପରିବାରର ଦୈନ୍ୟତା ଦୂର କରିବା ପାଇଁ ମୁଁ ମଧ୍ୟ ମାଟ୍ରିକ୍ ପାଶ୍ କରିବା ପରେ ଚାକିରୀ କରିବି ବୋଲି ସିଦ୍ଧାନ୍ତ କରିନେଇଥିଲି ।

 

କିନ୍ତୁ ମଣିଷର ଆଶା କଣ ସବୁ କ୍ଷେତ୍ରରେ ସଫଳ ହୁଏ ? ମୋର ପଢ଼ିବାର ଉଚ୍ଚାକାଂକ୍ଷା, ବାପାଙ୍କର ଭବିଷ୍ୟତରେ ଅଭିଳାଷ ପାଣିଫୋଟକା ପରି କୁଆଡ଼େ ମିଳାଇଗଲା । ଅଚାନକ ସାନଭାଇ ମୁନ୍ନା ଜ୍ୱରରେ ପୀଡ଼ିତ ହୋଇ ପଡ଼ିଲା । ସାମାନ୍ୟ ଜ୍ୱର ମନେ କରି ଗ୍ରାମର ବୈଦ୍ୟଠାରୁ ଔଷଧ ଖାଉଥିଲା । ମାତ୍ର ରୋଗର ଉପଶମ ନ ହୋଇ ବରଂ ରୋଗ ବଢ଼ିବାକୁ ଲାଗିଲା ଜ୍ୱର ସାଥିକୁ ବାଦ ସାଧିବାକୁ ଝାଡ଼ା, ବାନ୍ତି ଇତ୍ୟାଦି କେତେ ରୋଗର ଉତ୍ପତ୍ତି ହେଲା । ବାପାଙ୍କର ସ୍ୱଳ୍ପ ବେତନ, ପୁଣି କଟକରେ ରହଣୀ ଖର୍ଚ୍ଚ । ଗ୍ରାମକୁ ଯିବା ଆସିବା ଗାଡ଼ିଖର୍ଚ୍ଚ ଇତ୍ୟାଦି ବାଦ ଦେଲେ ଯେଉଁ ଟଙ୍କା ନେଇ ସେ ଘରକୁ ଆସନ୍ତି ସେଥିରେ ପନ୍ଦର କୋଡ଼ିଏ ଦିନ ଚଳିବା କଷ୍ଟକର ହୋଇପଡ଼େ । ତଥାପି ଛଅପ୍ରଣୀ କୁଟୁମ୍ୱ, ଓଳିଏ ଖାଇ ଓଳିଏ ଉପାସ ରହି ଦିନ କଟାଇ ଦେଉଥିଲୁ ।

 

କିନ୍ତୁ ସାନଭାଇ ମୁନ୍ନାର ରୋଗ...

 

କୋଳପୋଛା ପୁଅ ବୋଲି ବୋଉର ତା’ ଉପରେ ବାତ୍ସଲ୍ୟ ମମତା ସବୁଠାରୁ ବେଶୀ ଥିଲା । ବୋଉ କାନ୍ଦି କାନ୍ଦି ଅଥୟ ହେଲା । କହିଲା, ଟଙ୍କା ଖର୍ଚ୍ଚ ହେବ ବୋଲି ମୋ ପୁଅକୁ ଏଇଠି ରଖିବ । କଟକ ନେଇ ବଡ଼ ବଡ଼ ଡାକ୍ତରଙ୍କୁ ନେଇ ଦେଖାଇଲେ ମୋ ପୁଅ ତ ଭଲହୋଇ ଯାଆନ୍ତା-!

 

ବୋଉର କଥା ରଖିବା ପାଇଁ ବାପା ପୁଅକୁ ନେଇ କଟକ ଚାଲିଗଲେ । କଟକ ବଡ଼ ଡାକ୍ତରଖାନାରେ ମୁନ୍ନାକୁ ନେଇ ବାପା ରହିଲେ ।

 

ବୋଉ, ମୁଁ ଆଉ ସାନଭାଇ ଭଉଣୀମାନେ ବାପାଙ୍କର ଆସିବା ଦିନକୁ ଚାହିଁ ବସିଥିଲୁ । ବୋଉ କାନ୍ଦି କାନ୍ଦି ଅଥୟ ହୁଏ । ମୁଁ ବୋଉକୁ ଆଶ୍ୱାସନା ଦିଏ । –ତୁ ବ୍ୟସ୍ତ କାହିଁକି ହେଉଛୁ ବୋଉ-! କଟକ ଡାକ୍ତରଖାନା । ଓଡ଼ିଶା ଭିତରେ ସବୁଠାରୁ ବଡ଼ । ବଡ଼ବଡ଼ ଡାକ୍ତର ସେଠାରେ ଅଛନ୍ତି । ମୁନ୍ନା ନିଶ୍ଚୟ ଭଲ ହୋଇଯିବ ।

 

କୁମାର କହିଲା–ତମେ ଆଉ ତମର ବୋଉ କଟକ ଆସିଲ ନାହିଁ କାହିଁକି ?

 

କିମିତି ଆସିବୁ ! ସାନ ଭାଇ-ଭଉଣୀ, ବୋଉ ଓ ମୁଁ ସମସ୍ତେ ଆସିଲେ ଏତେ ଗାଡ଼ିଭଡ଼ା କେଉଁଠୁ ଆସିବ । ସାନଭାଇର ରୋଗ ପାଇଁ ବାପା ଗୋଟିଏ ମାସ ଛୁଟି ନେଇଥିଲେ । ତେଣୁ ସେ ମାସର ଦରମା ମଧ୍ୟ ବନ୍ଦ ହୋଇଗଲା । ଅଭାବ ଅସୁବିଧା, ଦୈନ୍ୟତା ଭିତରେ ସେ ମାସଟି ବିତିଗଲା । ତେଣୁ ଗାଡ଼ିଭଡ଼ା ଅଭାବରୁ ଆମେ କେହି କଟକ ଆସିପାରିଲୁ ନାହିଁ ।

 

ସବୁଦିନେ ବାପାଙ୍କର ପ୍ରତ୍ୟାବର୍ତ୍ତନ ପଥକୁ ଆମେ ଚାହିଁ ବସିଥିଲୁ । ଚାଳ ଉପରେ କାକ ରାବ ଦେଲା ବୋଉ କହେ, ବାପା ଆଜି ଆସିବେ କି ?

 

ସତକୁ ସତ ସେଦିନ ବାପା ଫେରିଲେ । ରୋଗମୁକ୍ତ କରିବା ପାଇଁ ମୁନ୍ନାକୁ କଟକ ନେଇ ଯାଇଥିଲେ । ଗଲାବେଳକୁ ବାପ–ପୁଅ ଦୁହେଁ ଯାଇଥିଲେ । କିନ୍ତୁ ଫେରିଲା ବେଳକୁ ବାପା ଏକା ଫେରି ଆସିଲେ ।

 

ବାପାଙ୍କୁ ଏକୁଟିଆ ଦେଖି ବୋଉ କାନ୍ଦି ଉଠିଲା । କହିଲା, ମୋ ପୁଅ କାହିଁ ? କେଉଁଠି ମୋ ପୁଅକୁ ଛାଡ଼ି ଆସିଛ ? କେଉଁ ଦିନ ସେ ଆସିବ ?

 

ବାପା କିଛି ଉତ୍ତର ଦେଇ ପାରିଲେନି । ବାପାଙ୍କ ଚକ୍ଷୁରୁ କେବଳ ଲୋତକଧାର ବହିଯାଇ ମାଟି ଚଟାଣକୁ ସିକ୍ତ କରୁଥିଲା ।

 

ତା’ପରେ ଆରମ୍ଭ ଆମ ପରିବାରର ଶୋଚନୀୟ ଦୂରାବସ୍ଥା; ଅଭାବ, ଅନାଟନ, ଦୁଃଖ–ଦୈନ୍ୟ ଭିତରେ ଆମେ ଜୀବନ ବିତାଇବାକୁ ଲାଗିଲୁ ।

 

ସାନଭାଇଟିର ଅକାଳ ମୃତ୍ୟୁପରେ ବାପା ଚିନ୍ତାରେ ବିଛଣା ଧରିଲେ । ଶାରିରୀକ ରୋଗକୁ ସିନା ଔଷଧ ଅଛି କିନ୍ତୁ ଚିନ୍ତା ରୋଗକୁ ଏ ପୃଥିବୀରେ କୌଣସି ଔଷଧ ନାହିଁ । ଅତ୍ୟଧିକ ଚିନ୍ତାରେ ଦେହ ତାଙ୍କର ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା । ଗୋଟିଏ ମାସର ଛୁଟି ଦୁଇ ମାସରେ ପରିଣତ ହେଲା । ହଠାତ୍ ଦିନେ ସେଇ ଘରୋଇ ସଂସ୍ଥାରୁ ଚିଠି ଆସିଲା ଯେ, ଘରୋଇ ସଂସ୍ଥାରେ ଚାକିରୀ କରି ଏତେଦିନ ଅନୁପସ୍ଥିତ ରହିଲେ ସଂସ୍ଥା ଭୁଷୁଡ଼ି ପଡ଼ିବ । କାମ ଅଚଳ ହେତୁ ତୁମକୁ ବିଦାୟ ଦେଇ ନୂତନ କର୍ମଚାରୀ ନିଯୁକ୍ତ କଲୁ ।

 

ବାପା ରୋଗ ଶଯ୍ୟାରେ ପୀଡ଼ିତ । ଚାକିରୀ ଚାଲିଯିବାର ସମ୍ୱାଦ ଶୁଣିଲା ପରେ ସେ ପୁର୍ବପେକ୍ଷା ବେଶୀ ଅସୁସ୍ଥ ହୋଇ ପଡ଼ିଲେ । ଘରେ ଛୋଟବଡ଼ ମିଶାଇ ପାଞ୍ଚପ୍ରାଣୀ କୁଟୁମ୍ୱ । କିନ୍ତୁ ଉପାର୍ଜନ ପନ୍ଥା ମୋଟେ ନାହିଁ । ସେତେବେଳେ ଆମେ କି ଦୁଃଖ କଷ୍ଟରେ ଚଳୁଥିବୁ ଆପଣ ଅନୁମାନ କରି ପାରୁଥିବେ । ବୋଉ ଦେହରେ ଯେଉଁ ଖଣ୍ଡେ ଦି’ଖଣ୍ଡ ଗହଣା ଥିଲା ତାକୁ ବିକ୍ରି କରି କେତେଦିନ ଚଳିଗଲୁ । ତା’ ପରେ...

 

ତା’ ପରର ଅବସ୍ଥା ବଡ଼ ମର୍ମନ୍ତୁଦ । ଦୁଇ ତିନି ଦିନରେ ଥରେ ଚୂଲି ଜଳେନା । ଆମେ ସିନା ଭୋକ ଉପାସରେ ରହିଯିବୁ କିନ୍ତୁ ପିଲା ଦିଓଟି... ଧାର ଉଧାର କରି ବୋଉ କେତେଦିନ ଚଳାଇ ନେଲା । ଗୋଟିଏ ଲୋକ ସିନା ଦୁଇ ତିନିଥର ଧାର ଦେବ କିନ୍ତୁ ପାଇବାର ଆଶା ନ ରଖି କିଏ କାହିଁକି ଋଣ ଦେବ ? କାହିଁକି ବା ଦେବ ?

 

ସେତେବେଳେ ମୁଁ ସତର ବର୍ଷ ଅତିକ୍ରମ କରି ଅଠର ବର୍ଷରେ ପଦାର୍ପଣ କରିଥାଏ । ସେତିକି ବେଳେ ମୁଁ କୁଆଡ଼େ ଥିଲି ସ୍ୱର୍ଗର ଅପସରୀ । ଯିଏ ଥରେ ମୋତେ ଦେଖିଛି ସିଏ ପୁଣିଥରେ ପଛକୁ ଅନାଇ ଚାହିଁଛି । ସେତେବେଳେ ମୋର ଅଙ୍ଗେ ଅଙ୍ଗେ ଯୌବନର ଉତ୍ତାଳ ତରଙ୍ଗ ଲହଡ଼ୀ ଖେଳୁଥିଲା । ମୋ ଆଖିର ଚଞ୍ଚଳତା ଅନେକଙ୍କୁ ପ୍ରଲୁବ୍‌ଧ କରି ପାରିଥିଲା । କିନ୍ତୁ ଆଜି ସେ ରୂପ ନାହିଁ କି ମନରେ ସରସତା ନାହିଁ ।

 

ସହର କଥା ଭିନ୍ନ, କିନ୍ତୁ ଗ୍ରାମ କଥା...ବିଶେଷତଃ ପଲ୍ଲୀ ଅଞ୍ଚଳର କଥା । ପାଶ୍ଚାତ୍ୟର ଫେସନ ବସନ୍ତରୋଗ ଭଳି ଯେମିତି ଭାରତବର୍ଷକୁ ବ୍ୟାପୀ ଯାଇଛି, ସେମିତି ଲମ୍ୱାକଲି, ନଳୀପେଣ୍ଟ, ଗେରୁଆ ପଞ୍ଜାବୀ, ଗରମ ଦିନରେ ଦେହରେ ସାଲ ପକାଇ ବୁଲିବାର ଫେସନ ସଂକ୍ରାମକ ରୋଗପରି ସହରରୁ ଯାଇ ନିପଟ ମଫସଲରେ ବ୍ୟାପୀ ଗଲାଣି । ପଲ୍ଲୀଗ୍ରାମରେ ଏସବୁ ଫେସନ ଦେଖିଲେ ମୋତେ ହସ ଲାଗେ । ଭାବେ, ଖରାଦିନରେ ଦେହରେ ସାଲ ପକାଇ ବୁଲିବା କଣ ଆଭିଜାତ୍ୟର ପ୍ରତୀକ ? କିନ୍ତୁ ଗେରୁଆ ପଞ୍ଜାବୀ, ଲମ୍ୱାକଲି ରଖିବାର ଉଦ୍ଦେଶ୍ୟ କଣ-?

 

ଦାଣ୍ଡ ଦରଜା ପାଖରେ ଠିଆହୋଇ ମୁଁ ଲକ୍ଷ୍ୟ କରେ । କୁମାରୀ ଜୀବନ ସେଇ ବୟସ–ଯେଉଁ ବୟସରେ ଚାହିଁବାକୁ, ଭାବିବାକୁ ଭୀଷଣ ଆନନ୍ଦ ଆସେ । ଅନେକ ଯୁବକ ଶସ୍ତା ହିନ୍ଦି ଗୀତର ସ୍ୱର ଲମ୍ୱାଇ ସେଇ ବାଟରେ ଟହଲ ପକାନ୍ତି । ତାଙ୍କ ଭିତରୁ କେତେ ପରିଚିତ, କେତେ ଅପରିଚିତ ।

 

ତାକୁ ଚାହିଁ ମନେ ମନେ ମୁଁ ହସେ କେବଳ ।

 

ସେଇ ପରିଚିତ ବ୍ୟକ୍ତି ଭିତରେ ସୁଶାନ୍ତ ଥିଲା ମୋର ଅତି ପରିଚିତ । ସୁଶାନ୍ତର ଭଉଣୀ କେତକୀ ମୋ ସାଥିରେ ପଢ଼େ । ତେଣୁ ସୁଶାନ୍ତ ସହିତ ମୋର ନିବିଡ଼ ପରିଚୟ । ସ୍କୁଲ ଯିବା ବାଟରେ କେତକୀ ଘର ତେଣୁ କେତକୀ ଘରେ କିଛି ସମୟ ରହେ । ଫେରିଲାବେଳକୁ ତାକୁ ଛାଡ଼ି ମୁଁ ଏକା ଫେରିଆସେ, ଯେଉଁଦିନ ବିଳମ୍ୱ ହୋଇଯାଏ ସୁଶାନ୍ତ ମୋତେ ଛାଡ଼ିବାକୁ ଆସେ ।

 

ସେଇ ସୁଶାନ୍ତ । ନାମଟି ଥିଲା ସିନା ସୁଶାନ୍ତ କିନ୍ତୁ କାମରେ ଥଲା ଅଶାନ୍ତ । ରାସ୍ତାରେ ଚାଲିଗଲା ବେଳେ ଆମ୍ୱଗଛକୁ ଟେକାମାରି ଆମ୍ୱତୋଳେ । ଗଛରେ ଚଢ଼ି ବଣୀଚଢ଼େଇ ଧରେ, ଆଉ ଗଛ ଉହାଡ଼ରେ ଲୁଚିଯାଇ ମୋତେ ଭୟଭୀତ କରେ ।

 

ବୟସ ଖୁବ୍ ବେଶୀ ହେଲେ ସତରରୁ ଟପିବନି । ପ୍ରସସ୍ଥ ବଳିଷ୍ଠ ମାଂସପେଶୀକୁ ଚାହିଁଲେ ସୁଶାନ୍ତକୁ ତରୁଣ ବୋଲି ମନେ ହୁଏ । ବୟସ ତୁଳନାରେ ଶରୀର ଗଠନ ଖୁବ୍ ବଳିଷ୍ଠ, ଶକ୍ତି, ମଜଭୁତ । ଦେହଟା ସିନା ତା’ର ବଳିଷ୍ଠ କିନ୍ତୁ ମୋଟେ ବୁଦ୍ଧି ନାହିଁ । ହୁଣ୍ଡାଟା । ସାମାନ୍ୟ କଥା ବି ବୁଝି ପାରେନି । ପାଠ ମୋଟେ ହୁଏନି । ମୋର ତଳ କ୍ଲାସରେ ପଢ଼େ ।

 

ସେଇ ସୁଶାନ୍ତ ଅନେକ ସମୟରେ ଆମ ଘରକୁ ଆସେ । ବସେ, ଗପ କରେ, ପୁଣି ଫେରିଯାଏ । କିନ୍ତୁ ସେଇ ସୁଶାନ୍ତକୁ ଗ୍ରାମର ଏଇ ଯୁବକମାନଙ୍କ ସହିତ ବୁଲିବାର ଦେଖି ମୁଁ ବିସ୍ମିତ ହୋଇଥିଲି ସେଦିନ ।

 

ସେଦିନ ସୁଶାନ୍ତ ସାଥୀରେ ଗ୍ରାମର ଏକ ଯୁବକ ବ୍ରଜମୋହନ ଆସିଥିଲା । ଅନ୍ୟ ଯୁବକମାନେ ସାମାନ୍ୟ ଦୂରରେ ଠିଆ ହୋଇଥିଲେ । ଦରଜା ସମ୍ମୁଖରେ ମୋତେ ଦେଖି ସେ କହିଲା–ବାପାଙ୍କ ଦେହ କିପରି ଅଛି ?

 

ମୁଁ ସଂକ୍ଷିପ୍ତ ଉତ୍ତର ଦେଇଥିଲି–ଭଲ ।

 

ତଥାପି ଅନାବଶ୍ୟକ ପ୍ରଶ୍ନ ପଚାରିଥିଲା । କହିଲା–ବାପାଙ୍କ ଦେହ ଭଲ ମିଛ କହୁଛ, କିନ୍ତୁ ତମ ଭାଇ ଔଷଧ ପାଇଁ ଯାଇଥିଲା କାହିଁକି ?

 

ବୟସ ବେଶୀ ନ ହୋଇଥିଲେ ମଧ୍ୟ ଝିଅମାନଙ୍କର କୁଆଡ଼େ ସେ ବୟସରେ ବେଶୀ ଅଭିଜ୍ଞତା ଥାଏ । କିନ୍ତୁ ସେଇ ବୟସରେ ପୁଅମାନେ ଜୀବନ–ଯୌବନ ବିଷୟରେ ସେତିକି ଅଭିଜ୍ଞତା ଅର୍ଜନ କରି ନ ଥାନ୍ତି । ତେଣୁ ସେମାନଙ୍କ ମନ କଥା ମୁଁ ବୁଝେ । ହସ ଲାଗିଲେ ମଧ୍ୟ ଦାନ୍ତ ଚିପି ହସେ । କହେ–ମୋ ଦେହଟା ଭଲ ନଥିଲା ବୋଲି ଔଷଧ ପାଇଁ ପଠାଇଥିଲି ।

 

ମୋ ଦେହ ଅସୁସ୍ଥ କଥା ଶୁଣିଲେ ସେମାନଙ୍କର ବକ୍ଷରୁ ଯେମିତି ଶିଳାଖଣ୍ଡ ଭୁଷୁଡ଼ି ପଡ଼େ । କେତେ ସ୍ନେହ, ଅନୁରାଗ, ସମବେଦନା ଜଣାନ୍ତି...

 

ମୁଁ ସେଠାରୁ ପଳାଇ ଆସେ । ଭାବେ, ବାପାଙ୍କ ଅସୁସ୍ଥ ପାଇଁ କେହି ସମବେଦନା ଜଣାନ୍ତି ନାହିଁ ଅଥଚ ମୋ ପାଇଁ...

 

ଏ ପୃଥିବୀର ପ୍ରତ୍ୟେକ ମଣିଷ ସ୍ୱାର୍ଥପର । ସମସ୍ତେ ସ୍ୱାର୍ଥ ପାଇଁ ଲାଳାୟିତ । ନିଃସ୍ୱାର୍ଥପର ବ୍ୟକ୍ତି ଏ ସମାଜରେ ବିରଳ । ନିସ୍ୱାର୍ଥପର ବୋଲି ସମସ୍ତେ ନିଜ ତୁଣ୍ଡରେ ଡିଣ୍ଡିମ ପିଟି ହୁଅନ୍ତି ଅଥଚ ସାମାନ୍ୟ ସୁବିଧା ସୁଯୋଗ ପାଇଲେ...

 

ମଣିଷ ଭୁଲ କରେ । ଭୁଲ କରିବା ମଣିଷର ସହଜାତ ପ୍ରବୃତ୍ତି ଓ ପ୍ରକୃତି ବୋଲି ଯେଉଁମାନେ କୁହନ୍ତି ମୁଁ ସେମାନଙ୍କ କଥା ମାନିବାକୁ ମୋଟେ ପ୍ରସ୍ତୁତ ନୁହେଁ । ଅବସ୍ଥାଚକ୍ରରେ ପଡ଼ି ମଣିଷ ଭୁଲ କରିବାକୁ ବାଧ୍ୟ ହୁଏ । ଆଉ ସେଇ ବୟସରେ ଭୁଲ କରିବାର ଆଗ୍ରହକୁ ମଣିଷ ଦମନ କରି ପାରେନା । କିନ୍ତୁ ଯଦି ଉପଯୁକ୍ତ ଶିକ୍ଷକ ମିଳିଯାଏ ସେହି ସମୟରେ, ତେବେ ମଣିଷ ଭୁଲମାର୍ଗରୁ ଓହରି ଆସେ ।

 

ଯେତେବେଳେ ଜାଣି ଜାଣି ମୁଁ ଭୁଲ କରିବାକୁ ଆଗ୍ରହ ପ୍ରକାଶ କରୁଥିଲି, ସେତିକିବେଳେ ବୋଉ ମୋତେ ଶାସନ କରିଛି, ଆଦେଶ, ଉପଦେଶ ଦେଇଛି ।

 

ବୋଉର ଉପଦେଶକୁ ମୋ ଜୀବନର ମଙ୍ଗଳ ପାଇଁ ମୁଁ ମଥାପାତି ଗ୍ରହଣ କରି ନେଇଛି-

 

ସ୍ୱପ୍ନା ରହିଗଲା କିଛି ସମୟ ପାଇଁ ।

 

ତା’ପରେ କଣ ହେଲା ? କୁମାର ଉଦ୍‌ବିଗ୍ନ ହୋଇ ପଚାରି ଉଠିଲା ।

 

ସ୍ୱପ୍ନା ହସି ଉଠି କହିଲା–ତା’ପରେ... । ତା’ପରେ ଆଉ କଣ ହୋଇଥିବ ବୋଲି ଆଶା କରୁଛନ୍ତି ? ତା’ପରେ ଫୁଲଗଛଟି ମଲା, ମୋ କଥାଟି ସରିଲା ।

 

ନା, ନା; ତମକଥା ସରିନି ସ୍ୱପ୍ନା ! ଜୀବନର ମଧ୍ୟ ସ୍ଥଳରେ ତମେ ଠିଆ ହୋଇଛ ? କିମିତି ସରିଯିବ ତମ କଥା ? ଏ ତ ଉପକ୍ରମଣିକା । କଥାବସ୍ତୁ ଆରମ୍ଭ ହୋଇନାହିଁ ଯେ ?

 

ତା’ ପରେ କଣ ହୋଇଥିବ ବୋଲି ଆଶା କରୁଛନ୍ତି ? ସ୍ୱପ୍ନା କହିଉଠିଲା ।

 

କୁମାର ଚିନ୍ତିତ ହୋଇପଡ଼ି ଭାବି ଭାବି କହିଲା–ତା’ ପରେ ତମ ସ୍କୁଲ ଯିବା ବନ୍ଦ ହୋଇଥିବ ।

 

ହଁ କୁମାରବାବୁ ! ଅଭାବ, ଅନାଟନ ସେତେବେଳକୁ ଆମକୁ ସମ୍ପୂର୍ଣ୍ଣ ଗ୍ରାସ କରିଥାଏ । ଯେଉଁଠି ଦୁଇ ତିନି ଦିନରେ ବେଳାଏ ଖାଦ୍ୟ ପେଟକୁ ଆସେନା, ସେଠି ପାଠର ମୂଲ୍ୟ କଣ ? ଉଦର ପୂରଣ ଥିଲେ ସିନା ମଣିଷ ପାଠ ପଢ଼ିବ । କ୍ଷୂଧାପ୍ରପୀଡ଼ିତ ପରିବାରରେ ଯେଉଁଠି ହା–ଅନ୍ନର ଚିତ୍କାର ଅହରହ ଖେଳିବୁଲୁଛି, ସେ ସମୟରେ ମୁଁ କିମିତି ପଢ଼ିପାରି ଥାଆନ୍ତି ? ବହି ଖାତା ନାହିଁ, ଚିରା ଶାଢ଼ୀ, ମଇଳା ବ୍ଲାଉଜ ପିନ୍ଧି ଘରଠାରୁ ଦେଢ଼ମାଇଲ ଦୂର ସ୍କୁଲକୁ କିମିତି ଯାଇଥାନ୍ତି ?

 

ବାପାବୋଉ ନ କହିବା ପୂର୍ବରୁ ମୁଁ ସ୍କୁଲ୍ ଯିବା ବନ୍ଦ କରି ଦେଇଥିଲି । ଭବିଷ୍ୟତ ଜୀବନର ସୁଖର ପରିକଳ୍ପନା ନିମିଷକ ଭିତରେ ଧୂଆଁ ଭଳି କୁଆଡ଼େ ଲୀନ ହୋଇଗଲା ।

 

ସ୍କୁଲଯିବା ସିନା ବନ୍ଦ ହେଲା କିନ୍ତୁ ଉଦରର କ୍ଷୂଧା କଣ ବନ୍ଦ ହୋଇପାରିଲା ? ବେଳକୁ ବେଳ କ୍ଷୂଧାର ଉତ୍କଟ ପୀଡ଼ା ବଢ଼ି ଚାଲିଲା । ଅନେକ ସମୟରେ ମୁଁ ଚିନ୍ତା କରିଛି ଇମିତି ଦୁଃଖ, ଦାରିଦ୍ର ଅନାଟନ ଭିତରେ ଅବହେଳିତ ହୋଇ କେତେଦିନ ବଞ୍ଚିବୁ ? ଭବିଷ୍ୟତ ଜୀବନର ଆଶା ମଧ୍ୟ କ୍ଷୀଣ । ଉପାର୍ଜନକ୍ଷମ ମଣିଷ ଆମ ପରିବାରରେ କେହି ନାହାନ୍ତି । ଦିନକୁ ଦିନ ବାପା ମଧ୍ୟ ରୁଗ୍‌ଣ ହୋଇ ଉଠୁଛନ୍ତି । ସୁଦୀର୍ଘ ଭବିଷ୍ୟତ ବିଷୟ ଚିନ୍ତାକରି ମୁଁ ବ୍ୟସ୍ତ ହୋଇ ପଡ଼ିଲି ।

 

ମୋ କୋଠରୀରେ ଅନେକ ଦେବାଦେବୀଙ୍କ ଫଟୋ, କାଲେଣ୍ଡର ଛବି ପୂଜା ପାଉଥିଲା-। ପ୍ରତିଦିନ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରୁଥିଲି । ବ୍ରତ, ଉପବାସ କରି ନିଜର ମନସ୍କାମନା ଜଣାଉଥିଲି । କିନ୍ତୁ ତା’ର ପ୍ରତିଦାନ ପାଇଲି କ’ଣ ? ଶେଷକୁ ସେଇ ଠାକୁର ଠାକୁରାଣୀଙ୍କ ଫଟୋ ଚିତ୍ରଗୁଡ଼ିକ କାଢ଼ି ଫିଙ୍ଗିଦେଲି ବାହାରକୁ । ଆପଣ ଯେଉଁ ଅଦୃଶ୍ୟ ଭଗବାନଙ୍କ ଉପରେ ଭରସା, ବିଶ୍ୱାସ ରଖିବାକୁ କହୁଛନ୍ତି ସେଇ ଭଗବାନ ଆମ ପରିବାରକୁ ବିପର୍ଯ୍ୟସ୍ତ କରିସାରିବା ପରେ କେଉଁ ସ୍ୱାର୍ଥ ପାଇଁ ଧୂପ, ଦୀପ ଦେଇ ପୂଜା କରିଥାଆନ୍ତି ? ସେହିଦିନରୁ ଭଗବାନଙ୍କ ଉପରୁ ମୋର ସକଳ ବିଶ୍ୱାସ ତୁଟିଗଲା । ଶପଥ କଲି, କୌଣସି ଦେବାଦେବୀଙ୍କୁ ପୂଜା କରିବି ନାହିଁ କି ପ୍ରଣତି ବାଢ଼ିବି ନାହିଁ । ଭଗବାନ କେବଳ ବଡ଼ଲୋକଙ୍କ ପାଇଁ, ଆମଭଳି ଗରୀବମାନଙ୍କ ପାଇଁ ନୁହେଁ ?

 

ଦେବା–ଦେବୀଙ୍କ ଫଟୋଚିତ୍ର ଫିଙ୍ଗି ସାରିବା ପରେ ମୁଁ ଚିନ୍ତାକଲି, ଉତ୍କଟ କ୍ଷୂଧାରେ ତିଳ ତିଳ ହୋଇ ମରିବା ଅପେକ୍ଷା ଆତ୍ମହତ୍ୟା କଣ ଶ୍ରେୟସ୍କର ନୁହେଁ ? ପରିବାରର ସମସ୍ତେ ଯେତେବେଳେ ପାଣି ପିଇ ଜୀବନ ବଞ୍ଚାଇ ରଖିଛନ୍ତି ସେଇ ପାଣିରେ ଜୀବାଣୁନାଶକ ଓଷଧ ‘ଏଣ୍ଡ୍ରେସ୍’ ଦେଇ ସମସ୍ତଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ସହସ୍ର ଗୁଣରେ ମଙ୍ଗଳକର ।

 

ସ୍ୱପ୍ନା ! କୁମାର ଚିତ୍କାର କରି ଉଠିଲା । ପାଠପଢ଼ି ଶେଷକୁ ତମେ ଏଇୟା କରିବାକୁ ଉଚିତ ମନେକଲ ? ଯେଉଁମାନଙ୍କୁ ବଞ୍ଚାଇ ରଖିବାର ଅଧିକାର ତମର ନାହିଁ ସେମାନଙ୍କୁ ମାରିବାର ଅଧିକାର କିଏ ତମକୁ ଦେଲା ।

 

ସ୍ୱପ୍ନା କହିଲା–ସେତେବେଳେ କିନ୍ତୁ ନ୍ୟାୟ ଅନ୍ୟାୟ, ଉଚିତ, ଅନୁଚିତ ଭାବିବାକୁ ମୁଁ ସମୟ ପାଇ ନ ଥିଲି । ଅନେକଥର ବିଷ ମିଶାଇବାକୁ ଉଦ୍ୟତ ହୋଇଛି, କିନ୍ତୁ ପାରିଲି ନାହିଁ କୁମାରବାବୁ ! ବାପା, ବୋଉ, ସାନଭାଇ ଭଉଣୀଙ୍କ ଶୁଖିଲା ମୁହଁ ଦେଖିଲେ ମୋ ହାତ ଦି’ଟା ଅଟକି ଯାଏ ।

 

ପୁଣି ମନକୁ ଦୃଢ଼ କରିଛି । ଏ ସାମାନ୍ୟ କାମଟା କରି ପାରିବି ନାହିଁ । ତଥାପି ପାରିଲି ନାହିଁ । ପୁଣି ଭାବିଛି ମୁଁ ନିଜେ ଆତ୍ମହତ୍ୟା କରିବି କିନ୍ତୁ ବଞ୍ଚିବାର ମୋହ, ଜୀବନର ମମତା ମୋର ଚିନ୍ତାଧାରାକୁ ବିବ୍ରତ କରି ପକାଇଛି ।

 

ଏହା ଭିତରେ ଆମର ଧାନଜମି ଯାହାଥିଲା ତାହା ଅନେକଦିନରୁ ବିକ୍ରୀ ହୋଇ ସାରିଛି-। ବର୍ତ୍ତମାନ ଆମେ ଏକାନ୍ତ ନିଃସ୍ୱ, ଅସହାୟ ।

 

ସେଦିନ ତାରିଖ, ବାର, ତିଥି ମୋର ନାହିଁ । କିନ୍ତୁ ସେ ଦିନଟା କି ଶୁଭଯୋଗରେ ପାହିଥିଲା କେଜାଣି, ମଧ୍ୟାହ୍ନ ଅତିକ୍ରମ କରିଗଲା ପରେ ଆମ ଘର ଦୁଆର ମୁହଁରେ ଏକ ଅଜଣା ଯୁବକକୁ ଦେଖି ଚମକି ଉଠିଲି । ସେ ବାପାଙ୍କ ନାମ ଧରି ଡାକୁଥିଲେ । ବୋଉକୁ ମୁ୍ଁ ଏକଥା କହିବାରୁ ସେ ଯାଇ ତାଙ୍କ ସହ କଥାଭାଷା ହେଲା । ମୁଁ କିନ୍ତୁ ଦୂରରେ ଠିଆ ହୋଇ ତାଙ୍କୁ ଲକ୍ଷ୍ୟ କରିଥାଏ ।

 

କଥାବାର୍ତ୍ତା ପରେ ବୋଉ ଉକ୍ତ ଯୁବକକୁ ବାପାଙ୍କ ପାଖକୁ ନେଇ ଆସିଲା ।

 

ବାପା ବିସ୍ମିତ ବିଷ୍ଫାରିତ ନେତ୍ରରେ ଉକ୍ତ ଯୁବକକୁ ଚାହିଁଲେ ।

 

ଯୁବକଟି ବାପାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ହେବା ପରେ ପକେଟରୁ ଏକ ଚିଠି କାଢ଼ି ବାପାଙ୍କୁ ବଢ଼ାଇଦେଲେ ।

 

ପତ୍ରପ୍ରେରକ ହେଉଛନ୍ତି ବାପାଙ୍କର ଘନିଷ୍ଠ ବନ୍ଧୁ । ଆଉ ଉକ୍ତ ଯୁବକଟି ତାଙ୍କର ଜ୍ୟେଷ୍ଠପୁତ୍ର । ଗ୍ରାମର ପଶୁ ଡାକ୍ତରଖାନାକୁ ସେ ମୁଖ୍ୟ ଡାକ୍ତର ହୋଇ ଆସିଛନ୍ତି । ବାପାଙ୍କର ସ୍କୁଲସାଥୀ ଓ ଚାକିରୀଜୀବନର ସାଥୀ ବୋଲି ସେ ଆତ୍ମୀୟଙ୍କ ଭଳି ଲେଖିଛନ୍ତି–ମୋ ପୁଅ ରାଜେଶ ତମ ଗ୍ରାମର ପଶୁଡାକ୍ତର ହୋଇଯାଇଛି । ଘର ନ ପାଇବା ପର୍ଯ୍ୟନ୍ତ ତମରି ଘରେ ତାକୁ ରହିବାର ସୁବିଧା ସୁଯୋଗ ଦେବ । ନିଜ ପୁଅ ଭଳି ମନେ କରିବ ।

 

ବାପା କହିଲେ–ମୋର କିଛି ଆପତ୍ତି ନାହିଁ । କିନ୍ତୁ ଆମ ପରିବାରର ଦୁଃଖ ଦୁର୍ଦ୍ଦଶା କଥା ଶୁଣିଲ...

 

ବାପା ବୋଉ ଆମ ପରିବାରର ଅଙ୍ଗେ ଲିଭା ଅନୁଭୂତି–ଗୁଡ଼ିକ କହିଗଲେ ।

 

ଉତ୍ତରରେ ସେ କଣ କହିଲେ ଜାଣ ? ରାଜେଶବାବୁ କହିଲେ, ଘର-ସଂସାର କରିଥିଲେ ଇମିତି ଦୁଃଖ କଷ୍ଟ, ଅଭାବ ଅନାଟନ ସାମୟିକ ଭାବେ ଆସେ । ଆଉ ଏଥିରେ ଭାଙ୍ଗିପଡ଼ିବା କେବଳ ଉଚିତ୍ ନୁହେଁ । ଯେଉଁ ନୀଳ ଆକାଶରୁ ରୂପେଲୀ ଜ୍ୟୋସ୍ନା ଝରେ ସେଇ ଆକାଶରୁ ପୁଣି କଳା କିଟି କିଟି ଅନ୍ଧାର ପୃଥିବୀକୁ ଭୟଙ୍କର କରି ତୋଳେ । ସୁଖ ଦୁଃଖ ମଣିଷ ଜୀବନରେ ଲାଗି ରହିଛି । ଏଥିରେ ବ୍ୟସ୍ତ ହେବାର କଣ ଅଛି ।

 

ରାଜେଶବାବୁଙ୍କ କଥା ବାପା ବୋଉ ମନକୁ ସ୍ପର୍ଶକଲା । ଶେଷକୁ ସେ ଆମଘରେ ରହିଲେ । ବାପା ବୋଉଙ୍କୁ ମଉସା ମାଉସୀ ସମ୍ୱୋଧନ କଲେ ।

 

ଆମ ପରିବାରର ଚରମ ବିପର୍ଯୟ ବେଳେ ଓ ଆର୍ଥିକ ଅନାଟନ ସନ୍ତୁଳି ହୋଇ ମରୁଥିଲା ବେଳେ ରାଜେଶବାବୁ ଆମର ଯେଉଁ ଉପକାର କରିଛନ୍ତି ତାହା ଭୁଲି ହେବନି ମୋଟେ । ଆମ ପରିବାର ପ୍ରତି ତାଙ୍କର କରୁଣା ଦୃଷ୍ଟି ଯୋଗୁଁ ପାଞ୍ଚପ୍ରାଣୀ କୁଟୁମ୍ୱ ଆମେ ବଞ୍ଚିଗଲୁ ।

 

ରାଜେଶ ମଧ୍ୟବିତ୍ତ ପରିବାରର ସନ୍ତାନ । ବାପା ମାଆଙ୍କର ଏକମାତ୍ର ସନ୍ତାନ ବୋଲି ସେମାନେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ଘରଛାଡ଼ି ବାହାରକୁ ଯିବାକୁ ମୋଟେ ଦେଉ ନ ଥାନ୍ତି । କିନ୍ତୁ ରାଜେଶର ଝୁଙ୍କ ବଡ଼ ଅସମ୍ଭବ–ଅଦ୍ଭୁତ । ଚାକିରୀ କରି ପରିବାର ପ୍ରତିପୋଷଣ କରିବାର ଆବଶ୍ୟକ ନ ଥିଲେ ମଧ୍ୟ ରାଜେଶର ଝୁଙ୍କ୍, ସେ ମୂକ ପଶୁପକ୍ଷୀଙ୍କ ସେବାରେ ନିଜକୁ ନିୟୋଜିତ କରିବ । ପୁତ୍ରର ପ୍ରତିଜ୍ଞା ନିକଟରେ ପିତାମାତା ପରାସ୍ତ ହେଲେ । ଶେଷକୁ ରାଜେଶ ଚାକିରୀ କଲେ ଆଉ ପ୍ରଥମ ନିଯୁକ୍ତି ପଡ଼ିଲା ଆମ ଗ୍ରାମରେ । କିନ୍ତୁ ରାଜେଶଙ୍କ ଚାକିରୀର ନିଯୁକ୍ତି ପ୍ରତି ମୁଁ ଯେତିକି ଗୁରୁତ୍ୱ ଦେଉ ନଥିଲି ମୁଁ ଭାବୁଥିଲି ଏ ଭଳି ଦେବୋପମ ପୁରୁଷକୁ ଭଗବାନ କିମିତି ଆମ ଘରକୁ ପଠାଇଲେ ? ସତ କହୁଛି କୁମାରବାବୁ, ସେହି ଅଭାବମୟ ପରିସ୍ଥିତିରେ ସେ ଯଦି ଆମ ପରିବାରରେ ଆର୍ବିଭାବ ନ ହୋଇ ଥାଆନ୍ତେ ତେବେ ଭୋକ ଉପାସରେ ଆମେ ନିଶ୍ଚୟ ଜୀବନ୍ତ ସମାଧି ନେଇଥାଆନ୍ତୁ । ତେଣୁ ମୁଁ ଭାବେ ଚାକିରୀ କରି ସେ ଆମଘରେ ରହିବାକୁ ଆସି ନ ଥିଲେ–ଆସିଥିଲେ ଭଗବାନରୂପୀ ମଣିଷ ହୋଇ ଆମ ତୁଣ୍ଡରେ ଆହାର ଦେଇ ପୁର୍ନଜୀବନ ଦେବାକୁ ।

 

ବାପା ଆଉ ବୋଉର ରାଜେଶଭାଇଙ୍କ ଉପରେ ଅଗାଧ ସ୍ନେହ, ମମତା ଓ ଅଟଳ ବିଶ୍ୱାସ ଥିଲା ।

 

ବୋଉର ଆଦେଶରେ ରାଜେଶଙ୍କୁ ମୁଁ ରାଜେଶଭାଇ ବୋଲି ଡାକୁଥିଲି ।

 

ଦିନେ ରାଜେଶଭାଇ ସ୍କୁଲରେ ପଢ଼ିବାକୁ ମୋତେ ପ୍ରସ୍ତାବ ଦେଲେ । ତାଙ୍କର ଏଇ ପ୍ରସ୍ତାବରେ ମୁଁ କିନ୍ତୁ ରାଜି ହେଲିନି । କିମିତି ରାଜି ହୋଇଥାଆନ୍ତି କହିଲେ ? ପରିବାର ପ୍ରତିପୋଷଣ ପାଇଁ ସାହାଯ୍ୟ, ପୁଣି ପାଠ ପଢ଼ିବାକୁ ସାହାଯ୍ୟ... । କଣ ମିଳିବ ସେ ପାଠରୁ ? ତେଣୁ ମୁଁ ତାଙ୍କ ପ୍ରସ୍ତାବରେ ସ୍ୱୀକୃତି ଦେଇ ନ ଥିଲି । ସେ ବାପା ବୋଉଙ୍କ ପାଖରେ ଅଭିଯୋଗ କଲେ ।

 

ମୋର ଜିଦ୍ ପାଇଁ ସେମାନେ ବିରକ୍ତି ହେଲେ । ବୋଉ କହିଲା–ଅବୁଝା ହଅନି ମାଆ ! ରାଜେଶ ଆମର କେତେ ଉପକାର କରୁଛି । ତା’ କଥା ଭାଙ୍ଗିଦେଲେ ସେ ଦୁଃଖ କରିବନି ? ରାଜେଶ ମନ୍ଦ ପ୍ରସ୍ତାବ ଦେଇନି ତ ? ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ପାଠ ପଢ଼ିଲେ କ୍ଷତିଟା କଣ ହେବ ?

 

ତଥାପି ମୁଁ ରାଜି ହୋଇପାରିଲି ନାହିଁ । ପିଲାବେଳୁ ମୋର, ଜିଦ ପାଇଁ ତିରସ୍କାର ଶୁଣିଛି । ତଥାପି ମୁଁ ମୋ ଜିଦ୍‌ରେ ଅଟଳ ରହିଥାଏ । କାଉଁରିଆ କାଠି ପରି ମୁଁ ଭାଙ୍ଗିଯାଇପାରେ କିନ୍ତୁ ନଇଁବି ନାହିଁ ମୋଟେ । ନିଜ ତୁଣ୍ଡରେ ଯେତେବେଳେ ରାଜେଶଭାଇଙ୍କୁ ପରିଷ୍କାର ମନା କରି ଦେଇଛି ସେତେବେଳେ ପୁଣି ମୁଁ କିମିତି ସ୍ୱୀକୃତିପ୍ରଦାନ କରିଥାଆନ୍ତି ?

 

ଶେଷରେ ରାଜେଶଭାଇ କହିଲେ–ତୋର ଜିଦ୍ ପାଖରେ ମୁଁ ହାରିଗଲି ସାବୀ ! ତୋର ଯଦି ସ୍କୁଲ ଯିବାକୁ ଇଚ୍ଛା ନ ଥାଏ ତେବେ ଘରେ ବସି ପଢ଼ିଲେ କ୍ଷତି କଣ ହେବ ?

 

ରାଜେଶଭାଇଙ୍କର ଏଇ ପ୍ରସ୍ତାବକୁ ମୁଁ ଭାଙ୍ଗି ପାରିଲି ନାହିଁ ।

 

ରାଜେଶଭାଇ ଡାକ୍ତରଖାନା ଯିବା ସମୟ ଛଡ଼ା ଅନ୍ୟ ସମୟରେ ଘରେ ବସି ରହନ୍ତି । ସାନ ଭାଇ–ଭଉଣୀମାନଙ୍କ ପଢ଼ାପ୍ରତି ଦୃଷ୍ଟି ଦିଅନ୍ତି । ଆଉ ମୋତେ ମଧ୍ୟ ଅଙ୍କ, ଇଂରାଜୀ ପ୍ରତିଦିନ ବୁଝାଇ ଦିଅନ୍ତି ।

 

ରାଜେଶଭାଇ ମୋ ପାଠପଢ଼ାର ତତ୍ତ୍ୱ ନେଉଥିଲେ । କିନ୍ତୁ ବୋଉ ରାଜେଶଭାଇଙ୍କ ନିୟମିତ ତତ୍ତ୍ୱ ନେବାକୁ ମୋତେ ଆଦେଶ ଦେଇଥିଲା । ଦୁଇବେଳା ରାଜେଶଭାଇଙ୍କୁ ଠିକ୍ ସମୟରେ ଚା, ଜଳଖିଆ ଦେବା, ତାଙ୍କର ଭୋଜନର ତତ୍ତ୍ୱ ନେବା, ତାଙ୍କର ଲୁଙ୍ଗି, ଗେଞ୍ଜି, ରୁମାଲ ଇତ୍ୟାଦି ସଫା କରିବା, ତାଙ୍କର ବିଛଣା ପାରିଦେବା ଇତ୍ୟାଦି ସମସ୍ତ କାମ ବୋଉ ମୋ ଉପରେ ନ୍ୟସ୍ତ କରିଥିଲା । ତେଣୁ ଠିକ୍ ସମୟରେ ତାଙ୍କର ମନ ମୁତାବକ ସମସ୍ତ କାର୍ଯ୍ୟ କରୁଥିଲି ।

 

ଇତ୍ୟବସରରେ ବାପା ରୋଗମୁକ୍ତ ହୋଇ ବିଛଣାରୁ ଉଠିଲେ । ଚାକିରୀ ଅନ୍ୱେଷଣରେ ପୁଣି କଟକ ଗଲେ । କିନ୍ତୁ ଯେଉଁଦିନ ରାଜେଶଭାଇ ଏକଥା ଶୁଣିଲେ, ଅଭିମାନଭରା କଣ୍ଠରେ ସେ କହିଲେ–ଏ ବୟସରେ ଆପଣ ପୁଣି ଚାକିରୀ କରିବାକୁ ମନ୍ୟସ୍ତ କରିଛନ୍ତି ? ମୁଁ କଣ ଆପଣଙ୍କ ପୁଅ ନୁହେଁ ? ମୁଁ ଥାଉ ଥାଉ ଆପଣ ଚାକିରୀ କରିବେ ? ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ପୁଣି ଯଦି ରୋଗାକ୍ରାନ୍ତ ହୋଇ ପଡ଼ନ୍ତି ତେବେ ଅବସ୍ଥା ଅସମ୍ଭାଳ ହୋଇ ଉଠିବ । ତେଣୁ ଚାକିରୀ କରିବାର ଆଶା ସଂପୂର୍ଣ୍ଣ ପରିତ୍ୟାଗ କରନ୍ତୁ !

 

ମୁଁ ଭାବୁଥିଲି ଘର ନ ମିଳିବାରୁ ସିନା ରାଜେଶଭାଇ ଆମ ଘରେ ରହି ଆମକୁ ସାହାଯ୍ୟ କରୁଛନ୍ତି । ଯଦି ସେ ଘର ପାଇଯିବେ କିମ୍ୱା ଅନ୍ୟ କେଉଁଠିକି ବଦଳି ହୋଇଗଲେ ଆମେ କିମିତି ଚଳିବୁ ? ଦୂରରେ ରହି ସେ କଣ ଆମକୁ ସାହାଯ୍ୟ କରିପାରିବେ ? କାହିଁକି ମଧ୍ୟ ସାହାଯ୍ୟ କରିବେ ? ଆମେ ତାଙ୍କର କିଏ ? ବାପାଙ୍କର ବନ୍ଧୁପୁତ୍ର ବୋଲି ପରିଚୟ ! ରକ୍ତର ସମ୍ପର୍କ ନ ଥାଇ ନିସ୍ୱାର୍ଥପର ଭାବରେ କିଏ, କାହିଁକି, କେତେଦିନ ସାହାଯ୍ୟ କରିବ ?

 

ରାଜେଶଭାଇଙ୍କ ପ୍ରଶ୍ନ ଶୁଣି ବାପା ନୀରବ ରହିଲେ ।

 

ମୋ ମୁଣ୍ଡରେ କିନ୍ତୁ ଅନେକ ପ୍ରଶ୍ନର ତରଙ୍ଗ ଖେଳି ଯାଉଥିଲା ।

 

ରାଜେଶଭାଇଙ୍କ ପ୍ରଶ୍ନରେ ବାପା ସିନା କିଛି ଉତ୍ତର ଦେଇ ପାରିଲେ ନାହିଁ । ମୁଁ କିନ୍ତୁ କହିଲି–ସବୁଦିନେ କଣ ଆମେ ତମର ଦାନ, ହାତଟେକା ଅର୍ଥକୁ ସମ୍ୱଳ କରି ବଞ୍ଚି ରହିବୁ ବୋଲି ଇଚ୍ଛା କରୁଛ ? କିନ୍ତୁ କାହିଁକି, କାହିଁକି ତମେ ଋଣ ଭାରରେ ଆମକୁ ବୁଡ଼ାଇ ରଖିବାକୁ ଚାହୁଁଛ ? କେଉଁ ସ୍ୱାର୍ଥ ପାଇଁ ତମେ ଆମକୁ ସାହାଯ୍ୟ କରୁଛ ? ତମେ କଣ ଚାହଁ ସବୁଦିନେ ତମର ହାତଟେକା ଦାନକୁ ଆମେ ଚାହିଁ ବସିଥିବୁ ? ତମର ଅଯାଚିତ ଦାନ ପାଇଁ ଆମେ ଆଜୀବନ କୃତଜ୍ଞ-! କିନ୍ତୁ ଏତେ ଋଣ ଭାରରେ ବୁଡ଼ାଇ ରଖିଲେ ଆମେ ଆଜୀବନ ଋଣୀ ହୋଇ ରହିଯିବୁ । ପରିବାର ପ୍ରତିପୋଷଣ ପାଇଁ ବାପାଙ୍କର ଚାକିରୀ ନିତାନ୍ତ ଦରକାର । ସେ ଯଦି ଚାକିରୀ ନ କରିବେ କିମ୍ୱା ଉପାର୍ଜନ ପାଇଁ କୌଣସି ପନ୍ଥା ନ କରିବେ ତେବେ ଆମେ ବଞ୍ଚିବୁ କେମିତି ? ତମେ ତ ଏ ଘରର ପୁଅ ନୁହଁ ଯେ ସବୁଦିନେ ଏଇଠି ରହିଥିବ । ତମେ ବଦଳି ହୋଇ ଅନ୍ୟ ସ୍ଥାନକୁ ଚାଲିଗଲେ ଆମେ କିମିତି ଚଳିବୁ ? ତେଣୁ ବେଳ ଥାଉ ଥାଉ କିଛି ଉପାର୍ଜନ ପନ୍ଥା କରିବାକୁ ପଡ଼ିବ ।

 

ରାଜେଶଭାଇ ବିସ୍ମିତ ହୋଇ ମୋ ମୁହଁକୁ ଚାହିଁଲେ । ମୋ ତୁଣ୍ଡରୁ ଯେ ଏପରି କଥା ବାହାରିବ, ସେ କଳ୍ପନାରେ ସୁଦ୍ଧା ଚିନ୍ତା କରି ନ ଥିଲେ । ସେ କହିଲେ–ତୁ ଏସବୁ କଣ କହିଗଲୁ ସାବୀ ! ତୋ ତୁଣ୍ଡରୁ ଏକଥା ଶୁଣିବି ବୋଲି ମୁଁ ଆଶା କରି ନଥିଲି । ଦାନ, ହାତଟେକା ଅର୍ଥ, ଋଣ, ସ୍ୱାର୍ଥ ଇତ୍ୟାଦି କହିବାକୁ ତୋ ତୁଣ୍ଡ ଲେଉଟିଲା ? ତୋ ଚିନ୍ତାଧାରା ଏତେ ନୀଚ ! ଛି ଛି, ତୋର ମହତ ହୃଦୟର ପରିଚୟ ମୁଁ ପାଇଥିଲି । କିନ୍ତୁ ତୋର ମନ–ମନ୍ଦିର ଭିତରେ ଏତେ ପଙ୍କିଳତା ଭରି ରହିଛି ବୋଲି ଜାଣିଥିଲେ ମୁଁ ଏତେଟା ନିଃସ୍ୱାର୍ଥପର ହୋଇ ନ ଥାନ୍ତି ? ଅସମୟରେ ଜଣେ ଜଣକୁ ସାହାଯ୍ୟ କରିବା କଣ ଅପରାଧ, ପାପ ? ମଣିଷ ଜୀବନ ନେଇ, ଦି ଦିନର ଦୁନିଆକୁ ଆସି ମଣିଷ ପ୍ରତି ଏତେ ନିଷ୍ଠୁର ହେବା ଆଦୌ ଉଚିତ ନୁହେଁ । ସବୁ ମଣିଷ ମଧ୍ୟ ନିଷ୍ଠୁର ହୋଇ ପାରନ୍ତି ନାହିଁ । ସମସ୍ତେ ଯଦି ନିଷ୍ଠୁର ନିର୍ମମ ହେବେ ତେବେ ଦାନ, ଦୟା, ଅନୁକମ୍ପା, ସାହାଯ୍ୟ, ଉପକାର କାହିଁକି ରହିଛି କହିପାରିବୁ ? କହିପାରିବୁ ନାହିଁ ତୁ । ତୋ ଚିନ୍ତାଧାରା କୁତ୍ସିତ ! ତୋର ମନ ପଙ୍କିଳ । ତେଣୁ ତୁ ବିଭେଦ ସୃଷ୍ଟି କରିବାକୁ ଚାହିଁଛୁ–ଅଥଚ ମୁଁ କୌଣସି ଦିନ ଚାହିଁନି କି ଆଜିବି ଚାହୁଁନି । ତୁ କହିଲୁ, ‘କେଉଁ ସ୍ୱାର୍ଥପାଇଁ ତମେ ଆମକୁ ସାହାଯ୍ୟ କରୁଛ ?’ ସମସ୍ତେ କଣ ସ୍ୱାର୍ଥ ଆଶାରେ ସାହାଯ୍ୟ କରିଥାନ୍ତି ? ସମସ୍ତଙ୍କର କଣ କାମନା ଲାଳସା ଥାଏ । ସମସ୍ତେ କଣ ପାଇବାର ଆଶା ରଖି ଉପକାର କରନ୍ତି ? ସତ କହିବାକୁ ଗଲେ ମୁଁ ତମକୁ ସାହାଯ୍ୟ କରୁ ନ ଥିଲି । ମୋର ଖାଇବାର ଓ ରହିବାର ଖର୍ଚ୍ଚ ତମକୁ ଦେଉଥିଲି । ଆଉ ତାକୁ ଯଦି ତମେମାନେ ‘ସ୍ୱାର୍ଥ’ ଭାବରେ ଭୁଲ ଅର୍ଥ କରି ବସ, ତେବେ ମୋର କିଛି କହିବାର ନାହିଁ । କିନ୍ତୁ ତୁ......

 

ରାଜେଶଭାଇଙ୍କ ତୁଣ୍ଡରୁ ତାଙ୍କ ହୃଦୟସ୍ପର୍ଶୀ କଥା ଶୁଣି ମୁଁ ଆଉ ସେଠାରେ ଠିଆ ହୋଇ ରହିପାରିଲି ନାହିଁ । ମୋ କଥାଗୁଡ଼ିକ ତାଙ୍କ ହୃଦୟକୁ ନିର୍ମମ ଭାବରେ ଆଘାତ ଦେଇଥିବାରୁ ସେ ଗଭୀର ଦୁଃଖିତ ହୋଇଥିଲେ ବୋଲି ତାଙ୍କ ମୁଖ ମଣ୍ଡଳ ସମ୍ପୂର୍ଣ୍ଣ ସୂଚାଇ ଦେଉଥିଲା । ଗଭୀର ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲେ ସେ । କିନ୍ତୁ ମୁଁ ତାଙ୍କ ମୁହଁକୁ ଆଉ ଚାହିଁ ପାରିଲି ନାହିଁ । ତାଙ୍କର ବକ୍ତବ୍ୟ ଶୁଣିବାକୁ ମଧ୍ୟ ମୋର ଧୈର୍ଯ୍ୟ ନ ଥିଲା । ଏକମୁହାଁ ହୋଇ ପଳାଇ ଆସି ବିଛଣାରେ ମୁହଁମାଡ଼ି ଫୁଲି ଫୁଲି କାନ୍ଦୁଥିଲି ।

 

ମୋ ପଛେ ପଛେ ରାଜେଶଭାଇ ଆସିଲେ । ମୁଁ କାନ୍ଦୁଥିବାର ଲକ୍ଷ୍ୟ କରି ସେ କହିଲେ–ତୁ କାହିଁକି କାନ୍ଦଛୁ ସାବୀ ? ତୋର କଣ ହୋଇଛି ? ତୁ ଯାହା କହିଛୁ ନିରାଟ ସତ୍ୟ କହିଛୁ ! ସତରେ, ମୁଁ ତମର କିଏ ? ଦୁଇଦିନର ପରିଚୟ, କେତେଟା ଦିନର ରହଣୀ ସମୟ ମଧ୍ୟରେ ସ୍ନେହ, ମମତା, ଆନ୍ତରିକତା ବଢ଼ି ଉଠିଥିଲା । କିନ୍ତୁ ତୁ ଯଦି ସେଥିରେ ବଡ଼–ସାନ, ଉଚ୍ଚ–ନୀଚ, ପର–ଆପଣା, ସ୍ୱାର୍ଥ–ଅସ୍ୱାର୍ଥର ବିଭେଦ ସୃଷ୍ଟି କରିବାକୁ ଚାହୁଁ ତେବେ ମୋର ଏଠାରେ ରହିବାର କୌଣସି ଆବଶ୍ୟକତା ନାହିଁ । ତେଣୁ ଠିକ୍ କରିଛି, ଆଜି ତମ ଘର ଛାଡ଼ି ମୁଁ ଚାଲିଯିବି ।

 

‘‘ଚାଲିଯିବା’’ କଥାଟା ଶୁଣି ମୋ ଛାତିର ଅତଡ଼ା କାନ୍ଥିରୁ ଯେମିତି ପଥର ଖଣ୍ଡେ ଭୁଷୁଡ଼ି ପଡ଼ିଲା । ସତକୁ ସତ ସେ ଯଦି ଚାଲିଯାଆନ୍ତି ତେବେ ଆମ୍ଭେମାନେ କିମିତି ବଞ୍ଚିବୁ ? ବାପା ବୋଉ ଯଦି ଏ କଥା ଶୁଣନ୍ତି ତେବେ କି କୈଫିୟତ ତାଙ୍କୁ ଦେବି ?

 

ରାଜେଶଭାଇ ପୁଣି କହିଲେ–ଏହା ଭିତରେ ରହିବା ପାଇଁ ଅନେକ ଘର ମିଳିଥିଲା । କିନ୍ତୁ ନିଜ ପରିବାର ଭାବି, ମଉସା ମାଉସୀଙ୍କ ସ୍ନେହ–ମମତାରେ ଛନ୍ଦିହୋଇ ଏଠାରେ ରହିଯାଇଥିଲି । କିନ୍ତୁ ତୁ ଯଦି ସ୍ନେହ–ମମତାରେ ପ୍ରତିବନ୍ଧକ ହୋଇ ପ୍ରାଚୀର ସୃଷ୍ଟି କରିବାକୁ ଚାହୁଁ ତେବେ ଦୂରେଇ ରହିବା ମୋ ପକ୍ଷରେ ବେଶୀ ନିରାପଦ । ଯେଉଁଠି ସନ୍ଦେହ, ଅବିଶ୍ୱାସ, ଘୃଣା ସୃଷ୍ଟି ହୁଏ, ସେଠାରେ ଯେତେ ସଫେଇ ଦେଲେ ବି ତାହା କେବେ ବିଶ୍ୱାସଯୋଗ୍ୟ ହୋଇପାରେନା । ମୋର ଏଠାରେ ରହଣୀ ପାଇଁ ସାଇପଡ଼ିଶା ନାନା ପ୍ରକାର ସନ୍ଦେହ କରୁଥିବେ, କୁତ୍ସିତ ମନ୍ତବ୍ୟ ଦେଉଥିବେ । ଅନେକ ଟୁପ୍‌ଟାପ ହେବାର ମଧ୍ୟ ଶୁଣିଛି । ତୋତେ ମଧ୍ୟ କିଏ କଣ କହିଥିବେ । ତେଣୁ ନିଜକୁ ତଥା ନିଜ ପରିବାରକୁ ନିରାପଦ ରଖିବା ପାଇଁ ତୁ ଯାହାସବୁ କହିଗଲୁ ତାହା ନିରାଟ ସତ୍ୟ; କିନ୍ତୁ ଏତିକି ଦୁଃଖ, ଏତେଦିନର ରହଣୀ ସମୟ ଭିତରେ ତୁ ମୋର ନିବିଡ଼ ସଂସ୍ପର୍ଶରେ ଆସି କେମିତି ମୋତେ ଚିହ୍ନି ପାରିଲୁ ନାହିଁ–ଜାଣି ପାରିଲୁ ନାହିଁ ? ମୁଁ ଏଠାରେ ରହି ଥିବାରୁ ଅନେକ ଇର୍ଷାରେ ଜଳି ଯାଉଛନ୍ତି । ଯେଉଁ ଅଭାବଗ୍ରସ୍ଥ ପରିବାର ଦୁଃଖରେ କାଳତିପାତ କରୁଥିଲା, ସେହି ପରିବାରରେ ଦୁଇବେଳା ଚୁଲି ଲାଗୁଥିବାରୁ ଅନେକ ଇର୍ଷାରେ ଜର୍ଜରିତ ହୋଇପଡ଼ିଛନ୍ତି ବୋଲି ମୁଁ ଜାଣେ ? କିନ୍ତୁ ସାବୀ ! ଅନେକ ସତ ମିଛ କହି ଘର ଭାଙ୍ଗି ଦେବେ, ମନ ଫିଟାଇ ଦେବେ । କିନ୍ତୁ ଯୋଡ଼ିଦେବ କିଏ ? ଇର୍ଷା ପରାୟଣ ଯାହାର ଜନ୍ମଗତ ଅଧିକାର ସେ ଅନ୍ୟକୁ ଯେଉଁ ଉପଦେଶ ଦିଅନ୍ତି ତାହା ସୁପଥର ଉପଦେଶ ନୁହେଁ–କୁପଥର ଉପଦେଶ । କିନ୍ତୁ ମୋର ଏତିକି ଅନୁଶୋଚନା, ଯିଏ ସବୁ ବୁଝି ଅବୁଝା ହୁଏ, ତାକୁ ବୁଝାଇବାର ଆବଶ୍ୟକତା ମୋଟେ ନାହିଁ ।

 

ମୁଁ ରାଜେଶଭାଇଙ୍କୁ ଚାହିଁଲି । ଦୁଃଖରେ ମ୍ରିୟମାଣ ହୋଇ ତାଙ୍କ ଆଖିରୁ ବେଦନାର ଲୁହ ଗଡ଼ି ପଡ଼ୁଥିଲା ।

 

ମୁଁ ରାଜେଶଭାଇଙ୍କ ପାଦଧରି କାନ୍ଦି କାନ୍ଦି କହିଥିଲି–ମୋର ଭୁଲ ହୋଇଛି ରାଜେଶଭାଇ ! ତମକୁ ଅନେକ କଟୁକଥା କହି ତମ ମନରେ ଭୀଷଣ କଷ୍ଟ ଦେଇଛି, ଅଥଚ ସେ ସବୁ ମୋର କହିବା ଉଚିତ୍ ନ ଥିଲା । ଏ ଘରର ମୁଁ ଝିଅ ହୋଇପାରେ କିନ୍ତୁ ମୋର ସ୍ୱାଧୀନତା କାହିଁ ? ବାପା ବୋଉ ତମକୁ ଭଲ ପାଆନ୍ତି, ତମେ ତାଙ୍କୁ ଭକ୍ତି କର, ସମ୍ମାନ କର, ସେ ଯାହା ଆଦେଶ ଦେବେ ତମେ ମାନିବାକୁ ବାଧ୍ୟ । କିନ୍ତୁ ମୁଁ...ସତ କହୁଛି ରାଜେଶଭାଇ । ଛୋଟ ମୁହଁରେ ଖୁବ୍ ବଡ଼ ବଡ଼ କଥା କହି ଦେଇଛି । ତେଣୁ ତମେ ମୋତେ କ୍ଷମା ଦିଅ ! ଆଉ ଦିନେ ତମ ମୁହଁ ଉପରେ ଏଭଳି କଥା କହିବିନି...

 

ମୁଁ ତୋତେ କ୍ଷମା ଦେବି ? ତୁ କିଛି ଭୁଲ କରିନୁ ସାବୀ ! ଭୁଲ ମୁଁ କରିଛି । ତମ ଘରକୁ ଆସିବା ମୋର ଭୁଲ ହୋଇଛି, ତମ ଘରେ ରହିବା ମୋର ଭୁଲ ହୋଇଛି, ଦୁର୍ଦିନରେ ତମମାନଙ୍କୁ ସାହାଯ୍ୟ କରିବା ମୋର ଭୁଲ ହୋଇଛି । ଆଉ ସବୁଠାରୁ ମାରାତ୍ମକ ଭୁଲ ହୋଇଛି ସରଳ ବିଶ୍ୱାସ କରି ତମମାନଙ୍କ ସ୍ନେହ, ମମତାରେ ବାନ୍ଧିହୋଇ ରହିବା ।

 

ରାଜେଶଭାଇ ଆଉ କଣ କହିଥାଆନ୍ତେ, ମୁଁ କୁହାଇ ଦେଲିନି ତାଙ୍କୁ । ତାଙ୍କ ହାତଧରି ପକାଇ କହିଲି–ତମେ ଚୁପହୁଅ ରାଜେଶଭାଇ ! ମୁଁ ଥରେ କହିଛି ମୋର ଭୁଲ ହୋଇଛି ।

 

ମୋ କଥା କିନ୍ତୁ ରାଜେଶଭାଇ ଶୁଣିଲେ ନାହିଁ । ସେ ପୁଣି କହି ଉଠିଲେ–ସମସ୍ତେ କହନ୍ତି ସ୍ୱାର୍ଥ ନ ଥାଇ କେହି କାହାରି ଉପକାର କରେ ନାହିଁ । ନିଃସ୍ୱାର୍ଥପର ଭାବରେ ସାହାଯ୍ୟ କରେ ନାହିଁ, କିନ୍ତୁ ତୁ କହ ସାବୀ, ଏଇଥିରେ ମୋର କେଉଁ ସ୍ୱାର୍ଥ ଅଛି ? ତୁ ମଧ୍ୟ ମୋର କେଉଁ ସ୍ୱାର୍ଥ ଦେଖି ପାରିଛୁ ? ତୁ ଠିକ୍ କହିଛୁ ସାବୀ ! ମୁଁ ତମର କିଏ ? ରକ୍ତର ସମ୍ପର୍କ ନ ଥାଇ ସ୍ନେହ, ମମତା, ଆନ୍ତରିକତା ମଉସା ମାଉସୀଙ୍କ ପାଖରେ ରହିଥିଲି, କିନ୍ତୁ ତୁ ଯଦି ଦୂରେଇ ଦେବାକୁ ଚାହୁଁ...

 

ରାଜେଶଭାଇ ! ମୁଁ ଚିତ୍କାର କରିଉଠିଲି । ନଇଁପଡ଼ି ତାଙ୍କ ପାଦ ଦୁଇଟିକୁ ଚାପି ଧରିଥିଲି–ଆଖି ଲୁହରେ ତାଙ୍କ ପାଦ ଧୋଇ ଦେଇଥିଲି । ତାଙ୍କ ପାଦରେ ମୁଣ୍ଡବାଡ଼େଇ ମଥା ଖଣ୍ଡିଆ କରିଥିଲି । କେବଳ କହିଥିଲି–ମୋର ଭୁଲ୍ ହୋଇଛି ବୋଲି ତମକୁ ହଜାରେ ଥର କହି ସାରିବା ପରେ ମଧ୍ୟ ତମେ କାହିଁକି ଅବୁଝା ହେଉଛ ? ଏଇଥର ପାଇଁ ମୋତେ ଯଦି କ୍ଷମା ନ ଦେବ ତେବେ ସତ କହୁଛି ତମ ପାଦରେ ମୁଣ୍ଡ ପିଟିଦେବି ।

Unknown

 

ଅନେକ ସମୟ ପରେ ତାଙ୍କ ହୃଦୟରେ ଦୟା ହେଲା । ପାଦ ଉପରୁ ମୋତେ ଉଠାଇ ନେଇଥିଲେ । ମୋ କେଶଗୁଚ୍ଛାରେ ଅଙ୍ଗୁଳି ଚାଳନା କରି କେତେ ଆଶ୍ୱାସନା ଦେଇଥିଲେ । ତାଙ୍କ ବକ୍ଷରେ ମୁଁ ମୁହଁରଖି ଅନୁତାପ କରୁଥିଲି । ଦୁଃଖ କରୁଥିଲି...ଭୁଲ ପାଇଁ ପ୍ରୟଶ୍ଚିତ କରୁଥିଲି ।

 

ମୋ ମୁହଁରେ ହସ ଆଣିବା ପାଇଁ ସେ ମୋତେ ବୁକୁ ଉପରେ ଚାପିଧରି କହିଲେ–ତୁ ଯଦି ଇମିତି କାନ୍ଦିବୁ ତେବେ ନିଶ୍ଚୟ ମୁଁ ଏ ଘରଛାଡ଼ି ଚାଲିଯିବି । ଏଥର ହସତ ଥରେ !

 

ମୁଁ ହସିଲି ଚୁପି ଚୁପି...

 

ତା’ପରେ...

 

ତା’ପରେ କଣ ହେଲା ସ୍ୱପ୍ନା ?

 

ସ୍ୱପ୍ନା କହିଲା–ତା’ ପରର ଘଟଣା ମୁଁ ଆଉ କହି ପାରିବି ନାହିଁ କୁମାରବାବୁ ! କହିବାକୁ ଇଚ୍ଛା ଥିଲେ ବି କହି ପାରୁନି । ଜିଭ ପାଖରେ ସେମିତି ମୋର ବକ୍ତବ୍ୟ ଅଟକି ଯାଉଛି ।

 

କୁମାର ଭାବିଲା, କେଉଁ ଅକୁହାକଥାର ଦ୍ୱାର ଖୋଲିବା ପାଇଁ ସ୍ୱପ୍ନାର ଜିଭ ଲେଉଟୁ ନାହିଁ । ମନେ ମନେ କଳନା କରି କହିଲା–କୁହ ସ୍ୱପ୍ନା ! ତା’ପରର ଘଟଣା ତମେ ନ କହିଲେ ମଧ୍ୟ ମୁଁ ଅନୁମାନ କରି ନେଉଛି, କିନ୍ତୁ ତମ ତୁଣ୍ଡରୁ ଶୁଣିବାର ଯେଉଁ ମାଦକତା ଓ ଆଗ୍ରହ ତାହା ମୁଁ ପ୍ରକାଶ କରିଦେଲେ ଆଦୌ ଶୋଭା ପାଇବ ନାହିଁ ।

 

ମୃଦୁ ହସି ସ୍ୱପ୍ନା କହିଲା–ନା, ମୁଁ କହି ପାରିବି ନାହିଁ । ତା ପରର ଘଟଣା ଆପଣ ଯଦି ଅନୁମାନ କରି ନେଇଛନ୍ତି ତେବେ ମୋ ତୁଣ୍ଡରୁ ଶୁଣିବାର ପ୍ରୟୋଜନ ମଧ୍ୟ ନାହିଁ । ତା’ଛଡ଼ା ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଅନୁମାନ ମୋ ପାଇଁ ଏକାନ୍ତ ସତ୍ୟ ହୋଇଛି । ଏଣୁ ଏ କ୍ଷେତ୍ରରେ ମଧ୍ୟ ସଂପୂର୍ଣ୍ଣ ନିର୍ଭୁଲ ହେବ ବୋଲି ମୋର ବିଶ୍ୱାସ ।

 

ଯଦି ନିର୍ଭୁଲ ନ ହୁଏ ? କୁମାର କହିଲା ।

 

ହଁ କୁମାରବାବୁ । ନିଶ୍ଚୟ ନିର୍ଭୁଲ ହେବ । ଅତୀତର ସବୁ କଥା ସତ୍ୟ ହୋଇଛି । ମୁଁ ଭାବେ ଆପଣ ନାରୀର ମୁଖ ଦେଖି ତା’ ଅନ୍ତରର କଥା କହି ପାରୁଛନ୍ତି କିମିତି ? ଆପଣଙ୍କ ଅନୁମାନ ଅନେକ କ୍ଷେତ୍ରରେ ସତ୍ୟ ହୋଇଛି ବୋଲି ସେଇ ଭୟରେ ଆପଣ ଜାଣିବା ପୂର୍ବରୁ ମୁଁ ସତ୍ୟ ପ୍ରକାଶ କରିଦେଇଛି । କିନ୍ତୁ ଏ ଘଟଣା ଗୁଡ଼ିକ ମୁଁ କହିପାରିବି ନାହିଁ–କୌଣସୀ ତରୁଣୀ ମଧ୍ୟ ପରପୁରୁଷ ନିକଟରେ ପ୍ରକାଶ କରିପାରେ ନାହିଁ ।

 

ସ୍ୱପ୍ନାର ପାପୁଲିକୁ ଚାପିଧରି କୁମାର କହିଲା–ତମେ କହିପାରିବ ନାହିଁ ? ମୋ ମୁହଁକୁ ଚାହିଁଲ ସ୍ୱପ୍ନା ! ବିଶେଷତଃ ମୋ ପାଖରେ ତମର ଏତେ ସଂକୋଚ ଆଦୌ ଶୋଭା ପାଏନି । ଅନେକ ଗୋପନ କଥା ତମେ ନିର୍ଭୟରେ ମୋ ପାଖରେ ଆତ୍ମପ୍ରକାଶ କରିଛ କିନ୍ତୁ ରାଜେଶବାବୁଙ୍କୁ ଭଲ ପାଇବା କଥା ପ୍ରକାଶ କରିବାକୁ ଏତେ ସଂକୋଚ କାହିଁକି ?

 

ସ୍ୱପ୍ନାର ଆଖିପତା ଦୁଇଟା ସରମରେ ନଇଁ ଆସିଲା । ମ୍ରିୟମାଣ ହୋଇପଡ଼ି କୁମାର ଉପରେ ଆଉଜି ପଡ଼ି କହିଲା–ଆପଣଙ୍କ ଅନୁମାନ ସବୁକ୍ଷେତ୍ରରେ ସତ୍ୟ ହୋଇଛି । ଆଉ ଏ କ୍ଷେତ୍ରରେ ମିଛ କିମିତି ହେବ ? ତେଣୁ ମୁଁ ନ କହିବା ପୂର୍ବରୁ ଆପଣ ଯଦି ମୋ ଅନ୍ତର କଥା ପ୍ରକାଶ କରିଦେଲେ ତେବେ ଶୁଣନ୍ତୁ ତା’ପରର ଘଟଣାବଳୀ-

 

ଦୀର୍ଘ ଚାରିମାସ ରହଣୀ ସମୟ ମଧ୍ୟରେ ପ୍ରଥମଥର ପାଇଁ ସେ ଦିନ ମୁଁ ରାଜେଶଭାଇଙ୍କୁ ସ୍ପର୍ଶ କରିଥିଲି...ତାଙ୍କ ବକ୍ଷରେ ଆଶ୍ରୟ ନେଇଥିଲି । ଦୀର୍ଘ ଅଠର ବର୍ଷ ପର୍ଯ୍ୟନ୍ତ ଯେଉଁ ତନୁମନକୁ ଇତର ପୁରୁଷ ନିକଟରେ ଏକାନ୍ତ ଗୋପନୀୟ ରଖିଥିଲି, ବିବାହ ପୂର୍ବରୁ କୌଣସି ପୁରୁଷକୁ ସ୍ପର୍ଶ କରିବି ନାହିଁ ବୋଲି ଶପଥ କରିଥିଲି, ସେ ଦିନ ପ୍ରଥମଥର ସେହି ପୁରୁଷ–ଶ୍ରେଷ୍ଠ ରାଜେଶଭାଇଙ୍କୁ ସ୍ପର୍ଶ କଲା ପରେ ମୋ ଦେହର ଶିରା–ପ୍ରଶିରାରେ ଏକ ତଡ଼ିତ ପ୍ରବାହର ଆଲୋଡ଼ନ ଖେଳିଗଲା । ଏକ ରୋମାଞ୍ଚକର ପୁଲକରେ ପୁଲକିତ ହୋଇ ଉଠିଲି ମୁଁ ।

 

କୁମାର ଖଣ୍ଡେ ସିଗାରେଟରେ ନିଆଁ ଧରାଇଲା ।

 

ସ୍ୱପ୍ନାର ଦୃଷ୍ଟି ପଡ଼ିବାକ୍ଷଣି ସେ କୁମାର ହାତରୁ ଜଳନ୍ତା ସିଗାରେଟ ନେଇ ଝରକାବାଟେ ବାହାରକୁ ଫିଙ୍ଗି ଦେଲା । କହିଲା–ଏତେ ଅନୁରୋଧ ସତ୍ତ୍ୱେ ଆପଣ ପୁଣି ସିଗାରେଟ ଖାଉଛନ୍ତି ? ମୁଁ ଆପଣଙ୍କର ଅନେକ କଥା ରଖିଚି ଅଥଚ ଆପଣ ମୋର ସାମାନ୍ୟ ଅନୁରୋଧ ରଖିପାରିଲେ ନାହିଁ ?

 

ବିନତୀ କଣ୍ଠରେ କୁମାର କହିଲା–ମୋର ଭୁଲ ହୋଇଛି ସ୍ୱପ୍ନା ! ଆଜିଠାରୁ ଶପଥ କରୁଛି ଆଉ ମୋଟେ ମୁଁ ସିଗାରେଟ ଖାଇବି ନାହିଁ । ହଁ କୁହ, ତା’ପରେ କଣ ହେଲା ?

 

ସ୍ୱପ୍ନା କହିଲା–ତା’ ପରର ଘଟଣା ଖୁବ୍ ସାଧାରଣ । ନିରୋଳାରେ ଅନେକ ସମୟ ରାଜେଶଭାଇଙ୍କ ସହିତ ଗପ କରି ବିତାଇ ଦେଇଛି । ଅନେକ ଜ୍ୟୋତ୍ସ୍ନା–ବିଧୌତ ରଜନୀ ଅଗଣାରେ ଥିବା ବଉଳଗଛ ମୂଳେ ଅତିବାହିତ କରିଛୁ । ଗୋଟିଏ କୋଠରୀରେ ଦୁଇଟି ପୂର୍ଣ୍ଣବୟସର ଯୁବକଯୁବତୀ । ମୋଟ ଉପରେ ପରସ୍ପର ଆମେ ଭଲପାଇ ବସିଲୁ ।

 

ଏଇ ‘ଭଲ ପାଇବା’ କଥା ଶୁଣିଲେ ମୁଁ ଆଶ୍ଚର୍ଯ୍ୟ ହୁଏ । କୁମାରୀ ଜୀବନର ଶପଥ ଆଜି କେଉଁ ଅତଳ ଗହ୍ୱରରେ ଲୁଚିଗଲା ମୋର !

 

ରାଜେଶବାବୁ ମଧ୍ୟବିତ୍ତ ପରିବାରର ସନ୍ତାନ । ଆମ ପରିବାରର ଦୁର୍ଯୋଗ ମୁହୂର୍ତ୍ତରେ ସେ ଦେବଦୂତ ଭଳି ଆବିର୍ଭାବ ହୋଇ ଆମ୍ଭମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି ବୋଲି ତାଙ୍କ ଉପରେ ମୋର ଦୟା ହୁଏ–ଅନୁକମ୍ପା ହୁଏ । ଅନ୍ତରର ନିଭୃତ ପ୍ରଦେଶରୁ ତାଙ୍କ ପ୍ରତି କରୁଣା ବାରିଧାରା ଢାଳି ହୋଇଯାଏ । ଆଉ ଜୀବନର ଚରମ ମୁହୂର୍ତ୍ତରେ ଅଯାଚିତ ଭାବେ ପଦାର୍ପଣ କରି ସେ ଆମକୁ ସାହାଯ୍ୟ କରିଥିବାରୁ ପରିବାରର ସମସ୍ତଙ୍କର ତାଙ୍କ ପ୍ରତି ସ୍ନେହ, ମମତା, ଅନୁରାଗ ରହିବା ସ୍ୱାଭାବିକ କଥା ।

 

ସ୍ନେହ, ମମତା, ଆନ୍ତରିକତା, ଅଜସ୍ର କରୁଣା ତାଙ୍କର ମଧ୍ୟ ରହିଥିଲା ଆମ ପରିବାର ପ୍ରତି...ବିଶେଷତଃ ମୋ ପ୍ରତି । ଇତ୍ୟବସରରେ ମୁଁ ତାଙ୍କୁ ଗଭୀର ଭଲପାଇ ବସିଲି । ଭଲ ପାଇବା ପାପ କି ପୂଣ୍ୟ ମୁଁ ଜାଣେନା, ଭଲ ପାଇବାର ଶେଷ ପରିଣତି ସୁଖ କି ଦୁଃଖ ମୁଁ ଜାଣେନା, ତଥାପି ମୁଁ ତାଙ୍କୁ ଭଲ ପାଇଲି...ପ୍ରାଣରୁ ଅଧିକ ଭଲ ପାଇଲି ।

 

ନିରୋଳା ମୁହୂର୍ତ୍ତରେ ସେ ମୋତେ ଅନେକଥର ନିକଟରେ ପାଇଛନ୍ତି, ମୋତେ ଚୁମ୍ୱନ ଦେଇଛନ୍ତି, ଗୋଟିଏ କୋଠରୀରେ ଆମେ ଦୁହେଁ କେତେ ଉନ୍ନୀଦ୍ର ରଜନୀ ବିତାଇ ଦେଇଛୁ ।

 

ତା’ପରେ ରାଜେଶଭାଇଙ୍କୁ ବିବାହ କରିବା ପାଇଁ ମୁଁ ସ୍ଥିର କରି ନେଇଥିଲି ।

 

ରାଜେଶଭାଇ ମଧ୍ୟ ମୋତେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିବାହ ପ୍ରସ୍ତାବ ସ୍ଥିରୀକୃତ ହୋଇଯିବା ପରେ ପରସ୍ପର ଅଧିକରୁ ଅଧିକ ଭଲ ପାଇ ବସିଲୁ । ଘଣ୍ଟେ ନ ଦେଖିଲେ ଦୁହେଁ ପାଗଳ ହୋଇ ଯାଉଥିଲୁ ।

 

କିନ୍ତୁ ସେଦିନର କଥା...

 

ସେ ଦିନଟା କି ଦୁର୍ଯୋଗରେ ପାହିଥିଲା କେଜାଣି ସେ ଦିନର ସେଇ ମୁହୂର୍ତ୍ତ ମୋ ଜୀବନର ଗତିଧାରାକୁ ବଦଳାଇ ଦେଲା । ମୋ ଜୀବନର ସୁନାର ସଂସାରକୁ ଚୁରମାର କରିଦେଲା-। ମୋ ଜୀବନର ସଫଳ ସ୍ୱପ୍ନକୁ ନିମିଷକର ଭୁଲ ବୁଝାମଣା ହେତୁ ସବୁ ଦିନପାଇଁ ବିଫଳରେ ପରିଣତ କରିଦେଲା ।

 

ସେ ଦିନର କଥା ବର୍ତ୍ତମାନ ମନେ ପଡ଼ିଲେ ଦେହରେ ରୋମାଞ୍ଚ ଆସୁଛି । ଆଖିରେ ଲୁହ ଆସୁଛି, କିନ୍ତୁ...

 

ସ୍ୱପ୍ନା କିଛି କହି ପାରିଲାନି । ଆଖି କୋଣରେ ଜମି ରହିଥିବା ଲୁହ ପଣତ କାନିରେ ପୋଛିବାକୁ ଲାଗିଲା ।

 

କୁମାର ସ୍ୱପ୍ନାକୁ ଆଶ୍ୱାସନା ଦେଲା । ଛି ସ୍ୱପ୍ନା ! ବିଗତ ଅତୀତକୁ ଚିନ୍ତା କରି ଆଖିରୁ ଲୁହ ଝରାଇବା ନିର୍ବୋଧତାର ପରିଚାୟକ । ଅତୀତ ମୃତ । ରୂପେଲି ପରଦାର ଚଳଚିତ୍ର ଭଳି ଅତୀତ ଜୀବନରେ ସ୍ମୃତି । ମଣିଷ ଅତୀତକୁ ଯେତେ ଚିନ୍ତା କରେ ସେତିକି ଦୁଃଖ ପାଏ । ଅତୀତକୁ ଦୁଃସ୍ୱପ୍ନ ଭଳି ଭୁଲି ଯିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ।

 

ଆଖିରୁ ଲୁହ ପୋଛି ସ୍ୱପ୍ନା ଚାହିଁଲା କୁମାରକୁ ।

 

କୁହ ସ୍ୱପ୍ନା ! ତା’ ପରେ କଣ ହେଲା ?

 

ସ୍ୱପ୍ନା କହିଲା–ସେ ଦିନ ଦଶଟାରେ ରାଜେଶଭାଇ ଡାକ୍ତରଖାନାକୁ ଚାଲିଗଲେ । ସେ ଯିବା ପରେ ପରେ କେତକୀର ଭାଇ ସୁଶାନ୍ତ ଆସିଥିଲା ଆମ ଘରକୁ । ବୋଉ ସାଥୀରେ ଘଣ୍ଟେ ଗପ କରି ସାରିବା ପରେ ମୋ ପାଖକୁ ଆସିଲା । ମଧ୍ୟାହ୍ନରେ ନିଦ ନ ହେବାରୁ ଶୋଇରହି ଖଣ୍ଡେ ଉପନ୍ୟାସ ପଢ଼ୁଥିଲି । ସେ ଆସି ବସି ପଡ଼ିଲା ମୋ ବିଛଣାରେ ।

 

ସୁଶାନ୍ତ ବୟସରେ ମୋଠାରୁ ବର୍ଷେ କି ଦେଢ଼ବର୍ଷ ସାନ ହେବ । କିଶୋର ବୟସ ସିନା କିନ୍ତୁ ହୃଷ୍ଟପୃଷ୍ଟ ଚେହେରା ଯୋଗୁ ଗୋଟିଏ ତରୁଣ ଭଳି ଦେଖାଯାଏ । ନିଶ–ଦାଢ଼ି ଉଠିନି । କିଶୋର ସୁଲଭ ଚପଳତା ଏ ଯାଏ କଟିନି । ସେ ମୋ ବିଛଣାରେ ବସିପଡ଼ିବା ପରେ ମୁଁ ଚମକି ଉଠିଥିଲି । ସେ କହିଲା–ତମେ କାହିଁକି ଆମ ଘରକୁ ଯାଉନା କହିଲ ସାବୀ ଅପା ! ବୋଉ ତମକୁ ଯିବା ପାଇଁ କହିଛି, ମୁଁ ତମକୁ ଆଜି ସାଥିରେ ନେଇ ଘରକୁ ଯିବି । କେତକୀ ମଧ୍ୟ ତମ ଯିବା ବାଟକୁ ଚାହିଁ ବସିଛି ।

 

ସୁଶାନ୍ତର ଯିଦ୍ ଶୁଣି ମୁଁ ପ୍ରଥମେ ଭୟ ପାଇ ଯାଇଥିଲି ।

 

ସୁଶାନ୍ତକୁ ମୁଁ ବୁଝାଇଲି । କହିଲି–ଆଜି ମୋ ଦେହଟା ଭଲଲାଗୁନି, ତୁ ଆଉ ଦିନେ ସକାଳେ ଆସିବୁ । ମୁଁ ସକାଳେ ଯାଇ ଉପରବେଳା ତୋ ସାଥୀରେ ଫେରିଆସିବି ।

 

ସୁଶାନ୍ତ ମାନିଲା ନାହିଁ ମୋ କଥା । କହିଲା–ଆଜି ତମର କଣ ହୋଇଛି କି ?

 

-ଛି । ଅପା କଥାରେ ଇମିତି ଅବୁଝା ହୁଅନ୍ତି । କଥା ନ ମାନିଲେ ତମକୁ କେହି ଭଲ ପାଇବେ ନାହିଁ । ସ୍ନେହ କରିବେ ନାହିଁ । ଏହା କହି ସୁଶାନ୍ତକୁ ଉଠାଇବାକୁ ଚେଷ୍ଟା କରୁଥିଲି ।

 

-ଆଜି କାହିଁକି ଯିବ ନାହିଁ କହିଲ ?

 

-ଆଜି ସାମାନ୍ୟ ଜ୍ୱର ମନେ ହେଉଛି ବୋଲି ଦେହଟା ଭଲ ଲାଗୁନି ।

 

ସୁଶାନ୍ତ ମୋ କପାଳ ଉପରେ ହାତ ରଖିଲା ।

 

ସୁଶାନ୍ତର ହାତକୁ ମୁଁ ଧରି ପକାଇ ଉଠାଇ ଦେବାକୁ ଚେଷ୍ଟା କରୁଥିଲି ।

 

ମୋ ହାତ ଭିତରେ ସୁଶାନ୍ତର ହାତ । ଆଉ ଠିକ୍‌ ଏତିକିବେଳେ ରାଜେଶଭାଇ ଘର ଭିତରକୁ ପଶି ଆସିଲେ ।

 

ସୁଶାନ୍ତର ହାତରୁ ଧୀରେ ମୁଁ ହାତ ଖସାଇ ନେଲି ।

 

ହଠାତ୍ ରାଜେଶଭାଇ ବୁଲିପଡ଼ି କୋଠରୀରୁ ବାହାରି ଗଲେ । ମୁଁ ଯେତେ ଡାକିଲେ ମଧ୍ୟ ସେ ଶୁଣିଲେ ନାହିଁ ।

 

ସୁଶାନ୍ତ କହିଲା–ରାଜେଶଭାଇ କାହିଁକି ଫେରିଗଲେ, ତମେ ଏତେ ଡାକିବା ପରେ ମଧ୍ୟ ସେ ଶୁଣୁ ନାହାନ୍ତି କାହିଁକି ?

 

ସୁଶାନ୍ତ ସିନା କିଛି ଅନୁମାନ କରିପାରିଲା ନାହିଁ କିନ୍ତୁ ମୁଁ ସବୁ ଅନୁମାନ କରିନେଲି ।

 

ସୁଶାନ୍ତ ଚାଲିଗଲା ।

 

ଦିନ ଅତିକ୍ରମ କରିଗଲା, ସଂଧ୍ୟା ହେଲା । ତଥାପି ରାଜେଶଭାଇଙ୍କର ସାକ୍ଷାତ ନାହିଁ । ବାପା ବୋଉ ରାଜେଶଭାଇଙ୍କ ବିଳମ୍ୱ ପାଇଁ ଉଦ୍‌ବିଗ୍ନ ହୋଇପଡ଼ିଲେ ।

 

ରାତି ଦଶଟା ବାଜିଲା ।

 

ସମସ୍ତେ ଖାଇପିଇ ଶୋଇ ପଡ଼ିଲେ । ମୁଁ କିନ୍ତୁ ଖାଇ ପାରିଲି ନାହିଁ କି ଶୋଇ ପାରିଲି ନାହିଁ । ଖରାବେଳର ଅଧାପଢ଼ା ଉପନ୍ୟାସଟା ଉପରେ ଆଖି ବୁଲାଇ ରାଜେଶଭାଇଙ୍କ ପ୍ରତ୍ୟାବର୍ତ୍ତନ ପଥକୁ ଚାହିଁ ରହିଥିଲି ।

 

ସେତେବେଳେ ରାତି କେତେ ହେବ କେଜାଣି । ଗାଁରେ ନିର୍ଜନତା ବିରାଜମାନ କରୁଥିଲା । ମୋତେ ଛାଇ ନିଦ ଲାଗି ଆସୁଛି ସେ ଘର ଭିତରକୁ ପଶି ଆସିଲେ ।

 

ବିଛଣାରୁ ଉଠି ବସି ତାଙ୍କୁ ଚାହିଁଲି । କହିଲି–କେଇଟା ବାଜିଲାଣି ରାଜେଶଭାଇ ?

 

ରାଜେଶଭାଇ ମୋ କଥା ଶୁଣି ନ ଶୁଣିବା ପରି ମୁହଁ ବୁଲାଇ ନେଲେ । ପୋଷାକ ବଦଳ କଲେ । ହାତ ଘଣ୍ଟାକୁ କାଢ଼ି ଠଣାରେ ରଖି ବିଛଣାରେ ଲୋଟିଗଲେ ।

 

ଠଣାରୁ ଘଣ୍ଟା ଆଣି ଦେଖିଲି । କହିଲି–ରାତି ସାଢ଼େ ଏଗାର ବାଜି ଗଲାଣି ! ଏପର୍ଯ୍ୟନ୍ତ ତମେ କେଉଁଠି ଥିଲ ?

 

ସେ ନିରୁତ୍ତର ରହିବା ଦେଖି ମୁଁ ତାଙ୍କୁ ଚାହିଁଲି । ତାଙ୍କର ଗମ୍ଭୀର ମୁଖମଣ୍ଡଳକୁ ଲକ୍ଷ୍ୟ କରି ମୁଁ ଚମକି ଉଠିଲି । ଦୀର୍ଘଦିନ ଆମ ଘରେ ରହଣୀ ସମୟ ଭିତରେ ଏତେ ଗମ୍ଭୀର ଥିବାର ତାଙ୍କୁ କେବେ ଦେଖି ନଥିଲି । ଭାବିଲି, ସେ ମୋ ଉପରେ ରାଗ କରିଛନ୍ତି କି ? ଧୀର କଣ୍ଠରେ ମୁଁ କହିଲି–ତମେ ଶୋଇପଡ଼ିଲ ଯେ ! ସମସ୍ତେ ଖାଇସାରିଲେଣି । କେବଳ ତମକୁ ଅପେକ୍ଷା କରି ମୁଁ ଖାଇନି ।

 

ତାତ୍ସଲ୍ୟ କଣ୍ଠରେ ସେ କହିଲେ–ଅପେକ୍ଷା କରିଛୁ ? ସବୁଦିନ ଅପେକ୍ଷା କରିଥାଉ ନା ଆଜି ପ୍ରଥମଥର ପାଇଁ ଅପେକ୍ଷା କରିଛୁ ?

 

ତମେ ଏସବୁ କଣ କହୁଛ ରାଜେଶଭାଇ ! ସବୁଦିନ ଅପେକ୍ଷା କରିଥାଏ ବୋଲି ତମେ କଣ ଜାଣନା ? ତମକୁ ଅପେକ୍ଷା କରି ଖାଇ ନଥାଏ ବୋଲି ତମେ ଅନେକଥର ବିରକ୍ତ ହୋଇଛ ଅଥଚ ଆଜି ମୋତେ ବିଦ୍ରୁପ କରି କହୁଛ ? ସତ କହିବ ତମକୁ ମୋ ରାଣ, ତମର ଆଜି କଣ ହୋଇଛି ? ଏତେ ରାତି ପର୍ଯ୍ୟନ୍ତ କେଉଁଠି ଥିଲ ତମେ ?

 

ମୁଁ କୁଆଡ଼େ ଯାଇଥିଲି, କେଉଁଠି ଥିଲି, କଣ କରୁଥିଲି ତାହା ଜାଣିବା ତୋର ମୋଟେ ଆବଶ୍ୟକ ନାହିଁ । ତୁ ମଧ୍ୟ ମୋ କଥା କାହିଁକି ଚିନ୍ତା କରୁଛୁ ଶୁଣେ ? ମୁଁ ତୋର କିଏ ? କେଇଟା ଦିନର ପରିଚୟ, କେତୋଟି ମାସର ରହଣୀ ହେତୁ ଆମ ଭିତରେ ଆନ୍ତରିକତା ସ୍ନେହ, ମମତା ଘନିଷ୍ଠ ହୋଇଥିଲା, କିନ୍ତୁ ଆଜି ତୁ ସେଥିରେ ବନ୍ଧ ପକାଇବାକୁ ଚାହିଁଲୁ ! ଆପେ ଆପେ ଦୂରେଇ ଯିବାକୁ ଚେଷ୍ଟା କଲୁ । ତେଣୁ...

 

ରାଜେଶଭାଇ ! ମୁଁ ଚିତ୍କାର କରି ଉଠିଲି । କହିଲି–ପାଗଳଙ୍କ ଭଳି କଣ କହିଯାଉଛ ? ଖାଇନା ବୋଲି ମୁଣ୍ଡ ତମର ଗରମ ହୋଇଗଲାଣି । ଆସ ଖାଇବ । ରାତି ଅଧିକ ହେଉଛି । ଖାଇ ସାରିଲେ ସବୁ ମୁଁ ବୁଝାଇ ଦେବି ।

 

ମୁଁ ଖାଇବି ନାହିଁ । ଦୃଢ଼ କଣ୍ଠରେ ସେ କହିଲେ ।

 

ଖାଇବ ନାହିଁ ? ଦିନ ଦଶଟାରେ ଖାଇଥିଲ, ଏପର୍ଯ୍ୟନ୍ତ ତମକୁ ଭୋକ କରୁନି । ତମେ ମିଛ କହୁଛ ରାଜେଶଭୋଇ !

 

ବିରକ୍ତ ହେବା କଣ୍ଠରେ ସେ କହିଲେ–ଓଃ, କାହିଁକି ତୁ ମୋତେ ବିରକ୍ତ କରୁଛୁ କହିଲୁ ? ତୁ ମୋ ପାଖରୁ ଚାଲିଯା । ମୋତେ ଟିକେ ଶାନ୍ତିରେ ଶୋଇବାକୁ ଦେ ।

 

ମୁଁ ଚମକି ପଡ଼ିଲି । କହିଲି–ମୋତେ ତମେ ଚାଲିଯିବାକୁ କହୁଛ ? ଯେଉଁ ସାବୀ ପାଖରେ ନ ବସିଲେ ତମକୁ ନିଦ ହୁଏନି ଆଜି ତାକୁ ପାଖରୁ ଦୂରେଇ ଦେବାକୁ ଚାହୁଁଛ ?

 

ହଁ ସାବୀ ! ତୋ ହାତ ଧରୁଛି, ତୁ ମୋ ପାଖରୁ ଚାଲିଯା । ଫୁଲର ମହକ ସବୁଦିନେ ସମାନ ରହେ ନାହିଁ । ଭ୍ରମର ବସି ମଧୁଚୁମ୍ୱନ କରିସାରିବା ପରେ ସେ ଫୁଲର ସୌରଭ ନାହିଁ କି ତାକୁ ଧରି ରଖିବାର ଆଗ୍ରହ ନାହିଁ ।

 

ମାନେ ? ମୁଁ ଛଟକରି ତାଙ୍କୁ ପଚାରିଦେଲି ।

 

ମାନେ ଅତି ସହଜ ! ତୁ ନିଶ୍ଚୟ ବୁଝିପାରୁଥିବୁ । ତୋ ଭଳି ଏତେ ଚାଲାକ ଚତୁରୀ ଝିଅ ଏଇକଥା ବୁଝିପାରିବ ନାହିଁ ଜାଣିଲେ ମୋତେ ଆଶ୍ଚର୍ଯ୍ୟ ଜଣାପଡ଼ୁଛି । ହଉ, ସେ କଥାର ପୁନରାବୃତ୍ତି କରନାହିଁ । ତୁ ମୋ ପାଖରୁ ଚାଲିଯା ।

 

ରାଜେଶଭାଇଙ୍କ ବିଛଣାରେ ବସିପଡ଼ିଲି । ତାଙ୍କ ହାତଧରି କହିଲି–ତମର କଣ ହୋଇଛି ରାଜେଶଭାଇ ! ତମେ ମୋ ଉପରେ ବିରକ୍ତ କାହିଁକି ହେଉଛ ? ମୋତେ ପାଖରେ ବସାଇବାକୁ ଏତେ ଘୃଣା କରୁଛ କାହିଁକି ?

 

ରାଜେଶଭାଇ ମୋ ହାତକୁ ଛିଞ୍ଚାଡ଼ି ଦେଲେ । କହିଲେ, ମୋତେ ସ୍ପର୍ଶ କରିବାକୁ ଚେଷ୍ଟା କରନାହିଁ । ତୋର ଛାୟା ମଧ୍ୟ ମୁଁ ସ୍ପର୍ଶ କରିବାକୁ ଚାହେଁନା । ତୁ ମୋଠାରୁ ଦୁରେଇ ଯା । ତୋ ଭଳି ନଷ୍ଟଚରିତ୍ରା କନ୍ୟାର ସ୍ପର୍ଶ ପାଇଲେ...

 

ରାଜେଶଭାଇ ! ମୁଁ ଚିତ୍କାର କରିଉଠିଲି ।

 

ଚିତ୍କାର କରି କିଛି ଲାଭନାହିଁ ସାବୀ ! ମୁଁ ଆଜି ସ୍ୱଚକ୍ଷୁରେ ଦେଖିଛି ଯେତେବେଳେ ଅବିଶ୍ୱାସ କରିବି କେମିତି ? ସେଥିପାଇଁ ତୁ ସୁଶାନ୍ତର ଏତେ ପ୍ରଶଂସା କରୁ ? ତୋ ମନରେ ଯଦି ଏଇୟା ଥିଲା ତେବେ ପ୍ରଥମରୁ କହିଥିଲେ ତୋ ପ୍ରେମ ପଥରେ ମୁଁ ପ୍ରତିବନ୍ଧକ ହୋଇ ନ ଥାନ୍ତି ? ଅଥଚ ସୁଶାନ୍ତକୁ ଭଲପାଇ ମୋ ପାଖେ ସତୀକନ୍ୟାର ମୁଖାପିନ୍ଧି ଅଭିନୟ କରୁଥିଲୁ କାହିଁକି ? ତୁ ଏକା ନୁହେଁ ସାବୀ ! ତୋରି ଭଳି ଗରୀବ ତରୁଣୀମାନେ ଜଣକୁ ଭଲ ପାଇ ଅନ୍ୟଜଣକ ପାଖରେ ଅଭିନୟ କରନ୍ତି । ତୁ ଏଥିରୁ ବାଦ ଯାଇଥାନ୍ତୁ କେମିତି ? ଛି, ତୋ ଉପରେ ମୋର କେତେ ଭଲ ଧାରଣା ଥିଲା । ଭାବିଥିଲି, ତୁ ଗରୀବ ହୋଇପାରୁ, କିନ୍ତୁ ନିଜ ପେଟପାଇଁ ତୁ ବ୍ୟଭିଚାରିଣୀ ହୋଇ ନ ପାରୁ ! ସାବିତ୍ରୀ, ରାଧା, ଦ୍ରୌପଦୀ, କୁନ୍ତି ନାମ ଧରି ପ୍ରତ୍ୟେକ ତରୁଣୀ ଆଜିକାଲି ଉକ୍ତନାମର ସାର୍ଥକତା ରଖି ପାରିନାହାନ୍ତି । ସତୀକନ୍ୟାର ନାମ ଧରି ଅସତୀ, ଭ୍ରଷ୍ଟା, ନଷ୍ଟଚରିତ୍ରା ହେଉଛନ୍ତି । ତୁ ସେଇ ନାମଧାରୀ ନାରୀ ଗୋଷ୍ଠିରୁ ଜଣେ । ତେଣୁ ତୁ କିପରି ବାଦ ଯାଇଥାଆନ୍ତୁ । ତେଣୁ ତୁ ମଧ୍ୟ ଉକ୍ତ ନାମର ସାର୍ଥକତା ରଖିଛୁ । ତୁ ମଧ୍ୟ ସତୀ–ସାବିତ୍ରୀ ନାମଧାରଣ କରି ସାବୀ ଭୂମିକାରେ ଅଭିନୟ କରୁଛୁ ।

 

ରାଜେଶଭାଇଙ୍କ ତୁଣ୍ଡରୁ ଅକଥନୀୟ, ଅଶ୍ରାବ୍ୟ ଭାଷା ଶୁଣି ସାରିବା ପରେ ତାଙ୍କୁ କିମିତି ବୁଝାଇବି ସେଇୟା ଚିନ୍ତା କରୁଥିଲି । ମୁଁ ଯେତେ କହିଲେ ମଧ୍ୟ ସେ ବୁଝିଲେନି । ପ୍ରତି ପୁରୁଷ ସନ୍ଦେହୀ । ସେମାନେ ଚାହାନ୍ତି ତାଙ୍କର ପ୍ରେମିକା କେବଳ ତାଙ୍କରି ପ୍ରେମିକ ସହିତ କଥାଭାଷା, ଥଟ୍ଟା ପରିହାସ କରିବ । ଅନ୍ୟ ପୁରୁଷ ସହିତ ହସି ହସି କଥା କହିଲେ, ସିନେମା, ଥିଏଟର କି କୌଣସି ଦର୍ଶନୀୟ ସ୍ଥାନକୁ ବୁଲିଗଲେ ପ୍ରେମିକ ମନରେ ସନ୍ଦେହ ହୁଏ–ଅବିଶ୍ୱାସ ହୁଏ । ଯେଉଁ ସନ୍ଦେହ, ଅବିଶ୍ୱାସକୁ ଯେତେ ଯୁକ୍ତି ଦେଖାଇ ଖଣ୍ଡନ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା ଖଣ୍ଡନ କରି ହୁଏନି ।

 

ସୁଶାନ୍ତକୁ ସାନଭାଇ ମନେକରି ତା’ ସହିତ ଗପକରିବା ଆଉ ତା’ର ହାତକୁ ଧରିବା ଯଦି ଅକ୍ଷମଣୀୟ ଅପରାଧ ହୁଏ, ତେବେ ରାଜେଶଭାଇଙ୍କ ଭଳି ସନ୍ଦେହୀ ପୁରୁଷକୁ ବୁଝାଇବା ନିରର୍ଥକ ।

 

ତଥାପି ଯୁକ୍ତି କରିବାକୁ ମୁଁ ପଛେଇ ଯାଇନି । ରାଜେଶଭାଇଙ୍କ ଅଭିଯୋଗ ଖଣ୍ଡନ କରିବାକୁ ମୁଁ କହିଲି–ତମେ ମୋତେ ସନ୍ଦେହ କରୁଛ ରାଜେଶଭାଇ ! ତମର ପ୍ରେମିକା ତଥା ତମର ଭାବୀ-ଧର୍ମପତ୍ନୀକୁ ତମେ ନଷ୍ଟଚରିତ୍ରା ବୋଲି କହି ପାରୁଛ ?ଏ ଅପବାଦ ଦେବାକୁ ତୁମ ତୁଣ୍ଡ ଲେଉଟିଲା ? ସୁଶାନ୍ତ ମୋଠାରୁ ବୟସରେ ଯଥେଷ୍ଟ ସାନ । ଶିଶୁସୁଲଭ ଚପଳତା ଏ ଯାଏ ଯାଇନି ତା’ର । ଜ୍ୱର ଦେଖିବା ପାଇଁ ସେ ମୋ କପାଳରେ ହାତ ରଖିଥିଲା । କିନ୍ତୁ ଏଇ ସାମାନ୍ୟ କଥାକୁ ବିରାଟ ବୋଲି ମନେକରି ତମେ ମୋତେ ଏଇ ଅପବାଦ ଦେଲ ? ତମେ ବିଶ୍ୱାସ କରିବ କି ନା ମୁଁ ଜାଣେ ନା, କିନ୍ତୁ ମୁଁ ସତ କହୁଛି, ତମ ଦେହ ଛୁଇଁ କହୁଛି–ସୁଶାନ୍ତ କିଶୋର, ତା’ ସାଥୀରେ ମୋର କୌଣସି କୁସମ୍ପର୍କ ନାହିଁ । ଭଲ ପାଇବାର ସଂଜ୍ଞା କଣ ସେ ହୁଏତ ଜାଣେନା । ମୁଁ ତମ ଛଡ଼ା ଆଉ କାହାକୁ ଭଲ ପାଇ ପାରିବି ବୋଲି ତମେ କିମିତି ବିଶ୍ୱାସ କରିପାରିଲ ? ମୋତେ ବିଶ୍ୱାସ କର ରାଜେଶଭାଇ ! ତମ ଛଡ଼ା ମୋ ମନ–ମନ୍ଦିରରେ ଆଉ କାହାପାଇଁ ବିନ୍ଦୁଏ ମାତ୍ର ସ୍ଥାନ ନାହିଁ । ତମକୁ ମୁଁ ଭଲପାଏ... ଗଭୀର ଭଲପାଏ... ଏକାନ୍ତଭାବେ ଭଲପାଏ...

 

ବିଦ୍ରୁପର ହସ ହସିଲେ ସେ । କହିଲେ, ନାରୀ ଛଳନାମୟୀ, ବ୍ୟଭିଚାରିଣୀ, ବିଶ୍ୱାସଘାତିନୀ । ପ୍ରତାରଣା କରିବାରେ ନାରୀ ପାରଙ୍ଗମ । ନିଖୁଣ ଅଭିନୟ କରି ପୁରୁଷ ମନକୁ ପ୍ରଲୁବ୍‌ଧ କରିବାରେ ନାରୀ ସର୍ବ–ଅଗ୍ରଣୀ । ପାଣିର ଗାର ଭଳି ତରୁଣୀ ଜୀବନର ଶପଥ । ରାଣ ପକାଇ, ଦେହ ଛୁଇଁ, ଆଖିରୁ ଲୁହଧାର ଛୁଟାଇ ସେମାନେ ଯାହା ଶପଥ କରନ୍ତି ତାହା ନିମିଷକ ପାଇଁ ସତ୍ୟ ହୋଇପାରେ–କିନ୍ତୁ ସବୁଦିନ ପାଇଁ ନୁହେଁ । ନାରୀର ମନରେ ଅନେକ ତରଙ୍ଗର ଝଡ଼ ଉଠେ, ଢେଉ ଉଠେ, ଉର୍ମୀ ଉଠେ । ଯେଉଁମାନେ ନାରୀକୁ ଗଭୀର ବିଶ୍ୱାସ କରନ୍ତି ସେମାନଙ୍କଠାରୁ ବଳି ନିର୍ବୋଧ ଏ ପୃଥିବୀରେ କେହି ନାହିଁ । ଯେଉଁ ପୁରୁଷ ନାରୀର ଦୁଃଖ କାହାଣୀ ଶୁଣି ତାଙ୍କ ପ୍ରତି ଦୟା ଦେଖାନ୍ତି, ପଛରେ ସେହିମାନେ ହିଁ ଅନୁତାପ କରନ୍ତି । ବହୁମୁଖୀ ନାରୀର ଚିନ୍ତାଧାରା । ବିକ୍ଷିପ୍ତ ତା’ର ଭାବନା । ସେଇ ଭାବନାରେ ସ୍ଥିରତା ନାହିଁ–ଅଛି କେବଳ ସ୍ୱାର୍ଥପର ନିତୀ, ଝଡ଼, ତରଙ୍ଗ । କିନ୍ତୁ ମୋ ଭଳି ଗୋଟିଏ ଶିକ୍ଷିତ ତରୁଣ ତୋତେ ଗଭୀର ବିଶ୍ୱାସ କରି ମରୀଚିକା ପଛରେ ଧାଇଁଥିଲା, ଯାହାକୁ ସତୀକନ୍ୟା ମନେ କରିଥିଲା ସେ ଯେ ଗୋପନରେ କେତେ ପୁରୁଷକୁ ଭଲ ପାଇପାରେ ତା’ର ଜ୍ୱଳନ୍ତ ଉଦାହରଣ ଆଜି ପାଇଲି ।

 

ରାଜେଶଭାଇଙ୍କ ତୁଣ୍ଡରେ ହାତଦେଇ ତାଙ୍କୁ ଆଉ କୁହାଇ ଦେଲିନି । ତାଙ୍କର ତିକ୍ତ–କଟୁବାକ୍ୟ ଶୁଣି ସାରିଲା ପରେ ମୋ ଦୁଇ ଆଖିର ଉପକୂଳେ ଶ୍ରାବଣର ବାରିଧାର ପରି ଲୁହଧାର ଗଡ଼ିପଡ଼ିଲା । କୋହମିଶା କଣ୍ଠରେ ତାଙ୍କର ହାତ ଧରି କହିଲି–ତମେ କେବଳ ନିଜ କଥା କହିଯାଉଛ, ଥରେ ମୋ କଥା ଶୁଣ ! ଥରେ ମୋତେ ବୁଝିବାକୁ ଚେଷ୍ଟାକର, ତମେ ଆମଘରେ ଦୀର୍ଘ ଛଅମାସ ରହିଲ, ମୋ ସାଥୀରେ ମନମିଳାଇ ଏତେ କଥାଭାଷା ହେବା ପରେ ତଥାପି ମୋତେ ଚିହ୍ନିପାରିଲ ନାହିଁ ? ଆମ ମନର ମିଳନରେ କାହିଁକି ଆଜି କଳଙ୍କି ଧରିଲା ? ଆମ ଦୁହିଁଙ୍କ ଭିତରେ ଏତେ ଆନ୍ତରିକତା ଥିବା ସତ୍ତ୍ୱେ ତମେ କିମିତି ଏତେ ଅବୁଝା ହେଉଛ ? ତମ ସହ ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇ ସାରିଲା ପରେ ମୁଁ ଅନ୍ୟ କାହାକୁ ଭଲ ପାଇବି ବୋଲି ତମେ ବିଶ୍ୱାସ କରିପାରୁଛ ? ତମେ ଯାହା ସନ୍ଦେହ କରୁଛ ତାହା ଭୁଲ, ମିଥ୍ୟା । ମୁଁ ତୁମଛଡ଼ା ଅନ୍ୟ କାହାକୁ ଭଲପାଏନା । ମୋ ମନ–ମନ୍ଦିରରେ କେବଳ ତମରି ପଦଚିହ୍ନ ରହିଛି ।

 

ସେ କିନ୍ତୁ ମୋ କଥା ଶୁଣିବାକୁ ମୋଟେ ପ୍ରସ୍ତୁତ ନଥିଲେ । ସେ ମୋ ହାତଟାକୁ ଛିଞ୍ଚାଡ଼ି ଦେଇ କହିଲେ–ଶେଷଥର ପାଇଁ କହୁଛି, ତୁ ମୋ ପାଖରୁ ଚାଲିଯା । ତୋର କୌଣସି ସଫେଇ ଶୁଣିବାକୁ ମୁଁ ଚାହେଁନା । ତଥାପି ତୁ ଯଦି ମୋତେ ବିରକ୍ତ କରିବାକୁ ଚାହୁଁ ତେବେ ମୁଁ ତମ ଘରଛାଡ଼ି ଚାଲିଯିବି ।

 

ଏହାକହି ସେ ବିଛଣାରୁ ଉଠି ପଡ଼ିଲେ । ମୁଁ ତାଙ୍କୁ ଧରି ବସାଇ ଦେଲି । କହିଲି–ତମେ ମୋ କଥା ତେବେ ଶୁଣିବ ନାହିଁ ?

 

ଦୃଢ଼ ଅଥଚ ଗମ୍ଭୀର କଣ୍ଠରେ କହିଲେ–ନା । ଗୋଟାଏ ନଷ୍ଟଚରିତ୍ର ତରୁଣୀର କଥା ଶୁଣିବାକୁ ମୁଁ ଚାହେନା । ତୋତେ ବିନୀତ ଅନୁରୋଧ କରୁଛି, ତୁ ମୋ ପାଖରୁ ଚାଲିଯା-

 

ତମେ ଏତେ ନିଷ୍ଠୁର, ନିର୍ମମ ! ତମେ ଯାହାକୁ ହୃଦୟ ଦେଇ ଭଲପାଅ, ଯାହାପାଇଁ ତୁମ ପ୍ରାଣ କାନ୍ଦେ, ତାକୁ ତମେ ନଷ୍ଟଚରିତ୍ର କହିପାରୁଛ ?

 

ରାଜେଶଭାଇ କାନରେ ହାତ ଦେଲେ ମୋ କଥା ନ ଶୁଣିବା ପାଇଁ । ମୁଁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ । ତଥାପି ମୁଁ ତ୍ରୁଟି କରିନି, ତାଙ୍କର ପାଦଧରି କେତେ କାନ୍ଦିଛି, ହାତଧରି କେତେ ବୁଝାଇଛି । ଆଖି ଲୁହରେ ପାଦ ଧୋଇ ଦେଇଛି, ତଥାପି ସେ ଅବୁଝା ହୋଇ ରହିଗଲେ । ପାଦ ଉପରୁ ମୋତେ ଠେଲି ଦେଇ ଆଲୁଅ ଲିଭାଇ ମୁହଁମାଡ଼ି ଶୋଇ ରହିଲେ ।

 

ସେଇ ନିବିଡ଼ ଅନ୍ଧକାର ଭିତରେ ମୁଁ ତାଙ୍କ ପାଖରେ ବସିପଡ଼ି କହିଲି–ମୋ କଥା ପଦେ ଶୁଣ ରାଜେଶଭାଇ ! ତା’ ପରେ ତମେ ଯାହା ଦଣ୍ଡ ଦେବ ମୁଁ ମଥାପାତି ଗ୍ରହଣ କରି ନେବି ।

 

ତଥାପି ତାଙ୍କର ପାଷାଣ ହୃଦୟ ତରଳିଲା ନାହିଁ । ମୋ ପ୍ରତି ସାମାନ୍ୟ ଦୟା ମଧ୍ୟ ହେଲା ନାହିଁ । ମୋର କାକୁତିମିନତି, ମୋର ଆକୁଳ ଅନୁରୋଧ, ମୋ ଆଖିର ଲୁହ ତାଙ୍କର ଦମ୍ଭପଣକୁ ବିଚଳିତ କରିପାରିଲାନି । ଶେଷରେ ତାଙ୍କର ଯିଦ୍ ବଜାୟ ରହିଲା । ତରୁଣୀ ଜୀବନର କାରୁଣ୍ୟ ତାଙ୍କର ନିର୍ମମ, ପାଷାଣ, ନିଷ୍ଠୁର ହୃଦୟରେ ଆଲୋକପାତ କରିପାରିଲାନି । ପାଦଉପରୁ ମୋତେ ଠେଲି ଦେଇ ମୁହଁ ବୁଲାଇ ଶୋଇ ରହିଲେ ।

 

ତାଙ୍କର ପାଦର ଆଘାତରେ ଖଟ ଉପରୁ ମୁଁ ତଳେ ପଡ଼ିଗଲି । ତଥାପି ସେ ଉଠିଲେ ନାହିଁ କି ଥରେ ଚାହିଁଲେ ନାହିଁ ।

 

ଅଗତ୍ୟା ମୁଁ ଫେରି ଆସିବାକୁ ବାଧ୍ୟ ହେଲି ।

 

ଅଗଣାରେ ଥିବା ବଉଳଗଛ ମୂଳେ ବସିଲି । ମନରେ ଅନେକ ଭାବନା । ଯେଉଁ ରାଜେଶଭାଇ ସହିତ ମନ ମିଳାଇ ଦୀର୍ଘ ଛଅଟି ମାସ କଟାଇଲି, ଯାହା ନିକଟରେ ମୋ କୁମାରୀ ଜୀବନର ଅଦେୟ କିଛି ନାହିଁ, ଯାହାକୁ ସର୍ବସ୍ୱ ଦେଇ ଏତେ ଆପଣାର କରିଥିଲି ସେ ପୁଣି ସନ୍ଦେହ, ଅବିଶ୍ୱାସ କରିପାରିଲେ ? ଅସତୀ ନଷ୍ଟଚରିତ୍ରା, ବ୍ୟଭିଚାରୀଣୀର ଆଖ୍ୟା ଦେଇ ପାରିଲେ ?

 

ପରପୁରୁଷ ସହିତ କଥାଭାଷା ହେଲେ କିମ୍ୱା ତାଙ୍କ ସହିତ ଗୋଟିଏ ରିକ୍‌ସାରେ ବସି ସିନେମା ଥିଏଟର ଗଲେ ଯଦି ନାରୀ ଅସତୀ ହୋଇଯାଏ ତେବେ ମୁଁ ଦୃଢ଼କଣ୍ଠରେ କହିବି–ଏ ପୃଥିବୀରେ ଗୋଟିଏ ହେଲେ ସତୀନାରୀ ନାହାନ୍ତି । ପୁରୁଷର ସ୍ପର୍ଶରେ ନାରୀ ଯଦି ବ୍ୟଭିଚାରିଣୀ, ଭ୍ରଷ୍ଟା ।

 

କେବଳ ରାଜେଶଭାଇ ନୁହନ୍ତି ଏ ଯୁଗର ପ୍ରତି ପୁରୁଷ ସନ୍ଦେହୀ । ନାରୀ ଓ ପୁରୁଷର ପବିତ୍ର ସମ୍ୱନ୍ଧକୁ ସନ୍ଦେହ ଚକ୍ଷୁରେ ଦେଖି ସେମାନେ ନିର୍ମଳ ବନ୍ଧନକୁ କଳଙ୍କିତ କରନ୍ତି । ସେଇ ପୁରୁଷ ଭିତରୁ ରାଜେଶଭାଇ ଜଣେ ପୁରୁଷ । ପୁଣି ପ୍ରେମିକ; ପ୍ରେମିକ ମାତ୍ରେ ହିଁ ସନ୍ଦେହୀ । ତେଣୁ ମୋତେ ସେ ସନ୍ଦେହ; ଅବିଶ୍ୱାସ କଲେ, ପାଦ ଉପରୁ ମୋତେ ଠେଲି ଦେଲେ, ମୋର ମନକଥା ସେ ଶୁଣିବାକୁ ଚାହିଁଲେ ନାହିଁ ।

 

ସେଦିନ ରାତିରେ ମୁଁ ଖାଇପାରିଲି ନାହିଁ କି ଶୋଇ ପାରିଲି ନାହିଁ । ରାଜେଶ ଭାଇ ଖାଇଲେ ନାହିଁ, ତେଣୁ ମୁଁ କେମିତି ଖାଇପାରିଥାନ୍ତି, କିନ୍ତୁ ରାଜେଶଭାଇ ନିଘୋଡ଼ ନିଦରେ ଶୋଇଗଲେ ସିନା, ମୋଆଖିକୁ ନିଦ୍ରା ଆସିଲା ନାହିଁ । ପ୍ରେମିକ ଯଦି ପ୍ରେମିକା ନାମରେ ମିଥ୍ୟା ରଟନା କରିପାରେ, ତା’ର ଚରିତ୍ରକୁ ସନ୍ଦେହ ଦୃଷ୍ଟିରେ ଦେଖିପାରେ ତେବେ ପ୍ରେମିକା ଆଖିରେ କିମିତି ନିଦ ହେବ କୁହନ୍ତୁ ? ରାଜେଶଭାଇଙ୍କ କଥା ମନେ ପଡ଼ୁଥିଲା ମୋର । ସେ କହିଥିଲେ–‘ତୁ ମୋର ପ୍ରେମିକା ନୁହଁ–ତୁ ମୋର ଶତ୍ରୁ ! ତୋ ରାଜେଶଭାଇ ଆଜିଠାରୁ ମରିଗଲା... ଇତ୍ୟାଦି ।

 

ରାତି ପାହିଲେ ତାଙ୍କୁ କିମିତି ମୁହଁ ଦେଖାଇବି ! ରାଜେଶଭାଇଙ୍କ ସହ ମନୋମାଳିନ୍ୟ କଥା ବାପା ମାଆ ଶୁଣିଲେ କଣ ଭାବିବେ ଏଇ ଚିନ୍ତାରେ ମୁଁ ମୂକ ପାଲଟି ଯାଇଥିଲି । ଶେଷକୁ ଠିକ୍‌କଲି, ପିତାମାତା ଓ ପିଲାମାନଙ୍କର ଜୀବନ ରକ୍ଷା କରିବାକୁ ହେଲେ ମୋତେ ଏ ଘର ପରିତ୍ୟାଗ କରିବାକୁ ପଡ଼ିବ । କାରଣ ରାଜେଶଭାଇ କହିଛନ୍ତି ‘ମୋ ଛାଇ ପଡ଼ିଲେ ସେ ଏ ଘର ଛାଡ଼ି ଚାଲିଯିବେ । ଯେଉଁ ରାଜେଶଭାଇଙ୍କୁ ସମ୍ୱଳ କରି ଏ ପରିବାର ବଞ୍ଚିରହିଛି ସେ ଚାଲିଗଲା ପରେ ଏ ପରିବାର ଚଳିବ କିମିତି ?

 

ତେବେ ଉପାୟ ?

 

ମୋ ପାଇଁ ଯଦି ଗୋଟିଏ ପରିବାର ଉଚ୍ଛନ୍ନ ହୋଇଯାଏ, ମୋ ପାଇଁ ଗୋଟିଏ ପରିବାରର ଦୁଃଖ, ବିରକ୍ତି ଅଶାନ୍ତିରେ କାଳାତିପାତି କରେ, ମୋ ପାଇଁ ରାଜେଶଭାଇ ଯଦି ଘରଛାଡ଼ି ଚାଲିଯାଆନ୍ତି ତେବେ ସେ ଘରେ ମୋର ରହିବାର ପ୍ରୟୋଜନ କଣ ? ତେଣୁ ମୁଁ ନିଷ୍ପତ୍ତି କଲି, ପିତା–ମାତା ଓ ଭାଇଭଉଣୀମାନଙ୍କୁ ସୁଖୀ କରିବାକୁ ହେଲେ ମୋତେ ଏ ଘର ଛାଡ଼ିବାକୁ ପଡ଼ିବ ।

 

ରାତି ସେତେବେଳକୁ କେତେ ହେବ ଠିକ୍ କହିପାରିବି ନାହିଁ, ପାଦ ଚିପି ଚିପି ରାଜେଶବାବୁଙ୍କ ଘରକୁ ଆସିଲି । ଲଣ୍ଠନ ଜଳାଇ ଘରକୁ ଆଲୋକିତ କଲି । ତାଙ୍କୁ ଚାହିଁଲି, ସେ ନିଘୋଡ଼ ନିଦରେ ଶୋଇଛନ୍ତି ।

 

ମୋ ପାଠପଢ଼ା ଖାତା ଭିତରୁ ଖଣ୍ଡେ କାଗଜ ଆଣି ତାଙ୍କ ପାଖକୁ ଚିଠି ଲେଖି ବସିଲି ।

 

ଅର୍ଦ୍ଧରାତ୍ର

 

ରାଜେଶଭାଇ !

 

ତମଠାରୁ ଆଜି ଶେଷ ବିଦାୟ ନେଉଛି । ମୁଁ ଜାଣେ, ମୋ ବିଦାୟରେ ତମେ ନିଶ୍ଚୟ ଖୁସୀ ହେବ । ତମେ ନିଜେ କହିଛ । ମୋ ଛାଇ ପଡ଼ିଲେ ତମେ ଏ ଘରଛାଡ଼ି ଚାଲିଯିବ । ତେଣୁ ରାତି ପାହିଲେ ତମକୁ କିମିତି ମୁହଁ ଦେଖାଇବି କହିଲ ? ଅଜାଣତରେ ମୋ ଛାଇ ଯଦି ତମ ଉପରେ ପଡ଼ିଯାଏ...

 

ମୋ ପିତାମାତାଙ୍କର ତମେ ଅତି ଆପଣାର ଓ ବିଶ୍ୱସ୍ତ ମଣିଷ । ତାଙ୍କ ମନରେ ଦୁଃଖ ନ ଦେବା ପାଇଁ ତମେ ନିଶ୍ଚୟ ଚେଷ୍ଟା କରିବ । ତମକୁ ଏବଂ ସେମାନଙ୍କୁ ସୁଖୀ କରିବାକୁ ମୁଁ ଘର ଛାଡ଼ୁଛି । ମୁଁ କୁଆଡ଼େ ଯିବି କିଛି ଠିକ୍‌ କରିନି ତଥାପି ମୋତେ ଯିବାକୁ ହେବ ।

 

ମୋ ମନରେ ଏତିକି ଦୁଃଖ ରାଜେଶଭାଇ, ତମେ ମୋତେ ବୁଝିବାକୁ ଚେଷ୍ଟା କଲନି । ତମେ ଡାକ୍ତର, ମୂକ ପଶୁପକ୍ଷୀଙ୍କ ହୃଦୟର ଅବ୍ୟକ୍ତ ବେଦନା ବୁଝିପାରୁଛ ଅଥଚ ମୁଁ କଣ୍ଠ ଫଟାଇ ଚିତ୍କାର କଲେ ମଧ୍ୟ ମୋ ଅନ୍ତର୍ବେଦନା ବୁଝିପାରୁନ କିମିତି ? ଜାଣି କରି ଅବୁଝା ହେଉନା ତ ?

 

ତମେ ମୋର କୌଣସି ବେଦନା ଅନୁଭବ କଲ ନାହିଁ; ମୋର କୌଣସି କଥାକୁ ବିଶ୍ୱାସ କଲ ନାହିଁ । ମୋତେ କେବଳ ସନ୍ଦେହ ଚକ୍ଷୁରେ ଦେଖିଲ । ଭଗବାନଙ୍କ ଦ୍ୱାହି ଦେଇ ମୁଁ କହୁଛି ମୁଁ ତମ ଛଡ଼ା ଆଉ କାହାକୁ ଭଲପାଏ ନାହିଁ । ମୁଁ ତମକୁ ଗଭୀର ଭକ୍ତି କରେ, ବିଶ୍ୱାସ କରେ, ସମ୍ମାନ କରେ ! ତଥାପି ତମେ ମୋତେ ସନ୍ଦେହ ଚକ୍ଷୁରେ ଦେଖିଲ, ମୋ ଚରିତ୍ରକୁ କୁତ୍ସିତ ରୂପ ଦେଲ, ତଥାପି ମୋର ଦୁଃଖ ନାହିଁ । ତମେ ବଡ଼ ଲୋକ, ତମେ ଯାହା କହିବ ସମସ୍ତେ ବିଶ୍ୱାସ କରିବାକୁ ବାଧ୍ୟ । ଆଉ ମୁଁ କଣ୍ଠ ଫିଟାଇ ଯେତେ ଚିତ୍କାର କଲେ ମଧ୍ୟ ମୋ ବକ୍ତବ୍ୟ ଶୁଣିବାକୁ କେହି କର୍ଣ୍ଣପାତ କରିବେ ନାହିଁ ।

 

ଭୁଲ ବୁଝାମଣା ହେତୁ ମୋ ଜୀବନର ଗତିଧାରା ପରିବର୍ତ୍ତନ ହୋଇଗଲା ଓ ତମେ ମୋତେ ସନ୍ଦେହ କଲ । ତମେ ବିଶ୍ୱାସ କର କିମ୍ୱା ନକର ବିଦାୟ ମୁହୂର୍ତ୍ତରେ ମୁଁ ସତ କହୁଛି, ସୁଶାନ୍ତକୁ ମୁଁ ଭଲ ପାଏ ନାହିଁ–ପ୍ରେମ କରେ ନାହିଁ । ଭଲ ପାଇବା ଓ ପ୍ରେମ କରିବାର ଅର୍ଥ ସୁଶାନ୍ତ ଭଳି ନିର୍ବୋଧ ସତର ବର୍ଷର କିଶୋର କଣ ବୁଝି ପାରିବ ? କିଶୋର ସୁଲଭ ଚପଳତା ତଥା ସଂସାର ବିଷୟ ଅନଭିଜ୍ଞ କିଶୋରକୁ କଣ ପ୍ରେମ କରିହୁଏ ? କିନ୍ତୁ ସୁଶାନ୍ତ ତମ ଆଖିରେ ଏକ ତରୁଣ । ନୁହେଁ-

 

ଅନେକ କଥା କହିବାକୁ ଥିଲା ରାଜେଶଭାଇ ! କିନ୍ତୁ ତମେ ମୋ କଥା ଶୁଣିଲନି । ତେଣୁ ମୋର ଅଭିବ୍ୟକ୍ତି ପ୍ରକାଶ କରି ପାରିଲି ନାହିଁ । କିନ୍ତୁ ଆଜି ବିଦାୟ ମୁହୂର୍ତ୍ତରେ ମୋର ଅଭିବ୍ୟକ୍ତ ପ୍ରକାଶ ନ କଲେ ମୁଁ ଶାନ୍ତିରେ ରହିପାରିବିନି । ତମେ ବି ମୋତେ ଠିକ୍ ବୁଝି ପାରିବନି । ଯେଉଁକଥା ତୁଣ୍ଡରେ ବ୍ୟକ୍ତ କରି ହୁଏନା ତାକୁ କାଗଜ କଲମର ରୂପ ଦେଇ ହୁଏ । ତେଣୁ ଯେଉଁକଥା ମୁଁ ତମକୁ କହି ପାରି ନଥିଲି ଆଜି ସେଇକଥା ଲେଖୁଛି-

 

ମୋ କୁମାରୀ ଜୀବନର ତମେ ଥିଲ ମହାର୍ଘ ପୁରୁଷ । ମୋ ମନମନ୍ଦିରର ତମେ ଥିଲ ଆରାଧ୍ୟ ଦେବତା । ତମ ଛଡ଼ା ମୋ ହୃଦୟ ମନ୍ଦିରରେ କାହାର ପାଦସ୍ପର୍ଶ ହୋଇନି । ମୋ କୁମାରୀ ଜୀବନର ତମେ ହେଉଛ ପ୍ରଥମ ପୁରୁଷ । ପ୍ରଥମ କରି ମୁଁ ଆତ୍ମହରା ହୋଇଛି, ଜୀବନକୁ ସୁଖମୟ ମଣିଛି–ମୋ କୁମାରୀ ଜୀବନ ସ୍ୱାର୍ଥକ ହୋଇଛି । ଏବେ ବି ତମର ସ୍ପର୍ଶରେ ସିତ୍କାର ମୋର ଅଙ୍ଗ–ଅବୟବରେ ଶିହରଣ ଖେଳୁଛି । କିନ୍ତୁ ତାହା କ୍ଷଣିକ, ଅଳିକ, ଭବିଷ୍ୟତ ଜୀବନ ପାଇଁ ତାହା ମୂଲ୍ୟହୀନ ।

 

ତମକୁ ପାଇ ମୁଁ ଭାବିଥିଲି, ମୋର ଜୀବନଟା ସୁଖରେ; ବିତିଯିବ । ଭବିଷ୍ୟତ ଜୀବନ ସୁଖରେ କଟାଇବି ବୋଲି କେତେ କଳ୍ପନା କରିଥିଲି । କିନ୍ତୁ ମୋ ଭାଗ୍ୟରେ ସେ ସୁବର୍ଣ୍ଣ ସୁଯୋଗର ଦିନ ଉଦୟ ହେଲା ନାହିଁ । ଯାହାର ଜୀବନଟା ହନ୍ତସନ୍ତ ହୋଇ କଟିବା ପାଇଁ ନିୟତିର ନିର୍ଦ୍ଦେଶ, ସେ ସୁଖ ପାଇବ କେଉଁଠୁ ? ଏ ସବୁ ଭାଗ୍ୟର ଲିଖନ ରାଜେଶଭାଇ ! ନ ହେଲେ ସମମାନ୍ୟ ଭୁଲ ବୁଝାମଣା ଆମ ଜୀବନରେ ଏପରି ବିପର୍ଯ୍ୟୟ ଆଣି ନଥାନ୍ତା ।

 

ଶେଷ ବିଦାୟ ନେବା ପୁର୍ବରୁ ମୋର ଗୋଟିଏ ଅନୁରୋଧ ରଖିବ ରାଜେଶଭାଇ ! ତମରି ଉପରେ ମୋର ବୃଦ୍ଧ ପିତାମାତା ଓ ସାନ ଭାଇ ଭଉଣୀଙ୍କ ସମସ୍ତ ଦାୟିତ୍ୱର ଅର୍ପଣ କରି ଯାଉଛି । ସେମାନେ ଯେପରି ଦୁଃଖ ନ କରିବେ ସେଥିପ୍ରତି ତମେ ତୀକ୍ଷଣ ଦୃଷ୍ଟିଦେବ ।

 

ତମରି ପାଦଧୂଳିକୁ ପାଥେୟ କରି ସୁଦୀର୍ଘ ଜୀବନର ଚଲାପଥରେ ମୁଁ ଚାଲିଲି । ତମେ ମୋତେ ଏତିକି ଆଶୀର୍ବାଦ କର, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ମୋ ଗୋଡ଼ରେ କଣ୍ଟା ନ ବାଜୁ । ମୋତେ ଖୋଜିବାକୁ ଚେଷ୍ଟା କରିବ ନାହିଁ । ଖୋଜିଲେ ମଧ୍ୟ ନିରାଶ ହେବ । ଆଜି ଏତିକି । ବିଦାୟ-।। ଇତି ।

 

ତମର ସାବୀ

 

ଚିଠିଟିକୁ ଲେଖି ରାଜେଶଭାଇଙ୍କ ମୁଣ୍ଡ ପାଖରେ ରଖି ତାଙ୍କର ପାଦଧୂଳିକୁ ପାଥେୟ କରି ମୁଁ ଘର ଛାଡ଼ିଲି ।

 

ରାତି ସେତେବେଳକୁ ସରି ସରି ଆସୁଥାଏ । ପୁର୍ବାକାଶରେ ଉଦୟ ସୂର୍ଯ୍ୟର ଲୋହିତ କିରଣ ଆକାଶକୁ ଲାଲରଙ୍ଗରେ ଅତି–ରଞ୍ଜିତ କରିଥାଏ ।

 

ମନରେ ଅଶେଷ ଚିନ୍ତା ନେଇ ମୁଁ ଘରୁ ବାହାରି ଆସି କେତେବେଳେ ଯେ ନଦୀକୂଳରେ ସ୍ନାନ କରୁଥିବା ବୋହୂ–ଭୁଆଷୂଣୀଙ୍କର କୋଳାହଳ ଶୁଣି ମୁଁ ଚମକି ପଡ଼ିଲି । ଗ୍ରାମ୍ୟର ପରିଚିତ ବ୍ୟକ୍ତି କିଏ ମୋତେ ଏତେ ସକାଳୁ ନଦୀକୂଳରେ ବୁଲୁଥଇବାର ଦେଖି ନେବ, ଏଇ ଭୟରେ ମୁଁ ସେଠାରେ ଆଉ ରହିପାରିଲି ନାହିଁ ।

 

ସକାଳର ପ୍ରଥମ ବସ୍‌ରେ ମୁଁ ଆସିଲି କଟକ ।

 

ତା’ପରେ ମୁଁ କୁଆଡ଼େ ଯିବି । କଣ କରିବି କିଛି ସ୍ଥିର କରିପାରିଲି ନାହିଁ । ଉଦରର କ୍ଷୁଧା ପ୍ରବଳରୁ ପ୍ରବଳତର ହୋଇ ବଢ଼ି ଉଠୁଥାଏ । ସହରର କେତେକ ଯୁବକ ମୋର ଗତିବିଧି ଲକ୍ଷ୍ୟ କରି ମୋର ଅନୁସରଣ କଲେ । ମୋର ପରିଚୟ ଜାଣିବାକୁ ଚାହିଁଲେ, ସାହାଯ୍ୟ କରିବାକୁ ତତ୍ପର ହୋଇ ଉଠିଲେ । ସମବେଦନା ଜଣାଇବାକୁ ପ୍ରତିଦ୍ୱନ୍ଦିତା କରି ବସିଲେ । ସେମାନଙ୍କ ଇନ୍ଦ୍ରଜାଲରୁ ମୁଁ ଛୁଟି ଆସିଲି ଦୂରକୁ ।

 

ଦିନ ଯାଇ ରାତି ହେଲା । ଇମିତି ବୁଲୁ ବୁଲୁ କେତେବେଳେ ନଦୀକୂଳକୁ ଚାଲି ଆସିଛି ମୁଁ ଜାଣେ ନା । ତା’ପରର ଘଟଣା ଆପଣ ତ ସବୁ ଜାଣନ୍ତି...

 

ସ୍ୱପ୍ନା ଦୀର୍ଘନିଶ୍ୱାସ ନେଲା ।

 

କୁମାର ସ୍ୱପ୍ନାକୁ ଚାହିଁ ଭାବୁଥିଲା କି କରୁଣ ଆଉ ମର୍ମସ୍ପର୍ଶୀ ସ୍ୱପ୍ନା ଜୀବନର କାହାଣୀ । ନିରାଶ୍ରୟା ତରୁଣୀ । ସମସ୍ତେ ଥାଇ ସେ ଆଜି ନିଃସ୍ୱ, ସମ୍ୱଳହୀନ...

 

କୁମାର କହିଲା–ସତରେ ସ୍ୱପ୍ନା ! ତମ ଜୀବନର କରୁଣ କାହାଣୀ ଖୁବ୍ ହୃଦୟସ୍ପର୍ଶୀ । ମୋ ମତରେ ତମେ ଭୁଲ କରିଛ ସ୍ୱପ୍ନା । ରାଜେଶବାବୁଙ୍କ ଉପରେ ଅଭିମାନ କରି ତମେ ଘରଛାଡ଼ି ଚାଲିଆସିବା ମୋଟେ ଉଚିତ ହେଲାନି । ମଣିଷ ପାଖରୁ ମଣିଷ ଦୂରେଇ ଆସିଲେ କୌଣସି ସମସ୍ୟାର ସମାଧାନ ହୋଇ ପାରେନା । ପାଖରେ ରହି ରାଜେଶବାବୁଙ୍କ ଯୁବକ ମନକୁ ଜୟ କରିବାକୁ ଚେଷ୍ଟା କରିଥାଆନ୍ତ । ପ୍ରେମିକା ଯଦି ପ୍ରେମିକାକୁ ପ୍ରଣୟ ଡୋରିରେ ବାନ୍ଧିରଖି ପଣତ ଉହାଡ଼ରେ ନ ରଖି ପାରିଲା ତେବେ ସେ ପ୍ରେମିକା ଉପବାଚ୍ୟ ନୁହେଁ...

 

ଆପଣ ବି ଶେଷକୁ ମୋତେ ଭୁଲ ବୁଝିଲେ ? ଆପଣ ତେବେ କୁହନ୍ତୁ; ମୁଁ କଣ ବା କରି ପାରିଥାନ୍ତି ? ନାରୀ ଯୁଗେ ଯୁଗେ ଦୁର୍ବଳା ! ଯେଉଁମାନେ ନାରୀ ସବଳା ବୋଲି କହି ହୁଅନ୍ତି ସେମାନେ ଭୀଷଣ ଭାବେ ମିଛ କୁହନ୍ତି । ନାରୀ ରୂପବତୀ, ଗୁଣବତୀ, ଧନବତୀ, ସମ୍ମାନସ୍ପଦା ହେଲେ ବି ପୁରୁଷର ଅବଲମ୍ୱନ ବିନା ସେ ମୁହୂର୍ତ୍ତେ ଚଳି ପାରିବନି । ଯେଉଁ ନାରୀର ପୂର୍ଣ୍ଣ ସ୍ୱଧୀନତା ନାହିଁ ସେ କଣ ବା କରିପାରିବ ? ପଲ୍ଲୀଗ୍ରାମର ଯୁବତୀ କନ୍ୟା ମୁଁ । ଚାରିକାନ୍ଥର ଆବେଷ୍ଟନୀ ଭିତରେ ମୁଁ ବନ୍ଦିନୀ । ମୋର ସ୍ୱାଧୀନତା ନାହିଁ । କଥା କହିବାର ଅଧିକାର ନାହିଁ । ଯୁଗେ ଯୁଗେ ନାରୀ ଲତା ହୋଇ ପୁରୁଷର ସାହାଯ୍ୟ, ଅବଲମ୍ୱନ ଦ୍ୱାରା ବଞ୍ଚିରହେ । ଲତା ଯାହାର ଆଶ୍ରୟ ପାଏ ତାକୁ ଛାଡ଼ି ସେ କୁଆଡ଼େ ଯାଇପାରେନା । ଠିକ୍ ସେମିତି ରାଜେଶଭାଇଙ୍କୁ ମୋ ଜୀବନର ଶ୍ରେଷ୍ଠ ଅବଲମ୍ୱନ ବୋଲି ମନେ କରି ତାଙ୍କୁ ଧରି ରଖିଥିଲି, କିନ୍ତୁ ସେ ଯଦି ମୋ ନାମରେ କଳଙ୍କ ରଟନା କରି ଦୂରେଇ ଦେଇ ପାରିଲେ, ତେବେ କଣ ପାଇଁ ବଞ୍ଚି ରହିଥାନ୍ତି କୁହନ୍ତୁ-

 

ସ୍ୱପ୍ନାର ଚକ୍ଷୁ କୋଣରେ ଲୁହ ଦେଖାଗଲା ।

 

କୁମାର ସ୍ୱପ୍ନାକୁ ଟାଣି ଆଣିଲା ବୁକୁ ଉପରକୁ । ବାହୁ–ବନ୍ଧନ ଭିତରେ ନିବିଡ଼ ଭାବରେ ଚାପିଧରି ସ୍ୱପ୍ନା ଆଖିରୁ ଲୁହ ପୋଛି ଦେଇ କୁମାର କହିଲା–ତମର କାହାଣୀ ଶୁଣି ମୁଁ ଦୁଃଖିତ ସ୍ୱପ୍ନା-! ଅଠର ବର୍ଷର ତରୁଣୀର ଜୀବନରେ ଏତେ କାରୁଣ୍ୟ ଭରା କାହାଣୀ ଲୁକ୍‍କାୟିତ ହୋଇ ରହିଛି ଏହା କେହି ବିଶ୍ୱାସ କରିପାରିବେ ନାହିଁ । ସତରେ ! ତମପାଇଁ ମୁଁ ଭୀଷଣ ଦୁଃଖିତ । ତମର ସମସ୍ତେ ଅଛନ୍ତି ଅଥଚ ତମେ ଆଜି ନିଃସ୍ୱ, ନିରାଶ୍ରୟା, ସମ୍ୱଳହୀନା ।

 

ଦଣ୍ଡେ ରହି କୁମାର କହିଲା, ତମ ଜୀବନର ଗୋପନ କାହାଣୀ ନିଃସଙ୍କୋଚରେ ପ୍ରକାଶ କରିଦେଲ, କିନ୍ତୁ ତମର ଜନ୍ମସ୍ଥାନ, ଗ୍ରାମ, ପିତାମାତାଙ୍କ ନାମ କହିଲ ନାହିଁତ ?

 

ସ୍ୱପ୍ନା ମୁକୁଳି ଆସିଲା କୁମାର ବାହୁବନ୍ଧନରୁ । କହିଲା–ପିତାଙ୍କ ନାମ ଓ ଘର ଠିକଣା ଜାଣିଲେ ଆପଣଙ୍କର କିଛି ଉପକାରରେ ଆସିବ ନାହିଁ । ତେଣୁ ତାହା ନ ଶୁଣିବା ଭଲ ।

 

କୁମାର ହସିଲା । କହିଲା–ଅତୀତ ଜୀବନରେ ପ୍ରେମିକର ଇତିବୃତ୍ତି, କାର୍ଯ୍ୟକଳାପ ସବୁ କହିବାକୁ ସଂକୋଚ ମନେକଲ ନାହିଁ ଅଥଚ ପିତାଙ୍କ ନାମ କହିବାକୁ ଏତେ ଭୟ ?

 

ସ୍ୱପ୍ନା କହିଲା–ଆପଣଙ୍କର ଜାଣିବାକୁ କାହିଁକି ଏତେ ଯିଦ୍ ତାହା ମୁଁ ଜାଣେ । ଆପଣ ଯଦି ବାଧ୍ୟକରି ଜାଣିବାକୁ ଚାହାନ୍ତି ତେବେ ଶୁଣନ୍ତୁ–ମୋର ଘର କଟକ ସହରଠାରୁ ପ୍ରାୟ ୪୦ ମାଇଲ ଦୂରବର୍ତ୍ତୀ ଏକ ନିକାଞ୍ଚନ ପଲ୍ଲୀଗ୍ରାମରେ । ଗ୍ରାମର ନାମ କୁସୁପୁର, ଆଉ ପିତାଙ୍କ ନାମ ନବୀନଚନ୍ଦ୍ର ଦାସ ।

 

ସ୍ୱପ୍ନା ଏତିକି କହି ନୀରବ ରହିଲା ।

 

କୁମାର ହାତଘଣ୍ଟାକୁ ଚାହିଁ କହିଲା–ଆରେ ସାଢ଼େଚାରିଟା ବାଜିଲାଣି ଯେ ? ତମ କାହାଣୀ ଶୁଣୁ ଶୁଣୁ ଗୋଟାଏ ରାତି ବିତିଗଲା ।

 

ପାହାନ୍ତି କାକପକ୍ଷୀର କଳରବ ଶୁଣାଗଲା ।

 

ସ୍ୱପ୍ନା ବାହାରକୁ ଉଠି ଆସିଲା ।

 

ପୂର୍ବକାଶରେ ଉଦୟ ସୂର୍ଯ୍ୟର ଲୋହିତ କିରଣ ଆକାଶକୁ ଆଚ୍ଛନ୍ନ କରି ରଖିଥିଲା ।

 

ଲଫାପା ଉପରେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତିର ହାତ ଲେଖା ଅକ୍ଷର ଦେଖି ନବୀନବାବୁ ଆଗ୍ରହ ସହକାରେ ଚିଠିଟିକୁ ଖୋଲି ପଢ଼ି ବସିଲେ ।

 

ଚିଠିଟି ପଢ଼ି ସାରିବା ପରେ ସଦା ବିରସ ମୁଖମଣ୍ଡଳ ତାଙ୍କର ଉଜ୍ଜ୍ୱଳ ଦୀପାଲୋକ ପରି ଉଚ୍ଛୁଳି ଉଠିଲା । ବିଛଣାରୁ ଉଠିପଡ଼ି ଉଚ୍ଚକଣ୍ଠରେ ଡାକିଲେ–ଶୁଣୁଚ ସାବୀ ବୋଉ !

 

ସ୍ୱାମୀଙ୍କର ଉଚ୍ଚସ୍ୱରରେ ଡାକିବାର ମର୍ମ କିଛି ବୁଝି ନ ପାରିଲେ ମଧ୍ୟ ସାବୀବୋଉ ଦଉଡ଼ି ଆସିଲେ ସ୍ୱାମୀଙ୍କ ପାଖକୁ । ସ୍ୱାମୀଙ୍କ ହାତରେ ଚିଠି ଦେଖି କହିଲେ–କିଏ ଚିଠି ଦେଇଛି । କେଉଁଠୁ ଚିଠି ଆସିଛି...

 

ଅଫୁରନ୍ତ ଆନନ୍ଦରେ ହସୁଥିଲେ ନବୀନବାବୁ !

 

ଆରେ, କହୁନା କାହିଁକି ? ଚିଠି କିଏ ଦେଇଛି ?

 

ପରମ ଆତ୍ମାତୃପ୍ତିରେ ହସି ହସି ନବୀନବାବୁ କହିଲେ–ଚିଠିଟି କଟକରୁ ଆସିଛି । ଧରଣୀବାବୁ ବୋଲି ଜଣେ କିଏ ବଦାନ୍ୟବ୍ୟକ୍ତି ଚିଠିଟି ଦେଇଛନ୍ତି । ସାବିତ୍ରୀ ତାଙ୍କରି ଘରେ ଅଛି ।

 

ସାବୀ ତାଙ୍କ ଘରେ ଅଛି ? ବିସ୍ମିତ କଣ୍ଠରେ ସେ ପଚାରି ଉଠିଲେ ।

 

ହଁ ତାଙ୍କ ଘରେ ଅଛି । ଆତ୍ମହତ୍ୟା କରିବା ସମୟରେ ପାଣିରୁ ଉଦ୍ଧାର କରିଛନ୍ତି ସେ । ସେ ଲେଖିଛନ୍ତି, ଆପଣ ଆସି ସାବୀକୁ ନେଇଯାଆନ୍ତୁ । ରାଜେଶକୁ ମଧ୍ୟ ଯିବାକୁ ଲେଖିଛନ୍ତି ।

 

ଦୀର୍ଘ ଛଅମାସ ଧରି ଯେଉଁ ପରିବାରରେ ଗଭୀର ଶୋକଛାୟା ଖେଳିଯାଇଥିଲା ସାବିତ୍ରୀର ବଞ୍ଚିଥିବା ସମ୍ବାଦ ଶୁଣି ସେଇ ପରିବାରରେ ଆନନ୍ଦର ଜୁଆର ଖେଳିଗଲା ।

 

ରାଜେଶ ଏଇ ସମ୍ୱାଦ ଶୁଣିଲା ପରେ ତା’ର ତରୁଣ ସୁଲଭ ଶିରାପ୍ରଶିରାରେ ଏକ ରୋମାଞ୍ଚକର ଶିହରଣ ଖେଳିଗଲା ।

 

ଦୀର୍ଘ ଛଅମାସ ତଳର ଘଟଣାଗୁଡ଼ିକ ମନେ ପଡ଼ିଗଲା ତା’ର । ସାମାନ୍ୟ ଭୁଲ ବୁଝାମଣା, ବୃଥା ସନ୍ଦେହ ଯୋଗୁ ସାବିତ୍ରୀକୁ ସେ ଅପମାନିତ କରିଥିଲା, ତିରସ୍କାର କରିଥିଲା, ଅସତୀ ଚରିତ୍ରହୀନାର ଆଖ୍ୟା ଦେଇଥିଲା ।

 

ସାବିତ୍ରୀ ଯେତେ ବୁଝାଇବାକୁ ଚାହିଁ ଥିଲା, ସେ ବୁଝି ନ ଥିଲା କି ଶୁଣି ନ ଥିଲା ତା’ର ଅଭିବ୍ୟକ୍ତି । ସାବିତ୍ରୀ ଘର ଛାଡ଼ି ଚାଲିଗଲା ପରେ ଓ ସାବିତ୍ରୀ ଚିଠି ପଢ଼ିବା ପରେ ସେ ଅନୁତାପ କରିଥିଲା, ଭୀଷଣ ଦୁଃଖିତ ହୋଇଥିଲା । କଟୁବାକ୍ୟ, ଅପମାନ ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରିବାକୁ ଘର ଛାଡ଼ିଥିଲା ବୋଲି ଧାରଣା କରି ନେଇଥିଲା ।

 

ସାବିତ୍ରୀର ଅନ୍ତର୍ଦ୍ଧାନ ପରେ ତା’ର ପିତାମାତା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ସବୁବେଳେ ତାଙ୍କର ଗୋଟିଏ ଚିନ୍ତା, ସାବୀ ଘରଛାଡ଼ି ଚାଲିଯିବାର କାରଣ କଣ ? କେଉଁ ରହସ୍ୟ ଏହା ଭିତରେ ଲୁଚି ରହିଛି । ଦୀର୍ଘ ଅଠରବର୍ଷ ଅନୁଢ଼ା କନ୍ୟା, ପିତାମାତାଙ୍କ ସାମନାରେ ଠିଆହୋଇ ଯିଏ ଦିନେ କଥା କହିବାକୁ ସାହସ କରିନି, ସେଇ ବାଧ୍ୟ ସନ୍ତାନ କୌଣସି କାରଣ ନ ଥାଇ, କାହାକୁ କିଛି ନ ଜଣାଇ ଘର ଛାଡ଼ି ଚାଲିଯାଇ ପାରିଲା ?

 

ରାଜେଶ ନିରାଟ ସତ୍ୟକୁ ଗୋପନ ରଖି କହିଥିଲା–ପରିବାରର ଦାରୁଣ ଅଭାବମୟ ପରିସ୍ଥିତି ଓ ତା’ ବିବାହର ଯୌତୁକ ଦାବୀ ପାଇଁ ସେ ଆପଣମାନଙ୍କୁ ସେଇ ଗୁରୁଦାୟିତ୍ୱରୁ ମୁକ୍ତ କରି ଘର ଛାଡ଼ିଛି ବୋଧହୁଏ ! ନ ହେଲେ ଘର ଛାଡ଼ିବାର କୌଣସି କାରଣ ତ ଜଣା ଯାଉନି ?

 

ନବୀନବାବୁ କିନ୍ତୁ ରାଜେଶର ଯୁକ୍ତିକୁ ସ୍ୱୀକାର କରି ନ ଥିଲେ ।

 

ନିଜକୁ ନିଷ୍କଳଙ୍କ ରଖିବାକୁ ରାଜେଶ ସିନା ଏ କଥା କହିଥିଲା କିନ୍ତୁ ତା’ର ବିବେକ ପ୍ରତିବାଦିତ କରି ଉଠିଥିଲା । ସାବିତ୍ରୀର ଅର୍ନ୍ତଦ୍ଧାନ ପାଇଁ ନିଜକୁ କେବଳ ସେ ଦାୟୀ କରୁଥିଲା ।

 

ସାବିତ୍ରୀର ଉପସ୍ଥିତିରେ ଦିନଗୁଡ଼ାକ ସୁଖରେ ବିତି ଯାଉଥିଲା । କିନ୍ତୁ ସାବିତ୍ରୀର ଅନୁପସ୍ଥିତିରେ ନିଜ ଅର୍ନ୍ତବେଦନା ମର୍ମେ ମର୍ମେ ଅନୁଭବ କରୁଥିଲା ସେ । ନିରୋଳାରେ ଅନେକ ଚିନ୍ତା କରିଛି । ଅଚାନକ ଏସବୁ ଘଟଣା କାହିଁକି ଘଟିଗଲା ? ଏଥିପାଇଁ ଦାୟୀ କିଏ ?

 

ସାବିତ୍ରୀର ଅର୍ନ୍ତଦ୍ଧାନ ପରେ ବିସ୍ମୟରେ ସେ ବିମୂଢ଼ ହୋଇ ଉଠିଥିଲା । ସାବିତ୍ରୀକୁ ତିକ୍ତ କଟୁବାଣୀ କହିଥିବାରୁ ସେ ଅନୁତାପ କରିଥିଲା ।

 

ସାବିତ୍ରୀ ଚାଲିଗଲା ।

 

ଚିଠି ଲେଖି ଜଣାଇଥିଲେ–‘ମୋତେ ଖୋଜିବନି ରାଜେଶଭାଇ ଖୋଜିଲେ ନିରାଶ ହେବ ।’ ତଥାପି ସେ ଖୋଜିଥିଲା, ଭୋକଶୋଷ ଭୁଲି ଯାଇଥିଲା । ଅକ୍ଳାନ୍ତ ପରିଶ୍ରମ କରି ସାଙ୍ଗସାଥୀମାନଙ୍କ ସହ ଅନେକ ତଦନ୍ତ କରିଥିଲା । କିନ୍ତୁ ସାବିତ୍ରୀର ସନ୍ଧାନ ପାଇପାରି ନ ଥିଲା । ସେ ନିଶ୍ଚିନ୍ତ ଭାବେ ଅନୁମାନ କରି ନେଇଥିଲା ସାବିତ୍ରୀ ନିଶ୍ଚୟ ଆତ୍ମହତ୍ୟା କରିଛି ।

 

ପ୍ରଥମେ ଭାବିଥିଲା, ନବୀନବାବୁଙ୍କ ଘର ଛାଡ଼ି ସେ ଚାଲିଯିବ । ଯେଉଁ ମାୟା, ମମତା, ସ୍ନେହ, ପ୍ରେମ, ଭକ୍ତି, ପାଇଁ ସେ ଏଠାରେ ପଡ଼ି ରହିଥିଲା, ଯେଉଁ ତରୁଣୀର ଆକର୍ଷଣୀ ଶକ୍ତିରେ ସେ ନିଜ ପରିବାରକୁ ଭୁଲିଯାଇ ନବୀନବାବୁଙ୍କ ପରିବାରକୁ ନିଜ ପରିବାର ବୋଲି ମନେ କରିଥିଲା, ସେହି ପରିବାରର ତରୁଣୀ କନ୍ୟା ଏହି ଘର ଛାଡ଼ି ଅର୍ନ୍ତଦ୍ଧାନ ହୋଇଯିବା ପରେ କେଉଁ ସ୍ନେହ ମମତାର ଜାଲରେ ବାନ୍ଧିହୋଇ ରହିବ ସେ ? ଘର ଛାଡ଼ି ଚାଲିଯିବା ପାଇଁ ଅନେକଥର ନିଷ୍ପତ୍ତି ନେଇଛି । ଏଇକଥା କହିବା ପାଇଁ ନବୀନବାବୁଙ୍କ ପାଖକୁ ଯାଇଛି, କିନ୍ତୁ ତୁଣ୍ଡ ଖୋଲି କହିପାରିନି ସେ । ଠିକ ସେତିକିବେଳେ ସାବିତ୍ରୀର କଥା ତା’ର ମନେ ପଡ଼ିଯାଏ । ସାବିତ୍ରୀ ଲେଖିଥିଲା-‘ମୋ ପିତାମାତାଙ୍କର ସମସ୍ତ ଦାୟିତ୍ୱ ତମ ଉପରେ ଅର୍ପଣ କରି ମୁଁ ବିଦାୟ ନେଉଛି । ସେମାନେ ଯେପରି ଅଭାବ ଅସୁବିଧା ଉପଲବ୍‌ଧି ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବ ।’ ଏଇକଥା ମନେ ପଡ଼ିଯିବା କ୍ଷଣି ସେ କିଛି କହିପାରେନା ନବୀନବାବୁଙ୍କୁ । ତୁଣ୍ଡକଥା ତୁଣ୍ଡରେ ରହିଯାଏ । ନୀରବରେ ଲେଉଟି ଆସେ ସେ ।

 

ସାବିତ୍ରୀକୁ ସେ ଭଲ ପାଉଥିଲା । ସାବିତ୍ରୀକୁ ସେ ବିବାହ କରିବ ବୋଲି ସ୍ୱୀକୃତି ଦେଇଥିଲା । ସାବିତ୍ରୀ ପ୍ରତି ତା’ର ଗଭୀର ବିଶ୍ୱାସ ଥିଲା । ସାବିତ୍ରୀକୁ ପ୍ରଥମ ସ୍ପର୍ଶ କରି ସେ ଅନୁଭବ କରିଥିଲା ସେ ସତୀକନ୍ୟା । ସରଳ, ନିଷ୍କପଟ ମନପ୍ରାଣ ଦେଇ ସାବିତ୍ରୀ ମଧ୍ୟ ତାକୁ ଭଲ ପାଇଥିଲା । ତା’ ଭଲ ପାଇବାରେ ଆବିଳତା ନ ଥିଲା, ଛଳନା ନ ଥିଲା, ପ୍ରତାରଣା ନ ଥିଲା । ନିର୍ମଳ ପବିତ୍ର ଥିଲା ତା’ର ଭଲ ପାଇବା । ଅଥଚ ସେ ଦିନଟାରେ କି ଅଶୁଭ ମୁହୂର୍ତ୍ତରେ ସୁଶାନ୍ତକୁ ତା’ ପାଖରେ ବସି ରହିଥିବାର ଦେଖି ତା’ର ସନ୍ଦେହ ହୋଇଥିଲା–ଅବିଶ୍ୱାସ ଆସିଥିଲା । ତେଣୁ ସେ ସାବିତ୍ରୀକୁ ଅଶ୍ରାବ୍ୟ ଭାଷାରେ କଟୁବାକ୍ୟ କହି ତିରସ୍କାର କରିଥିଲା, ଘୃଣା କରିଥିଲା ।

 

ସାବିତ୍ରୀ ଆଖି ଲୁହରେ ତା’ ପାଦ ଧୋଇ ଦେଇଥଲା । ଆକୁଳ ମିନତି କରି କେତେ ବୁଝାଇଥିଲା, କିନ୍ତୁ ବୁଝି ନ ଥିଲା ସେ ।

 

ସାବିତ୍ରୀ ଚାଲିଗଲା । ଚାଲିଯିବାକୁ ବାଧ୍ୟ ହୋଇଥିଲା ସେ ।

 

ବିତିଗଲା ଦିନର ହଜିଲା ସ୍ୱପ୍ନ ପୁଣି ବାସ୍ତବରେ ରୂପ ନେଲା । ସାବିତ୍ରୀ ବଞ୍ଚିଥିବାର ସମ୍ୱାଦ ଶୁଣି ପୁଲକି ଉଠିଲା ସେ । ଅଜଣା ଶିହରଣର ସିତ୍କାର ଖେଳିଗଲା ତା’ର ଅଙ୍ଗ–ଅବୟବରେ । ସାବିତ୍ରୀକୁ ଦେଖିବା ପାଇଁ ତା’ର ମନ ଉଦ୍‌ବିଗ୍ନ ହୋଇ ଉଠିଲା ।

 

ଆସନ୍ତା କାଲି ସକାଳେ କଟକ ଆସିବାର ପ୍ରସ୍ତାବକୁ ରାଜେଶ ସ୍ୱୀକୃତି ଜଣାଇଲା ।

 

ମଧ୍ୟାହ୍ନର ପ୍ରଖର ରୌଦ୍ରତାପ ଯୋଗୁ କୋଠରୀ ଭିତରେ ଉଷ୍ମ ସମୀରଣ ଖେଳି ବୁଲୁଥିଲା । ଝରକାଗୁଡ଼ିକ ବନ୍ଦ କରି ସ୍ୱପ୍ନା ଚାହିଁଲା କୁମାରକୁ ।

 

ଖଟ ଉପରେ ଶୋଇ ରହି କୁମାର ଭାବୁଥିଲା...

 

କଣ ଭାବୁଛନ୍ତି କୁମାରବାବୁ ?

 

ସେମାନେ ବୋଧେ ଆଜି ଆସିବେ ନାହିଁ ।

ସ୍ୱପ୍ନା ବସି ପଡ଼ିଲା କୁମାର ପାଖରେ । କହିଲା–ସେମାନେ କିଏ ?

ତୁମର ପିତାମାତା ଆଉ ତମର ରାଜେଶଭାଇ !

ବିସ୍ମୟରେ ଚମକି ଉଠିଲା ସ୍ୱପ୍ନା !

କହିଲା–ମୋର ଘର ଠିକଣା ଶୁଣି ଆପଣ ଚିଠି ଦେଇଛନ୍ତି ଆମ ଘରକୁ ?

ହଁ ସ୍ୱପ୍ନା ! ମୁଁ ତମ ଘରକୁ ଚିଠି ଦେଇଛି । ଅନେକ ଦିନ ହେବ ତୁମ ପିତା–ମାତା ତମକୁ ନ ଦେଖି ବ୍ୟସ୍ତ–ବିକଳ ହେଉଥିବେ । ତାଙ୍କ ମନରେ କେତେ ସନ୍ଦେହ ଉଙ୍କି ମାରୁଥିବ । ତମେ ଆତ୍ମହତ୍ୟାରୁ ରକ୍ଷା ପାଇପାରିଛ ଜାଣି ସେମାନେ କେତେ ଖୁସୀ ହେବେ । ସବୁଠାରୁ ବେଶୀଖୁସୀ ହେବ ତମ ରାଜେଶଭାଇ !

ସ୍ୱପ୍ନା ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲା ।

କୁମାର ତଳକୁ ମୁହଁ ପୋତି କହିଲା–ଦୀର୍ଘଦିନ ଧରି ତମ ଜୀବନର ସୁରକ୍ଷାର ଦାୟିତ୍ୱ ମୁଁ ବହନ କରିଥିଲି । ଆଉ କିନ୍ତୁ ପାରୁନାହିଁ । ସବୁ ଜାଣିସାରିଲା ପରେ ତମକୁ ପାଖରେ ରଖିଲେ ସମାଜ ଚକ୍ଷୁରେ ମୁଁ ଦୋଷୀ ହୋଇଯିବି । ମିଥ୍ୟା ଦୁର୍ନାମ ଆମ ନାମରେ ରଟନା ହେବ ।

ଅଭିମାନଭରା କଣ୍ଠରେ ସ୍ୱପ୍ନା କହିଲା–ଆପଣ ତେବେ ମୋତେ ପାଖରୁ ବିଦାୟ କରିଦେବାକୁ ଚାହାନ୍ତି ? ଆପଣଙ୍କ ମନରେ ଯଦି ଏଇୟା ଥିଲା, ଦୁର୍ନାମକୁ ଯଦି ଏତେ ଭୟ କରୁଥିଲେ ତେବେ ମୋତେ ଏଇକଥା ପୂର୍ବରୁ କହି ଦେଇଥିଲେ ମୁଁ ଚାଲି ଯାଇଥାନ୍ତି, ଅଥଚ ଆପଣ ମୋ ପରିବାର ତଥା ମୋର ସମସ୍ତ ଗୋପନୀୟ କାହାଣୀ ଶୁଣି ସାରିଲା ପରେ ମୋତେ ବିଦାୟ ଦେବାକୁ ଚାହାନ୍ତି ? ଦୁର୍ନାମ, ଅପବାଦକୁ ଯଦି ଏତେ ଭୟ ତେବେ ମୋତେ ଏଇକଥା ପୂର୍ବରୁ କହି ଦେଇଥିଲେ ମୁଁ ଚାଲି ଯାଇଥାନ୍ତି, ଅଥଚ ଆପଣ ମୋ ପରିବାର ତଥା ମୋର ସମସ୍ତ ଗୋପନୀୟ କାହାଣୀ ଶୁଣି ସାରିଲା ପରେ ମୋତେ ବିଦାୟ ଦେବାକୁ ଚାହାନ୍ତି ? ଦୁର୍ନାମ, ଅପବାଦକୁ ଯଦି ଏତେ ଭୟ ତେବେ ମୋତେ ପାଖରେ ରଖୁଥିଲେ କାହିଁକି ?

ନିଜ ଘରକୁ ଯିବାକୁ ତମେ କଣ ଚାହଁନା ସ୍ୱପ୍ନା ?

କିମିତି ଚାହିଁବି କୁହନ୍ତୁ ? ଯେଉଁ ପରିବାରରେ ରାଜେଶଭାଇ ମୋ ମୁହଁ ଚାହିଁଲେ ପାପ ବୋଲି କହିଛନ୍ତି ସେଇ ପରିବାର ଭିତରକୁ କେମିତି ଯାଇଥାନ୍ତି ?

କୁମାର ମୃଦୁହସି କହିଲା–ତମ ଘରକୁ ତମେ ଫେରିଯିବ, ଏଥିରେ ରାଜେଶବାବୁଙ୍କର ପ୍ରଶ୍ନ ଉଠୁଛି କାହିଁକି ? ରାଜେଶବାବୁ ତ ତମ ଘର ମଣିଷ ନୁହନ୍ତି, ଆଜି ଅଛନ୍ତି, ବଦଳି ଅର୍ଡ଼ର ପାଇଲେ କାଲି ଚାଲିଯିବ, ତାଙ୍କ ଉପରେ ଅଭିମାନ କରି ପିତାମାତାଙ୍କ ପ୍ରତି ଏତେ ନିଷ୍ଠୁର, ନିର୍ଦ୍ଦୟ ହେବା ମୋଟେ ଉଚିତ୍ ନୁହେଁ । ଜନ୍ମଦାତ୍ରୀ ସେମାନେ... ସେମାନେ କଣ ତମଠାରୁ ଏଇୟା ଆଶା କରିଥିଲେ ? ତମେ ଅବୁଝା ହୁଅନି ସ୍ୱପ୍ନା ! ମୋ କଥା ରଖ, ତମ ଘରକୁ ତମେ ଫେରିଯାଅ । ସବୁକିଛି ତମର ସୁବିଧା ହୋଇଯିବ ।

ସ୍ୱପ୍ନାର ଚକ୍ଷୁଯୁଗଳରେ ଲୁହ ଦେଖାଗଲା । ସେ କିଛି ଉତ୍ତର ଦେଇପାରିଲାନି । କେବଳ କଇଁ କଇଁ ହୋଇ କାନ୍ଦି ଉଠିଲା ।

ଦାଣ୍ଡ କବାଟରେ ଆବାଜ ଶୁଭିଲା । କୁମାର ଉଠିଗଲା ବାହାରକୁ । ଦରଜା ଖୋଲି ଅପରିଚିତ ବ୍ୟକ୍ତିମାନଙ୍କୁ ଦେଖି ଚମକି ଉଠିଲା ।

ଆଗନ୍ତୁକ ନିଜ ପରିଚୟ ପ୍ରକାଶ କଲେ । ତରୁଣ ଜଣକ କହିଲେ ମୋ ନାମ ରାଜେଶ, ଆଉ ବୃଦ୍ଧବ୍ୟକ୍ତିଙ୍କ ଆଡ଼କୁ ଚାହିଁ କହିଲେ–ସେ ସାବିତ୍ରୀର ପିତା ନବୀନବାବୁ ।

ନମସ୍କାର ଆଦାନ ପ୍ରଦାନ ପରେ କୁମାର ସେମାନଙ୍କୁ ଘର ଭିତରକୁ ପାଛୋଟି ଆଣିଲା-

ଚେୟାର ଦୁଇଟା ବଢ଼ାଇ ଦେଇ ବସିବାକୁ ନିର୍ଦେଶ ଦେଲା କୁମାର । କିନ୍ତୁ ରାଜେଶବାବୁଙ୍କ ଚକ୍ଷୁ ଘର–ବାହାରର ଚାରିଆଡ଼େ ଘୂରି ଆସୁଥାଏ ।

କୁମାର ରାଜେଶଙ୍କୁ ଚାହିଁ ତାଙ୍କ ମନକଥା ବୁଝିପାରିଲେ । କିନ୍ତୁ ନବୀନବାବୁ ବିଷଣ୍ଣ ବଦନରେ ବସିଥାନ୍ତି ସେମିତି ।

କୁମାର ଉଚ୍ଚକଣ୍ଠରେ ଡାକିଲା–ସ୍ୱପ୍ନା, ସ୍ୱପ୍ନା ! ତମ ବାପା ଓ ରାଜେଶବାବୁ ଆସିଛନ୍ତି ।

ଘରଭିତରୁ ସ୍ୱପ୍ନା ଛୁଟି ଆସିଲା କୁମାରର କଣ୍ଠସ୍ୱର ଶୁଣି; ବାପା ଆଉ ରାଜେଶଭାଇଙ୍କୁ ଆଖିଆଗରେ ଦେଖି ସେ ବିସ୍ମୟରେ ବିହ୍ୱୋଳିତ ହୋଇ ପଡ଼ିଲା ।

ନବୀନବାବୁ ନିଜ ଅଲିଅଳ କନ୍ୟାକୁ ଦୀର୍ଘଦିନ ପରେ ଦେଖି ଅଭିଭୂତ ହୋଇପଡ଼ି ଡାକିଲେ, ମାଆ !

ସ୍ୱପ୍ନା କିଛି କହିପାରିଲାନି । ପିତାଙ୍କ ବକ୍ଷରେ ଆଶ୍ରୟ ନେଇ କହିଲା–ବୋଉ କେମିତି ଅଛି ବାପା !

ବାତ୍ସଲ୍ୟ ମମତାରେ ବୁକୁ ଉପରେ ତୋଳି ଧରିଥିଲେ ନବୀନବାବୁ ନିଜ କନ୍ୟାକୁ ।

କଥୋପକଥନ ଭିତରେ ସେହି ଶୁଭଦିନଟି ଅତିକ୍ରମ କରିଗଲା ।

ସେହିଦିନ ରାତିରେ...

ସମସ୍ତେ ଖାଇପିଇ ଶୋଇଗଲେ । କିନ୍ତୁ ସାବିତ୍ରୀ ଆଖିରେ ନିଦ ନାହିଁ । ରାତି ପାହିଲେ ସମସ୍ତେ ଫେରିଯିବେ ଗ୍ରାମକୁ । କଟକ ସହରର ମାୟା–ମମତା ତାକୁ ପରିତ୍ୟାଗ କରିବାକୁ ପଡ଼ିବ ସବୁଦିନ ପାଇଁ । କୁମାରବାବୁଙ୍କର ସ୍ନେହ, ଅନୁରାଗଠାରୁ ଦୁରେଇ ରହିବାକୁ ପଡ଼ିବ । ଗ୍ରାମ୍ୟର କୋଳାହଳ ଓ ପରିବାରର କଳରବ ଭିତରେ ପୁଣି ଜୀବନ କଟାଇବାକୁ ହେବ । ବାପା ଆଉ ରାଜେଶଭାଇଙ୍କର ପ୍ରସ୍ତାବକୁ ପ୍ରତ୍ୟାଖାନ କରିବ ବୋଲି ସେ ମନେ ମନେ ସଙ୍କଳ୍ପ କରିଥିଲା ସିନା କିନ୍ତୁ ମୁହଁ ଉପରେ କିଛି କହିପାରିଲା ନାହିଁ ।

ବାପା ଆଉ ରାଜେଶଭାଇ ଦାଣ୍ଡଘରେ ଶୋଇ ଗଲେଣି । କୁମାରବାବୁ ତାଙ୍କ କୋଠରୀରେ ନିଘୋଡ଼ ନିଦରେ ଶୋଇଥିବେ । କିନ୍ତୁ କୁମାରବାବୁଙ୍କ କୋଠରୀରେ ଆଲୁଅ ଏ ପର୍ଯ୍ୟନ୍ତ ଜଳୁଛି କାହିଁକି ? ଦରଜା ମେଲାଅଛି କାହିଁକି ?

ସ୍ୱପ୍ନା ଭାବିଥିଲା, କୁମାରବାବୁଙ୍କ କୋଠରୀକୁ ଯାଇ ଆଲୁଅ ଲିଭାଇ ଦେବ । ଦରଜା ବନ୍ଦ କରିଦେବ । କିନ୍ତୁ ତ।’ର ଯିବା ଶବ୍ଦରେ ରାଜେଶଭାଇ ଯଦି ଉଠି ବସନ୍ତି...

 

ଦାଣ୍ଡଘରଟି ସଂପୂର୍ଣ୍ଣ ଅନ୍ଧକାର ଥିଲେ ମଧ୍ୟ କୁମାରବାବୁଙ୍କ କୋଠରୀର ତୀର୍ଯ୍ୟକ ଆଲୋକରେଖା ସେହି ଘରେ ସାମାନ୍ୟ ଛାଇଆଲୁଅ ସୃଷ୍ଟି କରିଛି । ସେଇ ଛାପିଛାପିକା ଅନ୍ଧାର–ଆଲୁଅ ଭିତରେ ସ୍ୱପ୍ନା ଦେଖିଲା, ରାଜେଶଭାଇ ମୁହଁମାଡ଼ି ଶୋଇଛନ୍ତି । ବାପା ମଧ୍ୟ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି ।

 

ସ୍ୱପ୍ନା ମନରେ ଦ୍ୱନ୍ଦ ।

 

ରାତି ସେତେବେଳେ କେତେ ହେବ ଠିକ୍ କହି ହେବନି । କିନ୍ତୁ ସ୍ୱପ୍ନା ଧାରଣା କରି ନେଇଥିଲା ରାତି ଦୁଇଟାରୁ ନିଶ୍ଚୟ ଅଧିକ ହେବ । ତଥାପି ଆଖିକୁ ତା’ର ନିଦ ଆସୁ ନ ଥିଲା । ଆସନ୍ତାକାଲି ସକାଳେ ଘରକୁ ଫେରିଯିବା କଥା ମନେପଡ଼ିବା କ୍ଷଣି ଆଖିରେ ତା’ର ଲୁହ ଆସୁଥିଲା-। ଏଠାରେ ଦୀର୍ଘଦିନ ରହଣୀ ସମୟ ମଧ୍ୟରେ ଅବସ୍ଥାଚକ୍ରରେ ଯେଉଁ ଅବିସ୍ମରଣୀୟ ଘଟଣାଗୁଡ଼ିକ ଘଟିଯାଇଛି ତାହା ଆଖିଆଗରେ ନାଚି ଉଠିବା କ୍ଷଣି ଅନ୍ତରରୁ କୋହ ଉଠୁଥିଲା । କୁମାରବାବୁଙ୍କଠାରୁ ସେ ଯେଉଁ ସ୍ନେହ, ମମତା ଓ ଅନୁରାଗ ପାଇଛି ଜୀବନସାରା ତାହା ଭୁଲି ହେବନି–ଭୁଲି ହେବାର ନୁହଁ ।

 

କୁମାର ସହିତ ତା’ର ରକ୍ତର ସମ୍ପର୍କ କିଛି ନାହିଁ । ଅଜଣା, ଅପରିଚିତ ଭାବେ କୁମାର ଉଦ୍ଧାର କରି ତାକୁ ନିଜଘରେ ସ୍ଥାନ ଦେଇଥିଲା । ସ୍ନେହ ମମତାର ଆକର୍ଷଣ ଏତେ ନିବିଡ଼ ହୋଇଥିଲା ଯେ, ସେ ପିତାମାତାଙ୍କୁ ଭୁଲି ଯାଇଥିଲା । ଘରକୁ ଫେରିଯିବାକୁ ମୋଟେ ଇଚ୍ଛା କରି ନଥିଲା ।

 

କିନ୍ତୁ ଶେଷରେ କଣ ହେଲା ?

 

କୁମାରବାବୁଙ୍କ କଥା ମନେପଡ଼ିବା କ୍ଷଣି ବେଶୀ ବେଶୀ କୋହ ଉଠୁଥିଲା ତା’ର । ରାତି ପାହିଲେ ସେମାନେ ଫେରିଯିବେ ।

 

ବିଛଣାରୁ ଉଠି ବସିଲା ସ୍ୱପ୍ନା । ବାପା ଆଉ ରାଜେଶଭାଇଙ୍କୁ ଚାହିଁ ପାଦ ଚିପି ଚିପି କୁମାର କୋଠରୀରେ ପାଦ ଦେଲା ।

 

କାନ୍ଥକଡ଼କୁ ମୁହଁକରି କୁମାରବାବୁ ଶୋଇଛନ୍ତି ।

 

ଇଲେଟ୍ରିକ୍ ସୁଇଚଟାକୁ ଅନ୍ କରିବା କ୍ଷଣି କୁମାର କହିଲା–କିଏ ?

 

ନିବିଡ଼ ଅନ୍ଧକାର ଭିତରେ ସ୍ୱପ୍ନା କୁମାର ପାଖରେ ବସିପଡ଼ି କହିଲା–ଏ ପର୍ଯ୍ୟନ୍ତ ଆପଣ ଶୋଇନାହାନ୍ତି ?

 

ତମେ କାହିଁକି ଏ ପର୍ଯ୍ୟନ୍ତ ଶୋଇନାହଁ କହିଲ ?

 

ମୋତେ ନିଦ ହେଉନି ।

 

ଏ ଘରକୁ ତୁମେ କାହିଁକି ଆସିଲ ସ୍ୱପ୍ନା । ତମେ ଜାଣ ସେ ଘରେ ତମ ବାପା ଓ ରାଜେଶବାବୁ ଶୋଇଛନ୍ତି । ତଥାପି ତମେ ନିର୍ଭୟରେ ତାଙ୍କ ପାଖରୁ ଚାଲି ଆସିଲ ମୋ ପାଖକୁ । ତମେ ଫେରିଯାଅ ସ୍ୱପ୍ନା ! ସେମାନଙ୍କର ଯଦି ନିଦ ଭାଙ୍ଗିଯାଏ ଆଉ ସେମାନେ ଯଦି ଜାଣନ୍ତି ତମେ ମୋ ପାଖରେ ଅଛ ତେବେ କଣ ଭାବିବେ କହିଲ ?

 

ପାଖରୁ ତଡ଼ିଦେବାକୁ ଚାହାନ୍ତି ? ବ୍ୟସ୍ତ କାହିଁକି ? ପାଖରୁ ବିଦାୟ କରିଦେବାକୁ ଚିଠିଦେଇ ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଇ ରାତ୍ରିର ଅବଶିଷ୍ଟ କେତୋଟି ଘଣ୍ଟା ବିତିଗଲେ ସ୍ୱପ୍ନା ପାଇଁ କଟକ ସହର ସ୍ୱପ୍ନ ହୋଇଯିବ । ଆଉ କୌଣସିଦିନ ମୁଁ ଆସି ଆପଣଙ୍କୁ ବିରକ୍ତ କରିବି ନାହିଁ-। ଏଥର ଆପଣଙ୍କର ମନସ୍କାମନା ସଫଳ ହେଲା ତ ? କିନ୍ତୁ ମୋର...

ଅନ୍ଧାର ଭିତରେ କୁମାର କାନ୍ଥଆଡ଼ୁ ମୁହଁ ଫେରାଇ ସ୍ୱପ୍ନାକୁ ଚାହିଁଲା । ସ୍ୱପ୍ନା ତା’ର ଖୁବ୍ ନିକଟରେ ବସିଛି–ଦେହକୁ ଦେହ ବାଜୁଛି । ସ୍ୱପ୍ନାକୁ ସ୍ପଷ୍ଟ ଦେଖି ହେଉ ନ ଥିଲେ ମଧ୍ୟ ଅନୁଭବ କରି ହେଉଛି । ତା’ର କଣ୍ଠସ୍ୱରରୁ ସେ ଉପଲବ୍‌ଧ କଲା ସ୍ୱପ୍ନା କାନ୍ଦୁଛି ।

ସ୍ୱପ୍ନା !

ଉଁ !

ତୁମେ କାନ୍ଦୁଛ ? ନିଜ ଜନ୍ମସ୍ଥାନକୁ ଫେରିଯିବାର ସୁଯୋଗ କେତେଜଣଙ୍କ ଭାଗ୍ୟରେ ଘଟେ । ତମେ ତମ ଘରକୁ ଫେରିଯିବ । ମାଆକୁ ଦେଖିବ, ବାପାଙ୍କୁ ଫେରିପାଇଲ । ପ୍ରେମିକ ରାଜେଶବାବୁଙ୍କୁ ପାଇଲ ? କିନ୍ତୁ ଏ ଜୀବନରେ ମୁଁ କଣ ପାଇଲି କହିପାରିବ ସ୍ୱପ୍ନା !

କୁମାରବାବୁଙ୍କ କଣ୍ଠସ୍ୱରରେ ଆଦ୍ରତା ଅନୁଭବ କଲା ସ୍ୱପ୍ନା । କହିଲା–ଏଥିପାଇଁ ଦାୟୀ କିଏ ? କାହିଁକି ଚିଠି ଦେଇ ସେମାନଙ୍କୁ ଡକାଇଥିଲ ? ଆପଣ ଯାହା କୁହନ୍ତୁ, ମୁଁ କିନ୍ତୁ ଯାଇପାରିବି ନାହିଁ । ଯଦି ବାଧ୍ୟ କରନ୍ତି ତେବେ ଚାଲିଯିବି ସିନା, ଦିନେ ଶୁଣିବେ ସ୍ୱପ୍ନା ପୁଣି ଆତ୍ମହତ୍ୟା କରିଛି ।

ସ୍ୱପ୍ନା ! କୁମାର ଟାଣିଆଣିଲା ସ୍ୱପ୍ନାକୁ ନିଜ ଆଡ଼କୁ । କହିଲା–ପୁଣି ସେଇ ଭୂତ ମନ ମଧ୍ୟରେ ବସା ବାନ୍ଧିଲାଣି । ଘରସଂସାର କରିଥିଲେ ପରିବାର ଭିତରେ ଇମିତି ଛୋଟବଡ଼ ଅନେକ ଘଟଣା ଅବସ୍ଥାଚକ୍ରରେ ଘଟିଯାଏ । ସେମିତି ତମ ଜୀବନରେ ଘଟିଛି । କିନ୍ତୁ ସେଇ ଅତୀତକୁ ଜୀବନର ମାଇଲଖୁଣ୍ଟ ମନେକରି ଏତେ ଜିଦ୍ ଧରିବା ମୋଟେ ଉଚିତ୍ ନୁହେଁ । ଆତ୍ମହତ୍ୟା କରିବାଠାରୁ ବଡ଼ ପାପ ଏ ପୃଥିବୀରେ ଆଉ କିଛି ନାହିଁ । ଅଭିମାନ କରି ନିଜ ଉପରେ ପ୍ରତିଶୋଧ ନେବାର ମୁର୍ଖତା ତମେ ପରିତ୍ୟାଗ କର । ନିଜ ଜୀବନଟାକୁ ନିଜେ ଗଢ଼ି ଶିଖ । ନିଜେ ଠିକ୍ ଥିଲେ ବାହାର ଲୋକଙ୍କ ମିଥ୍ୟାରଟନା କିଛି କ୍ଷତି କରିପାରିବ ନାହିଁ । ନିଜ ଜୀବନର ଆତ୍ମତୃପ୍ତି ହିଁ ନିଜକୁ ମହାନ୍ କରେ ସ୍ୱପ୍ନା !

କୁମାର ବକ୍ଷ ଉପରେ ଲୋଟିଗଲା ସ୍ୱପ୍ନା । ନିବିଡ଼ ଭାବରେ କୁମାରକୁ ବାହୁବନ୍ଧନରେ ଆବଦ୍ଧ କରି କହିଲା–ଆପର ମୋତେ ବହୁ ନୀତିବାଣି ଶୁଣାଇଛନ୍ତି । ଜୀବନଟାକୁ ପୁଷ୍ପିତମୟ କରି ଗଢ଼ିବାକୁ ଆଲୋକର ପଥ ଦେଖାଇଛନ୍ତି । ବହୁ ଉପଦେଶ ଦେଇଛନ୍ତି । ମୋଟ ଉପରେ ଆପଣ ମୋର ଯେଉଁ ଉପକାର କରିଛନ୍ତି ଜନ୍ମଜନ୍ମାନ୍ତର ପାଇଁ ମୁଁ ତାହା ଭୁଲି ପାରିବି ନାହିଁ; କିନ୍ତୁ...

କିନ୍ତୁ କଣ ସ୍ୱପ୍ନା ! କଣ କହିବାର ଅଛି କୁହ ?

ସ୍ୱପ୍ନା କିଛି କହି ପାରିଲାନି । କେବଳ କଇଁ କଇଁ ହୋଇ କାନ୍ଦି ଉଠିଲା ।

କୁମାର କହିଲା–ଆଜି ଭଳି ସୁଦିନରେ ତମେ କାନ୍ଦୁଛ ସ୍ୱପ୍ନା ?

କୋହମିଶା କଣ୍ଠରେ ସ୍ୱପ୍ନା କହିଲା–ଏହା ଆାପଣଙ୍କ ପାଇଁ ସୁଦିନ ହୋଇ ପାରିଥାଏ କିନ୍ତୁ ମୋ ପାଇଁ ଏହା ଦୁର୍ଦ୍ଦିନ । ଆାପଣ ଜାଣନ୍ତି ମୁଁ ଭୀଷଣ ସ୍ନେହ ରଙ୍କୁଣୀ । ଯାହାଠାରୁ ସ୍ନେହ, ମମତା, ଆନ୍ତରିକତା ପାଇଥିବି ତା ପଛରେ ପୋଷା ବିରାଡ଼ି ପରି ଧାଇଁଥିବି । ଅଯାଚିତ ଭାବରେ ଆପଣ ଯେଉଁ ସ୍ନେହ, ମମତା ମୋତେ ଦେଇ ଥିଲେ, ଭାବିଥିଲି ଜୀବନଟା ମୋର ସୁଖରେ କଟିଯିବ । କିନ୍ତୁ ଆପଣ ନିଷ୍ଠୁର ! ପାଖରୁ ଅନ୍ତର କରିବା ପାଇଁ ଆପଣ ସୂକ୍ଷ୍ମ ଯୋଜନା କରି ମୋତେ ବିଦାୟ କରିଦେବାକୁ ଚାହାନ୍ତି ?

ଶେଷକୁ ତମେ ମୋତେ ଏଇୟା ବୁଝିଲ ସ୍ୱପ୍ନା ! ଦୀର୍ଘଦିନ ମୋର ନିବିଡ଼ ସଂସ୍ପର୍ଶରେ ଆସି ତଥାପି ମୋତେ ବୁଝିପାରିଲନି ? ତମେ ବିଶ୍ୱାସ କରିବ କି ନାହିଁ ମୁଁ ଜାଣେନା, ମୁଁ କିନ୍ତୁ ସବୁବେଳେ ତମର ମଙ୍ଗଳ କାମନା କରେ । ତମ ଆଖିରେ ଲୁହ ମୁଁ ଆଦୌ ସହ୍ୟ କରିପାରେନା । ସେଇଥିପାଇଁ ନିଜ ଜୀବନର ସୁଖ ସୌଭାଗ୍ୟକୁ ଜଳାଞ୍ଜଳି ଦେଇ ଇତର ଲୋକଙ୍କ କୁତ୍ସାରଟନା ଶୁଣି ମୁଁ ଭୟଭୀତ ନ ହୋଇ ତମ ମୁଁହରେ ହସ ଫୁଟେଇବାକୁ ଚାହିଁଥିଲି । ତମ ମନରେ ଦୁଃଖ ନ ହେବା ପାଇଁ ମୁଁ ସଦାସର୍ବଦା ମୁଁ ଜାଗ୍ରତ ରହିଛି । ସବୁବେଳେ ତମର ଶୁଭକାମନା କରିଛି । ତମ ଜୀବନକୁ ପୁଷ୍ପିତମୟ କରିବାକୁ ମୁଁ ତ କମ୍‍ ସ୍ୱାର୍ଥତ୍ୟାଗ କରିନି ।

ଅନ୍ୟ କେହି ଜାଣି ନ ପାରିଲେ ମଧ୍ୟ ତମେ ନିଶ୍ଚୟ ହୃଦୟ ଦେଇ ଅନୁଭବ କରିପାରିଥିବ । ତମ ମୁଁହରେ ତଥା ତମ ପିତାମାତାଙ୍କ ମୁର୍ହରେ ହସ ଦେଖିବା ପାଇଁ ମୁଁ ଚିଠି ଦେଇ ସେମାନଙ୍କୁ ନିମନ୍ତ୍ରଣ କରିଛି । ତମ କୁମାରୀ ଜୀବନର ପ୍ରଥମ ପୁରୁଷ ରାଜେଶବାବୁଙ୍କ ସହିତ ତମର ମିଳନ କରାଇ ଦେଲେ ମୋ ସାଧନାରେ ସିଦ୍ଧି ହେଲା ବୋଲି ମୁଁ ଜାଣିବି । ତମେ ରାକେଶବାବୁଙ୍କ ସହିତ ଫେରିଯାଅ ସ୍ୱପ୍ନା !! ତମେ ତାଙ୍କୁ ବିବାହ କର । ଏହି ଶୁଭ ବିବାହର ସମ୍ବାଦ ଶୁଣିଲେ ମୁଁ ନିଶ୍ଚୟ ଖୁସୀ ହେବି । ତମେ ଯେଉଁଠି ଥାଅ, ସୁଖରେ ଅଛ ବୋଲି ଜାଣିଲେ ମୋର ଦୀର୍ଘ ଦିନର ଶ୍ରମ ସାର୍ଥକ ହେବ ।

କୁମାରବାବୁ ! ସ୍ୱପ୍ନା କଇଁ କଇଁ ହୋଇ କାନ୍ଦି ଉଠିଲା ।

ରାତି ସରି ଆସୁଛି ସ୍ୱପ୍ନା ! ତମେ ସେ କୋଠରୀକୁ ଫେରିଯାଅ । ସେମାନେ ଉଠିଲେ କଣ ମନେ କରିବେ ? ମୋର ଶେଷ ଅନୁରୋଧ, ଜୀବନର ଚଲାବାଟରେ ଚାଲୁ ଚାଲୁ ଅକସ୍ମାତ ଦେଖାହେଲେ ବାଟ ଭାଙ୍ଗି ଚାଲିଯିବ ନାହିଁ ।

କୁମାରର ଶେଷ କଥାପଦକ ଶୁଣି ସ୍ୱପ୍ନା ଫୁଲି ଫୁଲି କାନ୍ଦି ଉଠିଲା । ଅନ୍ଧାରରେ ସ୍ପଷ୍ଟ ଦେଖିହେଉ ନ ଥିଲେ ମଧ୍ୟ କୁମାର ଅନୁଭବ କଲା ସ୍ୱପ୍ନା କାନ୍ଦୁଛି । ତା’ ଚକ୍ଷୁର ଉଷ୍ମ ଲୋତକବିନ୍ଦୁ ଥପ ଥପ ହୋଇ କୁମାର ହାତରେ ପଡ଼ୁଥିଲା ।

କୋହମିଶା ସ୍ୱସରେ ସ୍ୱପ୍ନା କହିଲା–ଆପଣଙ୍କ ସହ ଦେଖାହେଲେ ମୁଁ ବାଟଭାଙ୍ଗି ଚାଲିଯାଇ ପାରିବି ବୋଲି ଆପଣ ବିଶ୍ୱାସ କରିପାରୁଛନ୍ତି । ସବୁ ନାରି ଭଳି ମୁଁ କୃତଜ୍ଞ ନୁହେଁ । ନାରି ପୁରୁଷଙ୍କ ଭଳି ନିର୍ଦ୍ଦୟ, ନିଷ୍ଠୁର ହୋଇପାରେନା । ଆପଣ ସିନା କର୍ମଜଞ୍ଜାଳ ଭିତରେ ମୋତେ ଭୁଲି ଯିବେ କିନ୍ତୁ ମୁଁ କିମିତି ଭୁଲିବି କୁହନ୍ତୁ ? ଏଇ କୋଠରୀ ଭିତରେ ଯେଉଁ ଅବିସ୍ମରଣୀୟ ଘଟଣା ସବୁ ଅବସ୍ଥାଚକ୍ରରେ ଘଟିଯାଇଛି ତାକୁ କଣ କେହି ଭୁଲିପାରେ ? ଏଇ ଟେବୁଲ, ଚେୟାର ସବୁ ମୂକସାକ୍ଷୀ ହୋଇରହିଛି । ରକ୍ତର ସମ୍ପର୍କ ନଥାଇ, ଜଣେ ଇତର ମଣିଷ ହୋଇ ଆପଣ ମୋର ଅଜସ୍ର ଉପକାର କରିଛନ୍ତି–ଯେଉଁ ଉପକାରର ପ୍ରତିଦାନ ମୁଁ ଏ ଜନ୍ମରେ ମଧ୍ୟ ସୁଝାଇ ପାରିବି ନାହିଁ-। ସତରେ, ଆଜୀବନ ମୁଁ ଋଣୀ ହୋଇ ରହିଗଲି !

ଆଉ ସ୍ନେହ–ମମତା !!!

ନିଜ ପିତାମାତା, ଯେଉଁମାନେ ଅନ୍ତଫାଡ଼ି ଜନ୍ମ ଦେଇ ଶିଶୁଟିରୁ ଏତେବଡ଼ କରି ବଢ଼ାଇଥିଲେ ସେମାନଙ୍କଠାରୁ ସ୍ନେହ ମମତା ପାଇନି ଅଥଚ ଆପଣ ମୋତେ ଏତେ ସ୍ନେହ–ମମତା ଦେଇଛନ୍ତି ଯାହା ପରିତ୍ୟାଗ କରି ମୁଁ ଏଠାରୁ ଯାଇପାରୁନି–ଯିବାକୁ ମନ ନାହିଁ । ମୋ ମତରେ ଦୁନିଆରେ ସମ୍ମାନ, ଅର୍ଥ, ଆଭିଜାତ୍ୟଠାରୁ ବଡ଼ ହେଉଛି ସ୍ନେହ-ମମତା-। ଅଧିକାଂଶ ଲୋକ ଅର୍ଥ ପାଇଁ ଲାଳାୟିତ ହେଲେ ମଧ୍ୟ ମୁଁ କିନ୍ତୁ ଆତ୍ମୀୟତା, ସ୍ନେହ ମମତା ପାଇଁ ଲାଳାୟିତ । ମୁଁ ଧନ ଚାହେନା, ସମ୍ମାନ ଚାହେନା, ଆଭିଜାତ୍ୟ ଚାହେନା, ଆଡ଼ମ୍ୱର ପୂର୍ଣ୍ଣ ଜୀବନଯାପନ କରିବାକୁ ଚାହେନା, କିନ୍ତୁ ମୁଁ ସ୍ନେହ ଚାହେଁ । ଆପଣଙ୍କର ମୋ ପ୍ରତି ଅଜସ୍ର କରୁଣା, ସ୍ନେହ, ମମତା ଓ ଗଭୀର ଆନ୍ତରିକତା ଯୋଗୁ ଆପଣଙ୍କୁ ଛାଡ଼ି ଘରକୁ ଫେରିବାକୁ ଇଛା ହେଉନି । ଆପଣଙ୍କ ପାଖରେ ରହି ମୁଁ ପରମ ଶାନ୍ତି, ଚରମ ଆତ୍ମତୃପ୍ତି, ଅଜସ୍ର ସୁଖଲାଭ କରିଛି । ଘରକୁ ଫେରିଗଲେ ସେତିକି ସୁଖଶାନ୍ତି କଣ ପାଇପାରିବି ସେମାନଙ୍କଠାରୁ ?ମୁଁ ଏଠାରୁ ଚାଲିଯିବି ସତ, କିନ୍ତୁ ମୋର ମନପକ୍ଷୀ ସବୁଦିନେ ଆପଣଙ୍କ ପାଇଁ ବିଳପି ଉଠୁଥିବ । ଶୟନେ, ସ୍ୱପନେ, ଜାଗରଣେ ଆପଣ ହିଁ ହେବେ ମୋ ଭାବନାର ମୂଳବସ୍ତୁ ।

 

ମୋତେ ଏତେ ପ୍ରଶଂସା କଲେ ମୁଁ ଅଣନିଶ୍ୱାସୀ ହୋଇଯିବି ସ୍ୱପ୍ନା ! ଆତ୍ମପ୍ରଶଂସାରେ ଉତ୍‌ଫୁଲ୍ଲ ହେବା ଲୋକ ମୁଁ ନୁହେଁ । ମୋର ଏତିକି ଅନୁରୋଧ, ଯଦି କେବେ କଟକ ଆସ ତେବେ ମୋତେ ନିଶ୍ଚୟ ଦେଖା କରିବ ।

 

ଉତ୍ତରରେ ସ୍ୱପ୍ନା କହିଥିଲା–ମୁଁ କଟକ ଆସିଲେ ମୋର ରହଣୀ ସ୍ଥାନ ହେବ ଆପଣଙ୍କ ଘର । ଆପଣ ମନା କରିଦେଲେବି ଜବରଦସ୍ତ ମୁଁ ଆସିବି ଓ ରହିବି । ମୁଁ ସବୁ କିଛି ଭୁଲିଯାଇ ପାରିବି କିନ୍ତୁ ଆପଣଙ୍କୁ ଓ ଏଇ କୋଠରୀକୁ ଭୁଲି ପାରିବିନି ।

 

ସତ କହୁଛତ ସ୍ୱପ୍ନା ?

 

ସତ କହୁଛି କୁମାରବାବୁ । କିନ୍ତୁ ଆପଣ ଆଜି ମୋତେ ପ୍ରତିଶ୍ରୁତି ଦିଅନ୍ତୁ । କାଲି ଆମମାନଙ୍କ ସାଥିରେ ଆମ ଘରକୁ ଯିବେ । ମୁଁ ଜାଣେ ଆପଣ ସବୁବେଳେ କାର୍ଯବ୍ୟସ୍ତ । ତଥାପି ଗୋଟିଏ ଦିନ ପାଇଁ ଚାଲନ୍ତୁ ।

 

ସ୍ୱପ୍ନାର ଅନୁରୋଧରେ କୁମାର ସମ୍ମତି ପ୍ରଦାନ କରି କହିଲା, କୌଣସି ଦିନ, କୌଣସି ମୁହୂର୍ତ୍ତରେ ମୁଁ ତୁମ ଅନୁରୋଧ ଭାଙ୍ଗି ପାରିନି ଆଉ ଏ ବିଦାୟ ବେଳେ କିମିତି ଭାଙ୍ଗି ପାରବି । ନିଶ୍ଚୟ ତୁମ ଅନୁରୋଧ ରଖିବି ।

 

କୁମାର ବିଛଣା ଉପରୁ ସ୍ୱପ୍ନା ଉଠିପଡ଼ି କହିଲା, ତେବେ ମୁଁ ଯାଉଛି । ରାତି ପାହି ଆସିଲାଣି । ରାଜେଶଭାଇ ଯଦି ଉଠିପଡ଼ନ୍ତି...

 

କୁମାର ଟାଣି ଧରିଲା ସ୍ୱପ୍ନାକୁ । ମୋ ପାଖରୁ ତମେ ସବୁଦିନ ପାଇଁ ବିଦାୟ ନେଉଛ ସ୍ୱପ୍ନା ! ଆଜିଠାରୁ ତମର ସ୍ପର୍ଶ ଚିରଦିନ ପାଇଁ ମୋର ସ୍ୱପ୍ନ ହୋଇଯିବ । ତେଣୁ ବିଦାୟ ମୁହୂର୍ତ୍ତରେ ଶେଷଥର ପାଇଁ….

 

ସ୍ୱପ୍ନା ବୁଝିପାରିଲା କୁମାର ମନକଥା । କହିଲା–କୌଣସି ଦିନ ମୁଁ ଆପଣଙ୍କ ଅନୁରୋଧ ଏଡ଼ାଇ ଦେଇନି, ଆଉ ଆଜି ଏଡ଼ାଇ ଦେବି କେମିତି ?

 

ସ୍ୱପ୍ନା ଲାଗିଆସିଲା କୁମାର ନିକଟକୁ ।

 

ପୂର୍ବାକାଶରେ ସିନ୍ଦୁରା ଫାଟିଲା ।

 

ପାଦ ଚିପିଚିପି ଘର ଭିତରୁ ନିଷ୍କ୍ରାନ୍ତ ହୋଇଗଲା ସ୍ୱପ୍ନା ।

 

ସକାଳର ପ୍ରଥମ ବସ୍‌ରେ ଫେରି ଆସିବାପାଇଁ ପ୍ରସ୍ତୁତ ହେଉଥିଲା କୁମାର । ଗୋଟିଏ ଦିନ ରହିବା ପାଇଁ ଆସି ଗୋଟିଏ ସପ୍ତାହ ରହିଗଲାଣି ତଥାପି ସ୍ୱପ୍ନାର ଯିଦ୍‌ ଆଉ ଦୁଇଦିନ ରୁହନ୍ତୁ-। ଆପଣ ମୋତେ ଛାଡ଼ି ଚାଲିଗଲେ ମୁଁ ବଞ୍ଚିପାରିବି ନାହିଁ ।

 

ସ୍ୱପ୍ନାକୁ ଆଶ୍ୱାସନା ଦେଇଥିଲା ସେ । ଛି ସ୍ୱପ୍ନା, ପିଲାଙ୍କ ଭଳି ଇମିତି କାନ୍ଦନ୍ତି । ମୁଁ ଆଠ ଦଶଦିନ ପରେ ପୁଣି ଆସିବି ।

 

ନବୀନବାବୁ ଆସି ପହଞ୍ଚିଲେ ସେତିକିବେଳେ । କୃତ୍ୟ କୃତ୍ୟ ହୋଇ କହିଲେ–ଆପଣଙ୍କର ଉପକାର ଆମେ କେବେ ଶୁଝାଇ ପାରିବୁନି । ନିଃସ୍ୱାର୍ଥପର ଭାବରେ ଆପଣ ଆମର ଯେଉଁ ଉପକାର କରିଛନ୍ତି ତାହା ଏ ଯୁଗରେ ବିରଳ । ମୋର ଶେଷ ଅନୁରୋଧ ସାବୀ ବିବାହକୁ ଆପଣ ନିଶ୍ଚୟ ଆସିବେ ।

 

କୁମାର ନିର୍ଭର ପ୍ରତିଶ୍ରୁତି ଦେଇ ପାଞ୍ଚଶହ ଟଙ୍କାର ନୋଟବିଡ଼ା ବଢ଼ାଇ ଦେଇଥିଲା ନବୀନବାବୁଙ୍କୁ । ଏତିକି ନିଅନ୍ତୁ । ସାବୀ ବିବାହ କାର୍ଯ୍ୟରେ ଲାଗିବ...

 

ଗଭୀର କୃତଜ୍ଞତାରେ କୃତ୍ୟ କୃତ୍ୟ ହୋଇ ଫେରି ଯାଇଥିଲେ ନବୀନବାବୁ ।

 

ଦାଣ୍ଡପାହାଚରୁ ଗୋଡ଼ କାଢ଼ିଲାବେଳକୁ ସ୍ୱପ୍ନା କହିଥିଲା, ଭୁଲିଯିବେନି, ଚିଠି ଦେବେ । ଚିଠି ନ ପାଇଲେ ମୁଁ ମନେ କରିବି ଆପଣ ମୋତେ ଭୁଲି ଯାଇଛନ୍ତି ।

 

କୁମାର ହସି ହସି କହିଥିଲା–ଚିଠି ମୁଁ ନିଶ୍ଚୟ ଦେବି । ଆଉ ତମେ...ତମେ ଯଦି ଉତ୍ତର ନ ଦେବ ?

 

କୁମାର ଫେରି ଆସିଥିଲା ସେଦିନ ।

 

ତା’ ପରେ ଚାରି ପାଞ୍ଚଦିନ ଅନ୍ତରରେ ଚିଠିପାଏ ସ୍ୱପ୍ନା ନିକଟରୁ । ଇମିତି ଚିଠିର ଆଦାନ ପ୍ରଦାନ ଭିତରେ ତିନୋଟି ସପ୍ତାହ ବିତିଗଲା । ପ୍ରତି ଚିଠିରେ ସ୍ୱପ୍ନା ଲେଖେ, ମୋତେ ଏଠାରେ ଭୀଷଣ ବିରକ୍ତ ଲାଗୁଛି । କୌଣସି କାମ କରିବାକୁ ଇଚ୍ଛା ହେଉନି । ସବୁବେଳେ ଆପଣଙ୍କ କଥା ମନେ ପଡ଼ୁଛି । ଆପଣ କେବେ ଆସିବେ ? ଆସିଲାବେଳେ ଉପନ୍ୟାସ ବହି କେତେଖଣ୍ଡ ଆଣିବେ । ରାଜେଶଭାଇ ତାଙ୍କ ଭୁଲ ବୁଝିପାରି ଅନୁତାପ କରୁଛନ୍ତି । ପୂର୍ବପେକ୍ଷା ମୋତେ ଅଧିକ ଭଲ ପାଉଛନ୍ତି ଇତ୍ୟାଦି ।

 

ହଠାତ୍ ଗୋଟିଏ ସପ୍ତାହ ମଧ୍ୟରେ କୌଣସି ଚିଠି ନ ପାଇ କୁମାର ବିଚଳିତ ହୋଇ ପଡ଼ିଲା । ପ୍ରତିଦିନ ଚିଠିକୁ ଅପେକ୍ଷା କରି ସେ ନିରାଶ ହେଲା ।

 

ଦିନେ ସ୍ୱପ୍ନାଠାରୁ ଏକ ମୋଟା ଲଫାପାର ଚିଠି ପାଇଁ ସେ ଆଶ୍ଚର୍ଯ୍ୟ ହୋଇଗଲା । ଏତେଦିନ ଭିତରେ ସ୍ୱପ୍ନାର ଏହା ଦୀର୍ଘତମ ଚିଠି । କୁମାର ପଢ଼ିଲା । ଲେଖାଅଛି–

 

କୁମାରବାବୁ !

 

ଗତ ଗୋଟିଏ ସପ୍ତାହ ହେବ ମୁଁ ଚିଠିଦେଇ ପାରିନି । କିନ୍ତୁ ଏଇ ଦୀର୍ଘ ଚିଠିଟି ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଯାହା ଭାଗ୍ୟରେ ସୁଖ ନାହିଁ ସେ ଯେତେ ଚେଷ୍ଟା କଲେ ମଧ୍ୟ ସୁଖ ପାଇପାରିବ ନାହିଁ । ଅଭିଶପ୍ତ ଜୀବନ ମୋର । ହୀନିମାନୀ ଜୀବନ ନେଇ ସବୁଦିନେ ସନ୍ତୁଳି ହୋଇ ମରିଲି । ଜୀବନରେ ମୁଁ କାହାର ଉପକାର କରି ପାରିଲି ନାହିଁ । ସମସ୍ତେ ମୋତେ ଭୁଲ ବୁଝିଲେ, ମୋର ଚରିତ୍ରର କଳଙ୍କରଟନା କଲେ । ସେଇଥିପାଇଁ ସେଦିନ ମୁଁ ଘରଦ୍ୱାର ପରିତ୍ୟାଗ କରି ସମସ୍ତ ମାୟାମମତା ତୁଟାଇ ଆତ୍ମହତ୍ୟା କରିବାକୁ ଯାଇଥିଲି ।

 

ଗଭୀର ଜଳ ମଧ୍ୟରୁ ନିଜ ଜୀବନକୁ ପାଣିଛଡ଼ାଇ ଆପଣ ମୋତେ ଉଦ୍ଧାର କରିଥିଲେ, ବଞ୍ଚିବାର ଆଶା ଦେଖାଇ ଥିଲେ, ଜୀବନର ପ୍ରଲୋଭନ ଦେଖାଇ ଥିଲେ । ଜୀବନଟା ମାଟି ଗୋଡ଼ି ପରି ଅପଦାର୍ଥ ନୁହେଁ ବୋଲି କହିଥିଲେ । ଗଢ଼ି ଜାଣିଲେ ଜୀବନଟା ସରସ, ସୁନ୍ଦର ବୋଲି ଉପଦେଶ ଦେଇଥିଲେ ।

 

ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନଟାକୁ ଗଢ଼ିବାକୁ ଚେଷ୍ଟା କରିଥିଲି । କିନ୍ତୁ କଣ ହେଲା ଆଜି ମୋର ? ଆପଣଙ୍କ ମନରେ ଯଦି ଏଇୟା ଥିଲା ତେବେ ମୋତେ କାହିଁକି ନିଜ ପାଖରେ ନ ରଖି ଘରକୁ ପଠାଇ ଦେଲେ । ଆପଣଙ୍କ ପାଖରେ ମୁଁ ଖୁବ୍ ଶାନ୍ତିରେ ଥିଲି–ସୁଖରେ ଥିଲି ।

 

ଏ ସମାଜ ବଡ଼ ବିଚିତ୍ର । ଯିଏ ଯାହାର ଚରମ ଉପକାର କରେ, ପରେ ସେ ପୁଣି ତା’ର ଶତ୍ରୁ ହୋଇଯାଏ । ଆପଣ ଅତି ସରଳ ହୋଇ ଜୀବନଟାକୁ ଆଦର୍ଶରେ ଗଢ଼ିବାକୁ ଚାହିଁଲେ । ରାଜେଶବାବୁଙ୍କ ସହିତ ମୋର ମିଳନ କରାଇ ଦେଇ ଆପଣଙ୍କ ସାଧନାର ଚରମ ସିଦ୍ଧି ହେଲା ବୋଲି ଗର୍ବ କରିଥିଲେ । କିନ୍ତୁ ଆପଣଙ୍କ ସାଧନାରେ ସିଦ୍ଧି ହୋଇ ପାରିନି, ଅଧ୍ୟବସାୟରେ ତ୍ରୁଟି ରହିଥିବା ଯୋଗୁ ମୋର କୁମାରୀ ଜୀବନ ବିପର୍ଯ୍ୟସ୍ତ ହୋଇଗଲା–ଯେଉଁଥିପାଇଁ ରାଜେଶବାବୁ ଘରଛାଡ଼ି ଅନ୍ତର୍ଦ୍ଧାନ ହୋଇଗଲେ । ଅଚାନଙ୍କ ତାଙ୍କର ଚାଲିଯିବାର କାରଣ କେହି ବୁଝି ନ ପାରିଲେ ମଧ୍ୟ ମୁଁ ବୁଝିଥିଲି ।

 

ରାତିରେ ଖାଇପିଇ ସମସ୍ତେ ଶୋଇଥିଲୁ । ସକାଳୁ ଉଠି ଦେଖିଲି ସେ ନାହାନ୍ତି କି ତାଙ୍କର ଜିନିଷପତ୍ର ନାହିଁ । କେବଳ ଖଣ୍ଡିଏ ଚିଠି ରହିଛି । ଚିଠିଟି ସେ ମୋ ପାଖକୁ ଲେଖିଥିଲେ ।

 

ସାବୀ !

 

ମୁଁ ଆଜି ତମ ଘରଛାଡ଼ି ଚାଲିଯାଉଛି । ଯିବାକୁ ଇଚ୍ଛା ନ ଥିଲେ ମଧ୍ୟ ଅବସ୍ଥା ବାଧ୍ୟ କରୁଛି । ପ୍ରତ୍ୟେକ ମଣିଷର ସହ୍ୟ କରିବାର ଗୋଟାଏ ସୀମା ଅଛି । କିନ୍ତୁ ସୀମା ଅତିକ୍ରମ କରିଗଲା ପରେ... । ଗ୍ରାମର ଲୋକେ ତୋ ନାମରେ ଯେଉଁ କୁତ୍ସାରଟନା କରୁଛନ୍ତି ତାକୁ ଶୁଣିଲେ କାହାରି ଧୈର୍ଯ୍ୟ ରହିବ ନାହିଁ । ଆଉ ସେଥିରୁ ମୁଁ ବାଦ ଯାଇଥାଆନ୍ତି କିପରି ?

 

ଚାକିରୀ କରିବାକୁ ତମ ଗ୍ରାମକୁ ଆସି ତମରି ଘରେ ରହିଥିଲି । ମଉସା-ମାଉସୀଙ୍କର ବାତ୍ସଲ୍ୟ ସ୍ନେହ ମମତା ମୋତେ ଏତେ ଆକୃଷ୍ଟ କରିଥିଲା ଯେ ତାଙ୍କର ପବିତ୍ର ବନ୍ଧନକୁ ଏଡ଼ାଇ ଦେଇ କୁଆଡ଼େ ଯାଇପାରିଲି ନାହିଁ । ତମ ପରିବାରର ଆର୍ଥିକ ଅନାଟନ ବେଳେ ମୁଁ ଅର୍ଥ ସାହାଯ୍ୟ ଦେଇ ତମମାନଙ୍କ ଜୀବନ ରକ୍ଷା କରିଥିଲି । ଇତ୍ୟବସରରେ ଆମେ ପରସ୍ପରକୁ ଭଲ ପାଇବସିଲୁ-। ବିବାହ କରିବୁ ବୋଲି ନିଷ୍ପତ୍ତି ନେଲୁ । ମୁଁ ଭାବିଥିଲି ତୁ ଗରୀବ ହୋଇପାରୁ କିନ୍ତୁ ଚରିତ୍ରହୀନା ହୋଇ ପାରିବୁ ନାହିଁ । କିନ୍ତୁ ଆଜି ଭାବୁଛି, ତୋରି ଭଳି ଗରୀବ ଝିଅମାନେ ଚରିତ୍ରାହୀନା ହୁଅନ୍ତି, ଅସତୀ, ଭ୍ରଷ୍ଟା ହୁଅନ୍ତି । ତୋର ନାମକରଣ ବେଳେ ଉର୍ବଶୀ, ଲକ୍ଷହୀରାର ନାମ ନ ରଖି ତୋ ପିତା ସତୀ-ସାବିତ୍ରୀର ନାମ ରଖି କାହିଁକି ଯେ ସେଇ ପବିତ୍ରନାମର ଅପମର୍ଯ୍ୟାଦା କଲେ ମୁଁ ବୁଝି ପାରୁନି-

 

ତୁ ନାରୀ–ପୂର୍ଣ୍ଣ ବୟସର ଯୁବତୀ । ଦେହରେ ତୋର ଯୌବନ ଲହଡ଼ି ଖେଳୁଛି । ଅଙ୍ଗ ଅବୟରେ ଭରାକମ୍ପନର ଜୁଆର । କାମନା-ବାସନାର ଅଜସ୍ର ପିପାସା । ସମସ୍ତେ ଏଇ ବୟସରେ ଭୁଲ କରନ୍ତି । କଣ୍ଟକିତ ପଥକୁ ସ୍ୱାଗତ କରନ୍ତି । ତେଣୁ ତୁ ଏଥିରୁ ଦୁରେଇ ରହିଥାଆନ୍ତୁ କିପରି ? ବୟସର ଉନ୍ମାଦନାରେ ଏତେ ବିଭୋର ହୋଇଗଲୁ ଯେ, ଜଣେ ପୁରୁଷ ସହିତ ତୋର ବିବାହ ସ୍ଥିରୀକୃତ ହୋଇ ସାରିଛି, ଏହା ତୁ ଭୁଲିଗଲୁ ।

 

ସୁଶାନ୍ତ ସହ ତୋର ପ୍ରେମ ସମ୍ବନ୍ଧୀୟ ଘଟଣା କହିବା ପରେ ତୁ ତାହାକୁ ମିଛ ବୋଲି ପ୍ରମାଣିତ କଲୁ । ମୋର ସନ୍ଦେହ ଭୁଲ ବୋଲି କହିଲୁ । ମୁଁ କିନ୍ତୁ ତୋ କଥାକୁ ବିଶ୍ୱାସ କରିଥିଲେ ମଧ୍ୟ ତୋର ଭବିଷ୍ୟତ ଜୀବନ ପାଇଁ ତୋତେ ସତର୍କ କରି ଦେଇ ଥିଲି । କିନ୍ତୁ ତୁ ନିଜ ଆତ୍ମସମ୍ମାନରେ କଳଙ୍କ ଲାଗିଲା ବୋଲି ଆତ୍ମହତ୍ୟା କରିବା ପାଇଁ ଘର ଛାଡ଼ିଦେଲୁ ।

 

ଆତ୍ମହତ୍ୟାରୁ ଉଦ୍ଧାର କରି କୁମାରବାବୁ ତୋତେ ପାଖରେ ରଖିଲେ । ତୁ ମଧ୍ୟ ତାଙ୍କ ପାଖରେ କେତୋଟି ମାସ ରହିଗଲୁ । ତୋର ଯଦି ଘରକୁ ଫେରି ଆସିବାର ଇଚ୍ଛାଥିଲା ତେବେ ବହୁ ପୂର୍ବରୁ ଆସି ପାରିଥାଆନ୍ତୁ କିନ୍ତୁ ଦୀର୍ଘ ଛଅ ମାସପରେ କୁମାରବାବୁ ଚିଠି ଦେଇ ଜଣାଇଲେ କାହିଁକି କହି ପାରିବୁ ?

 

ମୁଁ ଜାଣେ, ଏଇ କାହିଁକିର ଉତ୍ତର ତୁ ଦେଇ ପାରିବୁ ନାହିଁ । କୁମାରବାବୁଙ୍କ ପାଖରେ ରହି ନିଜ ଭାବୀ ସ୍ୱାମୀ ତଥା ପ୍ରେମିକ କଥା ଭୁଲିଗଲୁ, ନିଜ ପରିବାରକୁ ଭୁଲିଗଲୁ । କୁମାରବାବୁଙ୍କ ପାଖରେ ରହି ଯୌବନକୁ ତିଳ ତିଳ କରି ଉପଭୋଗ କରି ସାରିବା ପରେ କୁମାରବାବୁଙ୍କର ଯେତେବେଳେ ଉପଭୋଗର କାମନା ଲାଳସା ମରି ମରିଗଲା, ସେ ଚିଠି ଦେଲେ ତୋତେ ଫେରାଇ ନେବାପାଇଁ ।

 

ତୁ କହ ସାବୀ ! ଗୋଟିଏ ଅନୁଢ଼ା କନ୍ୟା ଗୋଟିଏ ଯୁବକ ପାଖରେ ଏତେଦିନ ରିହିବା ପରେ ସେ କଣ ସତୀକନ୍ୟା ହୋଇ ରହିଥିବ ? ଆଜି ପର୍ଯ୍ୟନ୍ତ କଣ ତୋ ଦେହରେ କୁମାରବାବୁଙ୍କ ସ୍ପର୍ଶ ବାଜିନି ? କୁମାରବାବୁ ତୋତେ ଭଲପାଇ ନାହାନ୍ତି ? ଏ କଥା ମୁଁ ଏକା କହୁନି, ଏ ସମାଜର ପ୍ରତ୍ୟେକ ଲୋକ କହୁଛନ୍ତି । ନିଆଁ ପାଖରେ ପତଙ୍ଗ କଣ ସ୍ଥିର ହୋଇ ରହିପାରେ ? ଫୁଲ ପାଖରେ ଭ୍ରମର କଣ ନୀରବ ହୋଇ ବସିପାରେ ? ଆଉ ଯୁବକ ପାଖରେ ଯୁବତୀ...

 

ତୁ ହୁଏତ ବିଭିନ୍ନ ଯୁକ୍ତି ଦେଖାଇ ମୋ ଅଭିଯୋଗ ଖଣ୍ଡନ କରିବାକୁ ଚେଷ୍ଟା କରିବୁ କିନ୍ତୁ ମୁଁ ନିରୁପାୟ । ସେ ଦିନ ମୁଁ ସ୍ୱଚକ୍ଷୁରେ ଦେଖିଛି ଯେତେବେଳେ ଅବିଶ୍ୱାସ କରିବି କେମିତି ? ସେଦିନ ରାତି ଅଧରେ ପାଦ ଚିପି ଚିପି କୁମାରବାବୁଙ୍କ ପାଖକୁ ଯାଇଥିଲୁ । ଦୀର୍ଘ ଦୁଇଘଣ୍ଟାରୁ ଅଧିକ ସମୟ ତୁ ତାଙ୍କ ପାଖରେ ରହିଲୁ । କେତେ ହସ-କାନ୍ଦ, ଫୁସଫାସ କଥାବାର୍ତ୍ତା । ନିବିଡ଼ ଅନ୍ଧକାର ଭିତରେ କିଛି ଦେଖି ନ ପାରିଲେ ମଧ୍ୟ ମୁଁ ସବୁ ଶୁଣିଛି । ସବୁ ଶୁଣିସାରିଲା ପରେ ଓ ଜାଣି ସାରିଲା ପରେ ଗୋଟିଏ ଚରିତ୍ରହୀନା କନ୍ୟାକୁ ମୁ କିମିତି ବିବାହ କରିବି ?

କୁମାରବାବୁ ତୋତେ ତିଳତିଳ କରି ଉପଭୋଗ କରି ସାରିବା ପରେ ଆଉ କେଉଁ ବିଭବ ନେଇ ତୁ ଯେ ମୋତେ ବିବାହ କରିବାକୁ କାମନା କରିଛୁ ଶୁଣେ ? ତୋରି ଭଳି ଗରୀବ ଝିଅମାନଙ୍କର ମନ ଗୋଟିଏ ପୁରୁଷପ୍ରତି ଏକ-ନିଷ୍ଠ ନ ରହି ଅନେକ-ନିଷ୍ଠ ରହିଥାଏ । ଜଣକୁ ଭଲପାଇ ପରିତୃପ୍ତି ପାଇ ପାରନା । ପୁରାତନକୁ ପରିତ୍ୟାଗ କରି ନୂତନ ପ୍ରେମିକ ଅନ୍ୱେଷରେ ଘୂରି ବୁଲୁଥାଅ । ଏକା ତୁ ନୁହେଁ ସାବୀ, ତୋରି ଭଳି ପ୍ରତି ଝିଅ ସ୍ୱାର୍ଥପର ! ସ୍ୱାର୍ଥ ପୂରଣ ପାଇଁ ଆଖିରୁ ଲୁହ ଗଡ଼ାଇ କି ସୁନ୍ଦର ଅଭିନୟ କରିପାର ? ପ୍ରତାରଣାରେ ମଧ୍ୟ ତମମାନଙ୍କର ଦାନ କମ ନୁହେଁ-

ବର୍ତ୍ତମାନ କୁମାରବାବୁ ତୋର ଏକାନ୍ତ ଆପଣାର । ସେ ଦିନକ ପାଇଁ ଆସି ଆଠଟି ଦିନ ରହିଗଲେ ତଥାପି ଆଉ ଦୁଇ ଚାରିଦିନ ରହିବା ପାଇଁ ତୁ ବାଧ୍ୟ କରୁଥିଲୁ । ସେ ମଧ୍ୟ ଫେରିଲା ବେଳେ ତମକୁ ଅର୍ଥ ସାହାଯ୍ୟ କରି ଯାଇଛନ୍ତି । ତା’ଛଡ଼ା ଚାରି ପାଞ୍ଚଦିନ ଅନ୍ତରରେ ଚିଠିପତ୍ର ଆଦାନ-ପ୍ରଦାନ । ଏଇସବୁ କାର୍ଯ୍ୟକଳାପରୁ ସମସ୍ତେ କଣ ଅନୁମାନ କରିବେ କହିଲୁ ?

ତୋର ବ୍ୟକ୍ତିଗତ ଜୀବନ ଉପରେ ମୁଁ ଆଉ କିଛି କହିବାକୁ ଚାହେଁନା । କିନ୍ତୁ ଏତିକି ମନେପକାଇ ଦେବାକୁ ଚାହେଁ ତୁ କେମିତି ସ୍ୱାର୍ଥପର, କୃତଜ୍ଞ, ନିର୍ଦ୍ଦୟ ହୋଇ ପାରିଲୁ ? ଯିଏ ମୁହଁରେ ଆହାର ଦେଇ ଜୀବନ ରକ୍ଷାକଲା ସେ ତୋର ଶତ୍ରୁ ହୋଇଗଲା ? ଦାନର ପ୍ରତିଦାନ କଣ ଏଇୟା ? ସ୍ୱାର୍ଥତ୍ୟାଗର ମୂଲ୍ୟ କଣ ବେଇମାନୀ !

ତୁ କୁମାରୀ । ଦେହ ମନରେ ତୋର ଭରା ତରଙ୍ଗର ଜୁଆର । ତେଣୁ ତୋ ମନରେ ସ୍ଥିରତା ନାହିଁ–ଅଛି କେବଳ ଚଞ୍ଚଳତା । ଏକନିଷ୍ଠ ମନ ନାହିଁ–ଅଛି ବହୁମୁଖୀ ଚିନ୍ତାଧାରା, ତେଣୁ ତୁ ଅନୁତାପ କରିବୁ, ଜୀବନସାରା ଆଖିରୁ ଲୁହ ଝରାଇବୁ ।

ମୁଁ ତୋ ଭଳି ନଷ୍ଟଚରିତ୍ରା ଝିଅକୁ ବିବାହ କରିବି ନାହିଁ ବୋଲି ସ୍ଥିର କରିନେଲା ପରେ ଆଉ କାହିଁକି ତମ ଘରେ ରହିଥାନ୍ତି ? ତେଣୁ ସମସ୍ତଙ୍କ ଅଗୋଚରରେ ମୁଁ ଘର ଛାଡ଼ିଲି । ନ ହେଲେ ମଉସା ମାଉସୀଙ୍କୁ କି କୈଫିୟତ ଦେଇଥାନ୍ତି କହିଲୁ ? ତୋର ସିନା ମୋ ପ୍ରତି ମମତା ନାହିଁ, ସ୍ନେହ ନାହିଁ, କିନ୍ତୁ ସେମାନଙ୍କର ତ ଅଛି । ସେମାନେ କଣ ମୋତେ ଛାଡ଼ି ପାରି ଥାଆନ୍ତେ ?

ଅତୀତକୁ ଭୁଲିଯିବୁ ସାବୀ ! ମନେ କରିବୁ ଯେଉଁ ରାଜେଶଭାଇ ସହିତ ଅଚାନକ ସାକ୍ଷାତ ହୋଇ ପରିଚୟ, ଘନିଷ୍ଠତା ହୋଇ ବିବାହ ସ୍ଥିରୀକୃତ ହୋଇଥିଲା ସେଇ ରାଜେଶଭାଇ ଅଚାନକ ଦୁର୍ଘଟଣାରେ ମରିଗଲା ।

କୁମାରବାବୁଙ୍କୁ ତୁ ବିବାହ କରିବୁ । ତୋର ଦାମ୍ପତ୍ୟ ଜୀବନରେ ଫୁଲଚନ୍ଦନ ବୃଷ୍ଟି ହେଉ, ସ୍ରଷ୍ଟା ପାଖରେ ମୋର ଏତିକି କାମନା । ଇତି ।

ତୋର ରାଜେଶଭାଇ

ରାଜେଶଭାଇଙ୍କର ଚିଠିଟି ପଢ଼ି ସାରିବା ପରେ ମୋତେ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । ସବୁକିଛି ହୃଦୟଙ୍ଗମ କରିସାରିବା ପରେ ଦ୍ୱିତୀୟଥର ପାଇଁ ରାଜେଶଭାଇ ପୁଣି ଯେ ମୋ ଚିରିତ୍ରରେ କଳଙ୍କ ବୋଳି ରାତିଅଧରେ ଚାଲିଯିବେ ଏହା ମୁଁ କେବେ ଆଶାକରି ନ ଥିଲି । ସବୁଠାରୁ ବେଶୀ ଦୁଃଖିତ ହେଲି ଆପଣଙ୍କ ସହ ମୋର ନାମକୁ ଯୁକ୍ତକରି ସେ ଯେଉଁ ବଦନାମ କଲେ ସେଇଥିରେ ମୁଁ ଭାଙ୍ଗି ପଡ଼ିଲି ।

 

ଆପଣ ମୋତେ ଅନେକ ପରାମର୍ଶ ଦେଇଛନ୍ତି, ଉପଦେଶ ଦେଇଛନ୍ତି, ଆପଣଙ୍କର ପରାମର୍ଶକୁ ମୁଁ ସବୁବେଳେ ସାଦରେ ଗ୍ରହଣ କରିଛି । କୌଣସି ଗୋଟିଏ ମଧ୍ୟ ଭାଙ୍ଗି ଦେଇନି । ତେବେ ଆପଣ କୁହନ୍ତୁ, ବର୍ତ୍ତମାନ ମୁଁ କଣ କରିବି ।

 

ପିତାମାତାଙ୍କୁ ମିଛ କୈଫିୟତ ଦେଲି । ହଠାତ୍ ରାଜେଶଭାଇ ବଦଳି ଆଦେଶ ପାଇ ଚାଲିଗଲେ । ପରେ ଆସି ସାକ୍ଷାତ କରିବେ ବୋଲି କହିଛନ୍ତି । କିନ୍ତୁ ସେମାନେ କଣ ବିଶ୍ୱାସ କରିଥିବେ ବୋଲି ଆପଣ ଆଶା କରୁଛନ୍ତି ?

 

ଆଜି ମୁଁ ଅନୁଭବ କରୁଛି ଆପଣ ମୋର କାହି ନୁହନ୍ତି । ଆପଣଙ୍କ ସହ ପରିଚୟ ବହୁଦିନର ମଧ୍ୟ ନୁହେଁ, ରକ୍ତର ସମ୍ପର୍କ ମଧ୍ୟ ନାହିଁ ତଥାପି ଆପଣ ମୋର ଏକାନ୍ତ ଆପଣାର । ନିଃସ୍ୱାର୍ଥପର ଭାବରେ ଆପଣ ମୋର ଯେଉଁ ଉପକାର କରିଛନ୍ତି, ଯେଉଁ ଅଯାଚିତ ସ୍ନେହମମତା ଦେଇଛନ୍ତି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ତାହା ଭୁଲିପାରିବି ନାହିଁ ।

 

ମହାନ ସ୍ୱାର୍ଥତ୍ୟାଗ କରି ରାଜେଶବାବୁଙ୍କ ସହିତ ମୋର ମିଳନ କରାଇବାକୁ ଚାହିଁଥିଲେ । କିନ୍ତୁ ଯିଏ ଉଡ଼ିଯିବା ପକ୍ଷୀ ତାକୁ ଧରି ରଖିବା କଣ ଏତେ ସହଜ ? ମୋତେ ନିରାଶ୍ରୟା କରି ରାଜେଶବାବୁ ଚାଲିଗଲେ ।

 

ନିଉଁଛୁଣା ଜୀବନ ରଖିବି ନାହିଁ ବୋଲି ସେଦିନ ମୁଁ ଆତ୍ମହତ୍ୟା କରିବାକୁ ଯାଇଥିଲି । ଆପଣ ସେଦିନ ମୋର ଜୀବନ ରକ୍ଷା କରିଥିଲେ । ଶାନ୍ତିର ମାର୍ଗ ଆତ୍ମହତ୍ୟା ନୁହେଁ ବୋଲି କହିଥିଲେ । ଆତ୍ମହତ୍ୟା କରି କେହି ଶାନ୍ତି ପାଏନା ବୋଲି କହିଥିଲେ । ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ଜୀବନ ସୁଖମୟ ହେବ ବୋଲି କହିଥିଲେ । ଆପଣଙ୍କ କଥା ମୁଁ ଅକ୍ଷରେ ଅକ୍ଷରେ ମାନିଥିଲି କିନ୍ତୁ ଆଜି ଏସବୁ କଣ ହୋଇଗଲା ? ଆପଣ ସେଦିନ କହିଥିଲେ କପାଳ ଲିଖନକୁ କେହି ବଦଳାଇ ପାରିବେ ନାହିଁ । ଏ ଦୁନିଆରେ ସବୁ ମିଛ–କେବଳ ‘ଯୋଗ ଆଉ ଭୋଗ’ ହେଉଛି ନିରାଟ ସତ୍ୟ । କିନ୍ତୁ ମୋରି ଭାଗ୍ୟରେ କଣ ଏତେ ଭୋଗିବାକୁ ଥିଲା ? ମୁଁ ଆଉ ପାରୁନି କୁମାରବାବୁ, ଏ ଯନ୍ତ୍ରଣାମୟ ଜୀବନ ଧରି ବଞ୍ଚିରହିବା ଠାରୁ ମୃତ୍ୟୁ ସହସ୍ରଗୁଣେ ଭଲ ।

 

ଜୀବନର ମଝିଛକରେ ଠିଆ ହୋଇଛି ମୁଁ । ଆଗକୁ ଯାଇପାରୁନି । ପଛକୁ ଫେରି ପାରୁନି । ସାଥୀ ମୋର ଆଜି କେହି ନାହିଁ । ଆଖିର ଲୁହହିଁ ମୋର ପ୍ରଧାନ ସମ୍ବଳ-ଚିରସାଥୀ । ସେଦିନ କାନ୍ଦିଲାବେଳେ ଆପଣ ସିନା ଲୁହ ପୋଛି ଦେଉଥିଲେ । କିନ୍ତୁ ଆଜି କାନ୍ଦିଲାବେଳେ ଲୁହ ପୋଛି ଦେବାକୁ କେହି ନାହିଁ । ମୋ ଜୀବନର ସମସ୍ତ ସୁଖ ମଉଳିଗଲା । ମୋ ଜୀବନଟା ଅଭିଶପ୍ତ ହୋଇ ଉଠିଲା । ରାଜେଶଭାଇ ଚାଲିଗଲା ପରେ ଏ ଜୀବନଟା ମୂଲ୍ୟହୀନ ହୋଇଗଲା ।

 

ଆପଣ ଦିନେ କହିଥିଲେ, ‘ଜୀବନର ଯେଉଁ ମୁହୂର୍ତ୍ତରେ ତମେ ମୋଠାରୁ ସାହାଯ୍ୟ ଚାହିଁବ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ପାଇବ । ମୁଁ ଆଜି ଆପଣଙ୍କ ସାହାଯ୍ୟ ଚାହେଁ । ଆପଣଙ୍କ ଛଡ଼ା ଏତେ ବଡ଼ ଦୁନିଆରେ ମୋର ଆପଣାର ମଣିଷ କେହି ନାହିଁ ।

 

ଆପଣ ଯଦି ମୋତେ ଗଭୀର ଭାବେ ସ୍ନେହ କରନ୍ତି, ପ୍ରାଣରୁ ଅଧିକ ଭଲ ପାଆନ୍ତି, ଯଦି ସବୁବେଳେ ମୋର ମଙ୍ଗଳ କାମନା କରନ୍ତି ତେବେ ମୋର ବିନୀତ ଅନୁରୋଧ, ଏ ର୍ଦୁନାମରୁ ରକ୍ଷା ପାଇବାପାଇଁ ରାଜେଶବାବୁଙ୍କୁ ଖୋଜିଆଣି ମୋତେ ଦିଅନ୍ତୁ । ଆପଣ ମୋର ବହୁ ଉପକାର କରିଛନ୍ତି । ଶେଷଥର ପାଇଁ ଏତିକି ଉପକାର କଲେ ମୁଁ ଆଜୀବନ କୃତଜ୍ଞ ହୋଇ ରହିଯିବି । ମୁଁ ଆଜି ସତକରି କହୁଛି, ଏ ବଦନାମରୁ ରକ୍ଷା ପାଇବାକୁ ରାଜେଶବାବୁଙ୍କୁ ଖୋଜି ବାହାର କରିବାକୁ ହେବ । ତାଙ୍କୁ ନ ପାଇଲେ ମୁଁ ବଞ୍ଚିବି କାହିଁକି କହିଲେ ?

 

ଆଜି ଏତିକି । ରାଜେଶଭାଇଙ୍କୁ କେଉଁଦିନ ଆଣି ଏଠାରେ ପହଞ୍ଚିବ ସେହି ଶୁଭଦିନକୁ ଚାହିଁ ବସିଲି । ଇତି ।

 

ସ୍ନେହର ସ୍ୱପ୍ନା ।

 

କୁମାର ସ୍ୱପ୍ନାର ଚିଠିଟି ପଢ଼ି ଅବାଳ ହୋଇଗଲା । ସତରେ, ଆଜି ସ୍ୱପ୍ନା କି ଦୁଃଖରେ ସମୟ ଅତିବାହିତ କରୁଥିବ ? ଭଗବାନ ପୁଣି ତା’ ଜୀବନରେ ଏତେ ଦୁଃଖ ଦେଇଛନ୍ତି । ନିରୀହା ବାଳିକାଟିଏ, ତା’ ଭାଗ୍ୟରେ ପୁଣି ଏତେ ଦୁଃଖ, କଷ୍ଟ, ଯନ୍ତ୍ରଣା ।

 

ରାଜେଶ ଉପରେ ଭୀଷଣ ରାଗ ହେଉଥିଲା କୁମାରର । ସ୍ୱପ୍ନା ଭଳି ସରଳା ଝିଅକୁ ବାରମ୍ବାର ଆଘାତ, ତିରସ୍କାର କରି ତାକୁ ଏକୁଟିଆ ଛାଡ଼ି ପଳାଇ ଆସିବା ବିବେକୀ ଲୋକର କାର୍ଯ୍ୟ ନୁହେଁ ।

 

ସ୍ୱପ୍ନା ସାହାଯ୍ୟ ଚାହିଁଛି । ଶପଥର ମୂଲ୍ୟ ଚାହିଁଛି । ସ୍ନେହର ପ୍ରତିଦାନ ଚାହିଁଛି ।

 

କୁମାର ଉଠି ପଡ଼ିଲା । କାନ୍ଥରେ ଟଙ୍ଗା ହେଇଛି ଜଗତ୍‌ଜନନୀ, କଲ୍ୟାଣମୟୀ, ଆଦିମାତା ଦୁର୍ଗାଙ୍କ ଫଟୋ । କୁମାର ପ୍ରଣିପାତ ଜଣାଇଲା । ଶପଥ ନେଲା, ଜୀବନରେ ଯଦି ରାଜେଶ ସହିତ ଦେଖା ନ ହୁଏ ତେବେ ସେ ଘରକୁ ଫେରିବ ନାହିଁ ।

 

ଭୀଷ୍ମ ଶପଥ ନେଇ କୁମାର ବାହାରି ପଡ଼ିଲା ରାଜରାସ୍ତା ଉପରକୁ ।

 

ବିଗତ ଆଠଟି ଦିନ ଓ ଆଠଟି ରାତି ସ୍ୱପ୍ନା କାନ୍ଦି କାନ୍ଦି ବିତାଇ ଦେଇଛି । ଭୋକ ଶୋଷ ମରିଯାଇଛି, ନିଦ୍ରାଦେବୀ ଅପସରି ଯାଇଛି । ଜୀବନଟା ଦୁର୍ବିସହ ମନେ ହୋଇଛି । ରାଜେଶଭାଇ ତାକୁ ଏକାକିନୀ କରି ଚାଲିଗଲା ପରେ କାହାକୁ ପାଥେୟ କରି ସେ ବଞ୍ଚି ରହିବ ? କାହିଁକି ବଞ୍ଚି ରହିବ ? ଭାବିଥିଲା ଘରଛାଡ଼ି କୁଆଡ଼େ ଚାଲିଯିବ । କିନ୍ତୁ ଯାଇପାରୁନି ସେ । କୁମାରବାବୁଙ୍କର ଉପଦେଶଗୁଡ଼ିକ ମନେ ପଡ଼ିଯାଉଛି । ମଣିଷ ଜୀବନରେ ଅନେକ ଝଡ଼ଝଞ୍ଜା ଆସେ, ଦୁଃଖ–କଷ୍ଟ ଆସେ । ଦୁଃଖରେ ଭାଙ୍ଗି ପଡ଼ିଲେ ଜୀବନ ନିରର୍ଥକ ହୋଇଯାଏ ଧୈର୍ଯ୍ୟ, ସାହସ ଧରି ସେଇ ଦୁଃଖକୁ ଅତିକ୍ରମ କରିଗଲେ ନିଶ୍ଚୟ ସୁଖ ପାଇବ । ଭଗବାନ ସବୁଦିନେ ଦୁଃଖ ଦିଅନ୍ତି ନାହିଁ । ସୁଖ ବି ଦିଅନ୍ତି । ଦୁଃଖ ଦେଇ ମଣିଷକୁ କେବଳ ପରୀକ୍ଷା କରନ୍ତି ।

 

କୁମାରବାବୁଙ୍କର ଉପଦେଶଗୁଡ଼ିକ ମନେ ପଡ଼ିଗଲେ ଜୀବନପ୍ରତି ମମତା ଆସେ । ସେଦିନ ସେ କହିଥିଲେ-ଏଇ ସୁନ୍ଦର ନୀଳଆକାଶ, କେଡ଼େ ମନୋରମ ! ଜ୍ୟୋତ୍ସ୍ନା ଝରୁଛି, ଅଗଣିତ ତାରାରେ ଆକାଶ ସୁନ୍ଦର ଦିଶୁଛି । ପ୍ରଳୟଙ୍କରୀ ଝଡ଼, ବର୍ଷା, ଘଡ଼ଘଡ଼ି ହେଲେ ଏଇ ଆକାଶ ପୁଣି ଭୟଙ୍କର ହୋଇଉଠେ । ନିମିଷକ ପରେ ପୁଣି ଆକାଶ ନିର୍ମଳ ହୋଇଉଠେ । ମଣିଷ ଜୀବନ ଠିକ୍ ସେମିତି । ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ।

 

କୁମାରବାବୁଙ୍କର ଏଇ ଉପଦେଶଗୁଡ଼ିକୁ ନିଜ ଜୀବନର ପାଥେୟ କରି ସେ ନିଜକୁ ଦୃଢ଼କଲା ।

 

ଆଖିରୁ ଲୁହ ପୋଛି ବିଛଣାରୁ ଉଠି ବସିଲା । ଖରାର ତେଜ ମଉଳି ଗଲାଣି । ମଧ୍ୟାହ୍ନ ଅପସରି ଗଲାଣି ।

 

ଚାଳ ଉପରେ କାକପକ୍ଷୀ ରାବ ଦେଉଛି । ସ୍ୱପ୍ନା ମନରେ ଚମକ ଖେଳିଗଲା । ଆଜି ଆସିବେକି କୁମାରବାବୁ ! ନିଜ ଭୁଲ ବୁଝି ଫେରି ଆସିବେ କି ରାଜେଶଭାଇ !

 

ଘର ଭିତରକୁ ଆସି ମୁଠାଏ ଚାଉଳ ନେଇ ଅଗଣାକୁ ଆସିଲା । କୁଲା ଦେହରେ ଚାଉଳ ରଖି କହିଲା–ଆ କାକପକ୍ଷୀ ! ଶୁଭ ସମ୍ୱାଦ ଆଣିଛୁ ଯଦି ଆହାର ଖାଇ ଫେରିଯା, ଯଦି ଦୁଃସମ୍ୱାଦ ଆଣିଛୁ ତେବେ ସେଇଠି ବସିଥା ।

 

ଚାଉଳରୁ ଖୁମ୍ଫାଏ ଦି’ଖୁମ୍ଫା ନେଇ କାକପକ୍ଷୀ ଚାଲିଗଲା ।

 

ସ୍ୱପ୍ନା ମନରେ ଅହେତୁକ ଆନନ୍ଦର ସିତ୍କାର ।

 

ଦରଜା ପାଖକୁ ଆସିଲା ସେ । ଦରଜା ସାମନାରେ ଯାହାଙ୍କୁ ଦେଖିଲା ପ୍ରଥମେ ବିଶ୍ୱାସ କରି ପାରିଲା ନାହିଁ । ଆଖି ମଳି ମଳି ଚାହିଁଲା । ସ୍ୱପ୍ନା ଦେଖୁନାହିଁ ତ ସେ ? କାକପକ୍ଷୀର କଥା କଣ ତେବେ ସତ ହେଲା ।

 

ଚିହ୍ନି ପାରୁନ ସ୍ୱପ୍ନା ! ଏଇ କେଇଟା ଦିନ ଭିତରେ ମଣିଷ ଚିହ୍ନିବାରେ ମଧ୍ୟ ବ୍ୟତିକ୍ରମ ଘଟିଛି । ନାମଟା ଯଦି ଭୁଲି ଯାଇଛ ତେବେ ମନେ ପକାଇ ଦେଉଛି । ମୁଁ କୁମାର, ଆଉ ମୋ ସହିତ ଆସିଥିବା ବନ୍ଧୁଙ୍କ ନାମ ରାଜେଶ-

 

ସ୍ୱପ୍ନା ଆଖିରେ ଲୁହର ପ୍ଳାବନ । ହତବାକ୍ ହୋଇ ସେ ନୀରବରେ ଠିଆହୋଇ ରହିଲା-

 

କୁମାର କଣ୍ଠସ୍ୱରରେ ନବୀନବାବୁ ଘରଭିତରୁ ବାହାରି ଆସିଲେ ।

 

ଆରେ ! ରାଜୁ ! କୁମାରବାବୁ ଯେ ! ଅତିଥିଙ୍କ ଭଳି ବାହାରେ ଠିଆହୋଇ ରହିଲା ଯେ-! ଭିତରକୁ ଆସ ।

 

ସ୍ୱପ୍ନ ରାଜ୍ୟରୁ ଫେରି ଆସିଲା ସ୍ୱପ୍ନା ! କୁମାର ପାଦଧରି ପ୍ରଣିପାତ କରି କହିଲା–ରାଜେଶଭାଇଙ୍କୁ ତମେ କେଉଁଠୁ ପାଇଲ ?

 

ରାଜେଶ ଘୃଣାରେ ମୁହଁ ଫେରାଇ ନେଲା ।

 

ସମସ୍ତେ ଘରଭିତରକୁ ପ୍ରବେଶ କଲେ ।

 

ସନ୍ଧ୍ୟା ଅତିକ୍ରମ କରିଯାଇଥିଲା । ରୂପେଲୀ ଜ୍ୟୋତ୍ସ୍ନାର କିରଣ ଧରଣୀ ବକ୍ଷରେ ନେସି ହୋଇ ଯାଇଥିଲା । ସଂଖ୍ୟାହୀନ ତାରକା ଆକାଶର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରି ତୋଳୁଥିଲା ।

 

ଅଗଣାରେ ଥିବା ବଉଳଗଛ ମୂଳେ ବସିଥିଲେ କୁମାର, ରାଜେଶ ଆଉ ସ୍ୱପ୍ନା !

 

କୁମାର କହିଲା–ତମ ଚିଠି ମୁଁ ଯଥାସମୟରେ ପାଇଲି ସ୍ୱପ୍ନା ! ତମ ଚିଠି ପଢ଼ି ମୁଁ ବିଚଳିତ ହୋଇପଡ଼ିଲି କିନ୍ତୁ ଧୈର୍ଯ୍ୟ ହରାଇ ନ ଥିଲି । ତମେ ମୋ ଉପରେ ଯେଉଁ ଗୁରୁଦାୟିତ୍ୱ ଲଦି ଦେଲ ସେଥିରୁ କିପରି ମୁକ୍ତ ହେବି ତାହାହିଁ ଚିନ୍ତା କରୁଥିଲି । ମନରେ ଭୀଷ୍ମ ଶପଥ ନେଇ, ଆଦିଶକ୍ତି ମହାମାୟା ଦୁର୍ଗାଙ୍କ ନାମ ସ୍ମରଣକରି ଘରୁ ଗୋଡ଼ କାଢ଼ିଲି ରାଜେଶବାବୁଙ୍କୁ ଖୋଜିବା ପାଇଁ ।

 

ହଠାତ୍ ବସ୍‌ଷ୍ଟାଣ୍ଡରେ ରାଜେଶବାବୁଙ୍କ ସହିତ ସାକ୍ଷାତ । ତମ ଘରୁ ଚାଲିଆସିବା ପରେ ପାଞ୍ଚଦିନ ସେହି ଗ୍ରାମରେ ରାଜେଶବାବୁ ରହିଥିଲେ । ଗତ ପଅରଦିନ ତମ ଗ୍ରାମରୁ କଟକ ଅଭିମୂଖେ ଯାତ୍ରା କଲେ । ବସ୍‌ରୁ ଓହ୍ଲାଉଥିବା ବେଳେ ଅଚାନକ ମୋ ସହିତ ସାକ୍ଷାତ । ରାଜେଶବାବୁଙ୍କୁ ନମସ୍କାର କଲି । ସେ ମୁହଁ ବୁଲାଇ ଦେଇ ଚାଲି ଯାଉଥିଲେ । ମୁଁ ତାଙ୍କ ହାତ ଧରି ପକାଇଲି । ସେ ମୋ ହାତକୁ ଛିଞ୍ଚାଡ଼ି ଦେଲେ । ତଥାପି ମୁଁ ଦୁଃଖ କରିନି କି ଅଭିମାନ କରିନି । ତାଙ୍କ ହାତଧରି ମୁଁ ଘରକୁ ନେଇ ଆସିଲି ।

 

ମୋ ସହିତ ସେ ଆସିଲେ । ପ୍ରଥମେ ଘର ଭିତରକୁ ପ୍ରବେଶ କରିବା କ୍ଷଣି ଟେବୁଲ ଉପରେ ତମ ଚିଠି ପଡ଼ିଥିବାର ଦେଖି ସେ ବିସ୍ମିତରେ ମୋ ମୁହଁକୁ ଚାହିଁଲେ ।

 

କୌଣସି କଥା ଗୋପନ ନ ରଖି ସମସ୍ତ କଥା ତାଙ୍କୁ କହିଲି । ତାଙ୍କ ସନ୍ଦେହମୋଚନ ନିମନ୍ତେ ମୁଁ ବିଭିନ୍ନ ଯୁକ୍ତି ଦର୍ଶାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । କିନ୍ତୁ ସେ ବୁଝିଲେ ନାହିଁ । ଶେଷକୁ କହିଲି–ଆପଣଙ୍କର ମୋ ଉପରେ ସନ୍ଦେହ, ଅବିଶ୍ୱାସ ରହିଛି । ସ୍ୱପ୍ନାକୁ ମୁଁ ଭଲପାଏ ବୋଲି ଆପଣ ଅନୁମାନ କରିନେଇଛନ୍ତି । ସେଇଥିପାଇଁ ସ୍ୱପ୍ନା ଚରିତ୍ରକୁ ସନ୍ଦେହ କରି ଆପଣ ଘର ଛାଡ଼ି ଗୋପନରେ ପଳାଇ ଆସିଛନ୍ତି । କିନ୍ତୁ ବିଶ୍ୱାସ କରନ୍ତୁ ରାଜେଶବାବୁ, ସ୍ୱପ୍ନା ସହିତ ମୋର କୌଣସି କୁସମ୍ପର୍କ ନାହିଁ । ସ୍ୱପ୍ନାକୁ ମୁଁ ଭଲପାଏ, ସ୍ୱପ୍ନା ପାଇଁ ମୋର ପ୍ରାଣ କାନ୍ଦେ, ସ୍ୱପ୍ନା ଆଖିରେ ଲୁହ ଦେଖିଲେ ମୁଁ ଥୟ ହୋଇ ରହିପାରେନା । ତା’ ମାନେ ଯେ ମୁଁ ସ୍ୱପ୍ନା ପ୍ରତି ମୋର ଗଭୀର ମମତା ଅଛି, କିନ୍ତୁ ମୁଁ ଶପଥ କରି କହୁଛି ସ୍ୱପ୍ନାର ଦେହ ପ୍ରତି କୌଣସି ଦିନ ମୋର ଦୁର୍ବଳତା ଜାତ ହୋଇନି । ମୁଁ ଯଦି ସ୍ୱପ୍ନାକୁ ଚାହିଁଥାନ୍ତି ତେବେ ଗ୍ରାମକୁ ପଠାଇଥାଆନ୍ତି କାହିଁକି ?

 

ରାଜେଶବାବୁ କହିଲେ–ସ୍ୱପ୍ନାର ସୁରଭି ମରିଗଲା ପରେ ସେ ଆପଣଙ୍କ ପାଇଁ ଅଦରକାରୀ ବସ୍ତୁ ହୋଇ ପଡ଼ିଥିଲା । ତେଣୁ....

 

ନା, ମୁଁ ଚିତ୍କାର କରି ଉଠିଲି । କହିଲି–ଆପଣଙ୍କ ହାତ ଧରୁଛି । ପବିତ୍ର ସମ୍ପର୍କରେ ଆପଣ କଳଙ୍କ ବୋଳିବାକୁ ଚେଷ୍ଟା କରନ୍ତୁ ନାହିଁ । ଆପଣ କହିପାରନ୍ତି ସ୍ୱପ୍ନା ଏତେଦିନ ପର୍ଯ୍ୟନ୍ତ କାହିଁକି ରହିଥିଲା, କିନ୍ତୁ ବିଶ୍ୱାସ କରନ୍ତୁ । ସ୍ୱପ୍ନାକୁ ଗଭୀର ଜଳରୁ ଉଦ୍ଧାର କରି ଆଣିବା ପରେ ତା‘ର ନାମ, ଗ୍ରାମ, ଠିକଣା ଇତ୍ୟାଦି ପଚାରିଥିଲି । ନିଜ ନାମକୁ ଗୋପନ କରି ସେ ‘ସ୍ୱପ୍ନା’ ବୋଲି କହିଲା କିନ୍ତୁ ଗ୍ରାମ, ପିତାମାତାଙ୍କ ନାମ ଇତ୍ୟାଦି କିଛି କହିଲା ନାହିଁ ।

 

ତଥାପି ମୁଁ ହତୋତ୍ସାହ ହୋଇ ନ ଥିଲି । ମୁଁ ଭୀଷଣ ଆଶାବାଦୀ । ମୋ ମତରେ ଯେଉଁ ତରୁଣୀକୁ କୌଣସି କଥା ପଚାରିଲେ ସେ ଏଡ଼ାଇ ଦେଇ ଚାଲିଯାଏ, ଦିନ ଆସିବ ସେହି ତରୁଣୀ ନିଃସଙ୍କୋଚରେ ସେହି ଗୋପନୀୟ ତଥ୍ୟକୁ ନିଜେ ନିଜେ କହି ବସିବ । ଆଉ ମୋ ପ୍ରତି ମଧ୍ୟ ଠିକ୍ ସେଇୟା ହେଲା । ବିଭିନ୍ନ କଥା ପ୍ରସଙ୍ଗରେ ଦିନେ ସେ ପରିବାର ତଥା ପିତାମାତା ଓ ଆପଣଙ୍କ କଥା ଇତ୍ୟାଦି କହି ବସିଲା । ତା’ ପରେ ମୁଁ ତାକୁ ଆଶ୍ୱସନା ଦେଇ ଗ୍ରାମକୁ ପଠାଇବାର ବନ୍ଦୋବସ୍ତ କରି ନବୀନବାବୁଙ୍କ ନିକଟକୁ ଚିଠି ଦେଲି ।

 

ଆପଣ ବିଶ୍ୱାସ କରନ୍ତୁ । ଏହାଛଡ଼ା ମୋର ଆଉ କୌଣସି ଉପାୟ ନ ଥିଲା । ଦୀର୍ଘଦିନ ରହଣୀ ସମୟ ମଧ୍ୟରେ କୌଣସି ଦିନ ସ୍ୱପ୍ନା ପ୍ରତି ମୁଁ ଆକୃଷ୍ଟ ହୋଇନି। ସ୍ୱପ୍ନାର ସରଳ ନମ୍ର ବ୍ୟବହାର, ତା’ ଜୀବନର କରୁଣ ଆଉ ମର୍ମନ୍ତୁଦ କାହାଣୀ ତଥା ସୁଶାନ୍ତ ସହ କଥାଭାଷା ହେବାରେ ଆପଣଙ୍କର ସନ୍ଦେହ ଓ ସ୍ୱପ୍ନାକୁ ଚରିତ୍ରହୀନା କହି ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ଇତ୍ୟାଦି ସବୁକଥା ସେ ମୋତେ କହିଛି । ସ୍ୱପ୍ନା ଜୀବନର ସବୁ ଗୋପନୀୟ କାହାଣୀ ଶୁଣି ସାରିବା ପରେ ତା’ ପ୍ରତି ମୋର ଦୟା, ସମବେଦନା ଆସିଥିଲା । ତା’ ଭବିଷ୍ୟତ ଜୀବନ କିମିତି ସୁଖରେ କଟିବ ସେଇୟା ଚିନ୍ତା କରିଥିଲି । ତା’ର ଦୁଃଖ କାହାଣୀ ଶୁଣି ମୁଁ ଶପଥ କଲି, ନିଜ ଜୀବନ ବିନିମୟରେ ସ୍ୱପ୍ନା ମୁହଁରେ ହସ ଆଣିବାକୁ ଚେଷ୍ଟା କରିବି ।

 

ମୋ ଉପଦେଶ ସ୍ୱପ୍ନା କେବେ ଅମାନ୍ୟ କରିନି । ସ୍ୱପ୍ନାର ଅନୁରୋଧ ମୁଁ ମଧ୍ୟ କେବେ ଭାଙ୍ଗି ଦେଇନି ।

 

ଇତ୍ୟବସରରେ ସ୍ୱପ୍ନାକୁ ବୁଝାଇ ଗ୍ରାମକୁ ପଠାଇବାର ବ୍ୟବସ୍ଥା କଲି ।

 

ଏଥର ଆପଣ କୁହନ୍ତୁ । ସ୍ୱପ୍ନା ପାଇଁ ମୁଁ ଆଉ ଅଧିକ କରିପାରିଥାଆନ୍ତି ? ସ୍ୱପ୍ନା ମୋ ଘରେ ରହିଛି । ମୋ ସହ ସିନେମା, ଥିଏଟର ଯାଇଛି । ପୁରୁଷ ଦେହରେ ନାରୀର ସ୍ପର୍ଶ ବାଜିଲେ କିମ୍ୱା ଗୋଟିଏ କୋଠରୀରେ ଦୁହେଁ ରହିଲେ ନାରୀ ଅସତୀ ହୋଇଯାଏ ନାହିଁ । କହିବାକୁ ଗଲେ ଏ ସୃଷ୍ଟିର ପ୍ରତି ନାରୀ ଦେହରେ ନ ହେଲେ ମଧ୍ୟ ମନରେ ଅସତୀ ହୋଇଥାଏ । ଦ୍ରୌପଦୀ ଯଦି ପଞ୍ଚପତିକୁ ଦେହଦାନ କରି ସତୀ ହୋଇ ପାରିଲେ ତେବେ କେବଳ ପୁରୁଷର ସ୍ପର୍ଶରେ ନାରୀ ଅସତୀ ହେବ କିପରି ? ଭଗବାନଙ୍କ ଦ୍ୱାହି ଦେଇ ଚନ୍ଦ୍ର–ସୂର୍ଯ୍ୟଙ୍କୁ ସାକ୍ଷୀ ରଖି ଶପଥ କରି କହୁଛି, ସ୍ୱପ୍ନା ସହିତ ମୋର ଯୌନସମ୍ପର୍କ କେବେ ନ ଥିଲା କି ଏବେ ବି ନାହିଁ । ସ୍ୱପ୍ନା ନିର୍ମଳ, ପବିତ୍ର, ନିଷ୍କଳଙ୍କ । ଆବିଳତା ସ୍ପର୍ଶ କରିନି ତାକୁ ।

 

ଏତେ ଯୁକ୍ତି ତଥା ଶପଥ କରିସାରିବା ପରେ ରାଜେଶବାବୁ ମୋ କଥାକୁ ବିଶ୍ୱାସ କଲେ-। ତା ପରେ ତାଙ୍କୁ ଜବରଦସ୍ତ ତମ ପାଖକୁ ନେଇ ଆସିଛି ।

 

ଗଭୀର କୃତଜ୍ଞତାରେ ନଇଁଗଲା ସ୍ୱପ୍ନାର ମଥା । ତା’ ପ୍ରତି କୁମାରବାବୁଙ୍କର ସ୍ୱାର୍ଥତ୍ୟାଗ ପାଇଁ ସେ ସ୍ରଷ୍ଟା ପାଖରେ ଦୀର୍ଘଜୀବୀ ହେବାପାଇଁ ପ୍ରାର୍ଥନା କରୁଥିଲା ।

 

ରାଜେଶ ଚାହିଁଲା କୁମାରବାବୁଙ୍କୁ ।

 

କୁମାର ସ୍ୱପ୍ନାକୁ ଚାହିଁ କହିଲା–ମୋର ଦାୟିତ୍ୱ ଏଥର ସରିଲା । ଯେଉଁ ଗୁରୁଦାୟିତ୍ୱ ତମେ ମୋ ଉପରେ ଲଦି ଦେଇଥିଲ ଭଗବାନଙ୍କ ଆଶୀର୍ବାଦରୁ ସେଥିରୁ ମୁଁ ମୁକ୍ତ ହେଲି । ଏବେ ମୋତେ ବିଦାୟ ଦିଅ ।

 

ବିଦାୟ ! ସ୍ୱପ୍ନା ଚାହିଁଲା କୁମାରବାବୁଙ୍କୁ ।

 

ହାତ ଘଣ୍ଟାକୁ ଚାହିଁ କୁମାର କହିଲା–ରାତି ବାରଟା ବାଜିଲା । ଏବେ ମୁଁ ଫେରିଯାଉଛି କଟକ ।

 

ସ୍ୱପ୍ନା କହିବା ପୂର୍ବରୁ ରାଜେଶବାବୁ କହିଲେ–ଆଜି ରାତିକି ରହିଯାଆନ୍ତୁ । କାଲି ସକାଳେ ଚାଲିଯିବେ ।

 

ବର୍ତ୍ତମାନ ତ ବସ୍‌ ଟାଇମ ନାହିଁ ।–ସ୍ୱପ୍ନା କହିଲା

 

ଉତ୍ତରରେ କୁମାର କହିଲା–ଜଣେ ବନ୍ଧୁଙ୍କ ମଟର ନେଇ ମୁଁ ଆସିଛି । ତମ ଘର ପାଖକୁ ମଟର ଆସି ପାରିଲାନି । ଗାଁ ମୁଣ୍ଡ ଛକରେ ଗାଡ଼ି ରହିଛି । ଗାଡ଼ି ଯେତେବେଳେ ମାଗିକରି ଆଣିଛି ଆଜି ମୋତେ ଫେରିଯିବାକୁ ହେବ । ସମୟ ହେଲେ ଆଉଦିନେ ଆସିବ ।

 

କୁମାରବାବୁ ! ସ୍ୱପ୍ନାର କଣ୍ଠସ୍ୱର କରୁଣ ହୋଇ ଉଠିଲା ।

 

କୁମାର କହିଲା–ମୋତେ ବାଧ୍ୟ କରନା ସ୍ୱପ୍ନା ! ସମୟ ଖୁବ୍ ଅଳ୍ପ, ରାତି ମଧ୍ୟ ଅଧିକ ହେଉଛି । ବାପା ଶୋଇ ପଡ଼ିବେଣି ବୋଧେ । ମୋର ଯିବା କଥା ଓ ମୋର ନମସ୍କାର ତାଙ୍କୁ ଜଣାଇ ଦେବ ।

 

କୁମାର ପଛେ ପଛେ ରାଜେଶ ଉଠି ପଡ଼ିଲା ।

 

ଦାଣ୍ଡ ଦରଜା ପାଖରେ ସ୍ୱପ୍ନାକୁ ଲକ୍ଷ୍ୟ କରି କୁମାର କହିଲା–ତମ ଯୁଗଳ ଜୀବନ ସୁଖମୟ ହେଉ । ଏତିକି କେବଳ ମୋର ଆଶୀର୍ବାଦ ।

 

କୁମାରକୁ ବଳାଇ ଦେବାକୁ ରାଜେଶ ଗାଡ଼ି ପର୍ଯ୍ୟନ୍ତ ଗଲା ।

 

ଦରଜା ପାଖରେ ଠିଆ ହୋଇ ସ୍ୱପ୍ନା ଚାହିଁଥିଲା କୁମାରବାବୁଙ୍କ ଚଲାପଥକୁ ।

 

ମଧ୍ୟାହ୍ନ ଅତିକ୍ରମ କରି ଯାଇଥିଲା ।

 

ଶରୀରର ଅସୁସ୍ଥତା ଯୋଗୁ ଡାକ୍ତରଖାନାରୁ ଛୁଟିନେଇ ଅସମୟଟାରେ ବିଛଣା ଉପରେ ଶୋଇ ରହି ଚିନ୍ତା କରୁଥିଲା ରାଜେଶ-

 

ହସି ହସି କୋଠରୀ ଭିତରକୁ ପ୍ରବେଶ କଲା ସାବିତ୍ରୀ ।

 

କହିଲା–ଦେହ କେମିତି ଲାଗୁଛି ରାଜେଶଭାଇ !

 

ଖୁବ୍ ଭଲ । କିନ୍ତୁ ତୁ ହସୁଛୁ କାହିଁକି କହିଲୁ ?

 

ସାବିତ୍ରୀ କିଛି କହି ପାରିଲାନି ଅଥଚ ଆହୁରି ଜୋରରେ ହସି ଉଠିଲା ।

 

ରାଜେଶ ସାବିତ୍ରୀକୁ ଟାଣି ଧରିଲା । କହିଲା, କଣ ହୋଇଛି ସାବୀ ? ଏତେ ହସୁଛୁ କାହିଁକି ?

 

ମୁଁ କହି ପାରିବି ନାହିଁ । ସବୁକଥା କଣ ସମସ୍ତଙ୍କୁ କହି ହୁଏ ?

 

କହିବୁ ନାହିଁ ? ବେଶ୍, ତୋ ଇଚ୍ଛା । ଏହା କହି କାନ୍ଥଆଡ଼କୁ ମୁହଁ ବୁଲାଇ ଶୋଇଲା ରାଜେଶ-

 

ବାସ୍ । ଏତିକିରେ ଏତେ ଅଭିମାନ ? ତମେ ଯଦି ପ୍ରତି କଥାରେ ଇମିତି ଅଭିମାନ କରିବ ତେବେ ମୁଁ କିଛି କହିବି ନାହିଁ ।

 

ମୋର ଶୁଣିବାର ମଧ୍ୟ ଆବଶ୍ୟକ ନାହିଁ । ତୁ ଫେରିଯା ସାବୀ ।

 

ସାବିତ୍ରୀ ବସି ପଡ଼ିଲା ରାଜେଶ ପାଖରେ । ଦୁଇ ହାତରେ ରାଜେଶର ମୁହଁ ବୁଲାଇ ଦେଇ କହିଲା–ଏଥର ତେବେ ଶୁଣ !

 

ରାଜେଶ ମୁହଁ ବୁଲାଇ ଚାହିଁଲା ।

 

ରାଜେଶ ବକ୍ଷରେ ମୁହଁ ରଖିଲା ସାବିତ୍ରୀ । କହିଲା, ଏଇ ଘଣ୍ଟାକ ତଳେ...ଆମ ବିବାହ ବିଷୟ ବାପା ବୋଉ ଆଲୋଚନା କରୁଥିଲେ । ବୋଉ କହୁଥିଲା, ଆମର କୁଆଡ଼େ ରାଜଯୋଟକ ପଡ଼ିଛି । ଆସନ୍ତା ଦଶ ତାରିଖରେ ଆମର ବିବାହ ହେବ ବୋଲି ସ୍ଥିର ହୋଇଛି ।

 

ନିଜ ବକ୍ଷ ଉପରୁ ସାବୀକୁ ତୋଳି ଧରିଲା ରାଜେଶ । ଗମ୍ଭୀର କଣ୍ଠରେ କହିଲା–ଆମର ବିବାହ କେବେ ହୋଇ ପାରେନା ।

 

ମାନେ ?

 

ମାନେ ଅତି ସହଜ । ମୋ ସର୍ତ୍ତରେ ସ୍ୱୀକୃତି ନ ଦେବା ପର୍ଯ୍ୟନ୍ତ ମୁଁ ତୋତେ ବିବାହ କରିପାରୁନି ।

 

ସର୍ତ୍ତ ? ଚମକିଲା ସ୍ୱରରେ ସାବୀ କହିଲା । ତମର ପୁଣି ସର୍ତ୍ତ କଅଣ ? ସାବୀକୁ ଏତେଥର ପରୀକ୍ଷା କରିସାରିଲା ପରେ ପୁଣି ସର୍ତ୍ତକଥା କହୁଛ ? ତମେ କହିଲ ତମର କୌଣସି କଥା ମୁଁ କେବେ ଭାଙ୍ଗି ଦେଇଛି ? ତମେ ଯାହା ଆଦେଶ ଦେଇଛ ମୁଁ ତାହା ପାଳନ କରିଛି । ଏବେବି ତମର ପରୀକ୍ଷା ବାକି ଅଛି ? ତମେ କୁହ, ତମେ ଯେଉଁ ସର୍ତ୍ତ ଦେବ ତାହା ମୁଁ ପୂର୍ଣ୍ଣମାତ୍ରାରେ ପାଳନ କରିବି । ପ୍ରଥମେ ସର୍ତ୍ତଟା କଣ କହିଲ ?

 

ମୋ ସର୍ତ୍ତଟା ଯଦି ରଖିବୁ ତେବେ କହିବି ।

 

କଣ କୁହ ? ତମ ଦେହ ଛୁଇଁ ଶପଥ କରୁଛି, ତମ କଥା ମୁଁ ମୋଟେ ଭାଙ୍ଗି ଦେବିନି ।

 

ସାବୀକୁ ଦୁଇବାହୁ ମଧ୍ୟରେ ଆବଦ୍ଧ କରି ରାଜେଶ କହିଲା–ଆମ ବିବାହପଥର ପ୍ରତିବନ୍ଧକ ପ୍ରଥମେ ଦୂର କରିବାକୁ ପଡ଼ିବ ସାବୀ ।

 

ପ୍ରତିବନ୍ଧକ ? ଆମ ବିବାହର ପୁଣି ପ୍ରତିବନ୍ଧକ କିଏ ?

 

ଆମ ବିବାହର ଏକମାତ୍ର ପ୍ରତିବନ୍ଧକ ହେଉଛନ୍ତି କୁମାରବାବୁ । କୁମାରବାବୁ ଥିବା ପର୍ଯ୍ୟନ୍ତ ଆମ ବିବାହ ହୋଇ ପାରେନା ।

 

ମାନେ ? ସାବିତ୍ରି ବିସ୍ମିତ କଣ୍ଠରେ ପଚାରି ଉଠିଲା ।

 

ମାନେ ଅତି ସହଜ । ତୋ ଜୀବନର ସମସ୍ତ ଗୋପନୀୟ କାହାଣୀ ସେ ଜାଣନ୍ତି । ମୋ କଥା ମଧ୍ୟ ତୁ ତାଙ୍କୁ କହିଛୁ । ମୋଟ ଉପରେ ଆମ ଦୁହିଁଙ୍କ ଜୀବନର ଗୋପନୀୟ କଥା ଦୁର୍ବଳତା ସେ ଜାଣି ପାରିଛନ୍ତି । ତେଣୁ ସେ ଯଦି କେବେ ଆମ ଦୁର୍ବଳତାର ସୁଯୋଗ ନେଇ...

 

କୁମାରବାବୁଙ୍କୁ ତମେ ଏତେ ନୀଚ କରନା ରାଜେଶଭାଇ ! ତମେ ସିନା ଜାଣନା, କିନ୍ତୁ ମୁଁ ତାଙ୍କର ମହତ ହୃଦୟର ପରିଚୟ ପାଇଛି ।

 

ବାଃ, ପ୍ରେମିକ ସମ୍ମୁଖରେ ଅନ୍ୟ ପୁରୁଷର ପ୍ରଶଂସା...

 

ରାଜେଶଭାଇ !

 

ଅମୃତ ମଧ୍ୟରେ ହଳାହଳ ଥାଏ ସାବୀ ! ମହତ ହୃଦୟ ମଧ୍ୟରେ ହିଂସ୍ର ପ୍ରବୃତ୍ତି ମଧ୍ୟ ଛପି ରହିଥାଏ । ସୁବିଧା ସୁଯୋଗ ପାଇଲେ କୁମାର ଆମର ସର୍ବନାଶ କରିବାକୁ ପଶ୍ଚାଦ୍‍ପଦ ହେବ ନାହିଁ । ତେଣୁ ମୋ ମତରେ କୁମାରକୁ ଯଦି ଆମେ ଦୂରେଇ ଦେଇ ପାରୁ...

 

ତମେ କଣ କହିବାକୁ ଚାହଁ ରାଜେଶଭାଇ ?

 

କୁମାର ମୋର ଚିରଶତ୍ରୁ । ସେ ଥିବା ପର୍ଯ୍ୟନ୍ତ ମୁଁ ତୋତେ ବିବାହ କରି ପାରିବି ନାହିଁ । ତୁ ଯଦି ମୋ ସର୍ତ୍ତରେ ରାଜିହୋଇ କୁମାରକୁ ହତ୍ୟା କରିପାରୁ...

 

ରାଜେଶଭାଇ ! ତମେ ଏ କଣ କହୁଛ ? କୁମାରବାବୁ ତମର କଣ ଅପରାଧ କରିଛନ୍ତି-?

 

ମୋ ଅପେକ୍ଷା କୁମାରବାବୁଙ୍କ ପାଇଁ ତୋର ବେଶି ଦରଦ ଅଛି, ସହାନୁଭୁତି ଅଛି । ମୁଁ ଜାଣେ, ତୁ କେବେ ମୋ ସର୍ତ୍ତରେ ରାଜିହୋଇ ପାରିବୁ ନାହିଁ ।

 

ତମ ଗୋଡ଼ ଧରୁଛି ରାଜେଶଭାଇ, ତମେ ଅନ୍ୟ ଯେଉଁ ସର୍ତ୍ତ କହିବ ମୁଁ ମଥାପାତି ଗ୍ରହଣ କରିନେବି, କିନ୍ତୁ...

 

ମୁଁ ଜାଣେ, ତୁ ପାରିବୁ ନାହିଁ । କିନ୍ତୁ ସେଇ କଣ୍ଟକ ଦୂର ନ ହେବା ପର୍ଯ୍ୟନ୍ତ ମୁଁ ବିବାହ କରିପାରିବି ନାହିଁ ।

 

ରାଜେଶର ପାଦ ଧରିଲା ସାବୀ ! ତମେ ମୋ ପ୍ରତି ଏତେ ନିର୍ଦ୍ଦୟ ହୁଅନା । କୁମାରବାବୁଙ୍କ ପ୍ରତି ମୁଁ ଏତେ ନିଷ୍ଠୁର ହୋଇ ପାରିବି ନାହିଁ । ସେ ମୋର ଜୀବନଦାତା । ନିଶ୍ଚିତ ମରଣ ମୁଖରୁ ସେ ତୋଳିଆଣି ମୋ ଜୀବନ ରକ୍ଷା କରିଛନ୍ତି । ଶେଷରେ ମୁଁ ତାଙ୍କୁ ଏଇ ପ୍ରତିଦାନ ଦେବି ? ମୋତେ କ୍ଷମାକର ରାଜେଶଭାଇ ! ତମର ସର୍ତ୍ତ ଲେଉଟାଇ ନିଅ । ତମେ ଅନ୍ୟ ଯାହା କହିବ ମୁଁ ତମ କଥା ନିଶ୍ଚୟ ରଖିବି । ଏପରିକି ମୋ ଜୀବନ ଚାହିଁଲେ ମୁଁ କୁଣ୍ଠିତ ହେବିନି । କିନ୍ତୁ ତାଙ୍କ ପ୍ରତି ତମେ ନିଷ୍ଠୁର ହୁଅନା । ମୋତେ କ୍ଷମା ଦିଅ ।

 

ରାଜେଶ ମୃଦୁ ହସିଲା । ସ୍ୱରରେ ତୀକ୍ଷ୍ମତା ଭରି କହିଲା–ତୁ ଯେ ମୋ ଦେହ ଛୁଇଁ ଶପଥ କରିଛୁ ।

ସାବିତ୍ରୀ କିଛି କହି ପାରିଲା ନାହିଁ । କେବଳ କଇଁ କଇଁ ହୋଇ କାନ୍ଦି ଉଠିଲା ।

ଗମ୍ଭୀର କଣ୍ଠରେ ରାଜେଶ କହିଲା–ତେବେ ତୁ କାହାକୁ ଚାହୁଁ ? କୁମାରକୁ ନା ମୋତେ-?

ମୁଁ ଉଭୟଙ୍କୁ ଚାହେଁ ରାଜେଶଭାଇ !

ହସି ଉଠିଲା ରାଜେଶ। କହିଲା–ଶେଷ କଥା ମୋର ଶୁଣି ରଖ ସାବୀ ! ତୁ ଯେବେ ମୋତେ ବିବାହ କରିବାକୁ ଚାହୁଁ ତେବେ ଆମ ବିବାହର ପ୍ରଧାନ କଣ୍ଟକ ଦୂରେଇ ଦେବାକୁ ପଡ଼ିବ । ଆଉ ମୁଁ ଜାଣେ, ଯେତେବେଳେ ମୋ ଦେହ ଛୁଇଁ ଶପଥ କରିଛୁ ତୁ କେବେ ମୋ କଥା ଭାଙ୍ଗି ପାରିବୁ ନାହିଁ ।

ମୁଁ କୁମାର ନିକଟକୁ ଚିଠି ଦେଇଛି । ବର୍ତ୍ତମାନ ସେ ବୋଧେ ଆସୁଥିବ । ଆଜି ରାତିକ ସେ ଆମ ଘରେ ରହିବ । ତେଣୁ ଏପରି ସୁଯୋଗ ହରାଇବା ମାନେ ଜୀବନସାରା ଅନୁତାପ କରିବା ।

କୁମାରବାବୁ ଆଜି ଆସିବେ ?

ହଁ । ନିଶ୍ଚୟ ଆସିବେ । ମୁଁ ତାଙ୍କ ପାଖକୁ ଚିଠି ଦେଇଛି । ସେ ଆସିଲେ ଦାଣ୍ଡଘରେ ଶୋଇବାର ବ୍ୟବସ୍ଥା କରିଦେବୁ । ତା’ପରେ ପାଣି ସହିତ ଏହି ଔଷଧ ମିଶାଇ ତାଙ୍କ ପାଖରେ ରଖିଦେବୁ । ରାତିରେ ଉଠି ସେଇ ପାଣି ପିଇଲେ... । ତା’ ପର କଥା ମୁଁ ସବୁ ବୁଝିବି ।

ତା’ପରେ ଆମ କଣ୍ଟକ ଦୂର ହେବ । ଆମର ବିବାହ ହେବ । ଜୀବନଟା ଆମର ମଧୁମୟ ହେବ, ଆନନ୍ଦ ମଧ୍ୟରେ ଆମ ଜୀବନ ବିତିଯିବ ।

ମୂକଙ୍କ ଭଳି ସାବୀ ଠିଆ ହୋଇଥିଲା ରାଜେଶକୁ ଚାହିଁ । ରାଜେଶ ଏଡ଼େ ନିର୍ଦ୍ଦୟ, ନିଷ୍ଠୁର ! ଶେଷକୁ ତାକୁ ଏଇ ବିଷମ ସମସ୍ୟାର ସମ୍ମୁଖୀନ କରାଇଲେ ? ତେବେ କଣ କରିବ ସେ-?

ସାବିତ୍ରୀ ମୁଣ୍ଡରେ ଚିନ୍ତାର ଧୂମାଳ...

କୁମାରବାବୁଙ୍କ ଆସିବା ବେଳ ହୋଇଯିବାରୁ ପାଛୋଟି ଆଣିବାକୁ ରାଜେଶ ଚାଲିଗଲେ ବାହାରକୁ ।

ରାଜେଶ ଚାଲିଗଲା ପରେ ସାବୀ ଅନେକ ଚିନ୍ତା କରିଛି । ରାଜେଶଭାଇ କିଛି ଭୁଲ କହି ନାହାନ୍ତି । ପୁରୁଷ ମନ–ଚଞ୍ଚଳ ପ୍ରକୃତି । ଦୁର୍ବଳତାର ସୁଯୋଗ ନେଇ କୌଣସି ଦିନ ସେ ଯଦି ତା’ ଦେହ ଉପରେ ଅଧିକାର ଦାବୀ କରି ବସନ୍ତି... ସମସ୍ତ ଗୋପନୀୟ କଥାଜାଣି ସେ ଯଦି ବାହାରେ ପ୍ରକାଶ କରି ଦିଅନ୍ତି... । ଆଜିକାଲି ପୁରୁଷଙ୍କୁ ବିଶ୍ୱାସ ନାହିଁ ? ରାଜେଶଭାଇ ସବୁ କିଛି ଜାଣି ସନ୍ଦେହ, ଅବିଶ୍ୱାସ କରି ପାରୁଛନ୍ତି, କୁମାରବାବୁଙ୍କର ମନ ପରିବର୍ତ୍ତନ ହୋଇଗଲେ ସେ ଯଦି କୌଣସି ଦିନ ବିଶ୍ୱାସଘାତକତା କରି ବସନ୍ତି ତେବେ କଣ ହେବ ତା’ର ଭବିଷ୍ୟତ ? ବରଂ ତା’ ପୁର୍ବରୁ ଗୋଟିଏ ମାତ୍ର କଣ୍ଟକକୁ ମୂଳୋତ୍ପାଟନ କରିଦେଲେ ସବୁ ଦିଗରୁ ନିରାପଦ ।

ରାଜେଶଭାଇଙ୍କ ଦେହ ଛୁଇଁ ସେ ଶପଥ କରିଛି । କିମିତି ପ୍ରତ୍ୟାଖାନ କରିବ ରାଜେଶଭାଇଙ୍କ ଆଦେଶକୁ । ରାଜେଶଭାଇ ସ୍ପଷ୍ଟ କହିଛନ୍ତି, ଏଇ ସର୍ତ୍ତରେ ରାଜି ନ ହେଲେ ସେ ବିବାହ କରିବେ ନାହିଁ । କୁମାର ହେଉଛି ତା’ର ଏକମାତ୍ର ଶତ୍ରୁ...ଅନେକ ଚିନ୍ତା ପରେ ଶେଷ ନିଷ୍ପତ୍ତି ନେଲା ସାବିତ୍ରୀ । ସେ ରାଜେଶବାବୁଙ୍କ ସର୍ତ୍ତରେ ନିଶ୍ଚୟ ରାଜି ହେବ । ଏକମାତ୍ର କଣ୍ଟକକୁ ଉଭୟଙ୍କ ଜୀବନର ସୁଖ ପାଇଁ ପରିତ୍ୟାଗ କରିବାକୁ ପଡ଼ିବ ।

 

ବାହାରେ ରାଜେଶଭାଇଙ୍କ କଣ୍ଠସ୍ୱର ଶୁଣାଗଲା । କୁମାରବାବୁ ଆସିଲେ ବୋଧହୁଏ । ଦୂରରେ ରହି କୁମାର ଥରେ ଚାହିଁଲା । ସେ ଆଜି ଅଭିନୟ କରିବ କୁମାରବାବୁଙ୍କ ପାଖରେ । ଆଉ ଅଭିନୟ ଯଦି ସଫଳତା ହାସଲ କରେ ତେବେ ଚିରଦିନ ପାଇଁ ସୁଖୀ ହେବ । ତାଙ୍କର ଦାମ୍ପତ୍ୟ ଜୀବନ ସଫଳ ହେବ ।

 

ସେଇଦିନ ରାତିରେ...

 

ଅନେକ କଥୋପକଥନ ପରେ ରାଜେଶ ଶୋଇବାକୁ ଚାଲି ଗଲେ । ଗୋଟିଏ କୋଠରୀ ଭିତରେ କୁମାର ଆଉ ସ୍ୱପ୍ନା । ଲଣ୍ଠନ ଆଲୁଅ ମିଞ୍ଜି ମିଞ୍ଜି ହୋଇ ଜଳୁଛି । କୁମାର ଖଟରେ ବସି ପଡ଼ିଲା ସ୍ୱପ୍ନା ।

 

କୁମାର କହିଲା, ରାଜେଶବାବୁ ଶୋଇବାକୁ ଗଲେଣି । ତମେ ଫେରିଯାଅ ସ୍ୱପ୍ନା ! ପୁଣି ଯଦି ସେ ଆମକୁ ସନ୍ଦେହ କରି ବସନ୍ତି... ମୋର ଅନୁରୋଧ ତମେ ଗ୍ଲାସେ ପାଣି ଆଣି ଦେଇ ଚାଲିଯାଅ ।

 

ସ୍ୱପ୍ନା ଫେରି ଆସିଲା ।

 

ଜୀବନରେ ସୁବର୍ଣ୍ଣ ସୁଯୋଗ ଥରେ ମାତ୍ର ଆସେ । ଆଉ ସେଇ ସୁଯୋଗକୁ ହତାଦାର କଲେ ସାରାଜୀବନ ପାଇଁ ଅନୁତାପ କରିବାକୁ ପଡ଼େ ।

 

ମନେ ମନେ ହସି କୋଠରୀ ଭିତରୁ ଫେରି ଆସିଲା ସ୍ୱପ୍ନା ।

 

ଗଭୀର ଭାବେ ବିଶ୍ଳଷଣ କରୁଥିଲା କୁମାର । ଦାର୍ଘଦୀନର ସାଧନା, ଅଧ୍ୟବସାୟ ଆଜି ତା’ର ବ୍ୟର୍ଥ ହୋଇଗଲା । ନାରୀମାନଙ୍କୁ ସରଳ ବିଶ୍ୱାସ କରି ସେ ଆଜି ଯେଉଁ ପ୍ରତିଦାନ ପାଇଲା ତାହା ଭୁଲି ହେବାର ନୁହେଁ । ସୁନା କଷଟିରେ ସୁନା ପରୀକ୍ଷା କରାଯାଏ, କିନ୍ତୁ ମନ–କଷଟିରେ ମନ ପରୀକ୍ଷା ହୋଇ ପାରେନା । ବିଶେଷତଃ ନାରୀ ମନ... ଯୁବତୀକନ୍ୟାର ମନ... ଯେଉଁ ମନ ସଦାସର୍ବଦା ଚଳଚଞ୍ଚଳ, ଯେଉଁ ମନରେ ସ୍ଥିରତା ନାହିଁ, ଯେଉଁ ମନରେ ପ୍ରତି ମୁହୂର୍ତ୍ତରେ ଅନେକ ଢେଉ ଉଠେ, ଝଡ଼ ଉଠେ...

 

ପ୍ରଥମେ ସ୍ୱପ୍ନାକୁ ସେ ଖୁବ୍ ସରଳ ମନେ କରିଥିଲା । ତା’ର ଦୁଃଖ କାହାଣୀ ଶୁଣି ସ୍ୱପ୍ନା ପ୍ରତି ଦୟା, ସମବେଦନା, ମମତା ଜନ୍ମିଥିଲା । ନିଜ ଜୀବନଠାରୁ ସେ ଅଧିକ ସ୍ନେହ କରିଥିଲା କିନ୍ତୁ ବିନିମୟରେ ସ୍ୱପ୍ନା କି ପ୍ରତିଦାନ ଦେଲା ?

 

ସ୍ୱାର୍ଥପର, କୃତଜ୍ଞ, ବିଶ୍ୱସଘାତକ, ଛଳନାମୟୀ ଯଦି କିଏ ଏହି ପୃଥିବୀର ଥାଏ ତେବେ ନାରୀ ହେଉଛି ସର୍ବପ୍ରଥମ । ସମଗ୍ର ନାରୀଜାତି ଉପରେ ତା’ର ମନ ଘୃଣାରେ ବିଷେଇ ଉଠୁଥିଲେ ମଧ୍ୟ ସ୍ୱପ୍ନା ପ୍ରତି ସେ ଏତେ ନିଷ୍ଠୁର ହୋଇପାରୁ ନ ଥିଲା । ସ୍ୱପ୍ନା ଯାହା କରିଛି ତାହା ନିଜ ଇଚ୍ଛାରେ କରିନି ବୋଲି ସେ ବିଶ୍ୱାସ କରିଥିଲା । ରାଜେଶର ଏସବୁ ଗୋଟାଏ ଚକ୍ରାନ୍ତ ବୋଲି ଧାରଣା କରିନେଇଥିଲା । ଆଉ ଏଇ ଚକ୍ରାନ୍ତକୁ ସ୍ୱପ୍ନା ପୂର୍ଣ୍ଣମାତ୍ରରେ ସାହାଯ୍ୟ କରି ନ ଥିଲେ ମଧ୍ୟ ଆଶିଂକ ଭାବେ ସାହାଯ୍ୟ କରିଛି ।

 

କିନ୍ତୁ ସ୍ୱପ୍ନା ଏସବୁ କରିପାରିଲା କେମିତି ? କ୍ଷୀର ଗ୍ଲାସରେ ବିଷ ମିଶାଇଲା ବେଳକୁ ହାତ ତା’ର ଥରି ଉଠିଲା ନାହିଁ ?

 

ତଥାପି କାହିଁକି ସ୍ୱପ୍ନା ପ୍ରତି ତା’ର ମମତା ଆସୁଥିଲା । ସ୍ୱପ୍ନା ପାଖକୁ ଏକ ଚିଠିଲେଖି ତା’ର ଭୁଲ ଦର୍ଶାଇ ଦେବ ବୋଲି ମନେକଲା ସେ ।

 

ସତକୁ ସତ କୁମାର ଲେଖି ବସିଲା ଏକ ଚିଠି ।

 

ସ୍ନେହର ସ୍ୱପ୍ନା !

 

ହଠାତ୍‌ ମୋ ଚିଠି ତଥା ହାତଲେଖା ଅକ୍ଷର ଦେଖି ତଟସ୍ଥ ହୋଇଯିବ । ମନେ ମନେ ଭାବିବ, ଯାହାକୁ ପାନୀୟ ସାଥିରେ ଉତ୍କଟ ବିଷ ଦେଇଥିଲି ସେ କିମିତି ବଞ୍ଚି ରହିଛି ।

 

ତମ ଦୃଷ୍ଟିରେ ମୁଁ ମରି ଯାଇଛି ନିଶ୍ଚୟ, ତଥାପି ମୁଁ ବଞ୍ଚିଛି ସ୍ୱପ୍ନା ! ମୋ ଜୀବନର ଆୟୁଷରେଖା ତମ ହାତରେ ତ ନାହିଁ, ତେଣୁ ମୁଁ ମରିବି କେମିତି ?

 

ଆଜି ଚିଠି ଲେଖିବାର ପ୍ରୟୋଜନ ନ ଥିଲେ ମଧ୍ୟ ପାରିପାର୍ଶିକ ଅବସ୍ଥା ଦୃଷ୍ଟିରୁ ନିଜ ଅନିଚ୍ଛା ସ୍ୱତେ କିଛି ଲେଖିବାକୁ ବାଧ୍ୟ ହେଉଛି । କିନ୍ତୁ ଏଇ ଚିଠି ପଢ଼ିବା ପୂର୍ବରୁ ତୁମକୁ ବିଶ୍ୱାସ କରିବାକୁ ପଡ଼ିବ ଯେ ଏ ଚିଠିର ଗୋଟିଏ ଧାଡ଼ି ମିଛନୁହେଁ କି ମନଗଢ଼ା କାହାଣୀ ନୁହେଁ । ଏ ଚିଠିର ପ୍ରତିଟି ଧାଡ଼ି ହୃଦୟର ଅନୁଭୁତିର କଥା...ମନର ଭରା–ଆବେଗ ଗାଥା ।

 

ତମେ କିଏ, କଣ ତାହା ପ୍ରୟ ଛଅମାସ ତଳେ ମୁଁ ଜାଣି ନଥିଲି କି ଦେଖି ନଥିଲି । ଆତ୍ମହତ୍ୟା କରୁଥିବା ବେଳେ ନିଜ ଜୀବନକୁ ବିପଦାପନ୍ନ କରି ତମକୁ ଉଦ୍ଧାର କରିଥିଲି । ତମକୁ ଆଣି ପାଖରେ ରଖିଥିଲି । ତମେ ମୋ ପାଖରେ ପ୍ରାୟ ଦୁଇଶହ ଦିନ ରହିଛ । ମୋଟ ଚାରି ହଜାର ଆଠଶହ ଘଣ୍ଟା ତମେ ମୋ ପାଖରେ ସମୟ ଅତିବାହିତ କରିଛ । ଅନେକ... ଅନେକ ସୁଖ ଦୁଃଖର କାହାଣୀ କହିଛ... ମନଗଢ଼ା କାହାଣୀ ନୁହେଁ, ନିଜ ଜୀବନର ପ୍ରତ୍ୟକ୍ଷ ଅନୁଭୁତିର କାହାଣୀ-। ଅଙ୍ଗେ ଲିଭେଇବା କାହାଣୀ । ମୋଟ ଉପରେ ତମ କୁମାରୀ ଜୀବନର ଅନେକ ଅକୁହା ଅଭିବ୍ୟକ୍ତ ନିଃସଙ୍କୋଚରେ ତମେ ମୋ ପାଖରେ ପ୍ରକାଶ କରିଛ ।

 

ସତରେ ! କି କରୁଣ ଆଉ ମର୍ମନ୍ତୁଦ ସେହି ଅଭିବ୍ୟକ୍ତି !

 

ତମ ବିଗତ ଜୀବନର ଇତିହାସ କି ମର୍ମସ୍ପର୍ଶୀ !

 

ତମେ ଏକ କୁମାରୀ କନ୍ୟା । ତମରି ବୟସର ଝିଅ ଖାଇପିଇ ମଉଜ ମଜଲିସରେ ରହିବା କଥା, ଅଥଚ ଜୀବନ ସହିତ ସଂଗ୍ରାମ କରି, ପରିବାର ଉପରେ ଅଭିମାନ କରି ତମେ ଆତ୍ମହତ୍ୟା କରିବାକୁ ଆସିଥିଲ ।

 

ଗଭୀର ଜଳରୁ ଉଦ୍ଧାର କରି ତମ ଜୀବନର ସମସ୍ତ କାହାଣୀ ଶୁଣିଲା ପରେ ତମ ପ୍ରତି ମୋର ଅହେତୁକ ମମତା ଓ ସ୍ନେହ ଆସିଥିଲା । କିନ୍ତୁ ଆଜି ଏସବୁ କଣ ହେଲା ? କିଏ ତମ ମୁଣ୍ଡରେ ବିଷମଞ୍ଜି ବୁଣିଦେଲା ? ତମେ କାହିଁକି ମୋତେ ହତ୍ୟା କରିବାକୁ ଚାହିଁଲ ? ମୁଁ ତମର କଣ ଦୋଷ କରିଥିଲି, ଅପରାଧ କରିଥିଲି ?

 

ବିଗତ ଦିନଗୁଡ଼ିକରେ ମୁଁ ତମର ଉପକାର କରିଛି କି ଅପକାର କରିଛି ତାହା ମୋ ଛଡ଼ା ତମେ ବେଶୀ କହିପାରିବ । ମୁଁ ଆଜି ମୁକ୍ତ କଣ୍ଠରେ ସ୍ୱୀକର କରୁଛି ମୁଁ ତୁମର କିଛି ଉପକାର କରି ନ ଥାଏ କିନ୍ତୁ ଅପକାର ତ କିଛି କରିନି । ଅଥଚ ମୋ ପ୍ରତି ଆଜି କାହିଁକି ଏତେ ନିଷ୍ଠୁର, ପାଷାଣୀ ହୋଇ ଉଠିଲ ?

 

ତମେ ମୋ ନିକଟରେ ଅନେକ...ଅନେକ କଥା କହିଛ । ଦିନଲିପିର ପ୍ରତ୍ୟେକ ବିବରଣୀ ଶୁଣାଇଛ । ନିଜ ପରିବାରର ଦୈନ୍ୟତା, ଅଭାବ, ଅସୁବିଧା ଇତ୍ୟାଦି କହିଛ । ରାଜେଶବାବୁଙ୍କ ସହିତ ପରିଚୟ, ଘନିଷ୍ଠତା ଓ ପ୍ରେମ ବିଷୟ ମଧ୍ୟ କହିଛ; ଯାହା କୌଣସି ତରୁଣୀ ଜଣେ ଇତର ପୁରୁଷ ନିକଟରେ ନିଜ ପ୍ରେମିକର କଥା କହେ ନାହିଁ ।

 

ନିରୋଳାରେ ଆମେ ଦୁହେଁ ଆଲୋଚନା–ସମାଲୋଚନା, ହସ, ଖୁସି ଭିତରେ ସମୟ ଅତିବାହିତ କରିଛୁ । ତମ ଦୁଃଖ କାହାଣୀ କହିଲାବେଳେ କେତେ ଶହ ଥର ଯେ ତମ ଆଖିରୁ ଲୁହ ଝରିଛି ତା’ର ଇୟାତ ନାହିଁ । ଆଜି ହୁଏତ ତମର ମନେ ନ ଥିବ ସ୍ୱପ୍ନା, କିନ୍ତୁ ତମ ଆଖିରୁ ଝରୁଥିବା ଲୁହ ମୁଁ ରୁମାଲରେ ଅନେକଥର ପୋଛି ଦେଇଛି । ରୁମାଲ ତିନ୍ତିଛି, ତମ ଆଖିର ଲୁହ ଶୁଖିନି । ତମ ଦୁଃଖ କାହାଣୀ ଶୁଣି ମୋ ଆଖିରେ ମଧ୍ୟ ଲୁହ ଆସିଛି । ତମେ କହିଛ, ଗୋଟାଏ ଅଭାଗିନୀ ପାଇଁ ସମବେଦନା ଜଣାଇ ଆପଣ କାନ୍ଦୁଛନ୍ତି । କିନ୍ତୁ ଆଜି ଇମିତି ଓଲଟ ପାଲଟ ହୋଇଗଲା କାହିଁକି ? ଏତେ ଶୀଘ୍ର ତମେ କିମିତି ବଦଳିଗଲ ?

 

ତମ ଘର ଠିକଣା ତଥା ପିତାମାତାଙ୍କ ନାମ ଜାଣିସାରିଲା ପରେ ମୁଁ ତମ ଘରକୁ ଚିଠି ଦେଇଛି ବୋଲି କହିଥିଲି । ସେଦିନ ଉତ୍ତରରେ ତମେ କହିଥିଲ–‘ପାଖରୁ ବିଦାୟ ଦେବାକୁ ଚାହାନ୍ତି-? ଯଦି ବାଧ୍ୟ କରିବେ ମୁଁ ଘରକୁ ଚାଲିଯିବି ସତ କିନ୍ତୁ ମନପକ୍ଷୀ ମୋର ଏଇଠି ପଡ଼ି ରହିଥିବ । ଏଠାରେ ମୁଁ ଯେଉଁ ସୁଖଶାନ୍ତିରେ ଅଛି ଘରକୁ ଗଲେ ସେତିକି ପାଇପାରିବି ନାହିଁ । କିନ୍ତୁ ଆପଣ ମୋର ଦେହ ଛୁଇଁ କହିଲେ–ମୁଁ ଚାଲିଗଲେ ମୋ କଥା ଆପଣଙ୍କର କଣ ମନେପଡ଼ିବ ?

 

ଉତ୍ତରରେ ମୁଁ କହିଥିଲି–ସବୁଦିନ ପାଇଁ ତମେ ତ ଏଠି ରହିବନି । ଦିନେ ତମକୁ ନିଶ୍ଚୟ ଫେରିଯିବାକୁ ହେବ । ତମେ ଫେରିଗଲେ ମୋ ମନରେ ଯେଉଁ କ୍ଷତଚିହ୍ନ ରହିବ ତାହା ଜନ୍ମ–ଜନ୍ମାନ୍ତର ପାଇଁ...

 

-ତେବେ ଏତେ ମାୟା, ମମତା, ସ୍ନେହ, ଆନ୍ତରିକତା କାହିଁକି ଆମ ଭିତରେ ସୃଷ୍ଟି ହେଲା ବୋଲି ତମେ କୈଫିୟତ ମାଗିଥିଲ ।

 

କିନ୍ତୁ ଆଜି ସେଇ ସ୍ନେହ, ମମତା, ଆନ୍ତରିକତାକୁ ଭୁଲି ଯାଇ କିମିତି ତମେ ମୋ ଉପରେ ପ୍ରତିଶୋଧ ନେଇ ପାରିଲ ?

 

ତମକୁ ମୁଁ ଗଭୀର ବିଶ୍ୱାସ କରିଥିଲି । କିନ୍ତୁ ତା’ର ପ୍ରତିଦାନ ତମେ ଏଇଭଳି ଭାବରେ ଦେଲ ?

 

ତମେ ମୋର କେହି ନୁହଁ, ତମ ସହିତ ମୋର ରକ୍ତର ମିଳନ ନାହିଁ । ତମ କୁମାରୀ ଜୀବନର ଦୁଃଖ କାହାଣି ଶୁଣି ତମ ପ୍ରତି ମୋର ଦୟା ଆସିଥିଲା, ତେଣୁ ତମ ଦୁଃଖକୁ ଲାଘବ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିଛି । ମୁଁ ତମକୁ ଯେତିକି ସ୍ନେହ, ଆନ୍ତରିକତା ଦେଇଛି, ହୁଏତ ରାଜେଶବାବୁଙ୍କ ନିକଟରୁ ତମେ ସେତିକି ପାଇ ନ ଥିବ । ତମ ମୁଁହରେ ହସ ଆଣିବା ପାଇଁ ମୁଁ ଯତ୍‌ପରୋନାସ୍ତି ଚେଷ୍ଟା କରିଛି । ନିଜ ଜୀବନକୁ ବିପନ୍ନ କରିଛି । ତଥାପି ତମେ ମୋ ପ୍ରତି ଏତେ ନିଷ୍ଠୁର ହୋଇ ପାରିଲ ?

 

ତମ ରହଣୀ ସମୟ ମଧ୍ୟରେ ଆମର ମନର ମିଳନ ଅତି ଦୃଢ଼ ହୋଇଥିଲା । ମୁଁ ତମକୁ ଅନେକଥର ନିକଟରେ... ଅତି ନିକଟରେ ପାଇଛି । ଗୋଟିଏ କୋଠରି ଭିତରେ ଏକାଠି ରହିଛୁ । ବହୁବାର ମୁଁ ତମକୁ ସ୍ପର୍ଶ କରିଛି, ତମ ଦେହର ଏପରି କୌଣସି ଗୋପନୀୟ ଅଙ୍ଗ ନାହିଁ ଯାହା ମୁଁ ସ୍ପର୍ଶ ନ କରିଛି । ତମ ଦେହର ଏପରି କୌଣସି ସ୍ଥାନ ନାହିଁ ଯାହା ମୁଁ ନ ଦେଖିଛି । ଆତ୍ମହତ୍ୟାରୁ ଉଦ୍ଧାର କରି ମୁଁ ନିଜେ ମୋରି ହାତରେ ସିକ୍ତବସନ ଗୁଡ଼ିକୁ ତମ ଦେହରୁ କାଢ଼ିଥିଲି । ଶୁଷ୍କବସନ ନିଜେ ପିନ୍ଧାଇ ଦେିଇଥିଲି । ରାତିରେ ମୋରି କୋଠରୀରେ ଶୋଇଥିଲା ବେଳେ ତମ ଫୁଙ୍ଗୁଳା ଦେହ ଦେଖିଛି । ତଥାପି ତମ ଅଙ୍ଗଅବୟବର ସୌନ୍ଦର୍ଯ୍ୟ ଦେଖି ମୁଁ କ୍ଷଣକ ପାଇଁ କାମାତୁର ହୋଇନି । ତମ ଦେହ ପ୍ରତି ମୋ ମନରେ କାମନା ଲାଳସା ଉଦ୍ରେକ ହୋଇନି । ତମ ପ୍ରତି ମୋର ଆସକ୍ତି ଆସିନି ।

 

ତମକୁ ତିଳତିଳ କରି ଉପଭୋଗ କରିବାର କାମନା ବାସନା ଯଦି ଥାଆନ୍ତା, ତେବେ ତମକୁ ଅକ୍ଷତ ଅବସ୍ଥାରେ ମୁଁ ମୋଟେ ଛାଡ଼ି ଦେଇ ନ ଥାଆନ୍ତି । କିନ୍ତୁ ମୋର ଉଦ୍ଦେଶ୍ୟ ତା’ ନ ଥିଲା । ମୁଁ ସବୁବେଳେ ତମର ମଙ୍ଗଳ ଚାହିଁଥିଲି, କିନ୍ତୁ ଆଜି ତମେ ମୋର କି ମଙ୍ଗଳ ଚାହିଁଲ କହିପାରିବ ?

 

ମୁଁ ଜାଣେ ତମେ କହିପାରିବ ନାହିଁ । ବର୍ତ୍ତମାନ ରାଜେଶବାବୁଙ୍କୁ ନିକଟରେ ପାଇ ତମ ମନ ବଦଳି ଯାଇଛି । ତମ ପାଖରେ ବର୍ତ୍ତମାନ ଯୌବନଟା ବଡ଼ । ଜୀବନ ମୂଲ୍ୟହୀନ, କିନ୍ତୁ ସ୍ୱପ୍ନା-! ଯୌବନ କ୍ଷଣିକ, ଜୀବନ ଦୀର୍ଘ । ଏଇ କ୍ଷଣିକ ଯୌବନ ପାଇଁ ତମେ ଆଜି ଏତେ ନିଷ୍ଠୁର ହୋଇ ପାରିଲ ? ଯିଏ ତମର ଜୀବନ ରକ୍ଷା କରି, ତୁଣ୍ଡରେ ଆହାର ଦେଇ ଏତେ ଉପକାର କରିପାରିଲା ସେ ଆଜି ତମ ପାଖରେ ମୂଲ୍ୟହୀନ ହୋଇ ପାରିଲା ଅଥଚ ଯେଉଁ ରାଜେଶ ତମକୁ ନଷ୍ଟଚରିତ୍ରାର ଆଖ୍ୟା ଦେଇ ଜୀବନର ମଝି ଛକରେ ଏକୁଟିଆ ଛାଡ଼ି ପଳାୟନ କରି ପାରିଲା ସେ ଆଜି ବଡ଼ ହୋଇଗଲା ?

 

ଯୁଗର ପରିବର୍ତ୍ତନ ସହିତ ତମ ମନର ପରିବର୍ତ୍ତନ ହୋଇଛି । ସୁବିଧା ସୁଯୋଗ ଦେଖି ପ୍ରତି ମୁହୂର୍ତ୍ତରେ କୁମାରୀ କନ୍ୟା ନିଜର ଚିନ୍ତାଧାରା ପରିବର୍ତ୍ତନ କରନ୍ତି । ଆଉ ସେଇ କୁମାରୀ ଭିତରୁ ତମେ ଜଣେ ? ତମେ କେମିତି ସେଥିରୁ ବାଦ ଯାଇଥାଆନ୍ତ ?

 

ପୁରୁଷମାନଙ୍କଠାରୁ ନାରୀମାନେ ଅଧିକ ସ୍ୱାର୍ଥପର । କିନ୍ତୁ ତମଭଳି ନାରୀ, ସ୍ୱାର୍ଥପର, କୃତଜ୍ଞ ହୁଅନ୍ତି ଏହା ମୁଁ ପ୍ରଥମଥର ପାଇଁ ଅନୁଭବ କଲି । ବିଶ୍ୱାସରେ ତମେ ବିଷ ଦେଇପାର ଏହା ମୁଁ ତମଠାରୁ ଶିକ୍ଷା କଲି ।

 

ତମେ ଜାଣ, ମୁଁ ଭୀଷଣ ଆଶାବାଦୀ । ଏ ପୃଥିବୀରେ ମୋର ଯଦି ଭୟ କାହାକୁ ଥାଏ ତେବେ ମୁଁ କେବଳ ସେଇ ଅଦୃଶ୍ୟଶକ୍ତିକୁ ଭୟ କରେ । ଆଉ ମାନବ...କଣ ବା କରି ପାରିବେ ସେମାନେ ? ଭଗବାନଙ୍କ ଶୁଭଦୃଷ୍ଟି ରହିଥିଲେ ଏଇ ସଂଖ୍ୟାହୀନ ଲୋକଙ୍କ ଭିତରୁ ଜଣେ ବି ମୋର କ୍ଷତି କରି ପାରିବ ନାହିଁ ।

 

ତମେ ଓ ରାଜେଶବାବୁ ମୋତେ ସେଦିନ ଘରକୁ ନିମନ୍ତ୍ରଣ କରିଥିଲ, ଆଉ ଏଇ ନିମନ୍ତ୍ରଣର ଉଦ୍ଦେଶ୍ୟ ଥିଲା ମୋତେ ହତ୍ୟା କରିବା । ମୁଁ ତ ସର୍ବଜ୍ଞ ନୁହେଁ ଯେ ତମ ମନ କଥା ଜାଣି ପାରିବି । ତମମାନଙ୍କ ମନରେ କଣ ଥିଲା ମୁଁ କହିପାରିବି ନାହିଁ ନିନ୍ତୁ ମୋ ମନରେ ଏପରି ଭ୍ରାନ୍ତ ଧାରଣା ମୋଟେ ଉଦୟ ହୋଇ ନ ଥିଲା ।

 

ସେଦିନ ରାତିରେ... । ମୁଁ କହିଥିଲି ପାଣି ଗ୍ଲାସେ ଆଣିବ କିନ୍ତୁ ତମେ ପାଣି ନ ଆଣି କ୍ଷୀର ଗ୍ଲାସେ ଆଣିଥିଲ ମୋ ପାଇଁ । ତମେ ମୋତେ ପିଇବାକୁ ଦେଇଥିଲ । ପରେ ପିଇବି କହି ତମ ହାତରୁ ଗ୍ଲାସଟା ନେଇ ଟୁଲ ଉପରେ ରଖିଥିଲି । ତା’ ପରେ କେତେବେଳେ ମୋର ନିଦ ଲାଗି ଯାଇଛି ମୁଁ ଜାଣେନା ।

 

କାଚଗ୍ଲାସ ତଳେ ପଡ଼ିବାର ଶଦ୍ଦ ଶୁଣି ମୋର ନିଦ ଭାଙ୍ଗିଗଲା । ବିଛଣାରୁ ଉଠି ବସିଲି-। ଦେଖିଲି, ତମର କଳା ବିରାଡ଼ିଟି ଗ୍ଲାସ ପକାଇ ଦେଇଛି । ତଳେ ଢାଳିହୋଇ ଯାଇଥିବା କ୍ଷୀର ସେ ପିଉଛି ।

 

ମୁଁ ଚାହିଁଥିଲି ବିରାଡ଼ିଟିକୁ । ଆରେ ! ଏ କଣ ହେଲା ? ବିରାଡ଼ିଟି ସମସ୍ତ କ୍ଷୀର ପିଇପାରିନି ହଠାତ୍‌ ରହିଗଲା କାହିଁକି ।

 

ସେଦିନ ବିରାଡ଼ିଟି ପାଇଁ ମୁଁ ମୋଟେ ଚିନ୍ତିତ ନ ଥିଲି ସ୍ୱପ୍ନା । ମୁଁ ଭାବୁଥିଲି ‘ଯୋଗ ଆଉ ଭୋଗ’ କଥା । ତମେ କେତେ ସ୍ନେହରେ ମୋତେ କ୍ଷୀର ଗ୍ଲାସ ଦେଇଥିଲ । ଅଥଚ ହତଭାଗ୍ୟ ମୁଁ, ତାକୁ ପିଇ ପାରିଲି ନାହିଁ ।

 

ହଠାତ୍‌ ମୋର ଦୃଷ୍ଟି ପଡ଼ିଲା ସେହି ବିରାଡ଼ି ଉପରେ । ଯନ୍ତ୍ରଣାରେ ଆର୍ତ୍ତନାଦ କରୁଛି ବିରାଡ଼ିଟି । କିଛିବାଟ ଯିବାପରେ ବିରାଡ଼ିଟି କର୍କଶ ଆର୍ତ୍ତନାଦ କରି ଇହଲୀଳା ସମ୍ବରଣ କଲା ।

 

ମୋ ମନରେ ସନ୍ଦେହ ହେଲା । ଇମିତି ଆର୍ତ୍ତନାଦ କରି ବିରାଡ଼ିଟି ମରିଯିବାର କାରଣ କଣ ? ତଳେ ପଡ଼ିଥିବା ଗ୍ଲାସକୁ ଉଠାଇ ଆଣି ଦେଖିଲି, ଗ୍ଲାସର ତଳଅଂଶରେ ନୀଳରଙ୍ଗର ତରଳ ପଦାର୍ଥ ଲାଗି ରହିଛି । ଉତ୍କଟ ଗନ୍ଧ ବି ହେଉଛି ।

 

ମୋ ମୁଣ୍ଡରେ ଚିନ୍ତାର ଧୂମାଳ ।

 

ତା’ପରେ ମୁଁ ନିଶ୍ଚିତ ଧାରଣାରେ ପହଞ୍ଚିଲି ଯେ, ମୋତେ ହତ୍ୟା କରିବା ପାଇଁ କ୍ଷୀର ସାଥୀରେ ତମେ ବିଷ ମିଶାଇଥିଲ ।

 

ତମେ ସତ କହିବ ସ୍ୱପ୍ନା, ମୋତେ ହତ୍ୟା କରିବାର ପ୍ରୟାସ ତମେ କାହିଁକି କରିଥିଲ ? କଣ ମୁଁ ତମର ଅପରାଧ କରିଥିଲି ? ତମ ଜୀବନ–ଅଙ୍ଗନ ପରିପାଶରୁ ଦୂରେଇ ଯିବାପାଇଁ ତମେ ଯଦି ସାମାନ୍ୟ ଇଙ୍ଗିତ ଦେଇଥାନ୍ତ ତେବେ ତମର ସୁଦୀର୍ଘ ଜୀବନର ମଙ୍ଗଳ ପାଇଁ, ତମ ଅଧରରେ ହସ ଦେଖିବା ପାଇଁ ସ୍ୱତଃପ୍ରବୃତ୍ତ ହୋଇ ମୁଁ ଚାଲିଯାଇ ଥାଆନ୍ତି । ଅଥଚ ତୁଣ୍ଡରେ କହି ନ ପାରି ମୋର ସର୍ବନାଶ କରିବାକୁ କାହିଁକି କାମନା କରି ବସିଲ ? ସୁସ୍ଥ ମନରେ ଯଦି ତମେ ଚିନ୍ତା କରିବ, ତେବେ ଦେଖିବ ଗୋଟିଏ ଦୁଇଟି ନୁହେଁ, ମୁଁ ତମର ଅଜସ୍ର ଉପକାର କରିଛି । କିନ୍ତୁ ତା’ର ପ୍ରତିଦାନରେ ତମେ ଆଜି ଇମିତି ପ୍ରତିଶୋଧ ନେଇ ପାରିଲ ?

 

ଉପକାରର ପ୍ରତିଦାନ କଣ ପ୍ରତିଶୋଧ ?

 

ମୁଁ ଆଶ୍ଚର୍ଯ୍ୟ ହୁଏ ସ୍ୱପ୍ନା, ଏତେ ଶୀଘ୍ର ତମେ କିମିତି ବଦଳି ଗଲ ? ଯାହାକୁ ତମେ ଗଭୀର ବିଶ୍ୱାସ, ପରମ ଭକ୍ତି କରୁଥିଲ, ଯାହାକୁ ତମେ ଦିନଲିପିର କାହାଣୀ ପଢ଼ି ଶୁଣାଉଥିଲ ତାକୁ ପୁଣି ତମେ ଅବିଶ୍ୱାସ କରିପାରିଲ ? ହୀନ, ଇତର ଦୃଷ୍ଟିରେ ଦେଖି ପାରିଲ ? ମୁଁ ତମର ଅଜସ୍ର ଉପକାର କରିଥିବା ବେଳେ ତମେ ମୋତେ ବିଷଦେଇ ହତ୍ୟା କରିବାକୁ ଚେଷ୍ଟା କରିପାରିଲ-? ମୋର କୁତ୍ସାରଟନା କରି ପାରିଲ ??

 

ଛାଡ଼ ସେ ମୋର ଦୁର୍ଭାଗ୍ୟ । କିନ୍ତୁ ତମକୁ ମୋର ଶେଷ ଅନୁରୋଧ ସ୍ୱପ୍ନା, ରାଜେଶବାବୁ ଓ ତମର ପରମ ହିତାକାଂକ୍ଷୀ ବନ୍ଧୁମାନଙ୍କ ପ୍ରରୋଚନାରେ ପଡ଼ି ଏଭଳି ଅମାର୍ଜନୀୟ ଭୁଲ ଆଉ କେବେ କରିବ ନାହିଁ । ତମର ହୁଏତ ମନେ ନ ଥିବ, ଏଇ ରାଜେଶବାବୁ ଦିନେ ତମକୁ ଭୁଲ ବୁଝି, ସନ୍ଦେହ କରି ଚାଲି ଯାଇଥିଲେ । ତମ ଅନୁରୋଧରେ ମୁଁ ପୁଣି ତାଙ୍କୁ ଆଣି ତମ ପାଖରେ ପହଞ୍ଚାଇଥିଲି । ଅଥଚ ଆଜି ତମେ ତାଙ୍କରି ପ୍ରରୋଚନାରେ ହେଉ କିମ୍ୱା ନିଜ ବ୍ୟକ୍ତିଗତ ଇଛାରେ ହେଉ ମୋତେ ହତ୍ୟା କରିବାକୁ ପ୍ରୟାସ କରି ପାରିଲ ? ଯାହାକୁ ଜୀବଦାନ ଦେବାର କ୍ଷମତା ନାହିଁ ତାକୁ ମାରି ଦେବାର କି ଅଧିକାର ତମର ଅଛି ?

 

ରାତି ପାହିବାର ଉପକ୍ରମ କରୁଛି । ପୂର୍ବାକାଶରେ ଲୋହିତ କିରଣ ଆକାଶର ଅଙ୍ଗନରେ ବିଛାଇ ହୋଇଗଲାଣି । ସେଇ ଶୁଭ ମୁହୂର୍ତ୍ତରେ ତମ ସମସ୍ତଙ୍କ ଅଗୋଚରେ ମୁଁ ବିଦାୟ ନେଉଛି । ରାଜେଶବାବୁ ଆଉ ତମେ ମୋର ଅନୁପସ୍ଥିତି ଲକ୍ଷ୍ୟକରି ଖୁସି ହେବ, ମନେ କରିବ ବିଷାକ୍ତ କ୍ଷୀର ଗର୍ଭସ୍ଥ କରି ମୁଁ ପାଗଳ ହୋଇ ଯାଇଥିବି କିମ୍ୱା ବାଟରେ କେଉଁଠି ମୃତ୍ୟୁ ହୋଇ ଯାଇଥିବ ।

 

ରାଜେଶବାବୁ ଓ ତମର ବନ୍ଧୁମାନେ ସିନା ମୋର ମୃତ୍ୟୁ ସମ୍ବାଦ ଶୁଣି ଖୁସି ହେବେ କିନ୍ତୁ ତମେ କଣ ଖୁସି ହୋଇ ପାରିବ ? ମୁଁ ମରି ପାରିଲିନି ସ୍ୱପ୍ନା ! ମୋର ଆୟୁଷରେଖା ଦୀର୍ଘ ହେଉ କିମ୍ୱା ସ୍ରଷ୍ଟାଙ୍କର କରୁଣାଦୃଷ୍ଟି ମୋ ଉପରେ ଥାଉ ମୁଁ ତମମାନଙ୍କ ମାୟାଜାଲରୁ ରକ୍ଷା ପାଇଯାଇଛି ।

 

ନିରୋଳା କକ୍ଷରେ ବସି ମୁଁ ତମକଥା ଚିନ୍ତା କରୁଛି । ତମ ପାଖରୁ ଲେଉଟି ଆସିବା ପରେ କେବଳ ତମପ୍ରତି ନୁହେଁ, ସମଗ୍ର ନାରୀଜାତି ପ୍ରତି ମୋର ବିତୃଷ୍ଣା ଆସି ଯାଇଛି । ତମେ ଏକା ନୁହେଁ, ଏଇ ପୃଥିବୀର ସମସ୍ତ ନାରୀ ଏକାନ୍ତ ସ୍ୱାର୍ଥପର । ସାମାନ୍ୟ ସ୍ୱାର୍ଥ ପାଇଁ ସେମାନେ ଅନେକ କିଛି ହୀନ, ନୀଚ କାର୍ଯ୍ୟ କରିପାରନ୍ତି ।

 

ତମେ ଆଜି ମୋଠାରୁ ଅନେକ ଦୂରରେ । ଏ ଜୀବନ କାଳ ଭିତରେ ତମ ସହିତ ମୋର କେଉଁଠି ଅଚାନକ ସାକ୍ଷାତ ହୋଇପାରେ କିନ୍ତୁ ତମକୁ ସ୍ପର୍ଶ କରିବାର ସୁଯୋଗ ହୁଏତ ଆଉ ଦ୍ୱିତୀୟଥର ପାଇଁ ପାଇ ନ ପାରେ । ତଥାପି ମୋର ଦୁଃଖ ନାହିଁ, ଅନୁଶୋଚନା ନାହିଁ କି ସାମାନ୍ୟ ଗ୍ଲାନି ମଧ୍ୟ ନାହିଁ । ତମେ ମୋ ପ୍ରତି ଚରମ ପ୍ରତିଶୋଧ ନେଉଥିଲା ବେଳେ ମୋର କାହିଁକି ତମ ପ୍ରତି କରୁଣା, ସମବେଦନା, ସହାନୁଭୁତି, ଅନୁକମ୍ପା ଜାତ ହେଉଛି ।

 

ଆଜି ତମର ଦ୍ୱାବିଂଶତମ ଜନ୍ମବାର୍ଷିକୀ ଅନେକ ଦୂରରେ ଥାଇ ତମର ଜନ୍ମବାର୍ଷିକୀରେ ଅଭିନନ୍ଦନ ଜଣାଉଛି । ଭଗବାନ ତମକୁ ସୁବୁଦ୍ଧି ଦିଅନ୍ତୁ, ତମେ–ସୁଖଶାନ୍ତିରେ ଘରସଂସାର କର, ତୁମ ଚଲାପଥରେ ଫୁଲଚନ୍ଦନ ବୃଷ୍ଟି ହେଉ, ଜୀବନ ତମର କୁସୁମିତ ହେଉ, ଭଗବାନ ତମର ମଙ୍ଗଳ କରନ୍ତୁ, ତମ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ।

 

ସାମାନ୍ୟ ମଣିଷ ମୁଁ । ଏତିକି ଆଶୀର୍ବାଦ ଛଡ଼ା ଆଉ କଣ ଦେଇପାରିବି । ସମସ୍ତ ସ୍ନେହ ମମତା ତମକୁ ଦେଇ ମୁଁ ଆଜି ନିଃସ୍ୱ ହୋଇ ଯାଇଛି ।

 

ଚିଠିଟିକୁ ଲଫାପାରେ ବନ୍ଦକଲା କୁମାର ।

 

ବାହାରେ ଶ୍ରାବଣର ବର୍ଷଣମୁଖୀ ସନ୍ଧ୍ୟା କରୁଣ ଭାବରେ ବିଳପି ଉଠୁଥିଲା ।

Image